Unknown

 

 

 

 

 

 

 

 

 

 

 

ମାୟା

ଗୌରହରି ଦାସ

 

ସୂଚୀପତ୍ର

 

୦୧.

ମାୟା

୦୨.

ମିଶାଣ ଫେଡ଼ାଣ

୦୩.

ଚାରୁଲତା

୦୪.

ନିଜ ସହ ଲୁଚକାଳି

୦୫.

ଅପେକ୍ଷା

୦୬.

ସାହସ

୦୭.

ପିଲା ଖେଳ

୦୮.

ଉଧାର-ମା

୦୯.

ଛୁଆ ବାଆଜି

୧୦.

କବି

୧୧.

ବଳି ବିଚରା

୧୨.

ମୂଷା ଓ ଠେକୁଆ

☆☆☆

 

ନିଜକଥା

 

କାମନାର ବିନାଶରେ ଦୁଃଖର ବିନାଶ ବୋଲି ବାରମ୍ବାର ପଢ଼ିଥିବା ମଣିଷ ବି କାମନା କରେ । ଅତୀତ ଆଉ ଫେରିବ ନାହିଁ ବୋଲି ବହିରୁ ଘୋଷିଥିବା ଜୀବନ ବାରମ୍ୱାର ଝୁରି ହେଉଥାଏ ଅତୀତକୁ । ଧୂଳି ଓ ପବନ ସାଙ୍ଗେ ମିଳେଇ ଯାଇଥିବା ଜୀବନକୁ ମନେ ପକାଉଥାଏ ସମ୍ପର୍କ ।

 

ଧ୍ୱସ୍ତବିଧ୍ୱସ୍ତ ରଣଭୂମିର ପାଣ୍ଡୁର ପିଠିରେ ଦିନେ ଘାସଫୁଲ ଚହଟି ଉଠେ । ଜୀବନର କୋରଡ଼ା ମାଡ଼ରେ ପଙ୍ଗୁ ପାଲଟି ଥିବା ଅସମର୍ଥର ଓଠ ଉପକୂଳରେ ହସ ଫୁଟେ । ବୈରାଗ୍ୟର ବୃନ୍ଦାବନରୁ ହଠାତ୍‌ ଫେରିଆସେ ସଂସାର । ଊଷର, ଧୂସର ଭୂମି ଉପରକୁ ଓହ୍ଲେଇ ଆସେ ଚେନାଏ ସବୁଜିମା ।

 

ଆକାଶକୁ କୌଣସି ଦିନ ଛୁଇଁ ହେବ ନାହିଁ ବୋଲି ବରାବର କୁହାଯାଉଥିବା ସତ୍ତ୍ୱେ ଜହ୍ନକୁ ଧରିବା ପାଇଁ ହାତ ବଢ଼ଉଥାଏ ଶୈଶବ । ଜୀବନ ଅନିତ୍ୟ ଏବଂ ଅଳୀକ ବୋଲି ବାରମ୍ବାର ପ୍ରବଚନ ଶୁଣୁଥିବା ସତ୍ତ୍ୱେ ସ୍ୱପ୍ନ ଏବଂ ଆଶାଗୁଡ଼ିକୁ ଗୁଡ଼ିକରି ଉଡ଼ଉଥାଏ ଯୌବନ; ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ଜାଣି ମଧ୍ୟ ସମୟର ରଥଚକକୁ ପଛକୁ ଘୂରେଇବାର ଅସଫଳ ଉଦ୍ୟମ କରୁଥାଏ ବାର୍ଦ୍ଧକ୍ୟ ।

 

ରାତି ଦୀର୍ଘ ଓ ଅନ୍ଧାର ଜାଣି ସୁଦ୍ଧା ଜଳୁଥାଏ ସଞ୍ଜଦୀପ । ସାମର୍ଥ୍ୟ ସସୀମ ଏବଂ ଜ୍ୱଳନ ଯନ୍ତ୍ରଣାପୂର୍ଣ୍ଣ ଜାଣି ସୁଦ୍ଧା ସୁଗନ୍ଧ ବାଣ୍ଟି ଚାଲିଥାଏ ଧୂପ ।

 

ଏ ସବୁ କଣ ? ମାୟା ନା !

 

ସେମିତି ସବୁକଥା ଠିକ୍‌ ଠିକ୍‌ ଲେଖିପାରିବି ନାହିଁ ଜାଣି ମଧ୍ୟ ବାରମ୍ବାର ଏକା ଚେଷ୍ଟାରେ ବ୍ୟାପୃତ ହେବାର ମୋର ଲେଖକୀୟ ମୋହ ମାୟା ଭିନ୍ନ କିଛି ନୁହେଁ ।

 

–ଗୌରହରି ଦାସ

☆☆☆

 

ମାୟା

 

ଗାଁବାଲାଏ ସମସ୍ତେ ଭାବୁଥିଲେ, ପାଣୁଆଟା ଅଧା ବୟସରେ ଯିବ । ତାର ଯୋଉ କାଣ୍ଡକାରଖାନା, କେହି ଗୋଟେ ନିଶ୍ଚେ ତା ପେଟରେ କୋଉଦିନ ଛୁରା କି ଭୁଜାଲି ଭୁସିଦେବ, ନହେଲେ ଅନ୍ଧାର ରାସ୍ତାରେ ଫେରୁଥିବାବେଳେ ପଛରୁ ତା ମୁଣ୍ଡ ଫଟେଇଦେବ । ଇଏ ପୁଲିସ ଫୁଲିସ କଥା କିଛି ନୁହେଁ । ଯିଏ ଯାହା କରେ, ସିଏ ତାହା ପାଏ । ସେମାନଙ୍କ କଥା ସତ ଫଳିଲା ଓ ପାଣୁଆ ଅଧା ବୟସରେ ମରିଗଲା । କିନ୍ତୁ ଛୁରା ଭୁଜାଲିରେ ନୁହେଁ, ଏପରିକି ଠେଙ୍ଗାବାଡ଼ିରେ ବି ନୁହେଁ । ତାର ମରଣର କାରଣ ଓ ମାର୍ଗ ଉଭୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ ।

 

ଗାଁ ଲୋକେ ପାଣୁଆ ବିଷୟରେ ଯିଏ ଯାହା କହିଲେ ବି ତା ପଛରେ ସେସବୁ କହୁଥିଲେ । ତା ସାମ୍ନାରେ କିଛି କହି ଖସିଯିବା ଭଳି ଲୋକ ଖଣ୍ଡମଣ୍ଡଳରେ ନ ଥିଲେ । ମୁଁ ଥିଲି ପାଣୁଆର ଦୃଢ଼ ସମର୍ଥକ । ପାଣୁଆ ଯାହା କହୁଥିଲା ମୁଁ ତହିଁରେ ହଁ ଭରୁଥିଲି । ସେଥିପାଇଁ ମୋ ପଛରେ ମୋତେ କେହି କେହି ପାଣୁଆ ଜେନାର ଚାମ୍‌ଚା ବୋଲି କହନ୍ତି । ମାତ୍ର ସେ କଥା ମୁଁ ମୋ କାନରେ କେବେ ଶୁଣିନାହିଁ । ଯୋଉଦିନ ଶୁଣିବି, ସେଦିନ ମଝି ରାସ୍ତାରେ ରକ୍ତର ନଦୀ ବହିଯିବ । ପୁଅ ଆଉ ୱାନ୍‌ ପିସ୍‌ ହୋଇ ଘରକୁ ଫେରିବ ନାହିଁ ।

 

ପାଣୁଆ ମୋର ସମବୟସ୍କ ହେଲେ ବି ସେ ଥିଲା ଆମର ଲିଡ଼ର୍‌, ଏ ବାରଖଣ୍ଡି ମୌଜାର ଆତଙ୍କ । ପୁଲିସ ତାକୁ ଡରୁଥିଲା । ସେ ଯାହା ଚାହୁଁଥିଲା ସେଇଆ କରୁଥିଲା । ତାକୁ ତା ନିଷ୍ପତ୍ତିରୁ କେହି ଟଳେଇ ପାରୁ ନ ଥିଲେ । ଏପରିକି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆସି କହିଲେ ବି ସେ ତାଙ୍କ କଥା ଶୁଣିବା ଅବସ୍ଥାରେ ରହୁ ନ ଥିଲା । ତା ପରି ଏକଜିଦିଆ କେହି ନ ଥିଲେ । ସେ କୁକୁଡ଼ା କାଟିବ ବୋଲି କହୁଥିଲେ କୁକୁଡ଼ା କାଟୁଥିଲା, ଛେଳି କାଟିବ ବୋଲି କହୁଥିଲେ ଛେଳି କାଟୁଥିଲା ଓ ମଣିଷ କାଟିବ ବୋଲି କହୁଥିଲେ ମଣିଷ କାଟୁଥିଲା । ତା ଆଖିରେ ଛେଳି, କୁକୁଡ଼ା ଓ ମଣିଷ ଭିତରେ ବେଶି କିଛି ଫରକ ନ ଥିଲା । ସେ ଥାନାକୁ ଡରୁ ନ ଥିଲା କି ଜେଲ୍‌କୁ ଡରୁ ନ ଥିଲା । ସେ ପୁଲିସକୁ ଡରୁ ନ ଥିଲା କି ଓକିଲକୁ ଡରୁ ନ ଥିଲା ।

 

ପାଣୁଆ ଗୋଟେ ଅଜବ ଗୁଣ୍ଡା । ହସି ହସି କଥା କହୁଥିବ, ଥଣ୍ଡା ମିଜାଜ୍‌ରେ ଥିବ, ଖୁସିଗପ କରୁଥିବ, ହଠାତ୍‌ ନିଅଁହୁଳା ପରି ହୁ-କିନା ଜଳି ଉଠିବ । ସାଙ୍ଗେ ସାଙ୍ଗେ ଚାର୍ଜ କରିବ । ଦରକାର ପଡ଼ିଲେ ଛୁରି ପେଲିଦେବ । ତାର ଏ ରାଗବେଳେ ଆମେ କେହି ତା ପାଖ ପଶୁନା । ସେତେବେଳେ ଯିଏ ତାକୁ ଅଟକେଇବ ପାଣୁଆ ତାକୁ ଠିଆ ଫାଡ଼ିଦେବ । ବଡ଼ ଭୟଙ୍କର ସେତେବେଳର ତା ଅବସ୍ଥା ।

 

ମୋତେ ପାଣୁଆ ବରାବର କହେ, “ବୁଝିଲୁ ନରି, ଦିନେ ଆସିଛ, ଦିନେ ଚାଲିଯିବ । ତା ବୋଲି କଣ ହାତରେ ଚୁଡ଼ି ପିନ୍ଧି ମାଇକିନାଙ୍କ ପରି ଘର କୋଣରେ ବସି ରହିବ ! ଦିଇଶ, ତିନିଶ ଟଙ୍କା ପାଇଁ ୟା ତା ଆଗରେ ହାତ ପତେଇବ ! ମଇଦାନ୍‌ କମ୍ପେଇ ବାଘ ଭଳିଆ ଜିଇଁବ । ବଞ୍ଚିଲ ତ ଭଲ, ମଲ ତ ଭଲ ।”

 

ତା କଥାରେ ଦମ୍‌ ଥାଏ । ତା କଥା ଶୁଣୁ ଶୁଣୁ ମୋ ଦେହରେ ଗରମ ଚରିଯାଏ । ଖାଲିଟାରେ ଗୋଟାଏ କି ଯୋଡ଼ାଏ ନିବ୍‌ ରମ୍‌ ତେଣ୍ଡିଦେଲା ପରି ଦେହ ଭିତରଟା ଉଷୁମ ଲାଗେ । ମୁଁ ବାହା ଫୁଲେଇ କହେ, “ତମେ ଖାଲି ଆଖି ଠାରିଦିଅ ପାଣୁଆ ଭାଇ, ଯାହାକୁ କହିବ ତାକୁ ଯଦି ଫ୍ଲାଟ୍‌ ନ କରି ଦେଇଛି ମୋ ନାଁ ବି ନରି ମହାନ୍ତି ନୁହେଁ ।” ପାଣୁଆ ଖୁସି ହୁଏ । ମୋ ପିଠି ଥାପୁଡ଼େଇ କହେ, “ସାବାସ୍‌ ନରି, ତୁ ନିଶ୍ଚୟ ଦିନେ ଏ ଅଞ୍ଚଳର ଦାଦା ବନିବୁ । ଭାରି ଚାଇଁଆ ଟୋକା ଅଛୁ । ସେମିତି ସାହସ ଦରକାର । ହାତୀକା ଦାନ୍ତ୍‌, ମରଦ୍‌କା ବାତ୍‌ ।”

 

ପାଣୁଆ ଯେମିତି ଅଭିମାନୀ ସେମିତି ମହାଦାନୀ । ମନକୁ ଉଠିଛି ତ ହଜାରେ ପାଞ୍ଚ ହଜାର ଯାହା ମାଗିଲେ ଦେଇଦେବ । ଟଙ୍କା ପଇସାକୁ ତାର ଲୋଭ ନାହିଁ । ସେଗୁଡ଼ାକ ଯେମିତି ଗୋଡ଼ିମାଟି । କାଲୁ ମିଆଁ ଗ୍ୟାରେଜ୍‌ରେ ସେ ରହେ । ତା ପାଇଁ କାଲୁ ମିଆଁ ଗୋଟେ ଅଲଗା ଖଟିଆ ବନ୍ଦୋବସ୍ତ କରିଦେଇଛି । ଏରିଆରେ ଥିଲାବେଳେ ସେ ସେଇଠି ଶୁଆବସା କରେ । ମଝିରେ ମଝିରେ ପାଣୁଆ କ୍ୟାପିଟାଲ୍‌କୁ ପଳେଇଯାଏ । ଅନେକ ଲିଡ଼ର୍‌ଙ୍କ ସାଙ୍ଗେ ତାର ଭାବଦୋସ୍ତି । ମନ୍ତ୍ରୀ ରାମାନନ୍ଦ ବାବୁକୁ ତ ପାଣୁଆ ବଞ୍ଚେଇ ଦେଇଥିଲା ସୂତା ଖିଅକରେ । ନହେଲେ ଉଚ୍ଛବା ଗୁଣ୍ଡାର ତଲୱାର୍‌ରେ ରାମାନନ୍ଦ ମହାପାତ୍ର ସେଇଦିନ ନିଶ୍ଚେ ଗଡ଼ି ପଡ଼ିଥାନ୍ତା । ସେଇଦିନୁ ରାମାନନ୍ଦ ବାବୁ ସାଙ୍ଗେ ପାଣୁଆର ଭଲ ସମ୍ପର୍କ । ରାମାନନ୍ଦ ବାବୁ ଏରିଆକୁ ଆସିଲେ ପାଣୁଆକୁ ଡାକି ପଠାଏ । ଆମେ ତାର କାଟ୍‌ତି ଦେଖି ଖୁସି ହଉ ।

 

କିନ୍ତୁ ପାଣୁଆକୁ ରାମାନନ୍ଦ ବାବୁ କଥା କହିଲେ ସେ ଖୁସି ହେବ କଣ ଓଲଟି ଚିଡ଼ିଯାଏ-। ବେଳେ ବେଳେ କହିପକାଏ, “ଏ ଶଳା ରାଜନୀତିବାଲାଏ ଭାରି ମତଲବୀ । ଏଗୁଡ଼ାଙ୍କ ସାଙ୍ଗେ ସମ୍ପର୍କ ରଖିଲେ ଖାଲି ଘାଟା ଆଉ ଘାଟା ।”

 

ଆମେ ଯୁକ୍ତି କରୁନା । ପାଣୁଆର କଥାକୁ କାଟି ପାରୁନା । କାରଣ ଆମେ ଜାଣୁ, ଆମଠୁ ତାର ଅଭିଜ୍ଞତା ବେଶି । ଯୋଉମାନେ ତାକୁ ପଚାରୁଛନ୍ତି ସେମାନଙ୍କ ଭିତରୁ ସମସ୍ତେ କେହି ନା କେହି ପାଣୁଆଠାରୁ କାମ ହାସଲ କରିଛନ୍ତି । ସେ ସେମାନଙ୍କୁ ହାଡ଼େ ହାଡ଼େ ଚିହ୍ନିଥିବ । ତଥାପି ରାଜନୀତିବାଲାଙ୍କ ସାଙ୍ଗେ ସମ୍ବନ୍ଧ ରଖିବାକୁ ହୁଏ । ପୁଲିସ ସାଙ୍ଗେ ଶତ୍ରୁତା କଲେ ରାଜନୀତିଆଙ୍କ ଶରଣ ପଶିବାକୁ ପଡ଼େ । ସେଥିପାଇଁ ଇଲେକସନ୍‌ ବେଳେ ଜୀବନକୁ ପାଣି ଛଡ଼େଇ ଅନେକ କାମ କରିବାକୁ ହୁଏ । ଦୁସରା ପାର୍ଟିର ଲୋକଙ୍କୁ ମଦ, ଗଞ୍ଜେଇ ଖୁଆଇ ନ ହେଲେ ନାଲିଆଖି ଦେଖେଇ ଅଟକ ରଖିବାକୁ ପଡ଼େ ।

 

ନନ୍ଦନକାନନକୁ ଯେମିତି ମହାବଳ ବାଘ, ନ୍ୟାସ୍‌ନାଲ୍‌ ହାଇୱେକୁ ଲେଲ୍ୟାଣ୍ଡ ଟ୍ରକ୍‌, ସେମିତି ଆମ ବଜାରଛକ ରାସ୍ତାକୁ ପାଣୁଆର ବୁଲେଟ୍‌ ମଟର ସାଇକେଲ୍‌ । ସେ ତା ମଟର ସାଇକେଲ୍‌ ଫଟ୍‌ ଫଟ୍‌ କରି ଛକ ଉପରେ ପହଞ୍ଚିଗଲେ ବଜାରଟା ସାରା ଗୋଟେ ଚାପା ଗୁଞ୍ଜରଣ ଖେଳିଯାଏ । ଦୋକାନୀମାନେ ସତର୍କ ହୋଇଯାଆନ୍ତି । ମୁଁ ବରାବର ବସିଥାଏ ପାଣୁଆର ମଟର ସାଇକେଲ୍‌ ପଛରେ । ମୋ ପଛକୁ ବସେ ରାଘବା । ପାଣୁଆ ଏକାକୀ କୁଆଡ଼େ ଯାଏ ନାହିଁ । ସେ ଜାଣେ ତାର ଶତ୍ରୁ ଅନେକ ଓ ସେମାନେ ତାକୁ ଗୋଡ଼େ ଗୋଡ଼େ ଛକିଛନ୍ତି ।

 

ପାଣୁଆ ଯୋଉ ଦୋକାନକୁ ପଶିଯାଏ ସେ ଦୋକାନୀର ହାଲୁକ ଶୁଖିଯାଏ । ପାଣୁଆ ପାଟିରୁ ଯାହା ବାହାରିବ ସେଇ ଜାଣ ଆଇନ । ତା କଥା ଅନ୍ୟଥା ହେବ ନାହିଁ । ପାଣୁଆର ଚାନ୍ଦା ଦରକାର–ତା ପିଲାମାନଙ୍କ ଖର୍ଚ୍ଚ ପାଇଁ, ମାଲ୍‌ ପିଇବା ପାଇଁ, ଭୋଜିଭାତ ପାଇଁ । ସେମାନେ ସେ ଖର୍ଚ୍ଚ ଦେବେ । ଦିଅନ୍ତି ବି । କାରଣ ସେମାନେ ଜାଣନ୍ତି ପାଣୁଆ ଖୁସି ଥିଲେ ସେମାନେ ନିଶ୍ଚିନ୍ତ । ନ ହେଲେ ଉଚ୍ଛବା ଗ୍ୟାଙ୍ଗ ଉତ୍ପାତ ଆରମ୍ଭ କରିଦେବେ । ସେମାନେ ହେଲେ ନରେନ୍ଦ୍ରପୁର ଏରିଆର ଗ୍ୟାଙ୍ଗ । ଏ ବଜାରର ଭଲମନ୍ଦରେ ସେମାନେ ନ ଥାନ୍ତି । ସେମାନେ ଖାଲି ଜୋକ ପରି ଶୋଷିବେ, କିନ୍ତୁ ଭଲରେ ମନ୍ଦରେ ଆସି ପାଖରେ ଠିଆ ହେବେ ନାହିଁ । ତାଙ୍କ ଜୁଲୁମ ସହିବା ଭାରି କଷ୍ଟ । ଉଚ୍ଛବାଠୁଁ ପାଣୁଆ ଢେର୍‌ ଭଲ । ପାଣୁଆ ଖୁସି ଥିଲେ ତାଙ୍କ ଦୋକାନ ବ୍ୟବସାୟ ଉପରେ କେହି ଆଖି ପକେଇ ପାରିବନାହିଁ । କୌଣସି ଲୋକ ତୁଚ୍ଛାଟାରେ ଆସି ଗଣ୍ଡଗୋଳ ଭିଆଇବ ନାହିଁ-। ଇଲେକ୍ଟ୍ରିବାଲା କି ପଞ୍ଚାୟତବାଲାଏ ଦାଦାଗିରି ଦେଖେଇ ପାରିବେ ନାହିଁ ।

 

ଉଈହୁଙ୍କା ଯେମିତି ଦିନଗୋଟାକରେ ଉଚ୍ଚା ହେଇଯାଏ ନାହିଁ, ସେମିତି ପାଣୁଆ ଜେନା ବି ଗୋଟାଏ ଦିନରେ ଲିଡ଼ର୍‌ ବନି ଯାଇ ନାହିଁ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପାଣୁଆ ଯେ ଦିନେ ଲିଡ଼ର୍‌ ହେବ ସେକଥା ବି ତା ପିଲାଦିନୁ କୁଆଡ଼େ ଜଣାପଡ଼ିଯାଇଥିଲା । ଆମେ ତ କେହି ସେକଥା ଦେଖି ନ ଥିଲୁ, ନିଜେ ପାଣୁଆ କେତେଥର ତା ପିଲାଦିନର କଥା ଆମକୁ କହିଥିଲା । ପିଲାଦିନେ ସେ ଗୋଟେ ହାଇସ୍କୁଲରେ ପଢ଼ୁଥିଲା । ନବମ ଶ୍ରେଣୀଯାଏ ସେ ସ୍କୁଲକୁ ଯାଇଥିଲା, ତାପରେ ସ୍କୁଲର ହେଡ୍‌ମାଷ୍ଟ୍ରେ ତା ବାପାକୁ ଡକେଇ ପଠେଇଲେ ଓ ପାଣୁଆର ନାଁ ସ୍କୁଲ ରେଜିଷ୍ଟର୍‌ରୁ କାଟିଦେଲେ । ପାଣୁଆ ନାଁରେ ବି.ଡି.ଓ. କଂପ୍ଲେନ୍‌ କରିଥିଲା । ପାଣୁଆ ସେ ବି.ଡି.ଓ.ର ସାନ ଝିଅର ହାତକୁ ମୋଡ଼ି ଭାଙ୍ଗି ଦେଇଥିଲା ।

 

ପାଣୁଆ କହେ, “ମୁଁ ବି.ଡି.ଓ. ଝିଅର ହାତ ଭାଙ୍ଗିବାକୁ ଯାଇ ନଥିଲି । ମୁଁ ଯାଇଥିଲି ସେ ଶଳା ବି.ଡି.ଓ.କୁ ସବକ୍‌ ଶିଖେଇବା ପାଇଁ । ସ୍କୁଲ ଡ୍ରାମା ପାଇଁ ତା ଅଫିସ୍‌ର ମାଇକ୍‌ ସେଟ୍‌ ମାଗି ଯାଇଥିଲି, ଶଳା ନାହିଁ କରିଦେଲା । ସ୍କୁଲ ସାଙ୍ଗଙ୍କ ଆଗରେ ମୁଁ ବଡ଼ ଅପମାନ ପାଇଲି । ସେଇଦିନ ରାତିରେ ମନେ ମନେ ସ୍ଥିରକଲି–ଠିକ୍‌ ଅଛି, କେମିତି ମାଇକ୍‌ ନ ଦେବ ମୁଁ ଦେଖିବି । ବୋପାକୁ ମଉସା ଡାକି ଦେବ, ଯିବ କୁଆଡ଼େ ! ତା ପରଦିନ ସକାଳୁ ତା ଘରକୁ ଚାଲିଗଲି । ବି.ଡି.ଓ. ନ ଥିଲା । ତା ଝିଅ ବଗିଚାରେ ବୁଲୁଥିଲା । ତା ହାତକୁ ଯାଇ ମୋଡ଼ିଦେଲି । ସେ କେଁ କେଁ ହୋଇ କାନ୍ଦିଲା । ମୁଁ କହିଦେଲି, ‘ତୋ ବାପାକୁ କହିଦେ, ସ୍କୁଲ ପିଲାଙ୍କୁ ମାଇକ୍‌ ସେଟ୍‌ ଦେଇଆସିବ-। ନହେଲେ ତାର ବି ଏଇ ଦଶା ହେବ ।’ ମୁଁ ଏକଥା କହିଦେଇ ଘରକୁ ଆସିଛି, ସେ ପେଟୁଆ ବି.ଡି.ଓ. ସେପଟେ ମାଇକ୍‌ ସେଟ୍‌ ନେଇ ସ୍କୁଲ୍‌ରେ ହାଜର ।”

 

ପାଣୁଆର ସଫଳତାର କାହାଣୀ ଶୁଣି ଆମେ ଉଦ୍‌ବୁଦ୍ଧ ହେଇଯାଉ । ଆମେ ଆମର ଘଟଣାହୀନ ପିଲାଦିନଗୁଡ଼ିକୁ ଦୟା କରିବସୁ । ସତକଥା, ଯିଏ ଲିଡ଼ର୍‌ ହେବ ତା ପିଲାଦିନୁ ସେକଥା ନିଶ୍ଚୟ ଜଣାପଡ଼ିଥିବ ।

 

ଷଣ୍ଢ ତା ମା’ ପେଟରୁ ଜଟା ନେଇ ଆସେ, ପାଣୁଆ ଜେନା ତା ମା’ ପେଟରୁ ସାହସ ନେଇ ଆସିଥିଲା । ଆମେ ପଚାରୁ, “ତାହେଲେ ସେ ମାଷ୍ଟର ତମକୁ ସ୍କୁଲରୁ ଉଠେଇ ଦେଲା କାହିଁକି ?”

 

ପାଣୁଆ ରାଗିଯାଇ କହେ, “ଶଳା ସେ ମାଷ୍ଟରଟା ଏକ ନମ୍ବର ଛେରୁଆ । ମୋ ବାପାକୁ ଡାକି ଟ୍ରାନ୍‍ସଫର୍‌ ସାର୍ଟିଫିକେଟ୍‌ଟା ଧରେଇ ଦେଲା । କହିଲା, ପାଣୁଆ ଏ ସ୍କୁଲରେ ପଢ଼ିଲେ ସ୍କୁଲର ଗ୍ରାଣ୍ଟ କଟିଯିବ ।”

 

ଆମେ ସ୍କୁଲ ମାଷ୍ଟରର ଡରୁଆ ଚେହେରାଟି ସାଙ୍ଗେ ସାଙ୍ଗେ କଳ୍ପନା କରିପକାଉ । ଗୋଟେ ବୁଢ଼ା ମାଷ୍ଟର ଛତା ଧରି ମଝି ବିଲଟାରେ ଧପାଲୁଥିବ, ଆଖିରୁ ଚଷମା ଓ ପାଟିରୁ ପାନ ପିକ ଖସି ପଡ଼ୁଥିବ । ସେମିତି ମାଷ୍ଟର କଣ ଗ୍ୟାଙ୍ଗ ଲିଡ଼ର୍‌ ପାଣୁଆକୁ ପାଠ ପଢ଼େଇ ପାରିଥାନ୍ତା !

 

ପାଣୁଆ କହେ, “ଆବେ, ପାଠ ପଢ଼ି କଣଟା ଅଧିକ ହୋଇଥାନ୍ତା ? ଏ ପାଣୁଆକୁ କିଏ ନ ଚିହ୍ନେ ? କିଏ ନ ଶୁଣିବ ପାଣୁଆ ଜେନାର କଥା ଆଜି ଏ ବଜାରରେ ? କିନ୍ତୁ ଶଳା ଶାସ୍ତ୍ର କହିଛି, ଗୃହଶତ୍ରୁ ବିଭୀଷଣ । ଶତ୍ରୁ ଖୋଜିବା ପାଇଁ ଆଉ କୁଆଡ଼କୁ ଯିବା ଦରକାର ନାହିଁ । ସେ ସେଇଠି ତମରି ଘରେ ଥିବେ । ମୋ ବାପ-ମା ସେମିତି ମୋର ପହିଲା ନମ୍ବର ଶତ୍ରୁ । ମୋତେ ଘରେ ପୂରେଇବାକୁ ବି ମନ କରୁନାହାନ୍ତି । ନ କରନ୍ତୁ । ମୁଁ କଣ ସେଇ ଘରକୁ ନ ଗଲେ ବଞ୍ଚି ପାରିବି ନାହିଁ । ଆଁ !”

 

ଏ କଥାରେ ଆମେ କେହି ଉଁ କି ଚୁଁ କିଛି କହୁନା । ଏଇଟା ପାଣୁଆର ଗୋଟେ ଦୁର୍ବଳ ଜାଗା । ଗୋଟେ ଘା । ଏ ବିଷୟରେ ଯାହା କିଛି କହିଲେ ବି ପାଣୁଆର ମନ କଷ୍ଟ ହେବ । ଆମେ ତଳକୁ ମୁହଁପୋତି ଛିଡ଼ାହୋଇ ରହୁ । ପାଣୁଆ ପ୍ରସଙ୍ଗ ବଦଳେଇ ଦୁସରା କଥା କହେ ।

 

ଆମେ କହୁ, “ତମର ବୟସ ହୋଇଗଲାଣି, ରୋଜଗାର ତ ଢେର୍‌ । ସବୁଦିନେ କଣ ଏଇପରି ଟୋ ଟୋ ବୁଲୁଥିବ ?” ପାଣୁଆ ରାଗିଯାଏ । କହେ, “ସେ ବାହାଘର ଫାହାଘର ଚକ୍କର୍‌ରେ ମୁଁ ଶଳା ବିଲ୍‌କୁଲ ପଶିବି ନାହିଁ । ସେଗୁଡ଼ାକ ଭାରି ଜଞ୍ଜାଳ । ମୁଁ କୋଉ ମାଇକିନାର ବୋଲ ମାନି ଚଳିପାରିବି ନାହିଁ ।”

 

ମନ ଭଲ ଥିଲାବେଳେ କିନ୍ତୁ ପାଣୁଆ ଆମ କଥା ଶୁଣେ । ସାନ ପିଲାଟି ପରି ମନ ଧ୍ୟାନ ଦେଇ ଆମ ପ୍ରସ୍ତାବ ଶୁଣି ନିଜର ମତ ଦିଏ । କହେ, “ସମସ୍ତଙ୍କର ଯାହା ଇଚ୍ଛା, ମୋର ବି ସେଇଆ ।”

 

ତେବେ ଆମର ଏତେ ସବୁ କଥା ଶୁଣୁଥିବା ପାଣୁଆ କାହିଁକି ଯେ ସାପ ଭର୍ତ୍ତି ପୋଖରୀଟାରେ ପଶିବା ନେଇ ଆମର ବାରଣକୁ ମାନିଲା ନାହିଁ ତାର ଟେର୍‌ ଆମେ ପାଉ ନ ଥିଲୁ-। ବାରମ୍ବାର କହିଥିଲୁ, “ସେ ଫୁଲତୋଳା କାମ ଆମର ନୁହେଁ । ସାଇକେଲ୍‌ ଚେନ୍‌ରେ ପିଟି ପକେଇବା, ଆମ କଥା ନ ଶୁଣୁଥିବା ଲୋକର ଦୋକାନକୁ ଓଲଟେଇ ଦେବା, ନ ହେଲେ ରାତି ଅନ୍ଧାରରେ ତହିଁରେ ନିଆଁ ଲଗେଇଦେବା ହେଲା ଆମ କାମ । ସେ ଫୁଲତୋଳା କାମଗୁଡ଼ା ମାଇଚିଆମାନେ କରନ୍ତି, ତମେ ସେଥିରେ କାହିଁକି ପଶିବ ?” ମାତ୍ର ସେ ଟୋକୀ ଖଣ୍ଡକ ପାଣୁଆକୁ କି ପଦ୍ମତୋଳା ଶୁଣେଇଥିଲା କେଜାଣି ପାଣୁଆ ଆମ କଥା ଥରକ ପାଇଁ ବି ଶୁଣିଲା ନାହିଁ । ଜିଦ୍‌ କରି ବସିଲା, ସେ ନିଶ୍ଚୟ ସେ ପୋଖରୀ ଭିତରେ ପଶିବ ଓ ପଦ୍ମଫୁଲ ତୋଳିବ । ଏଇ ସାମାନ୍ୟ କଥା ପାଇଁ ରଜନୀ କଣ ଆରସାହି ଟୋକାଙ୍କୁ ଡାକିବାକୁ ଯିବ !

 

ଆମେ ବୁଝେଇଥିଲୁ, “ତମକୁ ଟିହାଇବା ପାଇଁ ସେ ସେମିତି କହୁଛି । ଆର ସାହିର କୋଉ ଟୋକାଟା ଏମିତି ସାହସିଆ ଅଛି ଯେ ଏଇ ସାପ ଭର୍ତ୍ତି ପୋଖରୀରେ ଆସି ଫୁଲ ତୋଳିଦେବ ? ସେସବୁ ମିଛ । ତୁମେ ସେ ଟୋକୀଟାର ପାଲରେ ପଡ଼ନାହିଁ ।”

 

ସେଦିନ କାଲୁମିଆଁର ଜିପ୍‌ ଧରି ଆମେ ପଞ୍ଚାୟତ ଅଫିସ୍‌କୁ ବାହାରିଥିଲୁ । ଗାଁ ମୁଣ୍ଡରେ ହିଁ ରଜନୀ ସାଙ୍ଗରେ ଦେଖାହେଲା । ସେ ତାର ଦି ଜଣ ସାଙ୍ଗଙ୍କ ସାଙ୍ଗରେ କୁଆଡ଼େ ଯାଉଥିଲା । ରଜନୀ ଆମ ଗାଁର ସବୁଠୁ ସୁନ୍ଦରୀ ଝିଅ । ତାର ତେଇଶ ବର୍ଷର ଚେହେରାରେ କଣ ଗୋଟେ ଏମିତି ଅଛି ଯେ ତା ଉପରେ ନଜର ପଡ଼ିଲାକ୍ଷଣି ଆଉ ସେ ନଜର ସେଠୁ ହଟେ ନାହିଁ । ଖାଲି ବରାବର ତା ମୁହଁକୁ, ତା ଛାତିକୁ, ତା ଅଣ୍ଟାକୁ ଓ ତା ଗୋଡ଼ପେଣ୍ଡାକୁ ଅନେଇବାକୁ ମନ ହୁଏ । ହସିଲାବେଳେ ରଜନୀ ସିନେମା ହିରୋଇନ୍‌ ମାଫିକ୍‌ ହସେ । ଭାରୀ ସୁନ୍ଦରୀ ସେ । କଲେଜରେ ପଢ଼ିଛି ରଜନୀ । ତା ବାପାର ଢେର୍‌ ପଇସା ।

 

ରଜନୀକୁ ନେଇ ଗାଁ ଭିତରେ ମଝିରେ ମଝିରେ ଝଡ଼ ଉଠେ । ସୁନ୍ଦରୀ ଝିଅ ହେଲେ ଏଇ ବିପଦ । ଆମେ ସେ ମାମଲାରେ ପଶୁନା । ଆମକୁ ବି କେହି କିଛି ପଚାରନ୍ତି ନାହିଁ । ଆମେମାନେ ଯେ ଗୁଣ୍ଡା !

 

ଆମେ ରଜନୀକୁ ଦେଖି ନ ଦେଖିଲା ପରି ଚାଲିଯାଉଥିଲୁ । ପଛରୁ ରଜନୀ ଡାକିଲା, “ଏଇ ପ୍ରାଣଭାଇ, ପ୍ରାଣଭାଇ, ଗୋଟେ କଥା ଶୁଣିବ ?”

 

ପ୍ରାଣ ଭାଇ ! ମୁଁ ଚମକିପଡ଼ିଲି । ଟୋକୀଖଣ୍ଡକ କେତେ ଛଟକ ନ ଶିଖିଛି ! ସଙ୍ଗେ ସାଙ୍ଗେ ପାଣୁଆ ନାଁ ବଦଳେଇ ପ୍ରାଣ ଭାଇ କରିଦେଲା । ପାଣୁଆ ସେ ଡାକ ଶୁଣି ନ ଶୁଣିଲା ପରି ମୋ ଆଡ଼କୁ ଚାହିଁଲା । ମୁଁ କହିଲି, “ତମକୁ ଡାକୁଛି । ପ୍ରା-ଣ-ଭା-ଇ ! ହୁଁ !”

 

ଆଉ ଏ ପାଣୁଆକୁ ଦେଖ ! ଟୋକୀଟାଏ ପଦେ ଡାକିଛି କି ନାହିଁ ସେ ଗୋଟାପଣେ ତାର ହୋଇଗଲା । ମୋ ଉପରକୁ ହାତ ଉଞ୍ଚେଇ ଚିହିଁକି ଆସିଲା, “ଖବରଦାର, ରଜନୀ ବାବଦରେ ଆଉ ଥରେ ଯଦି ସେମିତି କହିଛୁ ! ଯେତେହେଲେ ବି ସେ ଆମ ଗାଁ ଝିଅ ।”

 

ଆମେ ଚୁପ୍‌ ରହିଲୁ ।

 

ରଜନୀ କହିଲା, “ପ୍ରାଣ ଭାଇ, ତମକୁ ଆମର ଗୋଟେ ଛୋଟ କଥା ରଖିବାକୁ ପଡ଼ିବ । ନ ହେଲେ ଆମକୁ ଆରସାହି ମଦନକୁ ଯାଇ ଡାକିବାକୁ ପଡ଼ିବ ।”

 

ରଜନୀର କଥା ଶୁଣି ପାଣୁଆର ଆଖି ଦିଇଟା ଦପ୍‌ଦପ୍‌ ଜଳି ଉଠିଥିଲା । ସେ ଚିଡ଼ିଯାଇ କହିଥିଲା, “ଯାଉନା, ସେ ମାଇଚିଆକୁ ଡାକିବ । ମୋତେ ତାହାହେଲେ ଡାକି ଆସିଛ କାହିଁକି ?” ଆମେ ପାଣୁଆର କଥାକୁ ସମର୍ଥନ କରିଥିଲୁ । ପାଣୁଆ ହେଲା ଏ ଏରିଆର ଦାଦା, ତା ସାଙ୍ଗରେ ମଦନାକୁ ସମାନ କରିବା ଆମକୁ ଆଦୌ ପସନ୍ଦ ହୋଇ ନ ଥିଲା ।

 

ରଜନୀ ହୁଏତ ଜାଣିଶୁଣି ପାଣୁଆକୁ ଟିହାଇଥିଲା । ତାର ସାହସକୁ ଆମେ ମନେ ମନେ ସାବାସି ଦେଉଥିଲୁ । ଏ ଗାଁର କୌଣସି ଝିଅ ଆଜିଯାଏ ଯୋଉ ସାହସ କରି ନ ଥିଲେ ରଜନୀ ତାହା କରିଥିଲା । ପାଣୁଆ ସାମ୍ନାରେ ଛିଡ଼ାହୋଇ ତା ସାଙ୍ଗେ କଥାବାର୍ତ୍ତା କରୁଥିଲା । ତାକୁ ଟିହାଇଲା ପରି ଚ୍ୟାଲେଞ୍ଜ୍‌ ଦଉଥିଲା ।

 

ପାଣୁଆ ପଚାରିଲା, “କାମ କଣ ?”

 

ରଜନୀ ତା ଶାଢ଼ିର କାନିକୁ ଦାନ୍ତରେ ଚାପି ଧରି କହିଲା, “ଠାକୁରାଣୀଙ୍କ ପାଖେ ଅଠର ଯୋଡ଼ା ଧଳା ପଦ୍ମ ଯାଚିଥିଲି । ଆରବର୍ଷକୁ ଏ ଗାଁରେ ଥିବି ନ ଥିବି, ଏଇ ବର୍ଷ ଠାକୁରାଣୀଙ୍କ ପାଖେ ଫୁଲ ଚଢ଼େଇବାକୁ ମାନସିକ କରିଛି । ତମେ ଟିକେ ନୂଆ ପୋଖରୀରୁ ଅଠରଯୋଡ଼ା ପଦ୍ମ ଆଣି ଦିଅନ୍ତ ନାହିଁ !”

 

ରଜନୀ ତୁଣ୍ଡରୁ କଥା ସରିଛି କି ନାହିଁ, ପାଣୁଆ ଫୁଟୁକି ମାରି କହିଲା, “ଏଇ ଗୋଟାଏ କଥା, ଇଆରି ପାଇଁ ଏତେ ଚିନ୍ତା ?” ତାପରେ ସେ ମୋ ଆଡ଼କୁ ଅନେଇ କହିଲା, “ଜାଣିଲୁ ନରି, ତୋ ଦାୟିତ୍ୱ ହେଲା ଫୁଲନେଇ ତାଙ୍କ ଘରେ ପହଞ୍ଚେଇବୁ ।”

 

ମୁଁ ମୁଣ୍ଡ ଟୁଙ୍ଗାରିଲି । ମାତ୍ର ସେ ଟୋକୀ ଖଣ୍ଡକ ଚଟ୍‌କିନା କହିଲା–“ନାଇଁ ନାଇଁ ପ୍ରାଣ ଭାଇ, ତମେ ନିଜେ ଆସିବ । ଏଇ ଶୁକ୍ରବାରରେ ପଡ଼ୁଚି ଦଶମୀ । ଆଉ କାହା ହାତରେ ପଠେଇବା ଦରକାର ନାହିଁ ।”

 

ଫୁଃ, ମୋର ଦିନ ସରୁ ନ ଥିଲା ରଜନୀ ଘରକୁ ଯିବାପାଇଁ । ମୁଁ ସିନା ପାଣୁଆର ହୁକୁମ ମାନୁଥିଲି । ରଜନୀ ତା କଥା କହି ଚାଲିଗଲା । ମୁଁ ଜିପ୍‌ ପଛରେ ବସି ତା ପିଠି ଓ ଅଣ୍ଟାକୁ ଚାହୁଁଥିଲି-। ଟୋକୀଟା କେଡ଼େ ସୁନ୍ଦରିଆ ହେଇଛି ବା !

 

ପାଣୁଆ ଜିପ୍‌ ଷ୍ଟାର୍ଟ କରିଥିଲା । ଗୁଣୁଗୁଣୁ ହେଇ ଗୋଟେ ଗୀତ ଗାଇଥିଲା । ତା ତୁଣ୍ଡରୁ ଏ ଗୀତ ଶୁଣି ଆମେ ଚମକିପଡ଼ିଥିଲୁ ! ଟୋକୀଟା କିମିଆ ଜାଣିଛି ନିଶ୍ଚୟ ? ଏ ଅଭିଲା ଜିନିଷ ତ କୋଉକାଳେ ଦେଖା ନ ଥିଲା !

 

ମୁଁ ପଚାରିଲି, “ସତରେ କଣ ତମେ ସେ ସାପଭର୍ତ୍ତି ନୂଆ ପୋଖରୀ ଭିତରକୁ ପଶିବ-?”

 

ପାଣୁଆ ମୋତେ ଗାରଡ଼େଇ ଅନେଇଲା । ତା ଚାହାଣିରୁ ବୁଝିଲି, ଏମିତିକା ପ୍ରଶ୍ନ ପଚାରିବା ମୋ ପକ୍ଷେ ଉଚିତ ହୋଇନାହିଁ । ତଥାପି ମୁଁ ମୋର କର୍ତ୍ତବ୍ୟ ଦୃଷ୍ଟିରୁ ଚେତେଇ ଦେଲି, “ଦେଖ ପାଣୁଆ ଭାଇ, ସେ ପୋଖରୀଟାରେ କେହି କେବେ ପଶନ୍ତି ନାହିଁ । ଆଡ଼ି ପାଖାପାଖି ତ ଗୋଟାଏ ହେଲେ ଫୁଲ ନାହିଁ, ଯାହା ଅଛି ପୋଖରୀ ମଝିରେ । ସେଇଟା ଗୋଟେ ବଣୁଆ ପୋଖରୀ । ଚାରି ପାଞ୍ଚ ବର୍ଷ ତଳେ ଆର ସାହିର ଗୋଟାଏ ଟୋକା ତା ଭିତରେ ପଶି ସାପ କାମୁଡ଼ାରେ ମରିଥିଲା । ତମେ ସେ ଟୋକୀ କଥାରେ କାହିଁକି ଖତ୍‌ରା ଭିତରକୁ ଯାଉଛ ?”

 

ମାତ୍ର ପାଣୁଆ ମୋ କଥା ଶୁଣିଲା ନାହିଁ । ତାର ପାରିବାର ପଣିଆକୁ କେହି ଚ୍ୟାଲେଞ୍ଜ୍‌ କଲେ ସେ ଥୟ ଧରି ରହିପାରେ ନାହିଁ । କେତେ କେତେ ଅସମ୍ଭବ କାମ ସେ ସମ୍ଭବ କରିଛି । ଛୁରୀ, ଭୁଜାଲି ଚଲେଇବାଠୁଁ କଣ ଫୁଲ ଗୋଛାଏ ତୋଳିବା କଷ୍ଟ କାମ !

 

ଆମେ ରଜନୀକୁ ମନେ ମନେ ଗାଳିଦେଲୁ । ଟୋକୀ ଖଣ୍ଡକ ଏ ଗାଁକୁ ଉଠଉଛି ପକଉଛି । ଚେହେରା ଖଣ୍ଡେ ପାଇଛି ବୋଲି ଇନ୍ଦ୍ର ଚନ୍ଦ୍ର ମାନୁ ନାହିଁ । ଭୂଇଁରେ ପାଦ ଲଗଉ ନାହିଁ । ପାଣୁଆକୁ ଯଦି ସାପ କାମୁଡ଼େ ଆମେ ତାକୁ ଛାଡ଼ିବୁ ନାହିଁ ।

 

ପରଦିନ ସକାଳେ କାଲୁ ମିଆଁ ଗ୍ୟାରେଜ୍‌ରେ ପହଞ୍ଚିବାବେଳକୁ ମୋର ଟିକେ ଡେରି ହୋଇଥିଲା । ମୋ ବଡ଼ ଭିଣୋଇ ବଲାଙ୍ଗୀରରୁ ଆସିଥିଲା । ତା ପୁଅର ଚାକିରି ଦରକାର । ମୁଁ ତାକୁ ବୁଝାବୁଝି କରି ଆସିଲି । ଏ ଚାକିରି ଫାକିରି କାମରେ ମୁଁ ବା କଣ କରିପାରିବି ? ମାଗିବୁ ତ ଟଙ୍କା ଚାରି ପାଞ୍ଚ ହଜାର ଯୋଗାଡ଼ କରିଦେବି ସିନା, କାହା ଆଗେ ଗୋଡ଼ ଭାଙ୍ଗି ଛିଡ଼ା ହୋଇପାରିବି ନାହିଁ । ଚାକିରି ଦେବା କାମ ମନ୍ତ୍ରୀ, ଏମ୍‌.ଏଲ୍‌.ଏ.ଙ୍କର । ମୋର ସେତେ ଦୂର ଚାଷ ନାହିଁ ।

 

କାଲୁ ମିଅଁ ଗ୍ୟାରେଜ୍‌ରେ ପାଣୁଆ ବସିଥିଲା । ସେ ଆଗେ ମୋତେ ଡାକ ପକେଇ ନ ଥିଲେ ମୁଁ ତାକୁ ଚିହ୍ନିପାରି ନ ଥାନ୍ତି । ରାତିକ ଭିତରେ ତା ବେଶପୋଷାକ ପୂରାପୂରି ବଦଳି ଯାଇଥିଲା । ମୁଁ ପଚାରିଲି, “କଣ ଭିତର ହୋଇଯିବାର ଅଛି କି ?”

 

ଆମ ଭାଷାରେ ‘ଭିତର’ ଅର୍ଥ ଅଣ୍ଡର ଗ୍ରାଉଣ୍ଡ୍‌ । କୌଣସି କେସ୍‌ବାସ୍‌ରେ ପୁଲିସ ଆମକୁ ଖୋଜିଲେ ଆମ ବେଶପୋଷାକ ବଦଳେଇ ଲୁଚିଯାଉ । ସପ୍ତାହେ ପନ୍ଦରଦିନ ବାଦ୍‌ ସବୁ ଥଣ୍ଡା ପଡ଼ିଗଲା ପରେ ପୁଣି ବାହାରି ଆସୁ । ଇଏ ବ୍ୟବସ୍ଥା ଆମର ଦେହସୁହା ହୋଇଗଲାଣି ।

 

ପାଣୁଆ ତାର ଲମ୍ବା ମୁଣ୍ଡବାଳ ସାଇଜ କରି ଭଦ୍ରଲୋକ ପରି ଦିଶୁଥିଲା । ଗୋଟେ ହଳଦିଆ ବ୍ୟାନିୟନ୍‌ ଓ ଜିନ୍‌ ପ୍ୟାଣ୍ଟ୍‌ ପିନ୍ଧି ତା ମଟର ସାଇକେଲ୍‌ ପାଖରେ ଠିଆ ହୋଇଥିଲା ।

 

ମୁଁ ପଚାରିଲି, “ଇଏ ତମର ପୁଣି କି ବେଶ କିହୋ ପାଣୁଆ ଭାଇ ? ଏ ବେଶରେ ତମକୁ ଦେଖିଲେ ତମ ଘରଲୋକ ବି ଚିହ୍ନିପାରିବେ ନାହିଁ ।”

 

ସେ ମୋ କଥାର କିଛି ଜବାବ ଦେଲା ନାହିଁ । ଭାରି ଗମ୍ଭୀର ଦିଶୁଥିଲା ତା ମୁହଁ । ମୋତେ କହିଲା, “ତୁ ଯା, ବନା ଦୋକାନୀକୁ ମୁଁ କହି ଆସିଛି । ସେ ଯାହା ଦେବ ଯାଇ ନେଇ ଆ । ତାପରେ ମୁଁ ଛକ ଆଡ଼େ ଯିବି ।”

 

ମୁଁ ରାଘବା ସାଙ୍ଗରେ ବନା ଦୋକାନକୁ ଚାଲି ଆସିଲି । ପାଣୁଆର ଏଇ ନୂଆ ପୋଷାକ କଥାଟା ମନେପଡ଼ି ମୋତେ ହସ ମାଡ଼ୁଥାଏ । ରାଘବା କହିଲା, “ଶଳା, ଟୋକୀଟା ପାଲରେ ପଡ଼ିଲାଣି ଇଏ । ଜାଣ ୟାର କାମ ସରିଲା ।”

 

ମୁଁ କହିଲି, “ତୁ କଣ ଜାଣିଛୁ କହିଲୁ ସେ ମାମଲାରେ, ଆଁ ? ମିଛଟାରେ ପାଣୁଆ ବିଷୟରେ କିଛି ନ ବୁଝି ନ ସୁଝି କହିବୁ ନାହିଁ ।”

 

କିନ୍ତୁ ରାଘବା ମୋ’ଠୁଁ ଏ ବାବଦରେ ଢେର୍‌ ବେଶି ଜାଣିଥିଲା । ସେଇ କହିଲା, ରଜନୀର ଗୋଟାଏ ଟୋକା ସାଙ୍ଗରେ ଲଭ୍‌ ଅଛି । ଏଇ ବର୍ଷ ତାଙ୍କର ବାହାଘର ହେଇଯାଇପାରେ-। ମୁଁ ଭିତିରିଆ ଖବର ବୁଝିଛି । ସେଇଥିପାଇଁ ସେ ବାସନ୍ତୀ ଦୁର୍ଗା ପାଖେ ପଦ୍ମଫୁଲ ଯାଚିଛି-

 

ମୁଁ ମନେ ମନେ ରଜନୀକୁ ଗାଳିଦେଲି । ଏମିତି ଟୋକୀ ଏ ଗାଁରୁ ଶୀଘ୍ର ଚାଲିଗଲେ ଭଲ । ଗାଁଟାରେ ଅନ୍ତତଃ ଶାନ୍ତି ଫେରି ଆସିବ । ତା ପାଇଁ କେତେ ଯେ ପାଲା ନ ହେଉଛି !

 

ରାଘବା କହିଲା, “ନାରୀ ଯୋଉଠି, କଳି ସେଇଠି । ତୁ ରାମାୟଣ, ମହାଭାରତ ପଢ଼ିନାହୁଁ ସିନା, ଟି.ଭି.ରେ ତ ଦେଖିଥିବୁ ।”

 

: ତୁଇ ଦେଖୁଥିବୁ ଟି.ଭି. ସିରିଏଲ୍‌ । ମୋର ସେମିତିକା ବେକାର କାମ ପାଇଁ ବେଳ ନ ଥାଏ–ମୁଁ ଜବାବ ଦେଲି ।

 

ଦଶମୀ ଦିନ ସକାଳୁ ମୁଁ ଆଉଥରେ ପାଣୁଆକୁ ବାରଣ କରିଥିଲି । କିନ୍ତୁ ସେ ମାନିବା ଜନ୍ତୁ ନୁହେଁ । ନୂଆ ପୋଖରୀ ଆଡ଼ିଯାଏ ମଟର ସାଇକେଲ୍‌ ଯାଇପାରିଲା ନାହିଁ । ଆମେ ରାସ୍ତାକଡ଼ ଗୁଗୁଚିଆ ପଡ଼ିଆରେ ମଟର ସାଇକେଲ୍‌ ରଖିଲୁ । ନୂଆ ପୋଖରୀର ପଦ୍ମପତ୍ର ଉପରେ ଚଇତି ପବନ ନାଚୁଥିଲା । ପତ୍ରଗୁଡ଼ା ଥରେ ଏପଟକୁ ତ ଥରେ ସେପଟକୁ ପେଟେଇ ପଡ଼ୁଥିଲେ । ନାଆଁ ସିନା ନୂଆ ପୋଖରୀ, କିନ୍ତୁ ପୋଖରୀଟା ବହୁତ ପୁରୁଣା । ପୋଖରୀଟାକୁ ରଜାଘର ଗୋତି ଖଟେଇ ଖୋଳିଥିଲେ । ସେଇଥିପାଇଁ ରାଜାଶାସନ ଗଲା ଦିନଠୁଁ ଏ ପୋଖରୀକୁ କେହି ବ୍ୟବହାର କରନ୍ତି ନାହିଁ । ଏବେ ଏଇଟା ସାପଙ୍କ ଗୋଠ ହେଇଛି । ଆରସାହି ପିଲାଟାକୁ ସାପ କାମୁଡ଼ିବା ଦିନଠୁଁ ଆଉ କେହି ପୋଖରୀ ଭିତରକୁ ପଶିବା ପାଇଁ ସାହସ କରି ନ ଥିଲେ । ପୋଖରୀ କୂଳେ ଏଣୁତେଣୁ ବଣୁଆ ଗଛ ଭର୍ତ୍ତି । ଆଡ଼ି ପାଖାପାଖି ଗୋଟାଏ ବି ଫୁଲ ନାହିଁ । ମଝିରେ କିନ୍ତୁ ଶହେ ସରିକି ପଦ୍ମ ଚହଟୁଥିଲା ।

 

ମୁଁ କହିଲି, “ଏ କାମ ତୁମର ନୁହେଁ । ମୋତେ କୁହ, ମୁଁ ଯାଇ ଫୁଲ ତୋଳି ଆଣିବି । ତମକୁ କଣ ଏ ଫୁଲତୋଳା ସାଜେ ?”

 

ପାଣୁଆ ମୋତେ ଅନେଇଲା । କହିଲା, “ରଜନୀ କଣ ତୋତେ ଫୁଲ ନେଇଯିବାକୁ କହିଛି, ଆଁ ? ସବୁ କଥାରେ ତୁ ଷଣ୍ଢ ପୂରଉ କାହିଁକି ?”

 

ମୋତେ ତା କଥାଗୁଡ଼ାକ ଅପମାନିଆ ଲାଗିଲା । ମୁଁ ମନେ ମନେ ତାକୁ ଓ ତାକୁ ଔଷଧ କରିଥିବା ସେଇ ଟୋକୀକୁ ଗାଳିଦେଲି । ପାଣୁଆ ଏ କଥା ଜାଣିପାରିଲା କି କଣ, ମୋ ପିଠି ଆଉଁଶି ଦେଇ କହିଲା, “ଆବେ ରାଗ୍‌ନା । ଏମିତି କହିଦେଲି ନା !”

 

ସେ ପଦ୍ମପୋଖରୀ ଭିତରକୁ ପଶିଲା । ଗୋଟା ଗୋଟା କରି ପଦ୍ମ ତୋଳିଲା ଓ କୂଳକୁ ଫିଙ୍ଗିଲା । ମୁଁ ଗଣିଲି, ପଚିଶଟା ଫୁଲ ସାଙ୍ଗେ ସାଙ୍ଗେ ସେ ଗଦେଇ ସାରିଥିଲା । ପାଣୁଆ ପାଇଁ କୋଉ କାମ ଅସମ୍ଭବ ନୁହେଁ । ସିଏ ବି ହୁଏତ ତାହା ଜାଣିଥିଲା । ସେଥିପାଇଁ ବେକେ ପାଣିରେ ଠିଆ ହୋଇ କହୁଥିଲା, “ଗଣୁଥା ନରି, ରଜନୀ କହିଛି ଅଠରଯୋଡ଼ା ପାଇଁ, ମୁଁ ତାକୁ ପଚିଶ ଯୋଡ଼ା ଫୁଲ ନେଇ ଦେବି । ଜାଇଁଲୁ ? ଆରେ ଶୁଣୁଛୁ ନା ନାହିଁ ! ମୋତେ ସେ କଣ ବୋଲି ଡାକିଥିଲା ମନେ ପଡ଼ୁଚି ?”

 

ମୁଁ ରଜନୀ ପାଲଟି ଉତ୍ତର ଫେରେଇଲି, ‘ପ୍ରାଣ ଭାଇ !’

 

ପାଣୁଆ ହୋ ହୋ ହୋଇ ହସିଲା । ମନଖୋଲା ହସ । ତାର ସେ ହସ ପାଖରେ ପଦ୍ମଫୁଲଗୁଡ଼ାଙ୍କର ହସ ବି ମଳିନ ପଡ଼ିଯାଉଥିଲା । ସେ ହସରେ ସକାଳର ପବନ ଥରି ଉଠୁଥିଲା-। ସେମିତିକା ହସ ମୁଁ କୋଉଦିନ ଦେଖି ନ ଥିଲି । ସତେ କି ତାକୁ ଯମ ହସଉଥିଲା-

 

ରାଘବା କହିଲା, “ମୋ କଥା ଠିକ୍‌ ନା ନାହିଁ ? ସେ କହିଛି ଅଠରଯୋଡ଼ା, ଇଏ କହିଲାଣି ପଚିଶଯୋଡ଼ା । ଦେଖିବୁ ରହିଥା, ଇଏ ସୁଆଙ୍ଗ କେତେ ବାଟ ଯାଉଛି । ଟୋକୀଟା ପରା ୟାକୁ କିମିଆ କରିଛି ।”

 

ପାଣୁଆ ପୋଖରୀ କୂଳରୁ ଅନେକ ଦୂରକୁ ଚାଲି ଯାଇଥିଲା । ସେଥିପାଇଁ ସେ ଆଉ ଫୁଲଗୁଡ଼ାକୁ କୂଳକୁ ଫୋପାଡ଼ି ପାରୁ ନ ଥିଲା । କୂଳକୁ ଫୋପାଡ଼ିଥିଲେ ଫୁଲଗୁଡ଼ା ପୋଖରୀ ମଝିରେ ପଡ଼ିଥାନ୍ତା । ତା ଅଣ୍ଟାରେ ଖୋସି ସେ ରଖୁଥିଲା ।

 

ଆମେ ଡାକିଲୁ, “ସେତିକି ଥାଉ, ତମେ ଚାଲିଆସ । ପଚିଶଯୋଡ଼ା ଫୁଲ ହୋଇଯିବଣି-।”

 

ପାଣୁଆ କିନ୍ତୁ ଆମ କଥା ଶୁଣୁ ନ ଥିଲା । ମଝି ପୋଖରୀରେ ଲହଡ଼ି କାଟି ସେ ବାଳିଆ ମାଛ ପରି ପହଁରୁଥିଲା । କେତେବେଳେ ବୁଡ଼ୁଥିଲା ତ କେତେବେଳେ ଉଠୁଥିଲା । କିଏ ଜାଣେ, କେତେ ଫୁଲ ସେ ତୋଳି ସାରିଥିଲା ।

 

ଗୋଟାଏ ଚିତ୍କାରରେ ମୁଁ ଓ ରାଘବା ହଠାତ୍‌ ଚମକି ପଡ଼ିଲୁ । ସେ ଚିତ୍କାର କୋଉଠୁ ଆସୁଛି ଜାଣିବା ପାଇଁ ଇଆଡ଼େ ସିଆଡ଼େ ଚାହିଁଲୁ । ରାଘବା ମୋତେ ହଲେଇ ଦେଇ କହିଲା, “ଅନେଇଲୁ ଅନେଇଲୁ, ପାଣୁଆ ଭାଇକୁ ବୋଧେ ସାପ କାମୁଡ଼ିଦେଲା ।”

 

ମୁଁ ଭୟରେ ଥରି ଉଠିଲି । ପାଣୁଆ ଗୋଟେ କଳା ମଇଁଷି ପରି ଗୋଟାଏ ହାତରେ ଫୁଲଗୋଛା ଓ ଆର ହାତରେ ପୋଖରୀର ଦଳ, ପଦ୍ମନାଡ଼ ସବୁ ଆଡ଼େଇ କୂଳକୁ ଆସୁଥିଲା । ରହି ରହି ଚିତ୍କାର କରୁଥିଲା, “ମରିଗଲି, ମରିଗଲି ।”

 

ଆଡ଼ିରେ ପଡ଼ିଥିବା ଫୁଲତକ ଗୋଟେଇବା ପାଇଁ ଆମର ବେଳ ନ ଥିଲା କି ମନ ନ ଥିଲା । ଆମେ ସେଇମିତି ଓଦା ସରସର ପାଣୁଆକୁ ଧରି ମହାଦେବ ମନ୍ଦିରକୁ ଧାଇଁଲୁ । ଆମ ଗାଁରେ କାହାକୁ ସାପ କାମୁଡ଼ିଲେ ମହାଦେବ ମନ୍ଦିରକୁ ନେଇଯାଇ ତା ଉପରେ ପାଣି ଢଳାଯାଏ । ତାକୁ ଗାଧୋଇ ଦେଇ ଗୋଟାଏ ଜାଗାରେ ବସେଇ ତା ମୁଣ୍ଡ ଉପରେ ପାଣି ଢାଳିଲେ ବିଷ ଖସିଯାଏ । ଶହେ ଆଠ ଗରା ପାଣି ଢାଳିଲା ପରେ ତାକୁ ନୂଆ ଲୁଗା ପିନ୍ଧେଇ ନଡ଼ା ବିଛଣାରେ ଶୁଆଇ ଦିଆଯାଏ । ଦନ୍ତାଘାତ ରୋଗୀ ବେଲପତ୍ର ଓ ଚମ୍ପାଫୁଲ ଖାଇ ରାତିକ ଅଧିଆ ପଡ଼ି ରହିଲେ ସକାଳକୁ ଯେତେ ଟାଣ ବିଷ ହୋଇଥିଲେ ବି ତାହା ଓହ୍ଲେଇଯାଏ ।

 

ଆମେ ପାଣୁଆକୁ ମହାଦେବ ମନ୍ଦିର ଚଉତରାରେ ବସେଇଦେଲୁ । ତାକୁ ଦନ୍ତାଘାତ ହୋଇଥିବା ଖବର ଚାହୁଁ ଚାହୁଁ ଗାଁ ସାରା ଖେଳିଗଲା । ଗାଁ ଗୋଟାକର ଲୋକ ଆସି ମହାଦେବ ମନ୍ଦିରରେ ଘେରି ଯାଇଥିଲେ ।

 

ମାତ୍ର ପାଣୁଆ ବଞ୍ଚିଲା ନାହିଁ । ତାକୁ କି ସାପ କାମୁଡ଼ିଥିଲା କେହି ଜାଣିପାରିଲେ ନାହିଁ । ତା ଦେହରେ କୋଉଠି ବୋଲି କୋଉଠି କିଛି କ୍ଷତ ଚିହ୍ନ ନ ଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ-। ଏ କୋଉ ତକ୍ଷକ ଆସି ପାଣୁଆକୁ ଦଂଶିଲା ! ଗାଁ ଲୋକେ ଯେମିତି ଭାବିଥିଲେ, ପାଣୁଆ ସେମିତି ଶୁଖିଲାଟାରେ ମଲା । ଅଧା ବୟସରେ ପାଣୁଆ ଚାଲିଗଲା । ଆମ ଗାଁ ପାଖେ ଡାକ୍ତରଖାନା ନାହିଁ । ନୂଆହାଟ ଡାକ୍ତରଖାନାକୁ ନେଇଥିଲେ ବି କିଛି ଉପକାର ହୋଇ ନ ଥାନ୍ତା-। ସେଠି କୌଣସି ଦିନ ସାପ କାମୁଡ଼ା ଇଞ୍ଜେକ୍‌ସନ୍‌ ମିଳେ ନାହିଁ । ଦିନଟାଯାକ ଆମେ ଢେର୍‌ ପରିଶ୍ରମ କଲୁ । ଶହ ଶହ ଗରା ପାଣି ଢଳାହେଲା, ଅନେକ ଝଡ଼ାଫୁଙ୍କା ହେଲା, କିନ୍ତୁ କିଛି ଫଳ ହେଲା ନାହିଁ । ପରଦିନ ସକାଳୁ ସକାଳୁ ପାଣୁଆ ମରିଗଲା । ତାର ସେ ମଲାବେଳର ଦୃଶ୍ୟ ଦେଖିଥିଲେ କଂସେଇ ବି ଧୈର୍ଯ୍ୟ ଧରି ରହିପାରି ନ ଥାନ୍ତା । କେବଳ ଗରା ଗରା ଗରଳ ବାହାରୁଥିଲା ତା ପାଟିରୁ । ଚାହୁଁ ଚାହୁଁ ଦେହ, ହାତ, ବେକ ସବୁଠି ନେଳି ଚରି ଯାଇଥିଲା-

 

ପାଣୁଆ ମଲାପରେ ଆମେ ଅନାଥ ହୋଇଗଲୁ । ଏତେଦିନ ପର୍ଯ୍ୟନ୍ତ ପାଣୁଆ ଡରରେ ଆମକୁ କେହି କିଛି କହିବାକୁ ସାହସ କରୁ ନ ଥିଲେ । ଆମେ ଯାହାକୁ ଯାହା କହୁଥିଲୁ ସିଏ ଆମ କଥା ମାନୁଥିଲା । ମାତ୍ର ପାଣୁଆର ଅକାଳ ମୃତ୍ୟୁ ଆମକୁ ଛେଉଣ୍ଡ କରି ଦେଇଥିଲା । ଆମେ ଏବେ କଣ କରିବୁ ନ କରିବୁ କିଛି ସ୍ଥିର କରି ପାରୁ ନ ଥିଲୁ ।

 

ପାଣୁଆର ମୃତଦେହକୁ ତା ବାପା ଗ୍ରହଣ କରୁ ନ ଥିଲେ । ସେ ତାକୁ ତ୍ୟାଜ୍ୟପୁତ୍ର କରି ସାରିଥିଲେ । ଗୋଟେ ଗୁଣ୍ଡା, ବଦମାସ କାହାର ପୁଅ ହୁଏ ନାହିଁ ବୋଲି ସେ କହୁଥିଲେ । କିନ୍ତୁ ଆମେ ବହୁତ କାକୁତି ମିନତି ହୋଇ ତାଙ୍କୁ ବୁଝେଇଲୁ । ମଣିଷ ସାଙ୍ଗରେ ଯେତେ ବାଦବିବାଦ ସବୁ ସେ ବଞ୍ଚିଥିଲାଯାଏଁ । ମରିଗଲା ପରେ ଆଉ ଝଗଡ଼ାଝାଣ୍ଟି କରି ଲାଭ କଣ ?

 

ତାଙ୍କ ଘରୁ ଫେରିବା ରାସ୍ତାରେ ଆମେ ନୂଆପୋଖରୀ ଦେଇ ଆସିଲୁ । ମୁହଁସଂଜ ହେବାକୁ ତଥାପି ବାକି ଥାଏ । ପୋଖରୀ ଆଡ଼କୁ ଚାହିଁଲା ବେଳକୁ ପାଣୁଆର ଆର୍ତ୍ତ ଚିତ୍କାର ମନେ ପଡ଼ିଯାଉଥାଏ । ମୋର ସାହସ ମୁଁ ହରେଇ ବସୁଥାଏ ।

 

ରାଘବ କହିଲା, “ନୂଆ ପୋଖରୀର ସାପ ନୁହେଁରେ ନରି, ସେଇ ଟୋକୀର ବିଷ ପାଣୁଆକୁ ମାରିଦେଲା । ନ ହେଲେ ପାଣୁଆ ପରି ଦୁର୍ଦ୍ଦାନ୍ତ ଟୋକା କଣ ଏଇ କାମରେ ପଶିଥାଆନ୍ତା ?”

 

ମୁଁ କହିଲି, “କିନ୍ତୁ ରଜନୀ କଣ ଜାଣି ଜାଣି ପାଣୁଆକୁ ଫୁଲ ତୋଳିବା ପାଇଁ ପଠେଇଥିଲା ?”

 

ରାଘବା କହିଲା, “ସେକଥା ମୁଁ ଜାଣିନି । କିନ୍ତୁ, ଗୋଟେ ଗୋଟେ ଲୋକ ଏମିତି ଅଭିଶାପ ପାଇ ଆସିଥାଆନ୍ତି । ତାହା ନ ହେଲେ ଯିଏ ଛୁରା, ଭୁଜାଲି, ସାଇକେଲ୍‌ ଚେନ୍‌, ବନ୍ଧୁକ ଗୁଳି ଓ ବୋମା ପରି ଭୟଙ୍କର ହତିଆର୍‌ ସାଙ୍ଗେ ଖେଳ ଖେଳି ଆସିଲା ସିଏ କଣ ଏଇ ପଦ୍ମନାଡ଼ରେ ଛନ୍ଦିହୋଇ ମରିଥାନ୍ତା ?”

 

ମୁଁ ବି ସେଇକଥା ଭାବୁଥିଲି । ପାଣୁଆ ପରି ଦୁର୍ଦ୍ଦାନ୍ତ ଲୋକ ଶେଷକୁ ସାପ କାମୁଡ଼ାରେ ମରିଯିବ ସେ କଥାଟାକୁ ମୁଁ ଗ୍ରହଣ କରିପାରୁ ନ ଥିଲି । କାହିଁକି ସେ ରଜନୀ କଥାରେ ହଁ ଭରୁଥିଲା-! ଯିଏ ଝିଅ ଫିଅ କଥା ଉଠିଲେ ଚିଡ଼ିଯାଉଥିଲା, ସେ କାହିଁକି ରଜନୀ କଥାରେ ସାପ ପୋଖରୀକୁ ପଶୁଥିଲା ? ତାକୁ ତ ରୋକ୍‌ଠୋକ୍‌ ମନା କରି ଦେଇପାରିଥାନ୍ତା !

 

ମହାଦେବ ମନ୍ଦିର ପାଖରେ ରଜନୀ ସାଙ୍ଗରେ ଦେଖାହେଲା । ତା ସାଙ୍ଗରେ ଥିଲା ଆଉ ଗୋଟେ ଝିଅ । ରଜନୀ ଉପରେ ନଜର ପଡ଼ିଲାକ୍ଷଣି ମୋ ଦେହମୁଣ୍ଡ ଜଳି ଉଠିଲା । ଆମେ ତାକୁ ନ ଦେଖିଲା ପରି ଆଡ଼ ହୋଇ ଚାଲି ଆସୁଥିଲୁ । ରଜନୀ ଗେହ୍ଲେଇ ହେଇ ପଛରୁ ଡାକିଲା, ‘ନରି ଭାଇ... ।’

 

ନରି ଭାଇ... ? କିଏ ମୋତେ ଏମିତି ନୂଆ ସମ୍ବୋଧନରେ ଡାକିଲା ? ମୁଁ ଚମକିପଡ଼ି ପଛକୁ ଚାହିଁଲି । ରଜନୀ କହିଲା, ‘ପାଣୁଆ ଏହି ଫୁଲ କେଇଗଣ୍ଡା ଆଣି ଦେଇପାରିବ ନାହିଁ ଜାଣିଥିଲେ ମୁଁ ତା ଆଗରେ ମୁହଁ ହାରି ନ ଥାନ୍ତି ! ତମେ ଆଣି ଦିଅନ୍ତ ନାହିଁ ? ଦଶମୀରେ ନ ହେଲା ନାହିଁ ପୂନେଇଁରେ ପୂଜା କରନ୍ତି ।’

 

ମୁଁ କଣ କଣ ସବୁ ଗପିଯିବି ବୋଲି ମନରେ ଭାବିଥିଲି । ସେସବୁ କହିବା ପାଇଁ ମୁହଁ ଉଠେଇ ତାକୁ ଚାହିଁଥିଲି । ମାତ୍ର ରଜନୀର ଆଖି, ଓଠ ଓ ଉଚ୍ଚା ଛାତି ଉପରେ ନଜର ପଡ଼ିଯିବାକ୍ଷଣି ମୋ ପେଟ ଭିତରର କଥାଗୁଡ଼ାକୁ ମୁଁ ସବୁ ଭୁଲିଗଲି । ପଦୁଟେ ବି କିଛି କହିପାରିଲି ନାହିଁ । ରଜନୀର ଆଖି ଦିଇଟା ସତେ କି ରଡ଼ନିଆଁ ପରି ଜଳୁଥିଲା । ସେତେବେଳେ ମୋର କାହିଁକି ମନେ ହେଉଥିଲା ରାଘବା ଯଦି ଜାଣନ୍ତା ନାହିଁ, ତାହେଲେ ମୁଁ ନିଶ୍ଚେ ୟା ପାଇଁ ଯାଇ ଫୁଲ ତୋଳି ଆଣନ୍ତି-

 

ରାଘବା ମୋ ହାତ ଝିଙ୍କିଦେଇ କହିଲା, ‘ସିଆଡ଼େ କୁଆଡ଼େ ଅନେଇଛୁ ? ଆ, ଯିବା । ଆମର ଯୁଆନ ଭାଇଟା ମରିଗଲା, ସେଇଟା ବଡ଼ ହେଲା ନାହିଁ । ଇଆର ପଦ୍ମଫୁଲ ନିଶା ଲାଗିଛି । ବଦ୍‌ମାସ ଟୋକୀ... ।’

 

ମୁଁ ଚାଲିଆସିଲି । ଆସିବା ବାଟରେ ମୋର ପାଣୁଆର କଥା ବରାବର ମନେ ପଡ଼ୁଥିଲା-। ଯିଏ ବାପ ମା, ଘରଦ୍ୱାର ସବୁକୁ ପଛରେ ପକେଇଦେଇ ଚାଲିଆସିଥିଲା ସେ ଏଇ ସାମାନ୍ୟ ଝିଅଟାର ଉପ୍ରୋଧ କାହିଁକି ଏଡ଼େଇ ଯାଇପାରିଲା ନାହିଁ ? ପାଣୁଆ କଣ ସତକୁ ସତ ରଜନୀର ପ୍ରେମରେ ପଡ଼ିଯାଇଥିଲା !

 

ରାଘବା ମୋ ମନ ଜାଣିଲା ପରି କହିଲା, “ନାରୀ ମାୟା ନାରାୟଣଙ୍କୁ ଅଗୋଚର । ପାଣୁଆ ଭାଇ ତ ଛାର ମଣିଷ ! ତୋତେ ବି କହିଦଉଛି, ଭୁଲ୍‌ରେ ସେ ମାୟାରେ ପଡ଼ିବୁ ନାହିଁ । ସେ ରାସ୍ତା ଭାରି ସଙ୍ଗିନ୍‌ ରାସ୍ତା ।”

 

ମୁଁ ବାଧ୍ୟ ଶିଶୁଟେ ପରି ରାଘବା କଥାରେ ମୁଣ୍ଡ ଟୁଙ୍ଗାରିଲି ।

☆☆☆

 

ମିଶାଣ ଫେଡ଼ାଣ

 

ଯେଉଁମାନେ କହନ୍ତି ସମୁଦ୍ର କିଛି ନିଏ ନାହିଁ, ସବୁ ଆଣି ଫେରେଇ ଦିଏ, ସେମାନେ ମିଛ କହନ୍ତି । ସମୁଦ୍ର ଯାହା ନିଏ, ତାହା ଫେରାଏ ନାହିଁ । ଯାହା ଫେରାଇ ଦେଇଯାଏ ଠିକ୍‌ ସେଇଆ ସେ ନେଇ ନ ଥାଏ । ଯାହା ଯେମିତି ନେଇଥିବ ତାହା ସେମିତି ଫେରେଇଦେବ, ଏପରି ବାଧ୍ୟ ଓ ବିଶ୍ୱସ୍ତ ହେବାର ଅନିବାର୍ଯ୍ୟତା ସମୁଦ୍ରର ନାହିଁ । ସେଭଳି ବଶମ୍ବଦତା ଓ ଦାୟିତ୍ୱବୋଧ କେବଳ ଭୀରୁ ଓ ଭୟାଳୁ ଖାତକଙ୍କର ହିଁ ଥାଏ । ସମୁଦ୍ର କିନ୍ତୁ ଗୋଟେ ମିଜାଜୀ ଏକଛତ୍ରବାଦୀ, ଯାହାର ଇଚ୍ଛା ଓ ଅନିଚ୍ଛାକୁ ପ୍ରଶ୍ନ କରିବାର ସାମର୍ଥ୍ୟ ମଣିଷର, ଶାମୁକାର, ମୀନ ମାଛର, କଇଁଛ, ଗେଣ୍ଡା କି ବେଳାଭୂଇଁର ବାଲି କାହାର ନ ଥାଏ । ସମୁଦ୍ରକୁ ଦୟାମୟ ଓ ଉଦାର ବୋଲି ସମ୍ବୋଧନ କରିବା ପଛରେ ତାର କ୍ଷମତା ଓ ଅହଙ୍କାରକୁ ସମର୍ଥନ ଏବଂ ଆବଶ୍ୟକ ହେଲେ ଟିକିଏ ପ୍ରଶଂସା କରିବାର ଅସହାୟତା ସିନା ଥାଏ, ଆତ୍ମାର ସମର୍ଥନ ନ ଥାଏ ।

 

ସେଥିପାଇଁ ପୁରୀ ଆସିବାକୁ ମନ ହୁଏ ନାହିଁ ସୁଦୀପାର । ପୁରୀ ଆସିଲେ ହିଁ ସମୁଦ୍ରକୁ ଆସିବାକୁ ପଡ଼ିବ ଏବଂ ଥରୁଟେ ଲାଗି ହେଉ ପଛେ ଯିବାକୁ ହେବ ଶ୍ରୀମନ୍ଦିର । ଉଭୟ ସମୁଦ୍ର ଓ ଶ୍ରୀମନ୍ଦିରର ଚେହେରା ତାକୁ ତା ଜେଜେଙ୍କର ସାମନ୍ତବାଦୀ ଚେହେରା ପରି ଭୟଙ୍କର ଦିଶେ । ତା ଜେଜେ ପରି ସମୁଦ୍ର ଓ ଶ୍ରୀମନ୍ଦିର ଉଭୟ ଦାବି କରନ୍ତି ନିଃସର୍ତ୍ତ ସମର୍ପଣ । ଯୁକ୍ତି ନାହିଁ, ପ୍ରଶ୍ନ ନାହିଁ, ସମର୍ପଣ, କେବଳ ସମର୍ପଣ ।

 

କିନ୍ତୁ ନିଜ ଇଚ୍ଛାରେ କଣ ଜୀବନ ଜିଇଁହୁଏ ! ସେତକ ସ୍ୱାଧୀନତା ଥିଲେ ଆକାଶର ପକ୍ଷୀ ଓ ସୁଦୀପା ଭିତରେ ବେଶି କିଛି ଫରକ ନ ଥାନ୍ତା । ବାଧ୍ୟ ହୋଇ ନିଜର ଇଚ୍ଛାକୁ ଡାକ ବିଭାଗ ଦାୟିତ୍ୱବୋଧ ଉପରେ ଭରସା କରି ଚିଠିବାକ୍ସରେ ଚିଠି ପକେଇଲା ପରି ଛାଡ଼ିଦେବାକୁ ହୁଏ । ସମର୍ପଣ କରିଦେବାକୁ ହୁଏ ।

 

ଅନେକ ଦିନ ପରେ ସୁଦୀପା ପୁଣି ଥରେ ଆସିଥିଲା ପୁରୀ । ଏଇ ବର୍ଷମାନଙ୍କ ଭିତରେ ବେଶ୍‌ କିଛି ବଦଳିଯାଇଛି ଏ ସହର । ରାସ୍ତାଘାଟ, ସମୁଦ୍ରକୂଳ ଏପରିକି ଶ୍ରୀମନ୍ଦିରର ଚାରିପଟେ ସେ ପରିବର୍ତ୍ତନର ଚିତ୍ର ଦେଖି ହେଉଥିଲା ।

 

ପୁରୀ ହୋଟେଲର ଝରକା ଦେଇ ଥରେ ସମୁଦ୍ର ଓ ଆଉ ଥରେ ଆକାଶକୁ ଚାହୁଁଥିଲା । ସପ୍ତର୍ଷି ବୁବୁକୁ ନେଇ ବୁଲିଯାଇଛନ୍ତି । ତାକୁ ମଧ୍ୟ ଯିବାପାଇଁ ଡାକୁଥିଲେ, କିନ୍ତୁ ସୁଦୀପା ଗଲା ନାହିଁ-। ସବୁଠି ଲୋକ ହାଉଯାଉ, ସବୁଠି ଭିଡ଼ । ସମୁଦ୍ରକୂଳରେ ଭିଡ଼, ଶ୍ରୀମନ୍ଦିରରେ ବି ଭିଡ଼-। ପୁରୀକୁ ଆସିବା ଆଗରୁ ଗୋଟେ ମଧୁର ନିର୍ଜନତାକୁ ଭେଟିବାର ଯୋଉ ଆଶା ଟିକକ ଥାଏ, ପୁରୀରେ ପହଞ୍ଚିଲା ପରେ ସେ ଆଶା ମଉଳିଯାଏ । ତାହାଠୁଁ ଭଲ ଏଇ ବନ୍ଦ କୋଠରିର ଖୋଲା ଝରକା ଦେଇ ସମୁଦ୍ରକୁ ଦେଖିବା, ନିରବ ଆକାଶକୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ।

 

ଯେତେ ଚେଷ୍ଟା କଲେ ବି କାଲି ସଞ୍ଜବେଳେ ଦେଖିଥିବା ତାରାଟିକୁ ସୁଦୀପା ଖୋଜି ପାଉ ନ ଥିଲା । ସେଇ ତାରାଟିକୁ ଚିହ୍ନିବା ପାଇଁ ସେ କେତେଗୁଡ଼ିଏ ଚିହ୍ନ ଦେଇଥିଲା । ହୋଟେଲର ଠିକ୍‌ ବାଁ ପଟକୁ, ନିର୍ମାଣ ନିବାସ ପଛପଟେ ଠିଆ ହୋଇଥିବା ଗାନ୍ଧୀ ଷ୍ଟାଚ୍ୟୁର ମଥା ଉପରେ ଥିଲା ସେ ଉଜ୍ଜ୍ୱଳ ତାରା । କିନ୍ତୁ ଆଜି ସେଠି ସେ ତାରାକୁ ଖୋଜି ପାଉ ନ ଥିଲା । ଏତେସବୁ ତାରା ଥାଉ ଥାଉ ସେ ଚିହ୍ନିଥିବା ତାରାଟି କୁଆଡ଼େ ଚାଲିଗଲା ଓ କାହିଁକି ଚାଲିଗଲା ? ଯାଉ, ସେ ତାରା ନ ମିଳିଲେ ଆଉ ତାରାମାନେ ଅଛନ୍ତି, ଲକ୍ଷ ଲକ୍ଷ ତାରାଙ୍କ ମେଳରୁ ସେ ପୁଣି ଗୋଟିଏ ଚିହ୍ନିବ, ତା ସାଙ୍ଗରେ ପରିଚିତ ହେବ । ତାକୁ ଚାହିଁ ଚାହିଁ ଆଉ ଦୁଇଟି ସଞ୍ଜ ବିତେଇଦେବ ।

 

କିନ୍ତୁ ସେ ତାରାଟି ବି ଯଦି କାଲିକୁ ନିଖୋଜ ହୋଇଯାଏ ! ନିଜ ଭିତରୁ ଏମିତି ଗୋଟେ ପ୍ରଶ୍ନ ସୁଦୀପାକୁ ବିରକ୍ତ କରିଦେଉଥିଲା । ସେ ନିଜକୁ ବୁଝେଇବା ଲାଗି ଉତ୍ତର ସଜାଡ଼ୁଥିଲା; ପୃଥିବୀ ତ ସବୁବେଳେ ଘୂରୁଛି, ତାରାଟି ନିର୍ଦ୍ଦିଷ୍ଟ ଜାଗାରେ କେମିତି ରହନ୍ତା ? କିନ୍ତୁ ଯେତେ ବୁଝେଇଲେ ବି ତା ମନ ବୁଝୁ ନ ଥିଲା । ନୂଆ ତାରା ସାଙ୍ଗେ ପରିଚିତ ହେବାର ଉଦ୍ୟମ ବଦଳରେ ସେ ସେଇ ପୁରୁଣା ତାରାଟିକୁ ଖୋଜି ପାଇବାର ଚେଷ୍ଟା ହିଁ ଚଳେଇଥିଲା । ପୁରୁଣା ତାରାର ଭଲ ଗୁଣଗୁଡ଼ିକ ତାକୁ ଏତେ ଉଜ୍ଜ୍ୱଳ ହୋଇ ଦିଶିଯାଉଥିଲା ଯେ ସେ ନୂଆ ତାରାମାନଙ୍କୁ ଗ୍ରହଣ କରିପାରୁ ନ ଥିଲା ।

 

ଖଣ୍ଡେ କଳାବଉଦ ତାରାମାନଙ୍କୁ ଘୋଡ଼େଇ ପକଉଥିଲା । ସୁଦୀପା ଝର୍କା ବାହାରୁ ନିଜ ମୁହଁଟିକୁ କଇଁଛ ଫେରେଇନେବା ପରି ଫେରେଇ ଆଣୁଥିଲା । ସାମ୍ନାରେ ସମୁଦ୍ରର ଗର୍ଜନ ଓ ଘର ଭିତରେ ପଙ୍ଖା ଘୂରିବାର ଶବ୍ଦ । ଉଜ୍ଜ୍ୱଳ ଆଲୁଅରେ ଘର ଭିତରର ସୋଫା, ବିଛଣା, ଟେବୁଲ, ଟି-ପୟ ଓ କାନ୍ଥରେ ଝୁଲୁଥିବା ପେଣ୍ଟିଂ ସବୁ ଚକ୍‌ ଚକ୍‌ କରୁଥିଲା ।

 

ଦମକାଏ ଶୀତଳ ପବନ ଭିତରକୁ ପଶିଆସିଲା । ସୁଦୀପାର ବାଳ କେରାକ ଅଡ଼ୁଆ ହୋଇଗଲା । ସୁଦୀପା ସେଗୁଡ଼ିକୁ ସଜାଡ଼ି ଦେଇ ସମୁଦ୍ରକୁ ଚାହିଁଲା ।

 

କେତେଆଡ଼ୁ କେତେ ଲୋକ ପୁରୀକୁ ବୁଲିଆସୁଛନ୍ତି ! ସକାଳୁ ରାତିଯାଏ ଲାଗିଛି ଲୋକଙ୍କ ଭିଡ଼ । କେତେ ପ୍ରକାରର ଲୋକ । ଯୁବକ ଯୁବତୀ, କିଶୋର କିଶୋରୀ, ବୁଢ଼ା ବୁଢ଼ୀ, ସାନ ସାନ ପୁଅ ଓ କୁନି କୁନି ଝିଅ । ସମୁଦ୍ର ପାଣିରେ ପହଁରା ଶିଖି ନ ଥିବା ଲୋକଙ୍କର ଆକ୍ତାମାକ୍ତା ହୋଇପଡ଼ିବାର ଦୃଶ୍ୟ ଦେଖିଲେ ସୁଦୀପାକୁ ହସ ମାଡ଼େ, ହସ ମାଡ଼େ ବୁଢ଼ା ବୟସର ଲୋକମାନେ ପୁଣି ଥରେ ସମୁଦ୍ର ବାଲିରେ ବସି ଅତୀତକୁ ସାଉଣ୍ଟୁଥିବାର ଦୃଶ୍ୟ ଦେଖିଲେ । ବାହାରୁ ଆସିଥିବା ପଞ୍ଝାଏ ଲୋକ ବ୍ୟାଗ୍‌ପତ୍ର ମୁଣ୍ଡେଇ ସମୁଦ୍ରକୂଳରେ ବୁଲୁଥିଲେ । ସାଧାରଣ ପରିବାରର ଲୋକ ହୋଇଥିବେ, ବେଶୀ ଟଙ୍କା ଖର୍ଚ୍ଚ କରି ଦିନାକେତେ ହୋଟେଲରେ ରହିବାର ଇଚ୍ଛା ତାଙ୍କ ପାଇଁ ବିଳାସ । ସକାଳେ ଗାଡ଼ିରୁ ଓହ୍ଲେଇ ମନ୍ଦିର ଓ ସହର ବୁଲିଥିବେ । ସଞ୍ଜବୁଡ଼େ ସମୁଦ୍ରରେ ଘେରାଏ ଘୂରି ଘରକୁ ଫେରିଯିବେ । ଯୁବକ ଯୁବତୀ କେତେଜଣ ବିଛଣା ଚାଦର ବିଛେଇ ବାଲିରେ ବସି ଯାଇଛନ୍ତି । ସେମାନେ ଅନେକ ରାତିଯାଏ ବସିବେ ।

 

ଅନ୍ଧାର ଭିତରେ କ୍ୟାମେରା ଫ୍ଲାସ୍‌ର ଆଲୋକ ଦେଖିପାରିଲା ସୁଦୀପା । କେହି ଜଣେ ଫଟୋ ଉଠାଉଥିଲା । ଫଟୋ ଉଠାଇବାବେଳେ ସ୍ୱାମୀ ସ୍ତ୍ରୀ ପରସ୍ପରର ପାଖକୁ ଲାଗିଯାଆନ୍ତି । ଅନ୍ୟ ସମୟରେ ସ୍ତ୍ରୀର କାନ୍ଧରେ ହାତ ରଖୁ ନ ଥିବା ସ୍ୱାମୀ ହଠାତ୍‌ କ୍ୟାମେରା ସାମ୍ନାରେ ସ୍ତ୍ରୀକୁ ଆଦର କରିବସେ । ସେମାନେ ହସନ୍ତି, କେବେ ହସି ନ ଥିବା ଯୌଥହସ । କେବେ ନ ଭେଟିଥିବା ସୁଖର ସମୟକୁ କ୍ୟାମେରାର ଫ୍ରେମ୍‌ରେ ବାନ୍ଧି ରଖନ୍ତି ।

 

କେହି କଣ ଚିଡ଼ିଚିଡ଼ା ମୁହୂର୍ତ୍ତକୁ ଫ୍ରେମ୍‌ରେ ବାନ୍ଧିରଖେ ? ଏଇ ଯେମିତି ସ୍ୱାମୀଟି ସ୍ତ୍ରୀକୁ ମାରିବା ପାଇଁ ହାତ ଉଠେଇଥିବ, ସ୍ତ୍ରୀ ରାଗରେ ପିଲା ପିଠିରେ କଷିଦେଉଥିବ ଚାପୁଡ଼ାଟାଏ ଅଥବା ଦୁର୍ବଳ ପ୍ରତିରକ୍ଷାର ଅସ୍ତ୍ର ଭାବେ ଉଠେଇ ଧରିଥିବ କରଚୁଲି କି ବେଲଣାବାଡ଼ି ! ସୁଦୀପାକୁ ହସ ମାଡ଼ିଲା । ଏମିତି ଦୃଶ୍ୟର ଫଟୋ କଣ କେହି ଉଠାଏ !

 

ସଞ୍ଜ ଯେତିକି ବଢ଼ୁଥିଲା, ଭିଡ଼ ବି ସେତିକି ବଢ଼ୁଥିଲା । ଚାଟ୍‌ ବିକାଳିମାନେ ତାୱା ଉପରେ ଖଡ଼ିକା ବାଡ଼େଇ ଗ୍ରାହକଙ୍କୁ ନିମନ୍ତ୍ରଣ ଜଣାଉଥିଲେ । ବେଲୁନ୍‌ବାଲା, ଚା-ବାଲା, ଚିନାବାଦାମ, ମିକ୍‌ଶ୍ଚର ବାଲା, ଶଂଖ, ମାଳି ଓ ଶାମୁକା ବାଲାଏ ନିଜ ନିଜ ଠାଣିରେ ବେପାର କରୁଥିଲେ ।

 

ପୁଣି ଥରେ ସୁଦୀପାର ମନୋଜ କଥା ମନେପଡ଼ିଲା । ୟାକୁ ମିଶେଇ ପ୍ରାୟ ଚାଳିଶ ଥର ମନୋଜ କଥା ତାର ମନେପଡ଼ିଲାଣି । କାହିଁକି ବାରମ୍ବାର ମନୋଜର କଥା ମନେପଡ଼ୁଛି ? ବାରବର୍ଷ ତଳୁ ଯୋଉ କଥା ତାର ଭୁଲିଯିବା ଉଚିତ ଥିଲା ଆଜି ପର୍ଯ୍ୟନ୍ତ କାହିଁକି ବା ମନେ ଅଛି ?

 

ଏଇ ମନେରହିବାଟା ହିଁ ସୁଦୀପାର ସବୁଠୁ ବଡ଼ କାଳ । କିଛିକଥା ସେ ଭୁଲିପାରେ ନାହିଁ, ନା ଅତୀତ ନା ବର୍ତ୍ତମାନ । ଏତେବେଳେ ତାର ପିଲାଦିନର ଟିଉସନ୍‌ ସାର୍‌ଙ୍କ କଥା ମନେପଡ଼େ । ଟିଉସନ୍‌ ସାର୍‌ ସବୁବେଳେ ତାର ସ୍ମରଣଶକ୍ତିକୁ ଧିକ୍କାର କରୁଥିଲେ–“କି ବିଚିତ୍ର ପିଲା, କାଲିକା ପାଠ ଆଜିକୁ ମନେ ରଖୁନାହିଁ !” ଆଜି ସୁଦୀପାର ସେଇ ସାର୍‌ଙ୍କ କଥା ମନେପଡ଼େ-। ଆଜି ଦେଖା ହୁଅନ୍ତା କି ତାଙ୍କ ସାଙ୍ଗରେ, ସୁଦୀପା ପଚାରନ୍ତା–ସେଦିନ ପାଠ ମନେ ରହୁ ନ ଥିଲେ ଯେମିତି ମନେ ରଖିବାର ଉପାୟ ବତେଇ ଦେଉଥିଲେ, ଆଜି ମୁଁ ଭୁଲିବାକୁ ଚାହୁଁଥିବା ଘଟଣାମାନଙ୍କୁ ସେମିତି ଭୁଲେଇ ଦେବାର ଉପାୟ ବତେଇ ଦିଅନ୍ତୁ । ଅନେକ ଚେଷ୍ଟା କରି ସୁଦ୍ଧା ମୁଁ ସେସବୁକୁ ଭୁଲିପାରୁନାହିଁ କାହିଁକି ? କାହିଁକି ଭୁଲିପାରୁନାହିଁ ମନୋଜକୁ-? କାହିଁକି ଭୁଲିପାରୁନାହିଁ ସେଇ ସକାଳକୁ ?

 

କ୍ରମେ ସୁଦୀପା ମନୋଜ-ମନସ୍କ ହୋଇପଡ଼ୁଥିଲା । ପରିଷ୍କାର ହୋଇଆସୁଥିଲା ବାର ବର୍ଷ ତଳର ସେ ଦୃଶ୍ୟସବୁ । ସମୟର ପରଦା ସବୁ ଧୀରେ ଧୀରେ ଦୂରେଇ ଯାଉଥିଲେ । ହଟିଯାଉଥିଲା କୁହୁଡ଼ିର ଆସ୍ତରଣ । କିଏ କହେ, ସମୟ ସବୁକୁ ଭୁଲେଇ ଦିଏ ? ସବୁ କ୍ଷତ, ସବୁ ଯନ୍ତ୍ରଣାକୁ ହଜେଇ ଦିଏ ? ସବୁ ମିଛ, କିଛି ହିଁ କୋଉଠି ହଜିଯାଏ ନାହିଁ, କିଛି ହିଁ କୋଉଠି ଭୁଲିହୁଏ ନାହିଁ । ରକ୍ତ ନ ଥାଉ, ଆଘାତ ନ ଥାଉ, କେବଳ କ୍ଷତଚିହ୍ନଟିକୁ ଆଉଁଶି ଆଣିଲେ ହିଁ ସେ ଯନ୍ତ୍ରଣା, ସେ ରକ୍ତ, ସେ ପୀଡ଼ା ସବୁଯାକ ନିମିଷକ ଭିତରେ ଫେରିଆସେ । ଫେରିଆସେ ସମୁଦ୍ରର ଜୁଆର ବେଳାଭୂଇଁ ପାଖକୁ, ତାର ବିବଶପଣିଆକୁ ଦେଖିବାପାଇଁ ।

 

ସେମାନେ ପରସ୍ପରକୁ ଭଲପାଇବା ବେଳକୁ କିଶୋର କି ଚପଳ ଯୁବକ ଯୁବତୀ ଥିଲେ ବୋଲି ସୁଦୀପା କଦାପି କହିପାରିବ ନାହିଁ । ଭଲମନ୍ଦ ବାଛିବାର ବୟସ ହୋଇଥିଲା, ନିଜ ସମ୍ପର୍କରେ ନିଜର ନିଷ୍ପତ୍ତି ନେବା ଭଳି ଯୋଗ୍ୟତା ବି ସେମାନଙ୍କର ଥିଲା । ସେମାନେ ମାପିଚୁପି ପାଦପକେଇ ନ ଥିଲେ ବି କେବଳ ଉତ୍ତେଜନା ବା କେବଳ କଳ୍ପନା ବିଳାସକୁ ନେଇ କେବେ ପରସ୍ପର ଆଡ଼କୁ ହାତ ବଢ଼େଇ ନ ଥିଲେ ।

 

ରେଭେନ୍ସାର ଦିନଗୁଡ଼ିକ ମନେ ପଡ଼ୁଥିଲା । କନିକା ଲାଇବ୍ରେରୀ ସାମ୍ନାର ସୁଦୀର୍ଘ ଲନ୍‌ ମନେ ପଡ଼ୁଥିଲା । ବ୍ରିଟିଶ କାଇଦାରେ ନିର୍ମିତ ତାର ସ୍ଥାପତ୍ୟ, ତାର ଉଚ୍ଚା ଉଚ୍ଚା କୋଠା, ବୁଲାଣି ଲୁହାଶିଡ଼ି, ଚାରିପଟର ଛାୟାଘନ ଶ୍ୟାମଳ ସବୁଜିମା ଏବଂ ସେଇ ଛାତ୍ର ଧର୍ମଘଟ ଯୋଉ ଧର୍ମଘଟର ପୁରୋଭାଗରେ ଥିଲା ମନୋଜ । ଛାତ୍ର ସଂସଦର ନିର୍ବାଚନ ପୂର୍ବରୁ ଶାସକ ଦଳର ହାତବାରିସି ସାଜିଥିବା ପିଲାମାନେ ଅଣଛାତ୍ରମାନଙ୍କ ସାହାଯ୍ୟରେ କଲେଜ ଭିତରେ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଅର୍ଥହୀନ ଦାବିଗୁଡ଼ିକ ପୂରଣ କରିବାର ଧମକ ଦେଇ ପ୍ରିନ୍ସିପାଲ୍‌ଙ୍କୁ ଘୋଷାଡ଼ି ଆଣିଥିଲେ । କଲେଜହତା ଭିତରର ଡାକଘର, ବ୍ୟାଙ୍କ୍‌ ସବୁଠି ହଇଚଇ ସୃଷ୍ଟି କରିଥିଲେ । ସୁଦୀପା ବୁଝି ପାରି ନ ଥିଲା ଏମିତି ସବୁ କାଣ୍ଡକାରଖାନାର କାରଣ କଣ !

 

ମାତ୍ର ମନୋଜ ସେକଥା ବୁଝେଇ ଦେଇଥିଲା । ସମାଜବିଜ୍ଞାନୀ ବିଶ୍ଳେଷଣରେ ସେ କହିଥିଲା, “ଯେଉଁମାନେ ଭଲ କାମ କରି ଦୃଷ୍ଟି ଆକର୍ଷଣ କରିବାର କଠୋର ରାସ୍ତାରେ ଯିବା ପାଇଁ ଭୟ କରନ୍ତି, ସେଇମାନେ ହିଁ ଏପ୍ରକାର ଭଙ୍ଗାଜଳା ଜରିଆରେ ନିଜର ଉପସ୍ଥିତିକୁ ଜାହିର କରିବାର ଅପଚେଷ୍ଟା ଚଳାନ୍ତି । ରେଭେନ୍ସା କଲେଜର ପ୍ରତିଟି ଇଟା, ପ୍ରତିଟି କୋଠା ରଚନାତ୍ମକ ଦୃଷ୍ଟିଭଙ୍ଗୀର ମୂକସାକ୍ଷୀ । ଏ ମହାବିଦ୍ୟାଳୟର ଛାତ୍ର ସମାଜ, ଛାତ୍ରୀ ସମାଜ କଦାପି ବର୍ବରୋଚିତ କାର୍ଯ୍ୟକୁ ସମର୍ଥନ କରିବେ ନାହିଁ ।”

 

ମନୋଜର ଉଦ୍‌ବୋଧନ ଶୁଣି ପିଲାମାନେ ତାଳି ମାରିଥିଲେ । ସୁଦୀପା ବି । ଅଥଚ ଏତେ କରତାଳି, ଏତେ ପ୍ରଶଂସା ଓ ଏତେ ସମର୍ଥନ ସତ୍ତ୍ୱେ ମନୋଜ ସେ ନିର୍ବାଚନରେ ଜିଣିପାରିଲା ନାହିଁ । ଜିଣିଗଲା ଅଶୋକ, ଯିଏ ଶାସକଦଳର ହାତବାରିସି ସାଜି ଯାବତୀୟ ପୋଡ଼ାଜଳା କରୁଥିଲା, ଯାହାର ଚେଲାମାନେ ଆର୍ଟ୍‌ସ୍‌ ବ୍ଲକ୍‌ କରିଡ଼ର୍‌ରେ, ସମସ୍ତଙ୍କ ସାମ୍ନାରେ ଗୋଟେ ଝିଅର କାନି ଭିଡ଼ି ଦେଇଥିଲେ ଓ ଆଉଜଣକୁ ଟେକି କଚାଡ଼ି ଦେଇଥିଲେ ।

 

ସୁଦୀପା ମନୋଜକୁ ସମବେଦନା ଜଣାଇବାକୁ ଯାଇଥିଲା । କିନ୍ତୁ ମନୋଜ ହସି ହସି କହିଥିଲା, ‘ହାରିଯାଇଛି, ଭଲ ହୋଇଛି । ଅନ୍ତତଃ ପଢ଼ାପଢ଼ିରେ ସମୟ ଦେଇପାରିବି । ଆମ ପିଲାମାନଙ୍କର ପ୍ରତ୍ୟାଶା ପ୍ରଚୁର । ସମସ୍ତଙ୍କ ସାମ୍ନାରେ ଆମେ ଯାହା କହୁ ଭିତରେ ତାହା ଚାହୁଁନା । ଗଣର କଥା କହୁଥିବା ଆମ ପିଲାମାନେ ଜଣରେ ବିଶ୍ୱାସୀ । ସେମାନଙ୍କ ଆଶା ପୂରଣ କରିପାରିଲେ ଯେତିକି ସନ୍ତୋଷ ଆସନ୍ତା, ସେତିକି ଗ୍ଳାନି ମଧ୍ୟ ।’

 

ଚାହୁଁ ଚାହୁଁ ମନୋଜ ତା ଆଖି ସାମ୍ନାରେ ବଡ଼ରୁ ବଡ଼ ହୋଇଯାଉଥିଲା । କେତେ ବହି ସେ ପଢ଼ୁଥିଲା, କେତେ କଥା ମନେ ରଖିପାରୁଥିଲା ! ସୁଦୀପା ବରାବର ତା ବାପାଙ୍କୁ ଯାଇ ମନୋଜର କଥା କହୁଥିଲା, ମନୋଜର ପ୍ରଶଂସା କରୁଥିଲା ! ଏତେ କମ୍‌ ବୟସରେ ଏତେ ଅଭିଜ୍ଞତା ସେ ଆଉ କାହା ପାଖରେ ଦେଖୁ ନ ଥିଲା । ମାର୍କ୍ସବାଦରୁ ନେଇ ଗାନ୍ଧୀବାଦ, ଶଙ୍କରଙ୍କଠାରୁ ନେଇ ବିବେକାନନ୍ଦ, ଆଇନ୍‌ଷ୍ଟାଇନ୍‌ଙ୍କଠାରୁ ନେଇ ଯୋଗେଶ ପତି ଆଦି ସମସ୍ତଙ୍କ କଥା ସେ କହୁଥିଲା ସୁଦୀପାକୁ । ଏସବୁ ଶୁଣି ଏତେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ସୁଦୀପା ଥରେ କହିଦେଇଥିଲା, “ତମେ ଦିନେ ଖୁବ୍‌ ବଡ଼ ମଣିଷ ହେବ ।”

 

ମନୋଜ କହୁଥିଲା, “କେବେ ନୁହେଁ । ବଡ଼ ମଣିଷମାନେ ଇତିହାସ ଗଢ଼ନ୍ତି, ଇତିହାସ ପଢ଼ିବାରେ ସମୟ ବ୍ୟୟ କରନ୍ତି ନାହିଁ । ସାନ ମଣିଷମାନେ ୟା ତା ବିଷୟରେ ପଢ଼ି ନିଜ ପାଣ୍ଡିତ୍ୟ ବିଜ୍ଞାପନ କରନ୍ତି ।”

 

କେତେ ନମ୍ର, କେତେ ମିଠା, କେତେ ମାର୍ଜିତ ଓ କେତେ ସଂଭ୍ରାନ୍ତ ମନୋଜର କଥାବାର୍ତ୍ତା, ଭାବଭଙ୍ଗୀ । ଚାହୁଁ ଚାହୁଁ ସୁଦୀପା ମୁହାଣର ମୁହଁକୁ ନଈ ଟାଣିହେଲା ପରି ମନୋଜ ପାଖକୁ ଟାଣି ହୋଇଯାଇଥିଲା ।

 

ସେସବୁ ଦିନର କଥା ମନେପଡ଼େ ସୁଦୀପାର । ଏତେ ଉତ୍ତେଜନା, ଏତେ ରୋମାଞ୍ଚ କୋଉଠି ଥାଏ ଗୋଟେ ପୁରୁଷର ଓଠରେ, ତାର ହାତ ପାପୁଲିରେ, ତାର ଆଖିରେ, ନାକରେ ଓ ନଖରେ ! କେଉଁଠି ଥାଏ ଏତେ ବିହ୍ୱଳତା, ସାଧାରଣ ଶବ୍ଦରେ, ଚୁନି ଚୁନି ଅସଂଲଗ୍ନ ଉଚ୍ଚାରଣରେ-? କେଉଁଠି ଥାଏ ଏତେ ତରଳ ଯନ୍ତ୍ରଣା ଟିକି ଟିକି ଅଭିମାନରେ ! ଗୋଟିଏ ମୁହୂର୍ତ୍ତକରେ ମନେହୁଏ କୁମ୍ଭାରର ଚକ ଭିତରେ ମାଟିର ପିଣ୍ଡୁଳା କି ବେଲଣା ପାଖରେ ମଇଦା ବାଟୁଳା ନିଜକୁ ସମର୍ପି ଦେଲା ପରି ସେ ବି ମନୋଜ ପାଖରେ ସମର୍ପି ଦିଅନ୍ତା ତାର ଉତ୍ତେଜନା, ତାର ବେପଥୁ, କାମନା, ବାସନା ଓ ପ୍ରେମ ।

 

କେତେ ସଞ୍ଜ, କେତେ ସକାଳ, କେତେ ମଧ୍ୟାହ୍ନ ଓ କେତେ ଅପରାହ୍‌ଣ ସେମାନେ ପାଖାପାଖି ବସି ସେଇ ସେଇ ପୁରୁଣା କଥାକୁ ଦୋହରଉ ଦୋହରଉ ନୂଆ ଉତ୍ତେଜନାରେ ଉତ୍ତେଜିତ ହୋଇଉଠି ନ ଥିଲେ ! ସେତେବେଳେ ସେଇ ପୁରୁଣା ଜହ୍ନ, ପୁରୁଣା ତାରା, ପୁରୁଣା ଆକାଶ, ପୁରୁଣା ପକ୍ଷୀ, ପୁରୁଣା ଝାଉଁଗଛ, ପୁରୁଣା ପ୍ରଜାପତି, ପୁରୁଣା ପାହାଡ଼, ପୁରୁଣା ନଈ, ପୁରୁଣା ରାସ୍ତା, ପୁରୁଣା ଦୋକାନ, ପୁରୁଣା ସିନେମା ଗୀତ ଓ ପୁରୁଣା ଚଣ୍ଡୀମନ୍ଦିର ସବୁ ଲାଗୁଥିଲା ନୂଆ ନୂଆ । ସବୁ ପୁରୁଣା ନୂଆ । ସବୁ ସମ୍ପର୍କ ନୂଆ । ସବୁ ସାକ୍ଷାତ ନୂଆ । ସବୁ ଅଭିମାନ ନୂଆ । ସବୁ ମିଳାମିଶା ନୂଆ । ସେଦିନ ସବୁ ଖାଲି ମିଶାଣ ଅଙ୍କ ପରି ମନେହେଉଥିଲା ସୁଦୀପାର । ସେଦିନ ଏକରେ ଏକ ମିଶି ଏଗାର ହେଉଥିଲା । ଦୁଇରେ ଦୁଇ ମିଶି ବାଇଶ, ତିନିରେ ତିନି ମିଶି ତେତିଶ ଓ ଚାରିରେ ଚାରି ମିଶି ଚଉରାଳିଶ । କିନ୍ତୁ ଆଜି ତା ଜୀବନ ଏମିତି ସହଜ ମାନସାଙ୍କ ହୋଇ ନାହିଁ । ଆଜି ସେ ନିଜେ ହିଁ ପାଲଟି ଯାଇଛି ଗୋଟେ ଛିଣ୍ଡୁ ନ ଥିବା ହରଣ ଅଙ୍କ । ନା ସେ ବିଭାଜ୍ୟ ହୋଇପାରୁଛି ନା ଭାଗଶେଷକୁ ଗ୍ରହଣ କରିପାରୁଛି ।

 

କଲିଂବେଲ୍‌ ବାଜିଉଠିଲା । ସୁଦୀପା ଧୀରେ ପାଦ ଘୋଷାରି ଘୋଷାରି ଦୁଆର ଯାଏ ଗଲା ଓ ଦୁଆର ଖୋଲା ଥିବା ଦେଖି ପାଟିକରି କହିଲା, “ଖୋଲା ଅଛି । ଭିତରକୁ ଆସ ।” ଗୋଟେ ଝଡ଼ ପରି ସପ୍ତର୍ଷି ଓ ବୁବୁ ପଶିଆସିଲେ । ସୁଦୀପାର ନିଃସଙ୍ଗତା କଟିଗଲା । ହଠାତ୍‌ ଲାଇନ୍‌ ଫେରିଆସିଲେ ମୃତପ୍ରାୟ ବିଜୁଳି ବଲ୍‌ବ ଯେମିତି ଜଳିଉଠେ ସେମିତି ଉଜ୍ଜ୍ୱଳ ହୋଇଉଠିଥିଲା ସେ ପ୍ରକୋଷ୍ଠ । ବୁବୁ ଆଖିରେ ପୁଳାଏ ଅଭିଜ୍ଞତା, ଓଠରେ ପ୍ରଚୁର ସମ୍ଭାବନା ।

 

: ସମୁଦ୍ରକୂଳ ଛାଡ଼ି ଆସିବାପାଇଁ ଜମା ମନ କରୁନାହିଁ । –ସପ୍ତର୍ଷି ବୁବୁ ନାଁରେ ଅଭିଯୋଗ କରୁଥିଲେ ।

 

: ତମେ ବି ଆଉ ଟିକେ ବସିବାକୁ ଚାହୁଁଥିଲ, ନୁହେଁ ବାପା ! –ବୁବୁର ପ୍ରତି ଅଭିଯୋଗ ।

 

ଭୋପାଳରେ ସମୁଦ୍ର ନାହିଁ । ହ୍ରଦ ଅଛି । କିନ୍ତୁ ହ୍ରଦ ହ୍ରଦ, ସମୁଦ୍ର ସମୁଦ୍ର । ସେଥିପାଇଁ ସପ୍ତର୍ଷି ଓ ବୁବୁ ପୁରୀ ହେଉ କି ଗୋଆ ହେଉ, ସମୁଦ୍ର ଦେଖିଲେ କୂଳରୁ ଉଠିବାର ନାଆଁ ନିଅନ୍ତି ନାହିଁ ।

 

ସପ୍ତର୍ଷି କହିଲେ, “ଆମେ ଏବେ ଯାଇ ମନ୍ଦିରରୁ ଚାଲି ଆସିବା କି ? ନା ସକାଳୁ ? ଏବେ ତ ରାତି ନଅଟା ହୋଇଛି, ମନ୍ଦିର ଖୋଲା ଥିବ ।”

 

ସୁଦୀପା ପୁଣି ଭିତରେ ଭିତରେ ଚିଡ଼ିଉଠିଲା । ସପ୍ତର୍ଷି ସବୁବେଳେ ଏମିତି । କଥାଟାକୁ ସିଧା କହନ୍ତି ନାହିଁ କି ଅନ୍ୟକୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦିଅନ୍ତି ନାହିଁ । ଏମିତି ଦିମୁଣ୍ଡିଆ ପ୍ରସ୍ତାବଠୁଁ ନିର୍ଦ୍ଦେଶ ବରଂ ଭଲ–ଚାଲ, ମନ୍ଦିର ଯିବା କିମ୍ବା ଆଜି ଥାଉ, କାଲି ସକାଳୁ ଯାଇ ଆସିବା-। ସପ୍ତର୍ଷି କେବେ କୌଣସି କଥାକୁ ସ୍ପଷ୍ଟ କହନ୍ତି ନାହିଁ । ସେଥିପାଇଁ ସୁଦୀପାର ନିଷ୍ପତ୍ତି ଅଧିକାଂଶ ସମୟରେ ଭୁଲ୍‌ ହୋଇଯାଏ । ସେତେବେଳେ ସପ୍ତର୍ଷି ସହାନୁଭୂତି ଦେଖେଇବା ଦୂରେ ଥାଉ ସମାଲୋଚନା କରନ୍ତି, ଦିମୁଣ୍ଡିଆ ପ୍ରସ୍ତାବର ଆର ମୁଣ୍ଡଟାକୁ ଦେଖେଇ କହନ୍ତି, ମୁଁ କହୁଥିଲି, ସେମିତି କରିଥିଲେ ଭଲ ହୋଇଥାନ୍ତା । ସେଇଟା ଆଣିଥିଲେ ବେଶି କାମରେ ଆସିଥାନ୍ତା !

 

ଗୋଟେ ପଟେ ମନୋଜ, ଆଉ ଗୋଟେ ପଟେ ସପ୍ତର୍ଷି । ଗୋଟେ ପଟେ ସ୍ଥିର, ନିର୍ଦ୍ଦିଷ୍ଟ, ଅବିଚଳିତ ସମାଧାନ; ଆଉ ଗୋଟେ ପଟେ ଅସ୍ଥିର, ଅନିର୍ଦ୍ଦିଷ୍ଟ, ଅଥୟ ଦ୍ୱନ୍ଦ୍ୱ । କିନ୍ତୁ ସୁଦୀପାର ଭାଗ୍ୟ ସେଇ, ସେଇ ଭାଗ୍ୟକୁ ନେଇ ଜିଇଁବାକୁ ପଡ଼ିବ ।

 

ସୁଦୀପା କହିଲା, “ଯାହା କହିବ କୁହ । ଏତେ ରାତି ହେଲାଣି ବରଂ ସକାଳୁ ଯାଇ ବୁଲି ଆସିଲେ ଭଲ ହେବ ।”

 

ସପ୍ତର୍ଷି ବୁବୁକୁ ନେଇ ଗାଧୁଆ ଘରକୁ ପଶିଗଲେ । ବାଲି ଓ କାଦୁଅ ଲାଗି ଦୁହେଁ ବିଚିତ୍ର ଦିଶୁଥାଆନ୍ତି ।

 

ସପ୍ତର୍ଷି ତା ହାତପାଆନ୍ତାରେ ଶୋଇଥିବାବେଳେ ସୁଦ୍ଧା ସୁଦୀପା ନିଜ ମନ ଭିତରୁ ମନୋଜକୁ ବିଦାୟ ଜଣେଇ ପାରୁ ନ ଥିଲା । ବରଂ ସେ ବେଳେବେଳେ ଭାବୁଥିଲା, ମନୋଜ ସାଙ୍ଗେ ଆଉ ଥରେ ନିଭୃତରେ ଭେଟ ହୁଅନ୍ତା କି ! ଆଶ୍ଚର୍ଯ୍ୟ ! ଆଜି ତାକୁ ଏପରି ଭାବିବା ଲାଗି ସଙ୍କୋଚ ହେଉ ନ ଥିଲା । ତାର ବିଲ୍‌କୁଲ୍‌ ଧାରଣା ହେଉ ନ ଥିଲା ଯେ ସପ୍ତର୍ଷିର ପତ୍ନୀ ଓ ମନୋଜ ପ୍ରେମିକା ପରିଚୟ ଭିତରେ ଲକ୍ଷ ଲକ୍ଷ ଯୋଜନର ବ୍ୟବଧାନ । ମନୋଜ ସହ ଶେଷ ସାକ୍ଷାତର କଥା ତାର ମନେ ପଡ଼ୁଥିଲା । ଅନେକ ସଞ୍ଜର ଯୋଜନା ପରେ ସୁଦୀପା ସେଦିନ ପ୍ରସ୍ତାବ ଦେଇଥିଲା, ମନୋଜ ଥରେ ଯାଇ ତା ବାପାଙ୍କୁ ଭେଟୁ । ବାପା ନିଶ୍ଚୟ ସେମାନଙ୍କ ବାହାଘର ପାଇଁ ରାଜି ହେବେ । କିନ୍ତୁ ‘ଯିବି, ଯିବି’ କହି ମନୋଜ ଗୋଟାଏ ବର୍ଷ ବିତେଇ ଦେଇଥିଲା । ସୁଦୀପା ଜାଣିଥିଲା ଯେ କୌଣସି ଗୋଟିଏ କର୍ମ ସଂସ୍ଥାନ ଖୋଜୁଥିଲା ମନୋଜ । ସର୍ବନିମ୍ନ ଉପାର୍ଜନର ବ୍ୟବସ୍ଥା ଭିନ୍ନ ବିବାହ କରିବାକୁ ସେ ଚାହୁଁ ନ ଥିଲା ।

 

କିନ୍ତୁ ତାଆରି ଭିତରେ ସୁଦୀପାର ମାଆ ଚାଲିଗଲେ । ତାର ମନୋବଳ ଭାଙ୍ଗିଗଲା । ତାର ସବୁଠୁ ବଡ଼ ଦମ୍ଭ, ସବୁଠୁ ବଡ଼ ସାହସ, ମାଗିଲେ ସ୍ୱର୍ଗରୁ ଚାନ୍ଦ ତୋଳି ଆଣିଦେଲା ଭଳି ମାଆ ଚାଲିଗଲେ । ତେଣିକି ସେ ଦୁର୍ବଳ ବାପାଙ୍କର ଦାୟିତ୍ୱଟେ ପାଲଟିଗଲା । ଯେଉଁଦିନ ମନୋଜ ତା ବାପାଙ୍କ ପାଖେ ନେଇ ପ୍ରସ୍ତାବ ଦେଇଥିଲା ସେଦିନ ବାପା ଆଦୌ ଭଲ ମନରେ ନ ଥିଲେ । ବାରନ୍ଦାରେ ଠିଆ ହୋଇ ପ୍ରଶ୍ନ କରିଥିଲେ, “ମୋ ଝିଅକୁ ବାହା ହେବା ପାଇଁ କି ଯୋଗ୍ୟତା ଅଛି ତୁମର ?”

 

ସୁଦୀପା କଡ଼ ଲେଉଟେଇଲା । ମନୋଜର ସେହି ବିବଶ ଓ ବିକଳ ଚେହେରା ତା ଆଖି ସାମ୍ନାରେ ନାଚି ଯାଉଥିଲା । ବାପାଙ୍କ ପଛପଟେ ରହି ସେ ଆଖିଠାରରେ ମନୋଜକୁ ସାହସ ଦେବାକୁ ଅନେକବାର ଚେଷ୍ଟା କରିଥିଲା । କିନ୍ତୁ ସେତେବେଳକୁ ମନୋଜ ଫେରିଯିବାର ନିଷ୍ପତ୍ତି ନେଇ ସାରିଥିଲା ।

 

କେତେ ଶହ ଥର ମନେ ମନେ ମନୋଜକୁ ଧିକ୍କାର କରିଛି ସୁଦୀପା । କାହିଁକି ମୋ ବାପାଙ୍କ ଆଖି ସାଙ୍ଗରେ ଆଖି ମିଳେଇ କହିଲ ନାହିଁ, ଏଇ ମୁହୂର୍ତ୍ତରେ ଆପଣଙ୍କ ଝିଅକୁ ମୁଁ ପୃଥିବୀର ସମସ୍ତଙ୍କଠାରୁ ବେଶି ଭଲପାଏ । ସେଇ ମୋର ଯୋଗ୍ୟତା । କାହିଁକି କହିଲ ନାହିଁ ଏକଥା ! ତମେ ଥରୁଟିଏ ଓଠ ଖୋଲିଥିଲେ ଦେଖିଥାନ୍ତ ମନୋଜ, ମୁଁ ତମ ଓଠରୁ ବାକିକଥା ସବୁ ଛଡ଼େଇ କହିଦେଇଥାଆନ୍ତି । କିନ୍ତୁ ତୁମେ ମୋତେ ସେ ସୁଯୋଗ ଦେଲ ନାହିଁ ।

 

ମନୋଜ ! ସବୁଠୁ ଦୁର୍ବଳ ଲୋକ ହିଁ ସବୁଠୁ ବଡ଼ ପାଟିରେ ଚିତ୍କାର କରେ । ଏକଥା କଣ ତୁମ ପରି ମେଧାବୀ ଯୁବକ ଜାଣି ନ ଥିଲା ? ଗୋଟେ ମା'ଛେଉଣ୍ଡ ଝିଅର ବାପା ଯେ ତା ଝିଅର ଭଲମନ୍ଦ, ତାର ଭାବୀ ବରର ଉପାର୍ଜନ ଓ ଚାକିରି ବାକିରି ନେଇ ନିଶ୍ଚୟ ପ୍ରଶ୍ନ କରିବ, ଏକଥା ତୁମେ କଣ କେବେ ଭାବି ନ ଥିଲ ! ତୁମେ ସେଇ ଯେ ଚାଲିଗଲ, ସମ୍ପୂର୍ଣ୍ଣ ଭୁଲିଗଲ ସୁଦୀପାକୁ । ଆଉ ଦିନେ ବି ଫେରିଲ ନାହିଁ । ଆଉ ଥରଟେ ବି ଭେଟିବାକୁ ଚାହିଁଲ ନାହିଁ ତମର ସୁଦୀପାକୁ, ଯିଏ ତମକୁ ନ ଦେଖିଲେ ଦିନଟେ ବି ରହିପାରୁ ନ ଥିଲା ।

 

ତମେ ତ କୌଣସି ଦିନ ଏତେ ନିଷ୍ଠୁର ନ ଥିଲ ମନୋଜ ! ପୁଣି ଏତେ ଜିଦ୍‌ କରି ବସିଲ କେମିତି ? ଥରଟେ ଆସିଥିଲେ ଦେଖିଥାଆନ୍ତ, ମୋ ବାପା କେମିତି ତାଙ୍କ ଝିଅର ଜିଦ୍‌ ପାଖରେ ହାରିଯାଇଥିଲେ । କେମିତି ଅନୁତାପ କରିଥିଲେ ।

 

ସୁଦୀପାର ଆଖିରେ ଲୁହ ଜକେଇ ଆସିଥିଲା । ଥାଉ, ଅବଶିଷ୍ଟ ଜୀବନଯାକ ଏମିତି ଭାବିଲେ ବି ପୁରୁଣା ସମ୍ପର୍କ ଫେରି ଆସିବ ନାହିଁ । ବୁଡ଼ିଯାଉଥିବା ମଣିଷ କୁଟାଖିଅକୁ ଆଶ୍ରାକଲା ପରି ସେ ଶୋଇପଡ଼ିଥିବା ବୁବୁକୁ କୁଣ୍ଢେଇ ଧରୁଥିଲା ।

 

।। ଦୁଇ ।।

 

: ବୁବୁ କୁଆଡ଼େ ଗଲା ?–ବଡ଼ ପାଟିରେ ପଚାରୁଥିଲେ ସପ୍ତର୍ଷି ।

 

: ମାନେ ! ତମ ସାଙ୍ଗରେ ଆସୁଥିଲା ପରା ?

 

: ହଁ, ମୋ ସାଙ୍ଗରେ ହିଁ ତ ଥିଲା । ହୋଟେଲ୍‌ ସାମ୍ନାରେ ସେ ଟ୍ୟାକ୍ସିରୁ ଓହ୍ଲେଇଲା । କିନ୍ତୁ ଏବେ ତାକୁ ପାଉନାହିଁ ।

 

ସୁଦୀପା ଶିଡ଼ି ଉପରୁ ଖସିପଡ଼ିବ ଅବା ! ସପ୍ତର୍ଷି ଏ କଣ କହୁଛନ୍ତି ? ଏଇ ମୁହୂର୍ତ୍ତକ ଆଗରୁ ପୁଅ ତାଙ୍କ ସାଙ୍ଗରେ ଥିଲା, ଗଲା କୁଆଡ଼େ ?

 

ସପ୍ତର୍ଷି କହିଲେ, “ତୁମେ ବ୍ୟସ୍ତ ହୁଅ ନାହିଁ । ହୋଟେଲ୍‌ ଭିତରେ ଖୋଜ । କାଳେ ଲିଫ୍ଟରେ କୁଆଡ଼େ ଚାଲିଯାଇଥିବ । ମୁଁ ଦେଖୁଛି, କେଉଁ ବେଲୁନ୍‌ କି ଚକୋଲେଟ୍‌ ଦୋକାନ ନ ହେଲେ ସମୁଦ୍ର କୂଳକୁ ପଳେଇ ଯାଇଥିବ ।”

 

ସୁଦୀପା ଭିତରେ ଜୀବନ ନ ଥିଲା । ଏଇ ମୁହୂର୍ତ୍ତରେ ତାକୁ କାଟି ଦି ଗଡ଼ କରିଦେଲେ ବି ଠୋପାଏ ରକ୍ତ ନିଗଡ଼ନ୍ତା ନାହିଁ । ସେ ମୁଣ୍ଡରେ ହାତ ଦେଇ ଲଥ୍‌ କରି ବସିପଡ଼ିଲା । ରିସେପ୍‌ସନ୍‌ କାଉଣ୍ଟର୍‌ର ଲୋକଟି ବି ବ୍ୟସ୍ତ ହୋଇପଡ଼ିଲା । ସୁଦୀପାକୁ ପଚାରିଲା, ‘ପୋଲିସ୍‌ରେ ଖବର ଦେବି ?’

 

ସୁଦୀପା କହିଲା, “ଏଇଠି ପରା ଥିଲା, ଆପଣମାନେ ଟିକେ ଦେଖନ୍ତୁ । ପୋଲିସ୍‌ କଣ ସାଙ୍ଗେ ସାଙ୍ଗେ ଆସି ଖୋଜିଦେବ !”

 

ସୁଦୀପା କାଲି ରାତିରେ ଭଲ ଭାବେ ଶୋଇ ପାରି ନ ଥିଲା । ସକାଳେ ମନ୍ଦିର ଭିତରେ ବୁଲାବୁଲି କରି କ୍ଳାନ୍ତ ହୋଇପଡ଼ିଥିଲା । ସପ୍ତର୍ଷି ଓ ବୁବୁର ଆଗ୍ରହ ପାଇଁ ସେ କ୍ଳାନ୍ତି ସତ୍ତ୍ୱେ ସବୁ ଠାକୁର ଠାକୁରାଣୀଙ୍କୁ ଦର୍ଶନ କରିଥିଲା । ବଟ ଗଣେଶ, ବିମଳା, ଲକ୍ଷ୍ମୀ, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର ଓ ଶେଷକୁ ତିନିଠାକୁରଙ୍କ ରତ୍ନ ସିଂହାସନ । ଗରୁଡ଼ ସ୍ତମ୍ଭକୁ କୁଣ୍ଢେଇଥିଲା, ଦୀପ ଜାଳିଥିଲା ଓ ମାଙ୍କଡ଼ମାନଙ୍କୁ ନଡ଼ିଆ ଦେଇଥିଲା । ବୁବୁ ସେହି ମାଙ୍କଡ଼ମାନଙ୍କ ପାଖରେ ରହିଗଲା ନାହିଁ ତ ! ନା, ନା, ଗାଡ଼ିରେ ବସିଲାବେଳେ ସେ ତା ଆଣ୍ଠୁ ଉପରେ ହାତଥୋଇ ବସିଥିଲା । ପୁଅର ହାତ ରହିଥିବା ତା ଆଣ୍ଠୁ ଏପର୍ଯ୍ୟନ୍ତ ଉଷୁମ ଲାଗୁଛି । କୁଆଡ଼େ ଗଲା ବୁବୁ ! କୋଉଠି ହଜିଗଲା ତା ପୁଅ-! ତାର ଗୋଟିଏ ବୋଲି ସୁଖ !

 

ସେ ରୁମ୍‌ର ଦୁଆର ଖୋଲି ଲଥ୍‌ କରି ବସିପଡ଼ିଲା । ଏଇ ମୁହୂର୍ତ୍ତରେ ତାକୁ ସମୁଦ୍ର, କୋଳାହଳ, ଦୋକାନ ବଜାର, ହୋଟେଲର ବେହେରା ଓ ସୁଇପର୍‌ କେହି ଦିଶୁ ନ ଥିଲେ । କେବଳ ବୁବୁର ମୁହଁ ହିଁ ସବୁଠି ଦିଶୁଥିଲା । ବୁବୁ । ବୁବୁ ।

 

କେତେ କଷ୍ଟ ପାଇଥିଲା ସୁଦୀପା ବୁବୁର ଜନ୍ମବେଳେ ! ସିଜେରିଆନ୍‌ ପିଲା । ଆଉ ଥରେ ତାର ପିଲା ହେବ ନାହିଁ ବୋଲି ଡାକ୍ତରମାନେ ଡର ଦେଖେଇଛନ୍ତି । ତାର ଗର୍ଭାଶୟ କାଳେ ନଷ୍ଟ ହୋଇଯାଇଛି । ଯାଉ, ତା ପରି ଚାକିରିଆ ମା କେତୋଟି ଛୁଆଙ୍କୁ ବା ଭଲ ଭାବେ ଲାଳନପାଳନ କରିପାରିଥାନ୍ତା ! କିନ୍ତୁ ତାର ପୁଅ କାହିଁ ? ସୁଦୀପା ଶୁଣିଥିଲା, ପୁରୀରେ ପିଲାଧରାମାନେ ପ୍ରବଳ ହେଲେଣି । ସେମାନେ ସାନ ସାନ ପିଲାଙ୍କୁ ନେଇ ପଳାନ୍ତି । ଚୋର ତସ୍କରଙ୍କୁ ବିକି ଦିଅନ୍ତି, ହାତଗୋଡ଼ ଭାଙ୍ଗି ଭିକାରି ବନେଇ ଦିଅନ୍ତି । ବଳି ପାଇଁ ଧରି ନିଅନ୍ତି କଅଁଳା ପିଲାଙ୍କୁ । ବୁବୁ, ବୁବୁରେ–ଧନ ମୋର ! କୁଆଡ଼େ ଗଲୁ ବୁବୁ–ବିଳାପ କରି ଉଠିଲା ସୁଦୀପା । ମନ ଭିତରୁ କୁଢ଼କୁଢ଼ ପାପ, ଗଦା ଗଦା ଗ୍ଳାନି ଭୂତକାହାଣୀର ଭୂତ ପରି ମୁଣ୍ଡ ଟେକୁଥିଲେ । କାହିଁ ତାର ଅସତୀପଣିଆର ଇଏ ଶାସ୍ତି ନୁହେଁ ତ ! ଇଏ ତାର ପଛଦିନର ପାପ ପାଇଁ ଦଣ୍ଡ ନୁହେଁ ତ !

 

ବୁବୁ ଉପରେ ପୁଣି ପ୍ରଚଣ୍ଡ ରାଗ ଆସୁଥିଲା ସୁଦୀପାର । ବଦମାସ୍‌ ହୋଇଛି । ଆଗଚଲା ହୋଇଛି । ସବୁଠି ଆଗେ ଓହ୍ଲେଇ ପଡ଼ିବ, ଆପେ ଆପେ ଦୋକାନକୁ ଯାଇ ଟଫି କି ଚକୋଲେଟ୍‌ ମାଗି ବସିବ । ନିଶ୍ଚୟ କୋଉ ଦୋକାନକୁ ସେ ପଳେଇଥିବ ଓ ତାକୁ ଏକଲା ଦେଖି କିଏ ତାକୁ ଧରିନେଇଥିବ । ରିସେପ୍‌ସନ୍‌ର ଲୋକଟି ଠିକ୍‌ କଥା କହୁଥିଲା । ପୋଲିସ୍‌ରେ ହିଁ ତାର ଖବର ଦେଇଦେବା ଉଚିତ । ସପ୍ତର୍ଷି କୁଆଡ଼େ ବୋଲି କୁଆଡ଼େ ଘୂରୁଥିବେ । ସମୁଦ୍ରକୂଳରେ ଶହ ଶହ ପିଲା, ଲମ୍ବା ସମୁଦ୍ରକୂଳ । କୋଉଠି ସେ ଖୋଜିବେ ! ସମୁଦ୍ର ଭିତରକୁ ଚାଲିଗଲା କି ବୁବୁ ! ନା, ନା, ସେମିତି ହୋଇଥିଲେ ସମୁଦ୍ର କୂଳରେ ହୋ-ହଲ୍ଲା ହୋଇଥାନ୍ତା । ସିଆଡ଼େ କଦାପି ସେ ଯାଇ ନ ଥିବ । କାହିଁକି ଆସୁଥିଲା ସେ ପୁରୀ ? ଗୋଟି ଗୋଟି କରି ବୁବୁର ସବୁ କଥା, ସବୁ ଅଳି, ସବୁ ଅର୍ଦ୍ଦଳି ତାର ମନେପଡ଼ୁଥିଲା । ବୁବୁକୁ ଛାଡ଼ିଦେଇ କଦାପି ସେ ଫେରିଯାଇପାରିବ ନାହିଁ । ଏଇଠି ପଛେ ଅଖିଆ ଅପିଆ ବସି ମରିଯିବ, ସେ ତା ପୁଅକୁ ଛାଡ଼ି ଯାଇ ପାରିବ ନାହିଁ ।

 

ସେ ତଳକୁ ଓହ୍ଲେଇବା ପାଇଁ ଶିଡ଼ି ପାଖକୁ ଯାଉଥିଲା । ପଛରୁ ଶୁଭିଲା, “ଗୁଡ୍‌ ମର୍ଣ୍ଣିଂ ମାଡାମ୍‌ ।”

 

ସୁଦୀପା ପଛକୁ ବୁଲି ଚାହିଁଲା । ଇଏ ସେ କଣ ଦେଖୁଛି ? ହାତ ଯୋଡ଼ିକ ଓଠ ପାଖରେ ଯୋଡ଼ି ଯିଏ ତାକୁ ଗୁଡ୍‌ ମର୍ଣ୍ଣିଂ କହୁଛି ସିଏ ଯେ ମନୋଜ ! ତା ପାଖରେ ଠିଆ ହୋଇଛି ବୁବୁ । ସେ ଧାଇଁଯାଇ ବୁବୁକୁ କୋଳେଇ ଧରିଲା ।

 

ଲିଫ୍ଟରେ ଉପର ମହଲାକୁ ଚାଲିଯାଇଥିଲା । ଗୋଟାଏ ପରେ ଗୋଟାଏ ରୁମ୍‌ ଖୋଜି ସେ ବୋଧହୁଏ ଆପଣଙ୍କୁ ଖୋଜୁଥିଲା । ଏତେ ସାନପିଲାକୁ ଏକା ଏକା ଛାଡ଼ିବା ଉଚିତ ନୁହେଁ ।

 

ସେହିପରି ରୋକ୍‌ଠୋକ୍‌ କଥା, ସେହିପରି ଦାୟିତ୍ୱ ସଚେତନତା । ତୁମେ ମନୋଜ ନା-? କୁହ, କୁହ । ଚିହ୍ନିପାରୁନା ମୋତେ ! ମୁଁ ସୁଦୀପା, ତମର ସୁଦୀପା । ଏସବୁ କିନ୍ତୁ କିଛି କହିପାରିଲା ନାହିଁ ସୁଦୀପା । କହିବା ଆଗରୁ ହିଁ ଲିଫ୍ଟରୁ ସପ୍ତର୍ଷିଙ୍କ ପାଟି ଶୁଭିଲା–ବୁବୁ ମିଳିଲା କି ଏବଂ ତାଙ୍କ ପଛେ ପଛେ ହୋଟେଲର ମ୍ୟାନେଜର, ରିସେପ୍‌ସନିଷ୍ଟ୍‌ ଓ ବେହେରା । ସମସ୍ତେ ବୁବୁକୁ ଖୋଜି ଖୋଜି ବ୍ୟସ୍ତ ହୋଇପଡ଼ିଥିଲେ ।

 

ବାର ବର୍ଷ ତଳେ ତାଙ୍କ ଘରର ପୋର୍ଟିକୋ ତଳୁ ଚୁପ୍‌ଚାପ୍‌ ଚାଲିଯିବା ପରି ଆଜି ବି ଭିଡ଼ ଭିତରୁ ମନୋଜ କେତେବେଳେ ଚାଲିଯାଇଥିଲା । କୋଳାହଳ ଭିତରେ ତାକୁ ସୁଦୀପା ‘ଧନ୍ୟବାଦ’ ବୋଲି ବି ପଦେ କହିପାରିଲା ନାହିଁ ।

 

ସପ୍ତର୍ଷି ପୁଅକୁ ଜେରା କରୁଥିଲେ, “କୁଆଡ଼େ ଯାଇଥିଲୁ ? ତୋ ମା’ ଓ ମୁଁ କେତେ ବ୍ୟସ୍ତ ହେଲୁଣି ।”

 

ବୁବୁ ଏସବୁ ଦେଖି ଟିକିଏ ଭୟ ପାଇ ଯାଇଥିଲା । ବଡ଼ ବଡ଼ ଆଖି କରି ଖାଲି ମାଆକୁ ଓ ବାପାକୁ ଚାହୁଁଥିଲା । ସପ୍ତର୍ଷି ସୁଦୀପାକୁ କହିଲେ, “ଚାଲ, ରୁମ୍‌କୁ ଚାଲ । କାହାକୁ ଏମିତି ଚାହୁଁଛ-?”

 

ସୁଦୀପା କହିଲା “ଚାଲ, ମୁଁ ଆସୁଛି ।”

 

ସେଇଠି ସେମିତି ଛିଡ଼ାହୋଇ ସୁଦୀପା ଅପେକ୍ଷା କରୁଥିଲା । ଏଇ କିଛି ମୁହୂର୍ତ୍ତ ଆଗରୁ ସେ ଯାହାକୁ ଦେଖିଥିଲା ସେ ମନୋଜ ନା ମନୋଜର ଭ୍ରମ ! ଠିକ୍‌ ସେହି ଚେହେରା, ସେହି ଝାମ୍ପୁରା ବାଳ, ସେଇ ତୀକ୍ଷ୍ମ ଚାହାଣି–ମନୋଜ ହିଁ ଥିଲା ସିଏ । ଅଥଚ ଏମିତି ସାଙ୍ଗେ ସାଙ୍ଗେ ପଳେଇଗଲା କାହିଁକି ? ତାକୁ ଛାଡ଼ି ସେ ତା ପୁଅକୁ ଆଗେ କୋଳେଇ ଧରିଲା ବୋଲି ଅଭିମାନରେ କଣ ମନୋଜ ଚାଲିଗଲା ?

 

।। ତିନି ।।

 

ସପ୍ତର୍ଷି ଓ ବୁବୁ ଟ୍ୟାକ୍ସି ପାଖକୁ ଗଲେଣି । ଜିନିଷପତ୍ର ଲଦା ସରିଲାଣି । ସେମାନେ ଟ୍ୟାକ୍ସିରେ କଟକ ଯିବେ ଓ କଟକରୁ ଭୋପାଳ । ପୁଣି କେବେ ପୁରୀ ଆସିହେବ କି ନାହିଁ ଜଗନ୍ନାଥ ଜାଣନ୍ତି ।

 

ରିସେପ୍‌ସନ୍‌ କାଉଣ୍ଟରରେ ଛିଡ଼ାହୋଇ ସୁଦୀପା ପଚାରିଲା, “ମନୋଜ ମହାନ୍ତି ନାଆଁରେ କେହି ଆପଣଙ୍କ ହୋଟେଲରେ ରହୁଛନ୍ତି କି ?”

 

ରିସେପ୍‌ସନ୍‌ କ୍ଲର୍କ ତାର ରେଜିଷ୍ଟର ଅଣ୍ଡାଳି କହିଲା, “ସରି ମ୍ୟାଡାମ୍‌ । ସେଇ ନାଆଁରେ କେହି ଆମ ହୋଟେଲରେ ନାହାନ୍ତି ।”

 

ସୁଦୀପା ବିରକ୍ତ ହୋଇପଡ଼ିଲା । ମନରେ ବ୍ୟଗ୍ରତା ଓ ବିରକ୍ତିକୁ ଲୁଚେଇ ରଖି କହିଲା, “କାଲି ମୁଁ ତାଙ୍କୁ ଏଇ ହୋଟେଲରେ ଦେଖିଥିଲି ପରା !”

 

ଲୋକଟି ଟିକିଏ ଶଙ୍କିଯାଇ ନିଜକୁ ନିଜେ ଅବିଶ୍ୱାସ କଲା ପରି କହିଲା, “ଦେଖିଥିଲେ ! ହୁଏତ ଦେଖିଥିବେ ! କିନ୍ତୁ ଏଇ ତ ରେଜିଷ୍ଟର । ଆପଣ ନିଜେ ଦେଖିପାରନ୍ତି ।”

 

ସୁଦୀପା ରେଜିଷ୍ଟର୍‌ଟିର ପୃଷ୍ଠା ଓଲଟାଉଥିବାବେଳେ ପୋର୍ଟିକୋ ପାଖରୁ ସପ୍ତର୍ଷିଙ୍କ ଡାକ ଶୁଭିଲା, “ଏତେ ଡେରି ହେଉଛି କାହିଁକି ସୁଦୀପା ? ପୂରା ଖରାଟାରେ ଆଜି ମଣିଷ ଶଢ଼ିବ ଦେଖୁଛି ?”

 

ସୁଦୀପା ରେଜିଷ୍ଟର୍‌ଟିକୁ ଫେରେଇଦେଲା ଓ ‘ଧନ୍ୟବାଦ’ କହି ତରତରରେ ପୋର୍ଟିକୋକୁ ଚାଲିଆସିଲା । ସେ ଗାଡ଼ିର ଦୁଆର ଖୋଲି ବସିବାକ୍ଷଣି ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା-। ସି-ବିଚ୍‌ ରୋଡ଼୍‍ ଦେଇ ଗାଡ଼ି ଆଗକୁ ଗଡ଼ୁଥିଲା । ଆଚାର୍ଯ୍ୟ ହରିହର ଛକ ପାଖରେ ଗାଡ଼ି ବାଆଁକୁ ମୋଡ଼ିଲାବେଳେ ଡାହାଣକୁ ଚାହିଁଲା ସୁଦୀପା । ପଛରେ ରହିଯାଉଥିଲା ଅଶାନ୍ତ ଓ ଅଥୟ ସମୁଦ୍ର-। ଗୋଟିଏ ପରେ ଗୋଟିଏ ଲହଡ଼ି ମୁଣ୍ଡ ଟେକି ବେଳାଭୂମିକୁ ମାଡ଼ି ଆସୁଥିଲେ ଓ ପୁଣି ନିଶ୍ଚିହ୍ନ ହୋଇଯାଉଥିଲେ । ସୁଦୀପାର ମନ ଭିତରେ ମଧ୍ୟ ଗୋଟିକରୁ ବଡ଼ ଆଉ ଗୋଟେ ଲହଡ଼ି ମୁଣ୍ଡ ଟେକୁଥିଲା । ଦେଖା ହୋଇଥିଲେ କଣ କହିଥାନ୍ତା ମନୋଜକୁ ? ପୁଣି କଣ ସେମାନେ ଫେରି ଯାଇପାରିଥାନ୍ତେ ବାର ବର୍ଷ ତଳେ ଛାଡ଼ିଆସିଥିବା ଅତୀତକୁ ?

 

ସେ ଶେଷଥର ପାଇଁ ସମୁଦ୍ରକୁ ଚାହିଁଲା । ସେ ଜାଣିଥିଲା, ସମୁଦ୍ର କାହାକୁ କିଛି ଫେରେଇ ଦିଏ ନାହିଁ । ଯାହା ଫେରାଇ ଦିଏ ତାହା ଆଉ ଆଗର ସେ ବସ୍ତୁ କି ଆଗର ସେ ଅନୁଭବ ହୋଇ ନ ଥାଏ । ଯାହା ଯେମିତି ନେଇଥିବ, ତାହା ସେମିତି ଆଣି ଫେରେଇ ଦେବ ଏତେଟା ଉଦାର ଅନ୍ତତଃ ସମୁଦ୍ର ନୁହେଁ !

☆☆☆

 

ଚାରୁଲତା

 

ଦୟାକରି ଚାରୁଲତାର କଥା ମୋତେ କିଛି ପଚାରିବେ ନାହିଁ । ସେ ଏଇ ସହରରେ ଅଛି ନା ଆଉ କୁଆଡ଼େ ପଳେଇଛି, ସେ ବଞ୍ଚିଛି ନା ଆତ୍ମହତ୍ୟା କରିଦେଇଛି, ସେ ସତ୍ୟକୁ ଛାଡ଼ପତ୍ର ଦେଇଛି ନା ମନମୋହନକୁ ବାହା ହୋଇଯାଇଛି–ଏସବୁ ବିଷୟରେ ମୁଁ କିଛି ହିଁ ଜାଣେ ନାହିଁ । ମୁଁ ବି ଜାଣେ ନାହିଁ, ଦଶ ବର୍ଷର ବ୍ୟବଧାନ ପରେ ହଠାତ୍‌ କାହିଁକି ଚାରୁଲତା ସଙ୍ଗେ ମୋର ପୁଣି ଦେଖାହେଲା ! କାହିଁକି ସେ ସେଦିନ ମୋର ପରାମର୍ଶ ଲୋଡ଼ି ବସିଲା ତାର ବ୍ୟକ୍ତିଗତ ସମସ୍ୟା ନେଇ କିମ୍ବା କାହିଁକି ଏଇ ସହରରେ ଏତେ ଚିହ୍ନା ପରିଚିତ ମଣିଷ ଥାଉ ଥାଉ ମୋତେ ସେ ତାର ପରାମର୍ଶଦାତା ବାଛିଲା ?

 

ଚାରୁଲତା ସବୁଦିନ ମୋ ପାଇଁ ଗୋଟେ ରହସ୍ୟ ଥିଲା । ରହସ୍ୟ ହୋଇ ରହିବ ବି । ଖବରକାଗଜରେ ସତ୍ୟ ମଙ୍ଗରାଜ କରୁଣ ବିଜ୍ଞାପନ ସବୁ ଛାପିଛି । ଚାରୁଲତାକୁ ଫେରିଆସିବାକୁ ଅନୁରୋଧ କରିଛି ସେ । କିନ୍ତୁ ଚାରୁଲତା ଗଲା କୁଆଡ଼େ ? ସେ ତା ନିଜ ଇଚ୍ଛାରେ କୁଆଡ଼େ ଚାଲିଯାଇଛି ନା ସତ୍ୟ ତାକୁ ମାରି କୋଉଠି ତାର ଶବକୁ ଲୁଚେଇ ଦେଇଛି ?

 

ଚାରୁଲତାର କଥା ଭାବିଲାକ୍ଷଣି ମୋ ଭିତରେ ଅନେକଗୁଡ଼ିଏ ପ୍ରଶ୍ନ ମୁଣ୍ଡ ଟେକୁଛନ୍ତି । କୁଆଡ଼େ ପଳେଇ ଯାଇପାରେ ତା ପରି ଗୋଟେ ଯୁବତୀ ! ତା ଅଫିସ୍‌ରେ କେହି ତା ଠିକଣା ଜାଣନ୍ତି ନାହିଁ । ତା ଠିକଣାରେ ଯାଉଥିବା ଚିଠି ଫେରି ଆସୁଛି । ତାର ଟେଲିଫୋନ୍‌ ରିଙ୍ଗ୍‌ ହୋଇ ହୋଇ ଆପେ ଆପେ ବନ୍ଦ ହୋଇଯାଉଛି । ଅଥଚ ଚାରୁଲତାର ଦେଖାନାହିଁ ।

 

ଦୟାକରି ମୋତେ ଚାରୁଲତାର ଖବର ପଚାରନ୍ତୁ ନାହିଁ । ମୋତେ ଯଦି ପଚାରିବେ ମୁଁ କେବଳ ଜ୍ୟୋତିବିହାରର ଚାରୁଲତା ସମ୍ପର୍କରେ କହିବି । ସେଇ ସୁଶ୍ରୀ ଓ ମେଧାବୀ ଛାତ୍ରୀ ଚାରୁଲତାର କଥା, ଯାହାକୁ ସମସ୍ତେ ଦିନେ ଶ୍ରଦ୍ଧା କରୁଥିଲେ, ବଡ଼ ହୋଇ ସେ ତା ପରିବାର ଓ ଏଇ ରାଜ୍ୟର ମୁଖ ଉଜ୍ଜ୍ୱଳ କରିବ ବୋଲି କଳ୍ପନା କରୁଥିଲେ । ସବୁଠୁ ସୁଖୀ ଝିଅ ବୋଲି ତାର ସାଙ୍ଗ ସହପାଠୀମାନେ ବେଳେବେଳେ ଈର୍ଷା କରୁଥିଲେ ।

 

ନା, ଚାରୁଲତା ମୋତେ ଭଲପାଉ ନ ଥିଲା, ସେ କାହାକୁ ଭଲପାଉଥିଲା କି ନାହିଁ ତାହା ମୁଁ ଜାଣି ନ ଥିଲି । ମୋ ଆଡ଼ୁ ମୁଁ ତାକୁ ଭଲପାଉଥିଲି । କିନ୍ତୁ ମୋର ଏଇ ଭଲପାଇବା କଥାଟି ଶେଷ ପର୍ଯ୍ୟନ୍ତ ମୋରି ପାଖରେ ହିଁ ରହିଗଲା । ଚାରୁଲତା ସାମ୍ନାରେ ମୁହଁ ଖୋଲି କେବେ ସେକଥା କହିବା ତ ଦୂରର କଥା, କାଗଜ କଲମରେ ଲେଖି ଚିଠି ଖଣ୍ଡେ ସୁଦ୍ଧା ତା ପାଖକୁ ପଠେଇ ପାରି ନ ଥିଲି । ସେସବୁ ଦଶ ବର୍ଷ ତଳର କାହାଣୀ ।

 

ସେତେବେଳେ ଚାରୁଲତା ଜ୍ୟୋତିବିହାରରେ ମୋ ତଳ କ୍ଲାସ୍‌ରେ ପଢ଼ୁଥିଲା । ମଝିରେ ମୁଁ ବର୍ଷେ ଡ୍ରପ୍‌ କରି ତା ସାଙ୍ଗରେ ପଢ଼ିଲି । ତାର ରୂପ ଏବଂ ସ୍ୱଭାବ ଯୋଗୁ ସେ ସହପାଠୀ ମହଲରେ ଏତେ ପରିଚିତ ହୋଇଯାଇଥିଲା ଯେ ନ ଜାଣିବା ଲୋକ ତାକୁ କୌଣସି ମନ୍ତ୍ରୀ କିମ୍ବା କୁଳପତିଙ୍କର ସମ୍ପର୍କୀୟା ବୋଲି ଭାବି ବସୁଥିଲା । ଚାରୁଲତାର ସାମାଜିକ ପରିଚୟ କିନ୍ତୁ ସେମିତି କିଛି ସ୍ୱତନ୍ତ୍ର ନ ଥିଲା । ତା ବାପା ରେଳବାଇର ଜଣେ ସାଧାରଣ ଟି.ଟି.ଇ. ଥିଲେ ।

 

ଚାରୁଲତା ହସୁଥିଲେ କୃଷ୍ଣଚୂଡ଼ା ଗଛରୁ ନେନ୍ଥା ନେନ୍ଥା ଫୁଲ ଖସିପଡ଼ି ମାଟି ଉପରେ ବିଛେଇ ହୋଇଯାଉଥିଲା । ମଲ୍ଲୀଫୁଲର ବାସ୍ନା ଖେଳିଯାଉଥିଲା ତା ଚାରିପଟେ । ତାର କଥାକୁହା ଆଖି ଯୋଡ଼ିକରେ ଖୁନ୍ଦିଖାନ୍ଦି ହୋଇ ଥାଏ ସାତ ସମୁଦ୍ରର ନୀଳିମା, ତାର କେଶଗୁଚ୍ଛରେ ମଉନାବତୀ ରାତିର ମାୟା, ତାର ହାତ, ପାଦ ଓ ଆଙ୍ଗୁଳିମାନଙ୍କରେ ଅଦ୍ଭୁତ ପ୍ରକାରର ଲାଳିତ୍ୟ । ତା ପରି ଏତେ ସୁନ୍ଦରୀ ଝିଅ ସାଙ୍ଗେ ଆମେମାନେ କଥାଭାଷା କରିବାର ସୁଯୋଗ ପାଉଥିବାରୁ ମନେ ମନେ ଯେତିକି ଗର୍ବ ଅନୁଭବ କରୁଥିଲୁ, ତା ସହିତ ବିଶେଷ ସମ୍ବନ୍ଧ ସ୍ଥାପନ କରି ନ ପାରିବା କାରଣରୁ ସେତିକି ବିମର୍ଷ ହୋଇପଡ଼ୁଥିଲୁ ।

 

ସେଇ ଚାରୁଲତା ।

 

ଜ୍ୟୋତିବିହାରର ଜ୍ୟୋତି ।

 

ଯିଏ ପାଖ ଦେଇ ଚାଲିଗଲେ କ୍ଲାସ୍‌ ଫେରନ୍ତା କ୍ଳାନ୍ତ ପୁଅମାନଙ୍କ ହାତରୁ ନୋଟବୁକ୍‌ ଖସିପଡ଼ୁଥିଲା, କେବେ କେମିତି ତା ମୁଣ୍ଡ ଉପରୁ କୁଞ୍ଚୁକୁଞ୍ଚିଆ ବାଳ ଦିଓଟି କପାଳ ଉପରକୁ ଖସି ଆସୁଥିଲେ, ଅଧ୍ୟାପକ ରଜତ ଚାଟାର୍ଜୀଙ୍କ ନାକ ଉପରୁ ଚଷମା ଓ ହାତରୁ ଟେଷ୍ଟଟ୍ୟୁବ୍‌ ଖସି ଚୂନା ହୋଇ ଯାଉଥିଲା ।

 

ସେଇ ଚାରୁଲତାକୁ ରାଜଧାନୀର ଏଇ ପରିବା ହାଟରେ ଦେଖି ଆଶ୍ଚର୍ଯ୍ୟ ହେବା ଥିଲା ମୋ ପକ୍ଷେ ଅତ୍ୟନ୍ତ ସ୍ୱାଭାବିକ । ରୂପ, ଗୁଣ ଓ ଶିକ୍ଷା ସବୁ ଦୃଷ୍ଟିରୁ ସେ ଯେକୌଣସି ଉଚ୍ଚ କ୍ଷମତାସମ୍ପନ୍ନ ପ୍ରଶାସନିକ କି କର୍ପୋରେଟ୍‌ ଏକ୍‌ଜିକ୍ୟୁଟିଭ୍‌ର ସହଧର୍ମିଣୀ ହେବା ମୁଁ ଆଶା କରୁଥିଲି-। ସେଥିପାଇଁ ଚାରୁଲତାକୁ ଏଭଳି ଏକଲା ଅବସ୍ଥାରେ ହାତରେ ପରିବା ବ୍ୟାଗ୍‌ ଓହଳେଇ ଭିଡ଼ ପରିବା ହାଟରୁ ପରିବା କିଣିବା ମୋ ଆଖି ପାଇଁ ଗ୍ରହଣଯୋଗ୍ୟ ହେଉ ନ ଥିଲା ।

 

ଚାରୁଲତା ମୋତେ ଚିହ୍ନିପାରିଲା ।

 

: ଏଇ, ଅମରେନ୍ଦ୍ର ବାବୁ ନା !

 

: ହଁ, ତମେ ଚାରୁଲତା !

 

: ଆରେ, ଚିହ୍ନିପାରୁ ନାହାନ୍ତି ! ଜ୍ୟୋତିବିହାରରେ ତିନି ବର୍ଷ ପଢ଼ୁଥିଲେ, ଏକା ଡିପାର୍ଟମେଣ୍ଟ୍‌... ।

 

: କିନ୍ତୁ ତୁମେ ଭୁବନେଶ୍ୱରକୁ କେବେଠୁଁ ଆସିଲଣି ? ତମ ସାଙ୍ଗେ ଏମିତି ହଠାତ୍‌ ଦେଖା ହୋଇଯିବ ବୋଲି ମୁଁ କଦାପି ଚିନ୍ତା କରି ନ ଥିଲି ।

 

ଚାରୁଲତା କଣ କହିବାକୁ ଯାଉଥିଲା । ଗୋଟେ କଳା ଓ ମୋଟା ଲୋକ ପରିବା କିଣିବାକୁ ଆମ ଦିହିଙ୍କ ମଝିକୁ ସେତିକିବେଳେ ପଶିଆସିଲା । କଥାତକ ତା ପାଟିରେ ରହିଗଲା ।

 

ମୁଁ କହିଲି, “ଯଦି ଡେରି ହେଉ ନ ଥାଏ, ତାହାହେଲେ ଚାଲନ୍ତୁ ବାହାରେ କଥା ହେବା-।” କହିସାରି କାଳେ ମୋର ଏଭଳି ନିମନ୍ତ୍ରଣରୁ ଚାରୁଲତା ଭୁଲ୍‌ ଅର୍ଥ ବାହାର କରିବ ତେଣୁ ପ୍ରସଙ୍ଗ ବଦଳେଇ ପଚାରିଲି, ‘ଆପଣ ଏକା ଆସିଛନ୍ତି ନା ସାଙ୍ଗରେ ଆଉ କିଏ ଆସିଛନ୍ତି-?’

 

: ବାଃ, ଏକାଥରେ ‘ତମେ’ରୁ ଆପଣ ? ହଉ ।

 

ମୁଁ ହସିଲି । ଚାରୁଲତା କହିଲା, ‘ମୁଁ ଏକା ଆସିଛି । ଏଇବାଟେ ଅଫିସ୍‌ରୁ ଫେରିବାବେଳେ ମୁଁ ଏଠୁ ପରିବା କିଣିନେଇ ଯାଏ ।’ ସେ ତା ବ୍ୟାଗ୍‌ ଭିତରୁ ଟଙ୍କା ବାହାର କରି ପରିବା ଦୋକାନୀକୁ ଦେଲା ଓ ଖୁଚୁରା ପଇସାତକ ଫେରେଇ ଆଣି ତା ବ୍ୟାଗ୍‌ରେ ରଖିଲା । ପରିବା ଦୋକାନୀ ପଚାରିଲା, ‘ଭଲ ମାଟିଆଳୁ ଆସିଛି, ଖଣ୍ଡେ ଦେବି ମା !’ ଚାରୁଲତା ମୋତେ ଅପେକ୍ଷା କରେଇବାକୁ ଚାହୁଁ ନ ଥିଲା । ସେ ମୋ ଆଡ଼କୁ ଚାହିଁ ପରିବା ଦୋକାନୀକୁ ଉତ୍ତର ଫେରେଇଲା–‘ନା, ଥାଉ କାଲିକି ନେବି ।’

 

ଚାରୁଲତାର ଠାଣିରେ ଆଜି ବି ସେମିତି ବିଜୁଳିର ଝଲକ । କେତେ ସୁନ୍ଦର ଭାବେ ସେ ଶାଢ଼ି ପିନ୍ଧିଛି । କଲେଜ ଦିନମାନଙ୍କରେ ଯେମିତି ଥିଲା, ଆଜି ବି ସେମିତି ଅଛି । ଟିକିଏ ବଦଳି ନାହିଁ । ତା ଦେହରେ ଏତେ ଟିକେ ଚର୍ବି ଲାଗିନାହିଁ । ମୁଁ ମୋର ସ୍ଫୀତ ଉଦର ନେଇ ଟିକେ ସଚେତନ ହୋଇପଡ଼ିଲି ।

 

ଚାରୁଲତା ଆଗରେ ଓ ମୁଁ ତା ପଛେ ପଛେ ଚାଲୁଥିଲି । ହାଟରୁ ବାହାରି ଆସି ଚାରୁଲତା ଆକାଶକୁ ଚାହିଁଲା ଓ କହିଲା, ‘ବର୍ଷା ହେବ ବୋଧହୁଏ ।’ ମୁଁ କହିଲି, ‘କାହିଁ, ଅଗଷ୍ଟ ତ ସରିବାକୁ ବସିଲା, ବର୍ଷା କାହିଁ ?’

 

ଚାରୁଲତା କହିଲା, ‘ଆସନ୍ତୁ, କୋଲ୍‍ଡ୍‍ ଡ୍ରିଙ୍କ୍‌ସ ପିଇବା ।’ ମୁଁ ତା ପ୍ରସ୍ତାବରେ ରାଜି ହେଲି ଓ ହଠାତ୍‌ ଅନୁଭବ କଲି ଯେ ଦଶ ବର୍ଷ ତଳର ଲାଜୁରାପଣ ଏବେ ମୋ ପାଖରେ ନାହିଁ । ସେତେବେଳେ ଚାରୁଲତା ସାମ୍ନାରେ କଥା ପଦେ ମୁଁ କହିପାରୁ ନ ଥିଲି । ଅନେକଥର ଆମେ ନୋଟ୍‌ ଅଦଳ ବଦଳ କରିଥିବୁ, ଲାବରେଟରୀ ଏକ୍‌ସପେରିମେଣ୍ଟ୍‌, ଉପସ୍ଥାନ ଓ କ୍ଲାସ୍‌ ସମସ୍ୟା ନେଇ ଗପିଥିବୁ । ମାତ୍ର ସେସବୁ କଥା ଗପିବା ପାଇଁ ତ ମୁଁ ଚାରୁଲତାର କଲେଜ ଆସିବାକୁ ଏତେ ନିର୍ନିମେଷ ଆଖିରେ ଚାହିଁ ନ ଥାଏ ! ମୋର ଯାହା କହିବାକୁ ଥାଏ ଶେଷ ପର୍ଯ୍ୟନ୍ତ ସେହି କଥାଟି ତାକୁ କହିପାରେ ନାହିଁ । କେବେ ‘ତମର ଶାଢ଼ିଟି ଭଲ ଦିଶୁଛି’, କେବେ ‘ତମେ କଲେଜ ଫଙ୍କସନ୍‌ରେ ଭଲ ଗାଇଲ’ କିମ୍ବା ‘ଡକ୍ଟର ଚାଟାର୍ଜୀ ତମ କଥା ପଚାରୁଥିଲେ’ କହି ଫେରିଆସେ । ଆଜି ମୁଁ ବେଶ୍‌ ସ୍ୱାଭାବିକ ଭାବେ ଚାରୁଲତା ସାଙ୍ଗେ ଗପି ପାରୁଛି । ଏହି ସାମର୍ଥ୍ୟ ପଛରେ କାରଣଟି କଣ ? ମୋର ବିବାହ କି ?

 

ଚାରୁଲତା କୋଲ୍‌ଡ଼୍‍ ଡ୍ରିଙ୍କ୍‌ସ ପାଇଁ ଅର୍ଡ଼ର ଦେଲା । ହଁ, ବିବାହ ଅନେକ ଧାରଣାକୁ ସହଜ କରିଦିଏ । ସେଦିନ ନାରୀର ଦେହ, ତାର ପ୍ରେମ ଓ ତାର ଇଚ୍ଛା ଅନିଚ୍ଛା ନେଇ ମୋ ଭିତରେ ହଜାରେ ଏକ ଉଦ୍ଭଟ ଧାରଣା ଥିଲା । ସେଇ ବୟସର ସବୁ ଯୁବକଙ୍କ ମନରେ ବୋଧେ ସେମିତି ଧାରଣା ଥାଏ । ମାତ୍ର ଆଜି ସେ ରହସ୍ୟମାନ ଆଉ ରହସ୍ୟ ହୋଇ ନାହାନ୍ତି । ଆଠ ବର୍ଷର ଦାମ୍ପତ୍ୟ ସେସବୁ ରହସ୍ୟର ହୁଗୁଳାପଣତକ ମୋ ଆଖି ସାମ୍ନାରେ ରଖି ଦେଇଛି ।

 

ଚାରୁଲତା ପଚାରୁଥିଲା, ‘ଏବେ କୋଉଠି ଅଛନ୍ତି ?’

 

ମୁଁ ପରିହାସ କଲା ପରି ଉତ୍ତର ଦେଲି, ‘ଏଇତ, ଏବେ ମୁଁ ତମ ସାମ୍ନାରେ ଅଛି ।’

 

ଚାରୁଲତା ହସିଲା । ସେଇ ବିପଜ୍ଜନକ ହସ । ଯୋଉ ହସ ମୋତେ ଅନେକ ଦିନ, ଅନେକ ରାତି ଅଥୟ କରିଥିବ, ବିବଶ କରିଥିବ, ଅସ୍ତବ୍ୟସ୍ତ କରିଥିବ । ମୁଁ କହିଲି, ‘ମୁଁ ଗୋଟେ ଗ୍ରାମ୍ୟ ବ୍ୟାଙ୍କ୍‌ରେ ଅଛି । ବ୍ୟାଙ୍କ୍‌ଟି ଏଠୁ ତିରିଶ କିଲୋମିଟର ଦୂର । ଭୁବନେଶ୍ୱରରୁ ପ୍ରତିଦିନ ଯା’ଆସ କରେ ।’

 

: ଏତେ ଗୁଡ଼ାଏ ବାଟ !

 

: ହଁ, ଗ୍ରାମ୍ୟ ବ୍ୟାଙ୍କ ଚାକିରି ଯେତେବେଳେ ଗ୍ରାମାଞ୍ଚଳରେ ରହିବା କଥା । ସେଇଠି ଭଡ଼ାଘର ମିଳେ ନାହିଁ, ତେଣୁ ଭୁବନେଶ୍ୱରରେ ରହୁଛି । ତେବେ ମୋ କଥା ଛାଡ଼ । ତୁମେ ତୁମ କଥା କୁହ ।

 

: ହଁ ଏଥର ଠିକ୍‌ ବାଟକୁ ଆସିଲେ । ଆପଣଙ୍କ ତୁଣ୍ଡରୁ ‘ଆପଣ’ ଶବ୍ଦ ଶୁଣିଲେ ଅସ୍ୱସ୍ତି ଲାଗେ । ଆପଣ ତ ଖାଲି ସିନିୟର ନ ଥିଲେ, ୟୁନିଭରସିଟିର ବେଷ୍ଟ୍‌ ଗ୍ରାଜୁଏଟ୍‌ ।

 

: ଛାଡ଼ ଚାରୁଲତା । କଲେଜ କି ୟୁନିଭର୍‌ସିଟିର ବେଷ୍ଟ୍‌ ଗ୍ରାଜୁଏଟ୍‌ ହେବା ସାଙ୍ଗେ ଜୀବନର କିଛି ସମ୍ବନ୍ଧ ନ ଥାଏ । ରମେଶ କଥା ଦେଖୁନ, ମୁଁ ତ ୟୁନିଭର୍‌ସିଟିରେ ଫାଷ୍ଟ୍‌ ହୋଇଥିଲି, କିନ୍ତୁ ସେ ଆଇ.ଏ.ଏସ୍‌.ରେ ଟପର୍‌ ହୋଇଥିଲା । ସାରା ଦେଶରେ ତା ପୋଜିସନ୍‌ ଥିଲା ନମ୍ବର ୱାନ୍‌ । ଅଥଚ ସଂସାର ବାନ୍ଧିବା କ୍ଷେତ୍ରରେ... ।

 

: ମୁଁ ଜାଣେ ।

 

ଚାରୁଲତା ଗୋଟେ ଦୀର୍ଘଶ୍ୱାସ ନେଲା । ରମେଶ ପଣ୍ଡା ଆମ ସମୟର ଖୁବ୍‌ ପ୍ରତିଭାବାନ୍‌ ଯୁବକ ଥିଲା । ସେ ଆଇ.ଏ.ଏସ୍‌.ରେ ଫାଷ୍ଟ୍‌ ହୋଇଥିଲା । ତା ସ୍ତ୍ରୀ ବି ଆଇ.ଏ.ଏସ୍‌. । ଅଥଚ ଏବେ ସ୍ୱାମୀ-ସ୍ତ୍ରୀ ପରସ୍ପରର ମୁହଁ ଚାହୁଁ ନାହାନ୍ତି । ତିନି ବର୍ଷ ହେଲା ସେମାନେ ଅଲଗା ରହୁଛନ୍ତି ।

 

ଚାରୁଲତା ଖାଲି ବୋତଲଟା ଫେରେଇ ଦେଇ ସାରି ଟଙ୍କା ଦେବା ପାଇଁ ବ୍ୟାଗ୍‌ ଖୋଲୁଥିଲା । ମୁଁ କିନ୍ତୁ ଅନେକବେଳୁ ଗୋଟେ କୋଡ଼ିଏ ଟଙ୍କିଆ ନୋଟ୍‌ କାଢ଼ି ବାଁ ହାତରେ ଧରିଥିଲି । ସେ ପଇସା ଦେବା ଆଗରୁ ମୁଁ ଦୋକାନୀ ହାତକୁ ଟଙ୍କା ବଢ଼େଇଦେଲି ।

 

ଚାରୁଲତା ଆପତ୍ତି କଲା, ‘ମୁଁ ଅର୍ଡ଼ର ଦେଇଥିଲି, ମୋର ଦେବା କଥା ।’

 

ମୁଁ ହସିଲି, ‘ମୁଁ ସିନିଅର୍‌ । ପୁଣି ବ୍ୟାଙ୍କର୍‌ । ମୋର ତେଣୁ ପେମେଣ୍ଟ୍‌ କରିବା କର୍ତ୍ତବ୍ୟ ।’

 

ଚାରୁଲତା ଜୋର୍‌ରେ ହସିଉଠିଲା । ତାର ବାଁ ଗାଲରେ ଗୋଟେ ଭଉଁରି ଖେଳିଗଲା, ଯେମିତି ଭଉଁରି ହିନ୍ଦୀ ଫିଲ୍ମର ନାୟିକା ଶର୍ମିଳା ଟାଗୋର ଗାଲରେ ଖେଳିଯାଏ । ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି ।

 

ଚାରୁଲତା ତା ଭ୍ୟାନିଟି ବ୍ୟାଗ୍‌ର ଚେନ୍‌ ଭିଡ଼ୁଥିଲା ।

 

ମୁଁ ପଚାରିଲି, ‘ତମ କଥା କିଛି କହିଲ ନାହିଁ ଯେ !’

 

ଚାରୁଲତା ହଠାତ୍‌ ଉଦାସ ହୋଇଗଲା । ‘କଣ କହିବି ଓ କୋଉଠୁ ସେ କଥା ଆରମ୍ଭ କରିବି ? ଛାଡ଼ନ୍ତୁ, ପୁଣି କେବେ ଦିନେ ସେସବୁ କହିବି । ଆପଣ ବରଂ ନିଜ କଥା କୁହନ୍ତୁ ।’

 

ଟୋପାଏ ବର୍ଷା ମୋ କହୁଣି ଉପରେ ପଡ଼ିଲା । ଚାରୁଲତା କହିଲା, ‘ବର୍ଷା ଆସିଲାଣି । ମୁଁ ଯାଏ ।’

 

ମୁଁ କିନ୍ତୁ ଏତେ ଶୀଘ୍ର ଚାରୁଲତାକୁ ପାଖରୁ ଛାଡ଼ିବା ପାଇଁ ଚାହୁଁ ନ ଥିଲି । ମାତ୍ର ସେଇ କଥାଟି ମୁହଁ ଖୋଲି କିପରି କହିବାକୁ ହେବ ତାହା ମୁଁ ଜାଣି ନ ଥିଲି । ମୋର ଏମିତି ହିଁ ହୁଏ । ଠିକ୍‌ ସମୟରେ ଠିକ୍‌ ଶବ୍ଦଟା ମୋ ପାଖେ ପହଞ୍ଚେ ନାହିଁ । ମୋର ଭିଜିଟିଂ କାର୍ଡ଼ଟିଏ ତା ହାତକୁ ବଢ଼େଇ ଦେଇ କହିଲି, ‘କେବେ ସମୟ ପାଇଲେ ଫୋନ୍‌ କରିବ ।’

 

ଚାରୁଲତା ତା’ ପାଖ ଦେଇ ଯାଉଥିବା ରିକ୍‌ସାଟିଏ ଡାକିଲା । ମୋ ଆଡ଼କୁ ଚାହିଁ ଆଉ ଥରେ ହସିଲା ଓ ହାତ ହଲେଇ କହିଲା, ‘ହଉ, ଦେଖାହେବ ।’

 

ମୁଁ ମୋ ସ୍କୁଟର ପାଖକୁ ଫେରିଆସିଲି । ମୋର ଆଉ ପରିବା କିଣିବାରେ ଆଗ୍ରହ ନ ଥିଲା ।

 

ରାତି ଏଗାରଟା ପରେ କିମ୍ବା ସକାଳ ଛଅଟା ଆଗରୁ ଫୋନ୍‌ ବାଜିଉଠିଲେ ମୋତେ ବିରକ୍ତ ଲାଗେ । ଅଧାରୁ ନିଦ ଭାଙ୍ଗିଗଲେ ଅନେକ ବେଳଯାଏ କଞ୍ଚା ନିଦ ଆଉ ଯୋଡ଼ିହୁଏ ନାହିଁ ।

 

ସେଥିପାଇଁ ଫୋନ୍‌ ଶବ୍ଦ ଶୁଣି ମୁଁ ବିରକ୍ତ ହୋଇପଡ଼ିଥିଲି । ସେପଟୁ ଚାରୁଲତା ଫୋନ୍‌ କରୁଥିଲା । ନିଦରୁ ଉଠିଥିବାରୁ ଓ ଫୋନ୍‌ରେ ଚାରୁଲତାର ସ୍ୱର ସହ ପରିଚିତ ନ ଥିବାରୁ ମୁଁ ଚିଡ଼ିଲା ସ୍ୱରରେ ପଚାରିଥିଲି, ‘ଆପଣ କିଏ କହୁଛନ୍ତି ?’

 

ସେପଟୁ ନିରୀହ ସ୍ୱରଟିଏ ଶୁଭିଲା, ‘ମୁଁ ଚାରୁଲତା’ । ମୋ ଆଖିରୁ ନିଦ ସାଙ୍ଗେ ସାଙ୍ଗେ ଉଭାନ୍‌ ହୋଇଗଲା । ବିଛଣାରୁ ଉଠି ବସିଲି ଓ ସାମ୍ନାର କାନ୍ଥଘଣ୍ଟାକୁ ଚାହିଁଲି । ରାତି ବାରଟା ହେଲାଣି । ଏତେ ରାତିରେ ଚାରୁଲତା ମୋ ପାଖକୁ ଫୋନ୍‌ କରିବାର କାରଣ କଣ ? କିଛି ଅସୁବିଧାରେ ପଡ଼ିଛି କି ଚାରୁଲତା ?

 

ମୁଁ ଯଥାସମ୍ଭବ ନରମ କଣ୍ଠରେ ପଚାରିଲି, ‘କଣ ହେଇଛି, କୁହ ।’

 

: ଆଜି ଦିନ ଭିତରେ ମୁଁ ଆପଣଙ୍କ ଘରକୁ ଦି’ ତିନି ଥର ଫୋନ୍‌ କରିଛି । ଆପଣ ସଞ୍ଜରେ ଫେରିଥିବେ । ମାତ୍ର ସେତେବେଳେ ଫୋନ୍‌ କରିବାର ସୁବିଧା ନ ଥିଲା ।

 

: ଠିକ୍‌ ଅଛି, କୁହ ।

 

: କାଲି ଆପଣ ମାର୍କେଟ୍‌କୁ ଆସିପାରିବେ ? ମୁଁ ଆପଣଙ୍କ ସାଙ୍ଗେ ଗୋଟେ ପରାମର୍ଶ କରିବାକୁ ଚାହୁଁଛି । ଖୁବ୍‌ ଜରୁରୀ ।

 

: କେତେବେଳେ ?

 

: ଉପରଓଳି ଚାରିଟାରୁ ସାଢ଼େଚାରିଟା ଭିତରେ । ମୁଁ ସେଇ କୋଲ୍‌ଡ୍‍ ଡ୍ରିଙ୍କ୍‌ ଦୋକାନ ପାଖରେ ଆପଣଙ୍କୁ ଅପେକ୍ଷା କରିବି ।

 

: ନିଶ୍ଚୟ ଆସିବି ।

 

ଚାରୁଲତା ମୋତେ କୃତଜ୍ଞତା ଜଣେଇ ଫୋନ୍‌ ରଖିଦେଲା । ମୁଁ ବି । ଫୋନ୍‌ଟି ରଖିଦେଲା ପରେ ମୋ ମୁଣ୍ଡରେ ନାନାଆଡ଼ୁ ନାନା ଚିନ୍ତା ଆସି ବସା ବାନ୍ଧିଲା । ହଠାତ୍‌ ଚାରୁଲତାର ମୋ ସାଙ୍ଗେ କି ପରାମର୍ଶ ଦରକାର ପଡ଼ିଲା ? ପୁଣି ସେଇ ପରାମର୍ଶ ପାଇଁ ଏତେ ରାତିରେ ଲୁଚିଛପି ଫୋନ୍‌ କରିବା କାହିଁକି ଜରୁରୀ ହୋଇପଡ଼ିଲା ? କୌଣସି ଗ୍ରହଣଯୋଗ୍ୟ ଉତ୍ତର ହଠାତ୍‌ ମୋ ମୁଣ୍ଡକୁ ଆସୁ ନ ଥିଲା । କେବଳ ଏତିକି ଜାଣୁଥିଲି, ଚାରୁଲତା ନିଶ୍ଚୟ କିଛି ବଡ଼ ଧରଣର ଅସୁବିଧାରେ ପଡ଼ିଛି । ତାହା ନ ହୋଇଥିଲେ ସେ ନିଜକୁ ଏତେ ଅସହାୟ ମନେ କରନ୍ତା ନାହିଁ ।

 

ମୁଁ ପୁଣି ଥରେ ଶୋଇବାକୁ ଚେଷ୍ଟା କଲି । ମାତ୍ର ଅନେକ ସମୟ ପର୍ଯ୍ୟନ୍ତ ନିଦ ହେଲା ନାହିଁ । ବାରମ୍ବାର ଅନ୍ଧାର ଭିତରଟାରେ ଚାରୁଲତାର ମୁହଁ ମୋ ଆଖି ଆଗରେ ନାଚି ଉଠୁଥିଲା ଓ ମୁଁ ତାର ସ୍ୱର ମୋ କାନରେ ଶୁଣିପାରୁଥିଲି । ଚାରୁଲତାର ଠିକଣା ଜାଣିଥିଲେ ହୁଏତ ସେଇ ରାତିରେ ମୁଁ ତା ଘରକୁ ଧାଇଁ ଯାଇ ଥାଆନ୍ତି । ମାତ୍ର ତାହା ମୁଁ ଜାଣି ନ ଥିଲି । ମନକୁ ମନ କହିଲି, କାଲି ଉପର ଓଳି ତ ଦେଖାହେବ । ପଚାରି ସବୁକଥା ବୁଝିନେବି ।

 

ଚାରୁଲତା ସହ ଚାରିଟାବେଳେ ସାକ୍ଷାତ ହେବାର ସମୟ ଠିକ୍‌ ହୋଇଥିଲେ ବି ମୁଁ ତାର ଢେର୍‌ ଆଗରୁ ଯାଇ ତା ପାଇଁ ଅପେକ୍ଷା କରିଥିଲି । ଚାରୁଲତା ଠିକ୍‌ ଚାରିଟାରେ ଆସି ପହଞ୍ଚିଲା । ସେ ପିନ୍ଧିଥିଲା ଗୋଟେ ଚମ୍ପାରଙ୍ଗର ମଠାଶାଢ଼ି ଓ ନାଲି ରଙ୍ଗର ବ୍ଲାଉଜ୍‌ । ତା ଶାଢ଼ିର ସୁନାରଙ୍ଗର ଜରି ଉଜ୍ୱଳି ଉଠୁଥିଲା । ରିକ୍‌ସା ଉପରେ ଚାରୁଲତାର ବସିବା ଭଙ୍ଗୀ ମୋତେ ଦେବୀ ମଣ୍ଡପର ପ୍ରତିମାପ୍ରାୟ ଦିଶୁଥିଲା ।

 

ମୁଁ ପାଖେଇ ଯାଇ କହିଥିଲି, ‘ଏଠି ବେଶି ସମୟ ଗପସପ ହୋଇପାରିବା ନାହିଁ । ଚାଲ, ପାର୍କକୁ ଯିବା । ସେଠି କଥାବାର୍ତ୍ତା ହେବା ।’

 

ଚାରୁଲତା ମୋ ପ୍ରସ୍ତାବରେ ରାଜି ହେଲା ।

 

ଆମେ ପାର୍କକୁ ଆସିଲୁ । ଗୋଟାଏ କୋଣ ମୁଣ୍ଡକୁ ଆମେ ଆମର ଜାଗା ଭାବେ ବାଛିନେଲୁ । ସହରରେ ଅନେକ ହୋଟେଲ ଓ ରେସ୍ତୋରାଁ ଅଛି । କିନ୍ତୁ କୋଉଠି ଏତେ ଟିକେ ଗୋପନୀୟତା ନାହିଁ । ଚାରିଆଡ଼େ ମାଳ ମାଳ ଲୋକ, ହଳହଳ ଆଖି । ଗୋଟେ ପୁଅ ସାଙ୍ଗେ ଆଉ ଗୋଟେ ଝିଅ ଏକାନ୍ତରେ ବସିଥିବାର ଦୃଶ୍ୟଟି ଯେମିତି ପୃଥିବୀର ସବୁଠୁ ବିରଳତମ ଦୃଶ୍ୟ !

 

ମୁଁ ଚାରୁଲତାର ମୁହଁକୁ ନିରୀକ୍ଷଣ କଲି । ସେ ଖୁବ୍‌ ଉଦାସ ଦିଶୁଥିଲା । ତା ଆଖିରେ ରାତି ଅନିଦ୍ରାର ଚିହ୍ନ ବାରି ହୋଇପଡ଼ୁଥିଲା ।

 

: କୁହ ଚାରୁଲତା, ହଠାତ୍‌ କଣ ପରାମର୍ଶ ଦରକାର ପଡ଼ିଲା ?

 

ଚାରୁଲତା ଟିକିଏ ଆଗକୁ ଝୁଙ୍କି ଆସିଲା । ତା ନାକର ଗରମ ନିଃଶ୍ୱାସ ମୁଁ ଅନୁଭବ କରିପାରୁଥିଲି । ଅନୁଭବ କରିପାରୁଥିଲି ତା ଦେହର ମୃଦୁମୃଦୁ ବାସ୍ନା । କିନ୍ତୁ ତାର ଗମ୍ଭୀର ଚେହେରା ଉପରେ ଦୃଷ୍ଟି ପଡ଼ିଲାକ୍ଷଣି ମୁଁ ଏ ସବୁଥିରୁ ଓହରି ଆସୁଥିଲି ।

 

ଚାରୁଲତା ମୋ ସାଙ୍ଗରେ ପ୍ରାୟ ଦେଢ଼ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥିଲା । ଆଗରୁ ଦଶ ବର୍ଷ ତଳେ ସେ ଓ ମୁଁ ଜ୍ୟୋତିବିହାରରେ ପଢ଼ୁଥିବାବେଳେ ଆମ ଦିହିଙ୍କ ଭିତରେ ଯୋଉସବୁ ସାମୟିକ ଦେଖା-ସାକ୍ଷାତ ହେଉଥିଲା, ସେସବୁର ମୋଟ ସମୟ କାଳକୁ ମିଶେଇଲେ ହୁଏତ ଦେଢ଼ଘଣ୍ଟା ହେବ ନାହିଁ । ମାତ୍ର ସେତେବେଳେ ଚାରୁଲତାର ପରିଚୟ ମୋ ପାଖରେ ଅଲଗା ଥିଲା । ମୋ ଦୃଷ୍ଟିରେ ସବୁଠୁ ସୁନ୍ଦରୀ, ସବୁଠୁ ଗୁଣବତୀ ଓ ସବୁଠୁ ସୁଖୀ ଝିଅ ଥିଲା ଚାରୁଲତା ।

 

କିନ୍ତୁ ସତରେ କଣ ଚାରୁଲତା ସୁଖୀ ?

 

ଚାରୁଲତା ସାଙ୍ଗେ ତାର ଜୀବନ ଗୋଟେ ଭୟଙ୍କର ଓ ନିଷ୍ଠୁର ଖେଳ ଖେଳିଥିଲା । ଯାହାକୁ ସେ ଭଲପାଉଥିଲା, ଯାହାର ଛବିଟିକୁ ନିଭୃତରେ ଦେଖି ଗୋଟେ ସୁଖୀ ଓ ସୁନ୍ଦର ଘରକରଣାର କେତେ ସହସ୍ର ସ୍ୱପ୍ନ ଦେଖୁଥିଲା, ତାକୁ ସେ ପାଇଲା ନାହିଁ । ଅଥଚ ଯାହାକୁ ସେ ଜୀବନରେ କୌଣସି ଦିନ ଭଲପାଇପାରିବ ନାହିଁ, ଯାହାର ଶୀତଳ ଷଡ଼ଯନ୍ତ୍ର ତାର ସବୁ ସ୍ୱପ୍ନ ଓ ଇଚ୍ଛାକୁ ଭାଙ୍ଗିରୁଜି ଦେଇଛି, ତାଆରି ହାତଧରି ସେ ସଂସାର କରୁଛି । ବଞ୍ଚିଥିବାଯାଏ ହୁଏତ ସେଇଆ ହିଁ କରୁଥିବ ।

 

ଚାରୁଲତାର କଥା ଶୁଣିବା ପରଠାରୁ ମୋ ମୁଣ୍ଡ ଭିତରର ଶିରାପ୍ରଶିରା ସବୁ ଯେମିତି ଛିଣ୍ଡି ଛିଣ୍ଡି ଯାଉଛନ୍ତି । ଏକ ଭୟଙ୍କର ଉତ୍ତେଜନା ଓ ଆକ୍ରୋଶରେ ମୁଁ ମୋର ଭାରସାମ୍ୟ ହରେଇ ବସୁଛି ।

 

ସବୁଠୁ ସୁନ୍ଦରୀ ହେବାର ପୁରସ୍କାର ଶେଷରେ ଏହିଭଳି ଭାବେ ବିଧାତା ଦେଇଛି ଚାରୁଲତାକୁ !

 

ଚାରୁଲତା ମୋଠୁଁ ଗୋଟେ ସମାଧାନ ଚାହିଁଛି । ତା ସମସ୍ୟାର ସମାଧାନ । ତାର କଣ କରିବା ଉଚିତ–ସେଇ ପ୍ରଶ୍ନର ଉତ୍ତର । ସତ୍ୟ ମଙ୍ଗରାଜ ସାଙ୍ଗେ ଏହିଭଳି ରୁନ୍ଧିହୋଇ ଯାଉଥିବା ଜୀବନ ଜିଇଁ ଅବଶିଷ୍ଟ ବର୍ଷଗୁଡ଼ିକୁ ବିତେଇଦେବ ନା ଏଠୁ ପଳେଇ ଅନ୍ୟ କୋଉଠିକୁ ଚାଲିଯିବ ନା ଫେରିଯିବ ମନମୋହନ ପାଖକୁ ? ନା, ଏସବୁ ଦ୍ୱନ୍ଦ୍ୱକୁ ଏଇ ପୃଥିବୀରେ ଛାଡ଼ିଦେଇ ଆତ୍ମହତ୍ୟା କରିଦେବ ?

 

ମୋଠୁଁ ସମୟ ମାଗିନେଇଛି ଚାରୁଲତା । ରବିବାର ସନ୍ଧ୍ୟା ଭିତରେ ମୁଁ ତାକୁ ମୋର ଉତ୍ତର ଜଣେଇ ଦେବି ।

 

କିନ୍ତୁ ଚାରୁଲତା କାହିଁ ?

 

କେଉଁଠି ଏବେ ଚାରୁଲତା ?

 

: ମନମୋହନ ସାଙ୍ଗରେ ମୋର ବାହାଘର ଠିକ୍‌ ହୋଇଥିଲା ସତ, କିନ୍ତୁ ସେ ବାହାଘର ହୋଇ ପାରିଲା ନାହିଁ–ଚାରୁଲତା କହିଥିଲା ।

 

: ହୋଇପାରିଲା ନାହିଁ ମାନେ ?–ସାମ୍ନାରେ ସାପଟେ ଦେଖିବା ଭଳି ଚମକି ମୁଁ ଚାରୁଲତାକୁ ପଚାରିଥିଲି ।

 

: ବାହାଘର ତାରିଖରେ ଗାଁରେ ପହଞ୍ଚିବା ନେଇ ଯୋଉ ଟେଲିଗ୍ରାମ୍‌ଟା ତାଙ୍କ ପାଖକୁ ପଠେଇବା ପାଇଁ ସତ୍ୟ ଉପରେ ଦାୟିତ୍ୱ ଦିଆଯାଇଥିଲା, ସେ ସେହି ଟେଲିଗ୍ରାମ୍‌ଟା ଆଦୌ ପଠେଇ ନ ଥିଲା ।

 

ଚାରୁଲତାର କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ଗୋଟେ ନାରୀର ପ୍ରେମ ପାଇଁ ଅନେକ ଷଡ଼ଯନ୍ତ୍ରର କାହାଣୀ ମୁଁ ପଢ଼ିଥିଲି । କିନ୍ତୁ ଆମ ସମୟର ଗୋଟେ ଯୁବକ ବି ଏଭଳି ପ୍ରତାରଣା କରିବ, ସେଇ କଥାଟା ମୁଁ ଚିନ୍ତା କରି ପାରୁ ନ ଥିଲି ।

 

: ମନମୋହନ ସେତେବେଳକୁ ଥିଲେ ଆଜମୀରର କୋଉ ବାରାକ୍‌ରେ । ଆର୍ମି ଚାକିରି-। ଟେଲିଗ୍ରାମ ପହଞ୍ଚିଲା ନାହିଁ ଓ ସେ ଆସି ପାରିଲେ ନାହିଁ ।

 

: ସେଇଠୁ ? ମୁଁ ବ୍ୟସ୍ତ ହୋଇ ପଚାରିଥିଲି ।

 

: ଏଇ ସତ୍ୟ ତାଙ୍କର ସାନ ଭାଇ । ତାଙ୍କ ସଙ୍ଗରେ ଇଏ ବି ମୋତେ ଦେଖି ଯାଇଥିଲା ଆମ ଘରକୁ । ମଙ୍ଗୁଳା କନ୍ୟାର ଦାୟିତ୍ୱକୁ ଆମ ପରିବାରର ମୁଣ୍ଡରୁ ଓହ୍ଲାଇ ଦେବାପାଇଁ ସେଇ ଆସିଲା ବର ହୋଇ ଓ ତାଆରି ସାଙ୍ଗରେ ମୋତେ ଛନ୍ଦି ଦିଆଗଲା । ମୋତେ କେହି ପଦେ ପଚାରିଲେ ନାହିଁ । ମୋର ଇଚ୍ଛା ଅନିଚ୍ଛା କଥା ବୁଝିଲେ ନାହିଁ ।

 

ମୁଁ ନିରବ ରହିଥିଲି ।

 

ଚାରୁଲତା ମୋ ମୁହଁକୁ ସିଧା ଚାହିଁ ପଚାରିଥିଲା “ଆପଣ କହନ୍ତୁ, ଯୋଉ ଲୋକ ସାଙ୍ଗେ ମୋର ସମ୍ପର୍କର ଆରମ୍ଭ ପ୍ରତାରଣାରୁ, ସେଭଳି ଲୋକକୁ ମୁଁ ଜୀବନସାରା ଘୃଣା ସିନା କରି ପାରିବି, କୌଣସି ଦିନ ଭଲପାଇ ପାରିବି କି ? ଯେତେଥର ତାର ମୁହଁକୁ ଚାହୁଁଥିବି, ସେତିକିଥର ଗୋଟେ ଷଡ଼ଯନ୍ତ୍ରର ଚେହେରା ଭିନ୍ନ ଆଉ କଣ ଅଧିକ ମୁଁ ଦେଖୁଥିବି !”

 

: ବିଶ୍ୱାସ କରନ୍ତୁ, ଯେତେଥର ମୁଁ ଏଇ ଲୋକଟିକୁ ମନେ ମନେ କ୍ଷମା କରି ଦେବାକୁ ଚାହେଁ, ସେତେଥର ମୋ ବାହାଘର ପରର ରାତିଟି କଥା ମୋର ମନେପଡ଼େ । ଘୃଣା, ଅବିଶ୍ୱାସ ଓ ଦୁଃଖରେ ମୁଁ ଶିହରି ଉଠେ । ଏତେବଡ଼ ଗୋଟେ ଦୁର୍ଘଟଣା ଘଟିଗଲା, ଅଥଚ ମୋତେ କେହି ଜଣାଇଲେ ନାହିଁ ! ସତେକି ବର ଯିଏ ହେଲେ ବି କନ୍ୟାର ରାଜି ଅରାଜିର ପ୍ରଶ୍ନ ଉଠୁ ନାହିଁ ।

 

ମୁଁ ଚୁପ୍‌ଚାପ୍‌ ଶୁଣୁଥିଲି ।

 

ଯୋଉ ରାତି ଓ ଯୋଉ ସମୟ ମୋ ଜୀବନର ସବୁଠୁ ସ୍ମରଣୀୟ ତିଥି ଓ ତାରିଖ ହୋଇ ରହିବା କଥା, ସେଇ ସମୟ ମୋ ପାଇଁ ସବୁଠୁଁ ଦୁର୍ଭାଗ୍ୟର ସମୟ ହୋଇଗଲା । ମନମୋହନଙ୍କ ବଦଳରେ ଏଇ କୁତ୍ସିତ କଦାକାର ଓ ସ୍ୱାର୍ଥପର ଯୁବକଟିକୁ ଆବିଷ୍କାର କଲାକ୍ଷଣି ମୁଁ ଯୋଉ ମାନସିକ ଆଘାତ ପାଇଥିଲି, ଆପଣ ସେ ଆଘାତର କଷ୍ଟ ବୁଝି ପାରିବେ ନାହିଁ ।

 

ହୁଏତ ଚାରୁଲତା ଠିକ୍‌ କହିଥିଲା । ଗୋଟେ ପୁଅ କେବେ ବି ଗୋଟେ ଝିଅର ସମସ୍ୟାକୁ ଠିକ୍‌ ରୂପେ ବୁଝି ପାରିବ ନାହିଁ । କିଛି କିଛି ସମସ୍ୟା ଏତେ ଜଟିଳ ଓ ସ୍ୱତନ୍ତ୍ର ଯେ, କେବଳ ଭୋଗୁଥିବା ଲୋକ ହିଁ ତାହାକୁ ବୁଝିପାରେ ।

 

: ଘର ନାଁରେ ଗୋଟିଏ ଜଳନ୍ତା ଜଉଘରେ ମୁଁ ରହୁଛି । ବାରମ୍ବାର ନିର୍ଯାତିତା ହେଉଛି ଗୋଟିଏ ବିକୃତ ମାନସିକତାର ପଶୁ ଦ୍ୱାରା...

 

: କିନ୍ତୁ !

 

: କିନ୍ତୁ କଥା ଉଠାନ୍ତୁ ନାହିଁ । ହୁଏତ ମୋ ଘର ଲୋକମାନଙ୍କ ପରି ଆପଣ ବି ଭାବୁଛନ୍ତି, ସମୟ କ୍ରମେ ଆପେ ସବୁ ଠିକ୍‌ ହୋଇଯାଏ । ସବୁ ଅସହଜ କଥା ସହଜ ହୋଇଯାଏ । କିନ୍ତୁ ସତ୍ୟର ପାଖାପାଖି ଥିବା ପର୍ଯ୍ୟନ୍ତ ମୁଁ ସେସବୁ ଭୁଲିପାରିବି ନାହିଁ । ତାକୁ ଦେଖିଲାକ୍ଷଣି ତାର ଷଡ଼ଯନ୍ତ୍ର ମୋର ମନେ ପଡ଼ିଯାଏ । ତାର ସେ କୁତ୍ସିତ ଚେହେରା ମୋ ସାମ୍ନାରେ ପୁଣି ସବୁକଥାକୁ ଆଉ ଥରେ ମନେ ପକେଇ ଦିଏ ।

 

ମୁଁ ଚାରୁଲତାର କଥା ବୁଝୁଥିଲି । କିନ୍ତୁ ତାକୁ ସହାନୁଭୂତି ଜଣେଇବା ଲାଗି ପାଟି ଫିଟେଇ ପାରୁ ନ ଥିଲି । ଏମିତି ବିଚିତ୍ର ପରିସ୍ଥିତି ମୁଁ ଆଗରୁ ଆଦୌ କେବେ ସାମ୍ନା କରି ନ ଥିଲି । ସମୁଦାୟ ଘଟଣାଟି ଏତେ ଜଟିଳ ଯେ ତା ଭିତରୁ ଚାରୁଲତା ପାଇଁ ମୁକ୍ତିର ବାଟ ମୁଁ ଖୋଜି ପାଉ ନ ଥିଲି ।

 

ଚାରୁଲତା ଆଖିରେ ଲୁହ ଦି ଟୋପା ଟଳଟଳ ହେଉଥିଲା । ମୋର ମନେ ହେଉଥିଲା, ସେ ଲୁହ ଦି ଟୋପା ପଛରେ ଟଳମଳ ହେଉଛି ଦିଇଟି ସମୁଦ୍ର ।

 

: ବାହାଘରର କେତେଦିନ ପରେ ମନମୋହନ ଆସିଲେ । ମୋତେ ତାଙ୍କ ସାନ ଭାଇର ସ୍ତ୍ରୀ ଭାବେ ଦେଖି ସେ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । କିନ୍ତୁ ଯେତେବେଳେ ସେ ସବୁକଥା ଜାଣିପାରିଲେ, ଏକମୁହାଁ ସେ ଘରୁ ବାହାରି ଚାଲିଗଲେ । ତାପରଠୁଁ ସେ ଘର ସହ କୌଣସି ସମ୍ପର୍କ ରଖି ନାହାନ୍ତି ।

 

ମୁଁ ଦୀର୍ଘଶ୍ୱାସ ନେଇଥିଲି ।

 

ପାର୍କର ଲୋକ-ଭିଡ଼ ପତଳା ହୋଇ ଆସିଥିଲା । ଚାରୁଲତା ଲନ୍‌ରୁ ଉଠୁ ଉଠୁ କହିଥିଲା, “ଗୋଟେ ସଂକାର୍ଣ୍ଣମନା ମଣିଷ ସାଙ୍ଗେ ଆଠ ବର୍ଷ ହେଲା ସଂସାର କରିବାର ଯନ୍ତ୍ରଣା ଆପଣ ବୁଝିପାରିବେ ନାହିଁ । ପ୍ରତି ମୁହୂର୍ତ୍ତରେ ମୁଁ ଜଳୁଛି । ମୋ ଭିତରୁ ବଞ୍ଚିବାର ଆଗ୍ରହ ସରି ସରି ଆସୁଛି । ମୁଁ ଜାଣେ ଏ ଲୋକଟାକୁ କୌଣସି ଦିନ ମୁଁ ଭଲପାଇ ପାରିବି ନାହିଁ । କୌଣସି ଦିନ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରି ପାରିବି ନାହିଁ । ମୁଁ ତାହାହେଲେ କରିବି କଣ ? କୁଆଡ଼େ ଯିବି ?”

 

କୁଆଡ଼େ ଯିବ ଚାରୁଲତା ସତରେ ! ଆଠ ବର୍ଷ ଧରି ଗୋଟେ ପୁରୁଷର ସ୍ତ୍ରୀ ଭାବେ ପରିଚିତା ଏ ସମାଜର ନାରୀଟିଏ କୁଆଡ଼େ ବା ଯାଇ ପାରିବ ? ମୋ ପାଖେ ଏ ପ୍ରଶ୍ନର କୌଣସି ଉତ୍ତର ନ ଥିଲା । ମୁଁ କେବଳ ମୁଣ୍ଡ ତଳକୁ ଓହଳେଇ ଛିଡ଼ା ହୋଇଥିଲି ।

 

ଚାରୁଲତା କହିଥିଲା, ‘ଆପଣ ସବୁଦିନେ ଚୁପ୍‌ଚାପ୍‌ । ମୁଁ କିନ୍ତୁ ଜାଣେ ଆପଣ ମୋତେ ମୋ ପ୍ରଶ୍ନର ଉତ୍ତର ଦେବେ । ମୋତେ ନିଶ୍ଚୟ ସାହାଯ୍ୟ କରିବେ । ମୁଁ ଆଉ ପାରୁନାହିଁ ।’

 

ତାର ଏଇ ଶେଷପଦ କଥାଗୁଡ଼ିକ ଶୁଭୁଥିଲା ଭୟଙ୍କର ଭାବେ କରୁଣ । ମୁଁ ନିଜର ଆବେଗ ଉପରେ ନିୟନ୍ତ୍ରଣ ହରେଇ ବସୁଥିଲି ।

 

ତାପରେ ଚାରୁଲତା ଧୀର ପାଦରେ ମୋ ପାଖରୁ ଚାଲିଯାଇଥିଲା । ସେଦିନ ରାତିରେ ମୁଁ ବିଛଣାରେ ପଡ଼ିରହି ଅନେକ ସମୟ ପର୍ଯ୍ୟନ୍ତ ତା କଥା ଭାବିଥିଲି ।

 

କିନ୍ତୁ ଚାରୁଲତା ସାଙ୍ଗେ ଏଭଳି ଦୁର୍ଘଟଣା ଘଟିଲା କାହିଁକି–ଏ ପ୍ରଶ୍ନର ଉତ୍ତର ମୋ ପାଖେ ନ ଥିଲା । ମୋ ପାଖେ ତା ସମସ୍ୟା ସମାଧାନର କୌଣସି ସ୍ଥିର ଜବାବ ମଧ୍ୟ ନ ଥିଲା । ଇଚ୍ଛା ହେଉଥିଲା କହିବି, ତମେ ଏଠୁ ଉଡ଼ି ପଳେଇଯାଅ ଚାରୁଲତା । ନିଜ ପାଦରେ ନିଜେ ଛିଡ଼ାହୁଅ । ନିଜ ଡେଣାରେ ନିଜେ ଉଡ଼ି ଶିଖ । ଏ ପାପ–ପୁଣ୍ୟ, ନ୍ୟାୟ–ଅନ୍ୟାୟ ଏସବୁ ଗୋଟେ ଗୋଟେ ଅଦ୍ଭୁତ ଶବ୍ଦ, ଏସବୁକୁ ଅତିକ୍ରମ କରିଯାଅ । ଏ ଜୀବନ ତୁମର, ତମ ଇଚ୍ଛାରେ ବଞ୍ଚି ଶିଖ । ନିଜକୁ ଅଙ୍ଗାର ପରି ଏମିତି ଜାଳିଦିଅ ନାହିଁ । କିନ୍ତୁ କହିପାରି ନ ଥିଲି ।

 

ଆଜି ଯେତେବେଳେ ଏଇକଥା କହିବା ପାଇଁ ଚାହୁଁଛି, ଚାରୁଲତା ଆଉ ଏ ସହରରେ ନାହିଁ । ତାର ଖବର ତା ସ୍ୱାମୀ ନାମକ ସେଇ ସତ୍ୟ ମଙ୍ଗରାଜ ଜାଣେ ନାହିଁ କି ତା ଅଫିସ୍‌ର କେହି ଷ୍ଟାଫ୍‌ କି ସହରର ପୁଲିସ କେହି ଜାଣନ୍ତି ନାହିଁ ।

 

କୁଆଡ଼େ ଗଲା ଚାରୁଲତା ? କୁଆଡ଼େ ଯାଇ ପାରେ ତା ପରି ଗୋଟେ ଝିଅ ?

 

ସେ କଣ ଶେଷରେ ଉଡ଼ି ଶିଖି ପାରିଲା ନା ଉଡ଼ିବା ଆଗରୁ କେହି ତାର ଡେଣା ଯୋଡ଼ିକକୁ ସବୁଦିନ ପାଇଁ କାଟିଦେଲା !

☆☆☆

 

ନିଜ ସହ ଲୁଚକାଳି

 

ଏମିତି ଅସମୟରେ ନିଦ ଭାଙ୍ଗିଯାଏ ଲୀନାର । ତାର ମନେହୁଏ କେହି ଜଣେ ଆସି ଘରର ଦରଜାରେ କରାଘାତ କରୁଚି । ତାର ଛାତି ଧଡ଼ପଡ଼ ହୁଏ । ଗୋଟେ ଅପ୍ରକାଶ୍ୟ ଆଶଙ୍କାରେ ଦେହରୁ ଝାଳ ବୋହିଯାଏ । ସେ କନକନ ହୋଇ ଆଗପଛ ଖୋଜି ହୁଏ । ଆଖପାଖରେ କୋଉଠି ଜନ୍‌ ନାହିଁ ତ ? ନା, ନାହିଁ । ଜନ୍‌ ତାର ଲାବରେଟରୀରୁ ଫେରିନାହିଁ । ତାର ଫେରିବାରେ ସବୁଦିନେ ଡେରି ହୁଏ । ଦିନେ ଦିନେ ଜନ୍‌ କେତେବେଳେ ଫେରେ ଲୀନା ଜାଣିପାରେ ନାହିଁ । ଜନ୍‌ ତାର ରାତିରେ ଫେରି ଶୋଇଥାଏ ଓ ସକାଳୁ ଲୀନା ଉଠିବା ପୂର୍ବରୁ ପୁଣି ତା ଗାଡ଼ି ନେଇ ବାହାରି ଯାଇଥାଏ । ଶନିବାର ରବିବାରରେ ସୁଦ୍ଧା ଜନ୍‌ ଘରେ ରହେ ନାହିଁ । ଲାବରେଟରୀରେ ଗବେଷଣା ପାଇଁ ତାକୁ ନିରବଚ୍ଛିନ୍ନ ଭାବେ ବେଳେ ବେଳେ ଶହେ ଘଣ୍ଟା, ଦିଇଶହ ଘଣ୍ଟା ବସିରହି ନିରୀକ୍ଷଣ କରିବାକୁ ହୁଏ । ତା ଭିତରେ ଉଇକ୍‌ ଏଣ୍ଡ କି ଛୁଟିଦିନ ଆସି ଚାଲିଗଲେ ବି ଜନ୍‌ ଲାବରେଟରୀରୁ ବାହାରିପାରେ ନାହିଁ ।

 

ଲୀନା ମଧ୍ୟ କାମ କରେ । ସେ କାମ କରେ ଗୋଟେ ମଲ୍‌ରେ । ସେଲ୍‌ସ ଗାର୍ଲ । ତାଙ୍କ ମଲ୍‌ରେ ମଣିଷର ହୃଦୟକୁ ଛାଡ଼ି ଆଉ ସବୁକିଛି ମିଳେ । ସବୁ । ସମୁଦାୟ ମଲ୍‌ଟା ନିଜେ ମଧ୍ୟ ଲୀନା କୌଣସି ଦିନ ବୁଲି ଦେଖିନାହିଁ । ପାଞ୍ଚମହଲା ବିରାଟ ଦୋକାନ । ଦୋକାନ ନୁହେଁ ତ ଗୋଟେ ମାର୍କେଟ୍‌ କହିଲେ ଭୁଲ୍‌ ହେବ ନାହିଁ । ଲୀନା ଏଇ ‘ମଲ୍‌’ରେ କାମ କରେ ଓ ସପ୍ତାହକୁ ପଚାଶ ଘଣ୍ଟା ତା ଡ୍ୟୁଟି-ଆୱାର । ଶୁକ୍ରବାର ସଞ୍ଜବେଳୁ ପୁଣି ସୋମବାର ସକାଳ ପର୍ଯ୍ୟନ୍ତ ତାର ଛୁଟି । ସେଇତକ ସମୟ ସମ୍ପୂର୍ଣ୍ଣ ଭାବେ ତା ନିଜର ସମୟ । ସେଇ ସମୟ ଭିତରେ ସେ ଦୂର ଜାଗାକୁ ବୁଲିଯାଏ, ବଗିଚାରେ ପାଣିଦିଏ, ଲନ୍‌ରେ ଘାସ କାଟେ, କେବେ କେବେ ମନ ହେଲେ ଲଂଗ୍‌ ଡ୍ରାଇଭ୍‌ରେ ଚାଲିଯାଏ ସମୁଦ୍ର କୂଳକୁ ।

 

ଜନ୍‌ର କିନ୍ତୁ ସେତିକି ଅବସର ନ ଥାଏ ।

 

ଲୀନା ଆପତ୍ତି କରେ ନାହିଁ । ଅଭିମାନ ସୁଦ୍ଧା କରେ ନାହିଁ । ଆଗେ ସେ ଜନ୍‌ର ଏହି ଦୀର୍ଘ ଅନୁପସ୍ଥିତିକୁ ଅବହେଳା ବୋଲି ଭାବୁଥିଲା । ମାତ୍ର ଏବେ ବୁଝିଛି, ଜନ୍‌ ଜାଣି ଜାଣି ଅବହେଳା କରୁ ନାହିଁ । ତେଣୁ ତା ଉପରେ ମାନ ଅଭିମାନ ଯାହା କଲେ ବି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆସିବାର ଆଶା ନାହିଁ ।

 

ପ୍ରାଚୁର୍ଯ୍ୟ ଓ ସମ୍ଭୋଗର ଦେଶ ଆମେରିକା । ଏଠି ସବୁକିଛି ମିଳେ କେବଳ ହୃଦୟକୁ ଛାଡ଼ି । ଲୀନାର ଭାରତୀୟ ମନ ଆମେରିକାର ପ୍ରାଚୁର୍ଯ୍ୟ ଦେଖି ବିରକ୍ତ ହୋଇଯାଏ । ଏହିସବୁ ଧନସମ୍ପଦର ପ୍ରଦର୍ଶନୀ ତାକୁ ଲାଗେ ଅଶ୍ଳୀଳ ବିଜ୍ଞାପନ । ଏଠି ସବୁକିଛି ପଣ୍ୟ, ସବୁକିଛି ଡଲାର୍‌ ବିନିମୟରେ ଉପଲବ୍‌ଧ ।

 

ସେତିକିବେଳେ ତାର ଦିଲ୍ଲୀର ଜୀବନ ମନେପଡ଼େ । ମନେପଡ଼େ ପଶ୍ଚିମବଙ୍ଗର ବୋଲପୁର ଷ୍ଟେସନ୍‌ ପାଖ ତା ନିଜ ଗାଁର କଥା । ଥରେ ସେ ଶାନ୍ତିନିକେତନ ଯାଇଥିଲା, ହୋଲିଦିନ । ଯୁବତୀ ଝିଅମାନେ ନାଲିଧଡ଼ିପକା ଧଳା ଶାଢ଼ି ଏବଂ ନାଲି ବ୍ଲାଉଜ ପିନ୍ଧିଥିଲେ ଓ ପୁଅମାନେ ଧଳା ପଞ୍ଜାବି ଚୁଡ଼ିଦାର ପିନ୍ଧି ମୁଣ୍ଡରେ ନାରଙ୍ଗୀ ରଙ୍ଗର ଉତ୍ତରୀୟ ଭିଡ଼ିଥିଲେ । ପଳାଶ ଫୁଲ ମାଳ ସବୁ ସେଇ ଯୁବତୀମାନଙ୍କ ଗଭା ଚାରିପଟେ ଗୁଡ଼ା ହୋଇଥିଲା । ମୁହଁରେ ଚିତ୍ରିତ ହୋଲି, ଆଖିରେ ଚଇତାଳିର ସମ୍ମୋହନ, ପାଦରେ ଫଗୁଣର ଅଥୟ ମୁଦ୍ରା । ଲୀନାକୁ ଖୁବ୍‌ ଭଲ ଲାଗିଥିଲା ସେ ଦୃଶ୍ୟ । ପୁଅମାନଙ୍କର ମୁହଁକୁ ଚାହିଁ, ସେମାନଙ୍କ ଓଠ ଆଉ ଆଖିରେ ଝଲମଲ କରୁଥିବା ଇସାରାର ଅର୍ଥ ବୁଝି ସେ ଲାଜେଇ ଯାଇଥିଲା ।

 

କିନ୍ତୁ ଜନ୍‌କୁ ବାହାହେବାର ନିଷ୍ପତ୍ତିଟା ଥିଲା ତା ନିଜର । ଭାରତୀୟ ସ୍ୱାମୀଟିକୁ ବାହାହୋଇ ସକାଳଠୁଁ ସଞ୍ଜ ପୁଣି ସଞ୍ଜଠୁଁ ସକାଳ ପର୍ଯ୍ୟନ୍ତ ଗୋଟେ ଗୃହପାଳିତ ପଶୁ ପରି ଘର ଭିତରେ ଏପଟ ସେପଟ ହେବାଟାକୁ ସେ ଅତ୍ୟାଚାର ବୋଲି ଧରି ନେଇଥିଲା । ଯୋଉ ସମ୍ପର୍କ ଦାମ୍ପତ୍ୟ ନାଆଁରେ ପତ୍ନୀ ଉପରେ ଦାସତ୍ୱକୁ ଲଦିଦିଏ, ସେଇଟା ଗୋଟେ ସୁସ୍ଥ ସମ୍ପର୍କ ହୋଇ ନ ପାରେ । ମଣିଷର ଜୀବନ ଏମିତି ଭାତ-ରୁଟି, ଶାଢ଼ି-ଗହଣା ଓ ବାହାଘର-ବ୍ରତଘର ପରି ସାମାଜିକ ଉତ୍ସବ କେତୋଟି ଭିତରେ ସୀମାବଦ୍ଧ ହୋଇପଡ଼ିବ, ଲୀନା ସେକଥାକୁ ଗ୍ରହଣ କରିପାରେ ନାହିଁ ।

 

ସେ ଆକାଶରେ ଉଡ଼ିଯାଉଥିବା ଚଢ଼େଇକୁ ଦେଖେ । ଫୁଲରୁ ଫୁଲକୁ ଛୁଇଁ ଯାଉଥିବା ପ୍ରଜାପତିକୁ ବି ଦେଖେ । ଦେଖେ ଜଳଧାର ସାଙ୍ଗରେ ସୂର୍ଯ୍ୟକିରଣ ପଥରଖଣ୍ଡ ଉପରେ ପଡ଼ି ତଳକୁ ଧାଇଁ ଧାଇଁଯିବାର ଦୃଶ୍ୟ । ତାକୁ ସେଇ ଗତିଶୀଳତା ଭଲ ଲାଗେ । ସିଏ ଯୋଉଠି ମନ ସେଇଠି ଯାଇ ପହଞ୍ଚିପାରନ୍ତା, ଯୋଉଠି ଇଚ୍ଛା ବସି ପାରନ୍ତା, ଖେଳି ପାରନ୍ତା, ନାଚି ପାରନ୍ତା, ଗାଇ ପାରନ୍ତା ।

 

ଜନ୍‌ ସାଙ୍ଗରେ ଦେଖା ହୋଇଥିଲା ଦିଲ୍ଲୀର ଗୋଟେ ପେଣ୍ଟିଂ ପ୍ରଦର୍ଶନୀରେ । ପ୍ରଦର୍ଶନୀଟି ସେଠି ଚାଲିଥିଲା ସାତଦିନ ଧରି ଓ ସେଇ ସାତଦିନ ଯାକ ଉଭୟ ଲୀନା ଆଉ ଜନ୍‌ ସେଠିକି ଯାଇଥିଲେ । କଥାବାର୍ତ୍ତାରୁ ତାଙ୍କ ସମ୍ପର୍କ ପ୍ରେମ ଯାଏ ଗଲା ଓ ତାପରେ ଜନ୍‌ ଯେତେବେଳେ ତା ଆଡ଼ୁ ଲୀନାକୁ ବାହାହେବ ବୋଲି ପ୍ରସ୍ତାବ ଦେଲା, ସେତେବେଳେ ଲୀନା ନାହିଁ କରିପାରିଲା ନାହିଁ । ଜନ୍‌ ଆମେରିକା ଫେରିଆସିଲା, ସାଙ୍ଗରେ ଲୀନା ବି । ଏବେ ଉଭୟ ଏ ଦେଶର ନାଗରିକ ।

 

ଜନ୍‌ର ଜେଜେବାପା ୧୯୧୪ ଇଂଲଣ୍ଡ ଆମେରିକା ଯୁଦ୍ଧ ବେଳେ ମରିଯାଇଥିଲେ । ତାର ବାପା ଥିଲେ ଗୋଟେ ବୋଟ୍‌ କମ୍ପାନିର ସୁପରଭାଇଜର । ଜନ୍‌ର ଜନ୍ମ ପରେ ତାର ମମି ତା ଡାଡ଼ିକୁ ଛାଡ଼ପତ୍ର ଦେଇ ଚାଲିଗଲା । ମମି କଥା ମନେପଡ଼ିଲେ ଜନ୍‌ ରାଗିଯାଏ । ସେ ପ୍ରସଙ୍ଗ ବଦଳେଇ ତା ଜେଜେର କଥା କହେ । କେମିତି ଶତ୍ରୁମାନଙ୍କ କ୍ୟାମ୍ପ୍‌ରୁ ଖବର ନେଇ ସାହସର ସହିତ ପଳେଇ ଆସିଥିଲେ ତାର ଜେଜେ । ଡଷ୍ଟବିନ୍‌ରୁ ସାଉଁଟି ସାଉଁଟି ଅଇଁଠା ଖାଇ ବଞ୍ଚିଥିଲେ ପନ୍ଦରଦିନ କାଳ । ଆଉ ଅଳ୍ପବାଟ ଥିଲା ନିଜ ଦେଶର ସୈନ୍ୟଛାଉଣି, ପଛପଟୁ ଗୁଳି ବାଜିଲା । ପିଠିରୁ ଛାତିଯାଏ କଣା କରି ବାହାରିଗଲା ସେ ଗୁଳି । ତା ଜେଜେ ବରଫର ପାହାଡ଼ ଉପରେ ପଡ଼ି ମରିଗଲେ । ରକ୍ତରେ ଲେଖି ହୋଇଗଲା ଦେଶପ୍ରେମ ଓ ସାହସର ନୂଆ ଅଧ୍ୟାୟ । ଜନ୍‌ ଏକଥା କହିଲାବେଳେ ଭାବପ୍ରବଣ ହୋଇଯାଏ ।

 

ସେଦିନ ଜନ୍‌ ତା’ଆଡ଼ୁ ଲୀନାକୁ ମନା କରିଥିଲା, ତୁମେ କିଛି କରିବା ଦରକାର ନାହିଁ । କେବଳ ଘରେ ରୁହ । ମାତ୍ର ଆମେରିକାରେ ପହଞ୍ଚିବା ପରେ ଲୀନା ଆଉ ପୂର୍ବର ଭାରତୀୟ ହୋଇ ରହିବାକୁ ଚାହିଁ ନ ଥିଲା । ବନ୍ଦ ଘରଟା ଭିତରେ ବେଶଭୂଷା ହୋଇ ସ୍ୱାମୀର ଫେରିବା ରାସ୍ତାକୁ ଚାହିଁ ବସିବ ନାହିଁ ବୋଲି ତ ସେ ଜନ୍‌କୁ ବାହା ହେଲା; ନ ହେଲେ କଲିକତା କି ଦିଲ୍ଲୀରେ ତା ପାଇଁ ବର ଅଭାବ ନ ଥିଲେ । ସେ ଶାଢ଼ି ବଦଳେଇ ଜିନ୍‌ସ ପିନ୍ଧିଲା, ନିଜ ହାତରେ ବେଣୀ କାଟି ବବ୍‌ ବନେଇଲା, ଗହଣାଗାଣ୍ଠି ସବୁ ଓହ୍ଲେଇ ପକେଇଲା । ନିଜେ ଗାଡ଼ି ଚଳେଇଲା । ଘୋଡ଼ା ଚଢ଼ିଲା ଓ ସ୍କେଟିଂ କଲା । ଏତେ କମ୍‌ ଦିନ ଭିତରେ ସେ ଆମେରିକାର ନାଗରିକ ହୋଇଗଲା ଯେ ତାର ରୂପାନ୍ତର ଦେଖି ଜନ୍‌ ଆଶ୍ଚର୍ଯ୍ୟ ହୋଇ ମନ୍ତବ୍ୟ ଦେଇଥିଲା, “ଯାହା ମୁଁ ଦେଖୁଛି, ଭାରତୀୟମାନେ ଖୁବ୍‌ ଶୀଘ୍ର ତାଙ୍କର ଆଚାର-ବିଚାର ବଦଳେଇ ଦେଇପାରନ୍ତି ।”

 

: ଉଁ ହୁଁ, ଆଚାରକୁ କେବଳ, ବିଚାରକୁ ନୁହେଁ । ଅପମାନିତ ବୋଧ କରି ଲୀନା ମନ୍ତବ୍ୟ ଦେଇଥିଲା ।

 

ସିଏ କିନ୍ତୁ ଅନେକ ଦିନ ତଳର କଥା । ସେଦିନ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଏଭଳି ମୃଦୁ କଳହ ପାଇଁ ଅବସର ଥଲା, ଅବକାଶ ଥିଲା ।

 

ନୂଆ ନୂଆ ଆମେରିକାକୁ ଆସିଥିବା ଲୀନା ଏ ଦେଶର ପ୍ରାଚୁର୍ଯ୍ୟ ଓ ଉଲଂଘ ସ୍ୱାଧୀନତାର ରୂପରଙ୍ଗ ଦେଖି ପାଗଳୀ ହୋଇଯାଇଥିଲା । ସିଏ ଇଚ୍ଛା କରୁଥିଲା, ଇଣ୍ଡିଆରେ ରହୁଥିବା ତାର ସାଙ୍ଗସାଥୀ ଆସି ଥରକ ପାଇଁ ତାର ସୁଖକୁ ଦେଖି ଯାଆନ୍ତେ ! ଈର୍ଷାରେ ଜଳିପୋଡ଼ି ଯାଆନ୍ତେ ତାର ସୁଖ ଓ ସମ୍ପଦ ଦେଖି । ଲୀନା ନିଜ ମନେ ମନେ ଭାରତକୁ, ତାର ରକ୍ଷଣଶୀଳ ବିଚାର ଓ ସଂସ୍କାରକୁ ଘୃଣା କରୁଥିଲା ଓ ଆମେରିକାକୁ ଭଲପାଇ ବସୁଥିଲା । ଆମେରିକାର ସିନେମା, ସଙ୍ଗୀତ, ତାର ବର୍ଗର, ପିଜା, କେକ୍‌, କୋକ୍‌, କଫି, ଟଫି, କ୍ୟାଣ୍ଡି, ଆଇସ୍‌କ୍ରିମ୍‌, ତାର ଜାଜ୍‌, କନ୍‌ସର୍ଟ, ତାର ମଲ୍‌ ଓ ଡାଉନ୍‌ଟାଉନ୍‌ ସବୁ ତାକୁ ଭଲ ଲାଗିଥିଲା । ଦିନରାତି ସବୁବେଳେ ସେ ସ୍ୱାଧୀନ ଚଢ଼େଇ ପରି ଉଡ଼ି ବୁଲିବାକୁ ଚାହୁଁଥିଲା ଓ ଯେତେ ଯାହା ମନ କିଣିଆଣି ଘରକୁ ଗୋଟେ ମ୍ୟୁଜିୟମ୍‌ରେ ପରିଣତ କରିଦେଇଥିଲା ।

 

ଟେଲିଫୋନ୍‌ ବାଜି ଉଠିଲା । ଲୀନା ଫୋନ୍‌ ଉଠାଇଲା ନାହିଁ । ତିନିଥର ରିଙ୍ଗ୍‌ ହେଲାପରେ ଆପେ ଆପେ ମେସେଜ୍‌ ସବୁ ଆନସାରିଂ ମେସିନ୍‌ରେ ରେକର୍ଡ଼ିଂ ହେବାକୁ ଆରମ୍ଭ କରିଥିଲା । ଲୀନା ଡରିଗଲା । ସତକୁ ସତ ଯଦି ଏଇ ଫୋନ୍‌ଟି ଜନ୍‌ ପାଖକୁ ଆସିଥାଏ ତାହାହେଲେ ମୁସ୍କିଲ ହୋଇଯିବ । ଜନ୍‌ ଯେତେ ଡେରିରେ ଫେରିଲେ ବି ଆଗେ ଆସି ଫୋନ୍‌ ପାଖରେ ବସେ । ଆନସାରିଂ ମେସିନ୍‌ରେ ରେକର୍ଡ଼ିଂ ହୋଇଥିବା କଲ୍‌ଗୁଡ଼ିକୁ ପ୍ରଥମେ ଶୁଣେ ଓ ନମ୍ବର ଟିପି ରଖେ । ପ୍ରୟୋଜନ ମଣିଲେ ରିଟର୍ଣ୍ଣ କଲ୍‌ କରେ । ଲୀନା ତରବରରେ ଯାଇ ରେକର୍ଡ଼ିଂ ମେସିନ୍‌ର ବଟନ୍‌ ଚିପି ବନ୍ଦ କରିଦେଲା ।

 

କିନ୍ତୁ ଫୋନ୍‌ ପାଖରୁ ଫେରି ଆସିବା ପରେ ସେ ପୁଣି ଚିନ୍ତିତ ହୋଇପଡ଼ିଲା । ଫୋନ୍‌ଟି ଯଦି ଅନ୍ୟ କେହି କରୁଥାଏ ଓ ଜନ୍‌କୁ କିଛି ଜରୁରୀ କାମରେ ଖୋଜୁଥାଏ, ତାହାହେଲେ ? ଲୀନାକୁ ଫୋନ୍‌ ରିସିଭ୍‌ କରିବାର କଷ୍ଟ କରିବାକୁ ପଡ଼ିବ ନାହିଁ ବୋଲି ତ ଜନ୍‌ ରେକର୍ଡ଼ିଂ ଓ ଆନସାରିଂ ମେସିନ୍‌ ରଖିଛି । ଜନ୍‌ ତାର ଏହି ଦୁଷ୍ଟାମିର ଭୁଲ୍‌ ଅର୍ଥ ବାହାର କରିବ ନାହିଁ ତ !

 

ମାତ୍ର ସେତେବେଳକୁ ଭୁଲ୍‌ ସଂଶୋଧନର ସମୟ ଉତ୍ତୀର୍ଣ୍ଣ ହୋଇଯାଇଥିଲା ।

 

ଲୀନା ଫେରିଆସି ଟେଲିଭିଜନ୍‌ ସାମ୍ନାରେ ବସିଗଲା । ଟେଲିଭିଜନ୍‌ରେ ଗୋଟାଏ ଲୋକପ୍ରିୟ ସିରିଏଲ୍‌ ଚାଲିଥିଲା । ଗୁଡ଼ିଏ ପୁରୁଷ-ସ୍ତ୍ରୀ କାରଣ ନ ଥାଇ ହୋ-ହୋ ହସୁଥିଲେ ।

 

ସମୟ କେତେ କେତେ କଥା ସବୁ ବଦଳେଇ ନ ଦିଏ !

 

ଲୀନା ଭାବୁଥିଲା । ଦିନେ ଯୋଉ ଆମେରିକାର ପ୍ରାଚୁର୍ଯ୍ୟ, ତାର ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାଧୀନ ଜୀବନ ତାକୁ ସ୍ୱର୍ଗସୁଖ ପରି ମନେ ହେଉଥିଲା ଆଜି ସେଇସବୁ ତାକୁ ସବୁଠୁ ବିରକ୍ତିକର ଲାଗୁଛି । ଜନ୍‌ ସାଙ୍ଗରେ ସପ୍ତାହ ସପ୍ତାହ ଧରି ଦେଖା ହେଉ ନାହିଁ । ଭଲକରି କାହାସାଙ୍ଗେ ପଦେ କଥା ହେବାର ଅବକାଶ ମିଳୁ ନାହିଁ । କେହି ଆସୁ ନାହିଁ କି ଯାଉ ନାହିଁ । ଏ ଦେଶରେ ତ କୁଣିଆଁ ମଇତ୍ର ବ୍ୟବସ୍ଥା ନାହିଁ । ଜୀବନ ତାହାହେଲେ କଣ ଏଇ କାର୍ଡ଼ିଲାକ କାର୍‌, ମାଇକ୍ରୋଓଭନ୍‌, ଫ୍ରିଜ୍‌, କିଚେନ୍‌, ସୌଖୀନ ଆସବାବପତ୍ର ଓ ଏୟାରକଣ୍ଡିସନ୍‌ଡ଼ ବଙ୍ଗଳା ? ଏମିତି ଗୋଟେ ଯାନ୍ତ୍ରିକ ଜୀବନ କଣ ଚାହିଁଥିଲା ଲୀନା ? ଏଇଥିପାଇଁ କଣ ସେ ଭାରତକୁ ପିଠି କରି ଉଡ଼ି ପଳେଇ ଆସିଥିଲା ଆମେରିକା ମହାସାଗର ପାରି ହୋଇ ?

 

ଫୋନ୍‌ଟି ଆଉ ଥରେ ବାଜି ଉଠିଲା । ଲୀନା ରିସିଭର ଉଠେଇଲା । ଧୀରେ ସ୍ୱରରେ ଉତ୍ତର ଦେଲା–‘ହେଲୋ’ ।

 

: ହାୟ, ହନି...

 

ସେପଟରୁ ଜନ୍‌ ଫୋନ୍‌ କରୁଥିଲା ।

 

ଲୀନା ଟିକେ ଆଶ୍ଚର୍ଯ୍ୟ ହେଲା, ଖୁସି ବି । ଜନ୍‌ ଆଜି କେମିତି ତାକୁ ଫୋନ୍‌ କରିବାକୁ ସମୟ ପାଇଲା !

 

ସେ ବି ମିଠାସ୍ୱରରେ ଉତ୍ତର ଦେଲା, ‘ହାୟ’ ।

 

ଜନ୍‌ କହୁଥିଲା, ସେ ଗୋଟେ କନ୍‌ଫରେନ୍‌ସରେ ଯୋଗଦେବା ପାଇଁ ସହର ବାହାରକୁ ଯାଉଛି । ଉଇକ୍‌ଏଣ୍ଡ ଆଡ଼କୁ ଫେରି ଆସିବ । ଲୀନା ଯେମିତି ତା ନିଜର ଯତ୍ନ ନେଉଥାଏ ।

 

ଲୀନା ପଚାରିଲା, ସାଙ୍ଗରେ ଆଉ କେହି ଯାଉଛି ନା ଏକା ଏକା !

 

ଜନ୍‌ ଉତ୍ତର ଦେଲା, ତାର ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ ଜେନିଫର ବି ସାଙ୍ଗରେ ଯାଉଛି କନ୍‌ଫରେନ୍‌ସ ।

 

ଲୀନା ଫୋନ୍‌ ରଖିଦେଲା ଓ ନିରାଶ ହୋଇପଡ଼ିଲା । ଜନ୍‌ ଏକାକୀ ଯାଉଥିଲେ ଅବଶ୍ୟ ସେ ତାର ଭଲମନ୍ଦ ନେଇ ଅଧିକ ଚିନ୍ତିତ ହୋଇପଡ଼ିଥାନ୍ତା, ମାତ୍ର ତା ବୋଲି କଣ ସେ ଜେନିଫର୍‌କୁ ସାଙ୍ଗରେ ନେଇଯିବ !

 

ପର ମୁହୂର୍ତ୍ତରେ ସେ ତାର ଈର୍ଷୁକ ପ୍ରବୃତ୍ତିପାଇଁ ନିଜେ ଆତ୍ମସଚେତନ ହେଲା । ସେ ନିଜେ ଜଣେ ୱାର୍କିଂ ଲେଡ଼ି । ଚାହିଁଲେ ବି ଏବେ ଛୁଟି ନେଇପାରିବ ନାହିଁ । ତାର ଆମେରିକାନ୍‌ କମ୍ପାନିର ମ୍ୟାନେଜମେଣ୍ଟ୍‌ ପାଖରେ ଆବେଗ ଓ ଭାବପ୍ରବଣତାର ସ୍ଥାନ ନାହିଁ । ସେମାନଙ୍କର ନୀତି ହେଲା ହାୟାର ଆଣ୍ଡ ଫାୟାର । ଅଧିକ ଦିନ ଅନୁପସ୍ଥିତ ରହିଲେ କିମ୍ବା ବାରମ୍ବାର ଛୁଟି ନେଲେ ହୁଏତ ଏ କାମଟିରୁ ତାକୁ ସେମାନେ ଅବ୍ୟାହତି ଦେଇଦେବେ !

 

ଲୀନା ବିବ୍ରତ ହୋଇପଡ଼ିଲା । କମ୍ପାନି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ବେକାର ବସିବାରେ ଗୌରବ ନାହିଁ । ତାଛଡ଼ା ସେ ଏମିତି ତ ବିରକ୍ତ ହୋଇଯାଉଛି, ଘରେ ବସି ବସି କରିବ କଣ ?

 

ସେ ଟି.ଭି. ସ୍ୱିଚ୍‌ ଅଫ୍‌ କରିଦେଇ ବାଥ୍‌ରୁମ୍‌କୁ ପଶିଗଲା । ଟ୍ୟାପ୍‌ରେ ଗରମ ଓ ଶୀତଳ ପାଣି । ସେ ନାଇଲନ୍‌ ପର୍ଦ୍ଦା ଆଡ଼େଇ ବାଥ୍‌ଟବ୍‌ ଭିତରେ ପଶିଗଲା ଓ ନିର୍ବସ୍ତ୍ର ହୋଇ ସାୱାର ଖୋଲିଦେଲା । ତାପରେ ଲୀନା ଆଖି ବନ୍ଦ କରି ନିଜ କଥା ଭାବିବସିଲା ।

 

ଏତେବେଳେ ପିଟର୍‌ ଆସି ପହଞ୍ଚିଯାଆନ୍ତା କି ! ତାର ସେ କୁଞ୍ଚିକୁଞ୍ଚିଆ ଘଞ୍ଚକେଶ ଭିତରେ ଲୀନା ନିଜର ମୁହଁଟିକୁ ଲୁଚେଇ ଢେର୍‌ ସମୟ ବସିରହନ୍ତା । ତାକୁ କୁତୁକୁତୁ କରନ୍ତା । ତା ସାଙ୍ଗେ ଜୋକ୍‌ କରନ୍ତା । ସେ ଓ ପିଟର୍‌ କିଚେନ୍‌ ସାମ୍ନା ସୋଫାରେ ବସି କୋଲ୍‌ଡ଼୍‍-କଫି ପିଅନ୍ତେ । ତାପରେ ଲଙ୍ଗ ଡ୍ରାଇଭିଂରେ ପଳାନ୍ତେ ସମୁଦ୍ର କୂଳକୁ । ଫେରିବା ବେଳକୁ ରାତି ଅନେକ ହୋଇଯାଇଥାଆନ୍ତା । ସେମାନେ ଜହ୍ନ ଓ ତାରାମାନଙ୍କଠୁ ମେଲାଣି ଘେନି ଆସନ୍ତେ ଓ ଡାଉନ୍‌ଟାଉନ୍‌ ରେସ୍ତୋରାଁରୁ ଡିନର ଖାଇ ଘରକୁ ଫେରନ୍ତେ । ଘରକୁ ଫେରି ପିଟର ଓ ସେ ଆଉ ଦି ଚାରି ପେଗ୍‌ ୱାଇନ୍‌ ପିଅନ୍ତେ ଓ ରେଜେଇ ତଳେ ପରସ୍ପରକୁ ଜଡ଼େଇ ଧରି ଶୋଇଯାଆନ୍ତେ ।

 

ସେଇ ତେରଟି ଦିନ କେତେ ଖୁସିରେ ବିତି ନ ଥିଲା ! ଲୀନା ଗୋଟି ଗୋଟି କରି ସବୁ ଘଟଣାକୁ ଆଗପଛ କ୍ରମରେ ସଜେଇ ରଖୁଥିଲା ତା ସ୍ମୃତିରେ ।

 

ପ୍ରତିଦିନ ବର୍ଷରେ ଏଇ ‘କ୍ରୁଇଜ୍‌’ ହୁଏ । ଆଗରୁ କେବେ ଲୀନା କ୍ରୁଇଜ୍‌ରେ ଯାଇ ନ ଥିଲା । ଗୋଟାଏ ଜାଗାରୁ ତିନି ଚାରିଟି ଜାହାଜ ଅଲଗା ଅଲଗା ଦ୍ୱୀପ ଅଭିମୁଖେ ବାହାରନ୍ତି । ବେଳେବେଳେ ସେଗୁଡ଼ିକ ଏକାଧିକ ଅଚିହ୍ନା ଦ୍ୱୀପରେ ଲଙ୍ଗର ପକାନ୍ତି । ସ୍ୱାମୀ ଆଉ ସ୍ତ୍ରୀ ଅଲଗା ଅଲଗା ଦଳରେ ସାମିଲ ହୋଇଯାଆନ୍ତି । ନିତିଦିନିଆ ଘୋଷରା ଜୀବନଠୁଁ ଏ ଜୀବନ ଅଲଗା । ଅଚିହ୍ନା ନାରୀ ସଙ୍ଗେ ଅଚିହ୍ନା ପୁରୁଷର ସମ୍ପର୍କ ନୂଆ ରୋମାଞ୍ଚ ଆଣିଦିଏ । ପ୍ରମୋଦ ଜଳଯାତ୍ରାର ନିୟମ ହେଉଛି, ସେଇ ପନ୍ଦର ଦିନ ସମୟ ସେମାନେ ଛଦ୍ମ ପରିଚୟରେ ବଞ୍ଚିବେ । ସେମାନଙ୍କର ନାଁ, ସହର, ଷ୍ଟ୍ରୀଟ୍‌, ଆଭେନ୍ୟୁ, ଫୋନ୍‌ ନମ୍ବର ସବୁ ମିଛ । ଏଠୁ ଫେରିଗଲା ପରେ ଏ ଜଳଯାତ୍ରା ଜୀବନ ସହ କିଛି ସମ୍ବନ୍ଧ ରହିବ ନାହିଁ ।

 

ଜାହାଜରେ ବସିବାପରଠୁଁ ପୁଣି ଫେରି ଆସିବା ଯାଏ ଲୀନା ତା ନାଁ ବଦଳେଇ ନିଜକୁ ନୂଆ ନାଁଟେ ଦେଇଥିଲା–ମ୍ୟାଗି । ସେମିତି ବି ଅନ୍ୟମାନେ ନିଜ ନିଜର ନାଁ ଓ ଠିକଣା ବଦଳେଇ ଦେଇଥିଲେ । ସତସତିକା ଜୀବନ ଭିତରେ ଇଏ ଆଉ ଗୋଟେ ଅଭିନୟ । ସମସ୍ତେ ଏକଥା ଜାଣନ୍ତି । ସେଥିପାଇଁ କୌଣସି ପୁରୁଷ କୌଣସି ନାରୀର ପ୍ରକୃତ ପରିଚୟ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଲୀନାର ନାଁ ମ୍ୟାଗି କି ଜେନିଫର କି ଲୁସି ଯାହା ହେଲେ ବି ସେସବୁ ଖାଲି ଗୋଟେ ଗୋଟେ ନାଁ । ନାଁ ତାର ଆତ୍ମା ନୁହେଁ, ମନ ନୁହେଁ, ଦେହ ବି ନୁହେଁ । ଯାହା ତା ନିଜର, ସେ ହେଉଛି ଦେହର ଭୋକ, ମନର ଆଗ୍ରହ, ଶରୀରର କ୍ଳାନ୍ତି, ପାଦର ଅବସନ୍ନତା । ଅନ୍ତରଙ୍ଗ ହେଉଛି ତାର ଯୌନସୁଖ, ତାର ସୁଖନିଦ୍ରା, ସ୍ୱାଦ୍ୟ ଆହାର । ସେମିତି ପିଟର୍‌ର ନାଁ ହ୍ୟାରି, ସାମ୍‌ କି ହେନ୍‌ରୀ ହୋଇଥିଲେ ବି ହୁଏତ କିଛି ପାର୍ଥକ୍ୟ ସେ ଅନୁଭବ କରି ନ ଥାନ୍ତା । ଫୁଲର ଗନ୍ଧ ପରି ପୁରୁଷର ମଧ୍ୟ ଗୋଟେ ଗନ୍ଧ ଅଛି । ସେଇ ଗନ୍ଧ ତାକୁ ପିଟର୍‌ ପାଖକୁ ଟାଣି ନେଇଥିଲା । ତା ନାଁ ଆଉ କଣ କଣ ସବୁ ହୋଇଥିଲେ ବି ସେଇଆ ଘଟିଥାନ୍ତା ।

 

ତାର ମନେ ପଡ଼ିଲା ସମୁଦ୍ର, ସମୁଦ୍ରର ନୀଳ ଜଳରାଶି, ସେଇ ଜଳରାଶି ଉପରେ ଉଜ୍ଜ୍ୱଳ ଆକାଶ । ଫେନିଳ ଲହରି ସବୁ ପଛକୁ ରହିଯାଉଛନ୍ତି । ପବନକୁ ପିଠି କରି ସେ ଛିଡ଼ା ହୋଇଛି ଗୋଟେ ଖୁଣ୍ଟ ପାଖରେ । ପିଟର୍‌ ଆସୁଛି । ସେ ତାର ପାଦଶବ୍ଦ ଶୁଣୁଛି, କିଛି ସମୟ ପାଇଁ ତାର ଛାତି ଭିତରଟା ଭାରତୀୟ ଝିଅର ଛାତି ପରି ଧକ୍‌ ଧକ୍‌ କରି ଉଠୁଛି । ପିଟର ଆସି ଧୀରଗଳାରେ ଡାକୁଛି, ‘ହାୟ’ । ଲୀନା ଉପରୁ ମୁହଁ ଉଠଉଛି । କି ସୁନ୍ଦର ପିଟର୍‌ର ଆଖିଯୋଡ଼ିକ ! କି ଯୌନ ଉତ୍ତେଜକ ତାର ସ୍ୱର ! ସେ ହସି ଦେଇଛି ।

 

ତାପରେ ମ୍ୟାଗି ଓ ପିଟର, ପିଟର ଓ ମ୍ୟାଗି । ମ୍ୟାଗିକୁ ବୟଫ୍ରେଣ୍ଡ୍‌ ମିଳିଯାଇଥିଲା ଓ ପିଟର୍‌କୁ ଗାର୍ଲଫ୍ରେଣ୍ଡ୍‌ । ଏତେ ଆନନ୍ଦ, ଏତେ ଉତ୍ତେଜନା, ଏତେ ସ୍ୱପ୍ନ ମ୍ୟାଗି ଆଗରୁ କେବେ ତା ହାତପାଆନ୍ତାରେ ପାଇ ନ ଥିଲା । ପିଟର୍‌ କେବଳ ବାଳକ ନୁହେଁ, ପୁରୁଷ । ମ୍ୟାଗି କେବଳ ବାଳିକା ନୁହେଁ ନାରୀ । ସେମାନେ ପୌରୁଷ ବଦଳରେ ନାରୀତ୍ୱ ଓ ନାରୀତ୍ୱ ବଦଳରେ ପୌରୁଷ ଆଦାୟ କରିଥିଲେ ପରସ୍ପରଠାରୁ ।

 

ବିଦାୟ ଦେବା ଦିନ ଉପଚାର ଦୃଷ୍ଟିରୁ ଲୀନା ପଚାରିଥିଲା ପିଟର୍‌ର ଠିକଣା ଓ ଫୋନ୍‌ ନମ୍ବର । ପୁରୁଣା ଓ ପରିଚିତ ଉପକୂଳରେ ଆସି ପହଞ୍ଚିଥିଲା ସେମାନଙ୍କ ଜାହାଜ । ପିଟର ତା କାର୍‌ ପାଖକୁ ଯାଉ ଯାଉ ଗୋଟାଏ ଠିକଣା ବତେଇ ଦେଇଥିଲା । ଲୀନା ଜାଣିଥିଲା ସେ ନାଁ ଭୁଲ୍‌, ସେ ଫୋନ୍‌ ନମ୍ବର ବି । ସେମିତି ପିଟର୍‌ ବି ମାଗିଥିଲା ମ୍ୟାଗିର ଠିକଣା ଓ ଫୋନ୍‌ ନମ୍ବର । ଜାଣି ଜାଣି କିନ୍ତୁ ସେ ଲେଖିଦେଇଥିଲା ଆଟ୍‌ଲାଣ୍ଟର ଏଇ ବଙ୍ଗଳାର ଫୋନ୍‌ ନମ୍ବର !

 

ଜନ୍‌ ଫେରିଆସିଥିଲା ତାର ଜଳଯାତ୍ରାରୁ, ଲୀନା ବି । ଫେରିବାର ପ୍ରଥମ ରାତିଟି ଖୁବ୍‌ ରୋମାଞ୍ଚକର, ଖୁବ୍‌ ସ୍ମରଣୀୟ ହେବ–ଏଇ ଥିଲା ‘କ୍ରୁଇଜ୍‌’ ଆୟୋଜନକାରୀ ମାର୍କିନ୍‌ କମ୍ପାନିର ବିଜ୍ଞାପନ । ଜନ୍‌ ପାଇଁ ଅବଶ୍ୟ ସେ ରାତି ଥିଲା ଗୋଟେ ଅରଣ୍ୟର ରାତି । ଲୀନା ବିଛଣାରେ ପଡ଼ିରହି ଜନ୍‌ର ଉଦ୍ଦାମତାକୁ ଅନୁଭବ କରି ପାରୁଥିଲା, ମାତ୍ର ସେ ନିଜେ ଆଦୌ ସକ୍ରିୟ ହୋଇପାରୁ ନ ଥିଲା । କାହିଁକି କେଜାଣି, ଅଭୁତ ପ୍ରକାର ଗ୍ଳାନି ଓ ପାପବୋଧରେ ସେ ଗୋଟେ ବରଫଖଣ୍ଡ ପାଲଟି ଯାଉଥିଲା । ଜନ୍‌କୁ ଦେଖିବା କ୍ଷଣି ତା ପ୍ରତି ସେ କରିଥିବା ବିଶ୍ୱାସଘାତକତା ତାର ସମଗ୍ର ଅସ୍ତିତ୍ୱକୁ କାବୁ କରି ପକାଉଥିଲା ଓ ସେ ଜନ୍‌ଠାରୁ ଆଖି ଫେରେଇ ଆଣି ରେଜେଇ ତଳେ ଛପି ଯାଉଥିଲା ।

 

ଏମିତି ଏକ ଅଚିନ୍ତନୀୟ ଘଟାନ୍ତର ସମ୍ପର୍କରେ ବିଲକୁଲ ଅଜ୍ଞ ଜନ୍‌ କିନ୍ତୁ ଚାହୁଁଥିଲା ଲୀନାର ନିବିଡ଼ ସାନ୍ନିଧ୍ୟ । ସେ ଗୋଟେ ପାଗଳ ପରି ଲୀନାର ବେଶବାସ ସବୁ ଭିଡ଼ି ଓଟାରି ପକଉଥିଲା ଓ ବାଧ୍ୟ ହୋଇ ଲୀନା ଆଲୁଅ ଲିଭେଇ ନିଜକୁ ସମର୍ପଣ କରିଦେଇଥିଲା ।

 

ଅଥଚ ଆଜି ଏକ ମୁହୂର୍ତ୍ତରେ ଲୀନାକୁ ସେଭଳି ଗ୍ଳାନିବୋଧ ଆଦୌ ଆଚ୍ଛନ୍ନ କରୁ ନାହିଁ-। ସେ ତାର କାୟମନୋବାକ୍ୟରେ ଚାହିଁଛି, ପିଟର୍‌ ଆସି ତା ପାଖେ ପହଞ୍ଚିଯାଆନ୍ତା କି-! ଆଉ ଥରୁଟେ ହେଲେ ପିଟର୍‌ ସାଙ୍ଗରେ ଦେଖା ହୁଅନ୍ତା କି ଏ ଜୀବନରେ !

 

ଗୋଟେ ଅଦ୍ଭୁତ ମାନସିକ ଦୋଳନ ଭିତରେ ଲୀନା ତାର ସମୟ କାଟୁଥିଲା । ଜନ୍‌କୁ ଦେଖିଦେଲାକ୍ଷଣି ତା ବିରୋଧରେ ଥିବା ସବୁ ଅଭିମାନ ଓ ଅଭିଯୋଗ ବରଫ ତରଳିଲା ପରି କୁଆଡ଼େ ପାଣି ଫାଟିଯାଉଥିଲା ଓ ସେ କାହିଁକି ପିଟର୍‌ ସାଙ୍ଗେ ଏଭଳି ଅବାଧ ଭାବେ ମିଶିପାରିଲା ବୋଲି ଗଭୀର ପଶ୍ଚାତ୍ତାପ କରୁଥିଲା । ଅଥଚ ଜନ୍‌ ତାର ଅଭ୍ୟାସ ଅନୁଯାୟୀ ଦିନ ଦିନ ଧରି ଅନୁପସ୍ଥିତ ରହିବାକୁ ଆରମ୍ଭ କଲେ ଲୀନା ପୁଣି ଥରେ ପିଟର୍‌କୁ ବ୍ୟାକୁଳତାର ସହ ଖୋଜିବାକୁ ଲାଗୁଥିଲା ମନେ ମନେ ଓ ବାରମ୍ବାର ଟେଲିଫୋନ୍‌କୁ, ଘର ସାମ୍ନାର ରାସ୍ତାକୁ ଚାହିଁ ବସୁଥିଲା । ମାତ୍ର ସଞ୍ଜ ବିତି ରାତି ଓ ରାତି ପାହି ସକାଳ ହେଉଥିଲେ ମଧ୍ୟ ପିଟର୍‌ ଆସୁ ନ ଥିଲା ।

 

କ୍ରମେ ସେ ଅନୁଭବ କରୁଥିଲା ତାର ଦିନଗୁଡ଼ିକ ପୂର୍ବର ଦିନ ପରି ବିଶ୍ୱସ୍ତ ହୋଇ ରହୁ ନାହାନ୍ତି କି ରାତିଗୁଡ଼ିକ ପୂର୍ବପରି ନିବିଡ଼ ମନେ ହେଉ ନାହାନ୍ତି । ତା ପାଖରେ ଜନ୍‌ ଥିବାବେଳେ ସେ ପିଟର୍‌ ସହ ତାର ସମ୍ବନ୍ଧକୁ ଘୃଣା କରୁଛି । ଜନ୍‌ର ଅନୁପସ୍ଥିତିରେ ସେ କିନ୍ତୁ ପିଟର୍‌କୁ ଲୋଡ଼ି ହେଉଛି । ଅଥଚ ଏକା ସାଙ୍ଗରେ ଦି’ଜଣଙ୍କ ସମ୍ପର୍କ କଥା ଭାବିଦେଲାକ୍ଷଣି ଗୋଟେ ଗ୍ଳାନି ଓ ସନ୍ତାପରେ ସେ ସନ୍ତୁଳି ହୋଇଯାଉଛି ।

 

ଲୀନା ତାର ଏହି ଦ୍ୱନ୍ଦ୍ୱ ନେଇ ବିବ୍ରତ ହୋଇ ପଡ଼ୁଥିଲା । ସେ ଏଭଳି ଗୋଟେ ଜୀବନ ଜିଇଁବ ବୋଲି ନିଜେ ଭାବି ନ ଥିଲା କି ନୂଆ ରୋମାଞ୍ଚ ଏବଂ ସ୍ଫୂର୍ତ୍ତିର ଗ୍ୟାରେଣ୍ଟି ଦେଇଥିବା ସେଇ ମାର୍କିନ କମ୍ପାନିଟି ଏଭଳି ମାନସିକ ଦ୍ୱନ୍ଦ୍ୱର ଆଶଙ୍କା କଥା କଦାପି ଚେତେଇ ଦେଇ ନ ଥିଲା ।

 

ଏବେ ଲୀନା ଜାଣିପାରେ ନାହିଁ ତାର ସମସ୍ୟା ପ୍ରକୃତରେ କୋଉଠି । ତା ପରି ତାର ସ୍ୱାମୀ ଜନ୍‌ ବି ଯାଇଥିଲା କ୍ରୁଇଜ୍‌ରେ । ସିଏ ବି ହୁଏତ ମିଶିଥିବ ଏକ ବା ଏକାଧିକ ଯୁବତୀଙ୍କ ସାଙ୍ଗରେ । ଅଥଚ କାହିଁ, ତା ମୁହଁରେ ସାମାନ୍ୟ ଭାବାନ୍ତର ନାହିଁ କି ତା ବ୍ୟବହାରରେ ଏତେ ଟିକିଏ ପରିବର୍ତ୍ତନ ସେ ଦେଖେ ନାହିଁ । ତାହାହେଲେ ଏଇ ଗ୍ଳାନି, ପାପବୋଧ, ସଂକୋଚ ଓ ସତର୍କତା କେବଳ ତାଆରି ପାଖରେ କାହିଁକି ? ଏଇ କଣ ଭାରତୀୟ ନାରୀର ଅବଚେତନରେ ବସା ବାନ୍ଧିଥିବା ଦାସତ୍ୱ ! ଜନ୍ମ ଜନ୍ମାନ୍ତରର ସଂସ୍କାର ? ସେ ଜାଣେ ନାହିଁ ।

 

ଫୋନ୍‌ଟି ପୁଣିଥରେ ବାଜି ଉଠିଲା । ଫୋନ୍‌ ପାଖକୁ ଯିବା ଆଗରୁ ଲୀନା କାମନା କଲା, ପିଟର ଫୋନ୍‌ କରିଥିବ କି ! ସତକୁ ସତ ପିଟର ଫୋନ୍‌ କରିଥିଲା । ଲୀନା କିଛି କହିବା ପୂର୍ବରୁ ଆନନ୍ଦ, ଭୟ ଏବଂ ଉତ୍ତେଜନାରେ ଥରି ଉଠିଲା ଓ ସତର୍କ ହୋଇଯିବା ଲାଗି ଚାରିପଟକୁ ଚାହିଁଲା । କେହି କୋଉଠି ନାହିଁ ତ ! କିନ୍ତୁ ଆଶ୍ଚର୍ଯ୍ୟ, ଜନ୍‌ ହସି ହସି ଠିକ୍‌ ସେତିକିବେଳେ ଡ୍ରଇଂରୁମ୍‌ର ପରଦା ଆଡ଼େଇ ଘର ଭିତରକୁ ଆସୁଥିଲା । ବୋଧହୁଏ ସେ ତାର ଟୁର୍‌ ବାତିଲ କରିଦେଇଥିଲା ।

 

ତରତରରେ ଲୀନା ଫୋନ୍‌ଟାକୁ ଯେମିତି ଉଠେଇଥିଲା ଠିକ୍‌ ସେମିତି କ୍ରାଡ଼ଲ୍‌ ଉପରେ ଥୋଇଦେଲା । ଜନ୍‌ ତାର ଜୋତା ଖୋଲୁ ଖୋଲୁ ପଚାରିଲା, ‘କାହା ଫୋନ୍‌ ?’

 

ଭୟ, ସଂକୋଚ ଓ ଗ୍ଳାନିରେ ଜୁଡ଼ୁବୁଡ଼ୁ ଲୀନା କହିଲା, ‘ନା ରଙ୍ଗ୍‌ ନମ୍ବର ।’

 

ଜନ୍‌ ଲୀନାକୁ ଅତିକ୍ରମ କରି ତା ରୁମ୍‌କୁ ଆଗେଇ ଯାଉଥିଲା ବେଳେ ଅସହାୟ ଭାବେ ଲୀନା ଚାହୁଁଥିଲା ଫୋନ୍‌ଟି ଆଡ଼େ । ନା, ସେ ଫୋନ୍‌ ଆଉ ଆସିବ ନାହିଁ । ହୁଏତ ଆଉ କୌଣସି ଦିନ ଆସିବ ନାହିଁ ।

 

ପିଟର୍‌-ମନସ୍କ ମ୍ୟାଗି ଏବେ ଜନ୍‌ର ପତ୍ନୀ ଲୀନା ହେବାକୁ ଉଦ୍ୟମ କରୁଥିଲା ।

☆☆☆

 

ଅପେକ୍ଷା

 

ପୁଣି ଥରେ ନୂଆଗାଁର ଚିତ୍ର ତନ୍ମୟର ଆଖି ଆଗରେ ଭାସି ଉଠିଥିଲା । ଭଦ୍ରକ-ଚାନ୍ଦବାଲି ରାସ୍ତାକଡ଼ର ନେଇ ନିଦୁଆଳି ଗାଁ, ଯୋଉଠି କୈଶୋରର ଦୀର୍ଘ ଚାରିଟି ବର୍ଷ ତାର ବିତିଥିଲା । ସେଇ ଗାଁର ହାଇସ୍କୁଲ, ହାଇସ୍କୁଲର ଖେଳ ପଡ଼ିଆ, ଆମ୍ବତୋଟା, ତାର ଉଚ୍ଚା ପାଚେରି, ବାଉଁଶ ବଣ ଓ ଗୋହିରି, ଗୋହିରି ସେପଟକୁ ସବୁଜ ଧାନକ୍ଷେତ । ଋତୁମାନେ ଆସନ୍ତି ଓ ଚାଲିଯାଆନ୍ତି, ସେମାନଙ୍କ ହସ୍ତାକ୍ଷର ନୂଆଗାଁର ବିଲମାଳରେ, କିଆ କେତକୀ ବଣରେ ଏବଂ ନାଁ ଅଜଣା ଗଛର ଶାଖା ପ୍ରଶାଖାରେ ରଖି ଦେଇଯାଆନ୍ତି ।

 

ଆଜି ନୂଆଗାଁର ସ୍ମୃତି ଆକସ୍ମିକ ଭାବେ ତନ୍ମୟ ମହାପାତ୍ରର ଆବେଗହୀନ ମନଟିକୁ ଦୁର୍ବଳ କରିଦେଉଛି । ତା ପରି ଗୋଟେ ଡାକ୍ତର, ଯିଏ ସାରା ଜୀବନ ନିଜ କ୍ୟାରିୟର୍‌, ନିଜର ଅର୍ଥନୈତିକ ସ୍ୱଚ୍ଛଳତା, ସାମାଜିକ ସ୍ଥିତି ଓ ପତିଆରା ପ୍ରତିଷ୍ଠା ପାଇଁ ବିତେଇ ଆସିଥିଲା, ଆଜି ହଠାତ୍‌ ଗୋଟେ ମଫସଲୀ ଗାଁର ସ୍ମୃତିକୁ ନେଇ ଭାବପ୍ରବଣ ହୋଇଉଠିଛି । ତାକୁ ଲାଗୁଛି ଏତେ ଦ୍ରୁତଗତିରେ ଧାଇଁବା ହୁଏତ ପ୍ରୟୋଜନ ନ ଥିଲା । ବୋଧହୁଏ ସେଇଥିପାଇଁ ଆଜି ଜୀବନର ପ୍ରାପ୍ତି ଓ ପ୍ରାଚୁର୍ଯ୍ୟ ସାମ୍ନାରେ ଅପ୍ରାପ୍ତି ଓ ଅବସୋସର ତାଲିକା ଦୀର୍ଘ ଏବଂ ଓଜନିଆ ମନେ ହେଉଛି ।

 

ତନ୍ମୟ ପୁଣି ଥରେ ଟେବୁଲର ଡ୍ରୟାର, ଆଲମାରିର ଲକର୍‌, କପ୍‌ବୋର୍ଡ଼ର ଥାକ, ପୁରୁଣା ବ୍ରିଫ୍‌କେସ୍‌ ଓ ଦୀର୍ଘଦିନ ହେଲା ଖୋଲା ଯାଇ ନ ଥିବା ମମତାର ଗହଣା ପେଟରା ଖୋଜି ହେଉଥିଲା । ଯେତେ ଖୋଜିଲେ ବି ସେ ଚାହୁଁଥିବା ଜିନିଷଟି ମିଳୁ ନ ଥିଲା । ସକାଳ ପହରୁ ବହୁବାର ରାକ୍‌ ଡ୍ରୟାର୍‌ର ବହିପତ୍ର, ଫାଇଲ୍‌ ଓ ଲୁଗାପଟା ବାହାର କରି ଖୋଜି ସାରିଲାଣି । ତା ଭିତରୁ ଅନେକ ପୁରୁଣା ଓ ହଜିଯାଇଛି ବୋଲି ସେ ଧରି ନେଇଥିବା ଜିନିଷ ମିଳିଲାଣି, ମାତ୍ର ସେ ଯୋଉ ଜିନିଷଟି ଖୋଜୁଛି ତାହା ମିଳୁ ନାହିଁ ।

 

ଏଇ ବୋଧହୁଏ ଖୋଜିବା ପର୍ବର ସବୁଠୁ ବିଡ଼ମ୍ବନା । ଯାହା ପାଇଁ ମଣିଷ ଦିନରାତି ଧନ୍ଦି ହେଉଥାଏ, ସେ ଜିନିଷ ମିଳେ ନାହିଁ; ଅଥଚ ଅଖୋଜା ଜିନିଷମାନେ ବରାବର ଆସି ହାତ ଛନ୍ଦୁଥାନ୍ତି ।

 

ପୁଣି ଥରେ ତନ୍ମୟର ନୂଆଗାଁକୁ ନେଇ ପୁରୁଣା ସ୍ମୃତି ମନେପଡ଼ିଲା । ହାଇସ୍କୁଲ୍‌ ପଛପଟେ ସାତମାଣିଆ ପୋଖରୀ । ପୋଖରୀଟି ଏତେ ବଡ଼ ଯେ ଥରକେ ପହଁରି ଯିବାକୁ ସାହସ କୁଳାଏ ନାହିଁ । ଏ କୂଳରୁ ଚାହିଁଲେ ସେ କୂଳର ମଣିଷମାନେ ସାନ ସାନ ଦିଶନ୍ତି । ସ୍କୁଲ ପିଲାମାନଙ୍କ ସାମ୍ନାରେ ପୋଖରୀର ଆୟତନ ଗୋଟେ ବିରାଟ ଆହ୍ୱାନ ହୋଇ ରହିଥାଏ । ସୁଲୁସୁଲିଆ ପବନରେ ପୋଖରୀ ଛାତିରେ ଯେତେବେଳେ କୁନି କୁନି ଲହଡ଼ି ଉଠନ୍ତି, ଲାଗେ ସାତମାଣିଆ ପୋଖରୀ ଡାକୁଛି; ଆସ, କାହା ଛାତିରେ ଦମ୍‌ ଅଛି, ଆସ ।

 

ତନ୍ମୟ ସ୍କୁଲ୍‌ର ଭଲ ଛାତ୍ର ଥିଲା । ଶିକ୍ଷକମାନଙ୍କର ପ୍ରିୟ ଛାତ୍ର । ସେଥିପାଇଁ ଆଜି ଯୋଉଁ ପୋଖରୀର ସ୍ମୃତି ବାରମ୍ବାର ମନେପଡ଼ିଯାଉଛି ସେଦିନ ତା ଆଡ଼େ ଚାହିଁବା ପାଇଁ ତାର ଫୁରୁସତ ନ ଥିଲା । ପୋଖରୀ ଆଡ଼ିତଳେ କିଆବଣ, କାର୍ତ୍ତିକ ମାସବେଳକୁ କିଆଫୁଲ ଫୁଟି ତାର ମହକ ହଷ୍ଟେଲ୍‌ ପର୍ଯ୍ୟନ୍ତ ଛୁଟିଆସେ । ତନ୍ମୟ କିନ୍ତୁ ସେ ସୁଗନ୍ଧ ଆଘ୍ରାଣ କରିବାପାଇଁ ଅବକାଶ ପାଏ ନାହିଁ । ବର୍ଷାର କଦମ୍ବ, ଗ୍ରୀଷ୍ମର କୃଷ୍ଣଚୂଡ଼ା, ଶୀତର ସୋରିଷ କିଆରି କୋଉଠିକୁ ଚାହିଁବା ପାଇଁ ତା ପାଖେ ସମୟ ନ ଥାଏ । ତା ସାମ୍ନାରେ ଗୋଟିଏ ଲକ୍ଷ୍ୟ ଅନବରତ ଝୁଲୁଥାଏ, ସେ ଶ୍ରେଣୀରେ ପ୍ରଥମ ହେବ ।

 

ଲକ୍ଷ୍ୟ ପାଖେ ପହଞ୍ଚିବା ପାଇଁ ଯାହା ଯାହା ପ୍ରୟୋଜନ, ତନ୍ମୟ ମହାପାତ୍ର ତାହା ତାହା କରିଛି । କାହା ସାଙ୍ଗେ ମିଛିମିଛିକା ସମ୍ପର୍କ ରଖିବା ଲୋଡ଼ା, ସେ ରଖିଛି । କୋଉମାନଙ୍କ ଘରକୁ ପ୍ରତିଦିନ ସକାଳେ ଫୋନ୍‌ କରି ସେମାନଙ୍କ ସ୍ୱାସ୍ଥ୍ୟ କିପରି ଅଛି ତାହା ବୁଝିବା କଥା, ତାହା ସେ ରୁଟିନ୍‌ ପରି ବୁଝିଛି । ଯେଉଁମାନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେଲେ ତାର ସାମାଜିକ ପତିଆରା ବଢ଼ିବ, ଯେଉଁମାନଙ୍କ ଘରକୁ ସମୟେ ସମୟେ ଦାମୀ ଉପହାର ପଠେଇଲେ ସେମାନେ ବିଦେଶ ଗସ୍ତର ଡେଲିଗେସନ୍‌ ତାଲିକା ସ୍ଥିର କରିବା ବେଳେ ତନ୍ମୟକୁ ଆଦୌ ଭୁଲିବେ ନାହିଁ ସେମାନଙ୍କ ଘରକୁ ସେ ଉପହାର ପଠେଇବାରେ କାର୍ପଣ୍ୟ କରି ନାହିଁ ।

 

ତନ୍ମୟ ପାଇଁ ସବୁ ସମ୍ପର୍କ, ସବୁ ସାକ୍ଷାତ ଗୋଟେ ଗୋଟେ ମିଶାଣ । ଲାଭକ୍ଷତି ହିସାବ କରିବାର ଅବକାଶ । ଏପରିକି ବିବାହ ମଧ୍ୟ ।

 

ସେଥିପାଇଁ ବାହାଘର ପ୍ରସ୍ତାବ ଉଠିଲାବେଳେ ସେ କନ୍ୟା ଅପେକ୍ଷା କନ୍ୟାପିତାଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥିଲା । ସେ ତାଙ୍କରି କନ୍ୟାକୁ ବାହା ହେବ, ଯିଏ ତାକୁ ବିଦେଶ ପଠାଇବାର ପୂର୍ଣ୍ଣ ବନ୍ଦୋବସ୍ତ କରିବେ ।

 

ତନ୍ମୟ ବିଦେଶ ଯାଇଥିଲା । ଅଧିକ ତାଲିମ ନେଇଥିଲା । ବାହା ହୋଇଥିଲା ରାଜଧାନୀରେ । କନ୍ୟାକୁ ଦେଖିବା ତା ପାଇଁ ଆଦୌ ପ୍ରୟୋଜନ ନ ଥିଲା ।

 

ସବୁ ଠିକ୍‌ଠାକ୍‌ ଚାଲିଆସିଥିଲା । ତନ୍ମୟର ପୋଷ୍ଟିଂ ସବୁବେଳେ କଟକ କିମ୍ବା ଭୁବନେଶ୍ୱରରେ ହୋଇଛି । ଆଉ ତିନି ଚାରି ବର୍ଷ ସେ ଏଇଠାରେ ହିଁ ରହିବ । ତାକୁ କୌଣସି ଅଫିସର ରାଜଧାନୀଠୁଁ ଦୂର ସହରକୁ ବଦଳି କରିବା ପାଇଁ କେବେ ଚାହିଁ ନାହାନ୍ତି । ତାର ଘରୋଇ ପ୍ରାକ୍‌ଟିସ୍‌ ସୁନ୍ଦର ଭାବେ ଚାଲିଛି । ସହରର ବଛା ବଛା ନର୍ସିଂହୋମ୍‌ ତାର ପରାମର୍ଶ ଓ ଉପସ୍ଥିତି ସବୁବେଳେ ଲୋଡ଼ି ଆସିଛନ୍ତି । ନିଜର ନର୍ସିଂହୋମ୍‌ ପୁଣି ଏ ରାଜ୍ୟର ସବୁଠୁ ବଡ଼ ନର୍ସିଂହୋମ୍‌ । ତାର ଟେଲିଫୋନ୍‌ ପାଇଲେ ଦିଲ୍ଲୀ, ବମ୍ବେ, ମାଡ୍ରାସ ଓ କଲିକତାର ବଡ଼ ବଡ଼ ଡାକ୍ତର ଏଠାକୁ ଆସିବାରେ ବିଳମ୍ବ କରନ୍ତି ନାହିଁ ।

 

ଡାକ୍ତର ତନ୍ମୟ ଡ୍ରଇଂରୁମ୍‌ର ଚାରିକାନ୍ଥକୁ ଚାହିଁଲା । ପରଲୋକଗତା ପତ୍ନୀର ରଙ୍ଗିନ ଫଟୋରେ ଚନ୍ଦନକାଠର ମାଳ ଝୁଲୁଛି । ସେଇ ଫଟୋ ଉପରେ ଆଖି ପଡ଼ିଯିବାକ୍ଷଣି ଗୋଟାଏ ଅପରାଧବୋଧରେ ତାର ବ୍ୟକ୍ତିତ୍ୱ ସଙ୍କୁଚିତ ହୋଇଗଲା । ପତ୍ନୀର ଆଖିରେ ବିଷାଦର ଛାଇ କ୍ୟାମେରା ଲେନ୍‌ସରୁ ମଧ୍ୟ ଖସିଯାଇପାରି ନାହିଁ । ଓଠରେ ଗୋଟେ ନିରବ ଅଭିଯୋଗ, “ଥାଉ, ବହୁତ ହୋଇଗଲା । କଣ ହେବ ଏତେ ଜମି, ଏତେ ଟଙ୍କା ପଇସା, ଏତେ ସୁନା ଓ ଗହଣାଗାଣ୍ଠି ? ଗୋଟିଏ ବୋଲି ଛୁଆ । ସେ ଯୋଗ୍ୟ ହେଲେ ନିଜେ ନିଜ କଥା ବୁଝିବ । ତୁମେ ଯଦି ତା ପାଇଁ ସବୁକିଛି ରଖିଦେଇ ଯାଇଥିବ ତାହାହେଲେ ସେ କିଛି କରିବ ନାହିଁ । ଶେଷକୁ କୁଳାଙ୍ଗାର ହୋଇଯିବ । ଏତେ ଧାଅଁ ନାହିଁ, ଏତେ ଦଉଡ଼ ନାହିଁ । ଟିକିଏ ବିଶ୍ରାମ ନିଅ । ତମେ ଯୋଉ ଯଶ ଓ ଅର୍ଥ ପଛରେ ଧାଇଁଛ ତାର କିଛି ମୂଲ୍ୟ ନାହିଁ । ମୁଁ ନିଜେ ଦେଖିଛି, ମୋ ବୋଉ କେମିତି ବାୟାଣୀ ହୋଇଗଲା । କି ଲାଭ ମିଳିଲା ବାପାଙ୍କର ସେ ଧନସମ୍ପତ୍ତିରୁ ?”

 

ତନ୍ମୟ ଆଖିରୁ ଚଷମା ଖୋଲି ଟି-ପୟ ଉପରେ ରଖିଲା । ହାତ ପାପୁଲିରେ ଆଖିଯୋଡ଼ିକ ପୋଛି ପତ୍ନୀ ମମତାର ଫଟୋଆଡ଼େ ଆଉ ଥରେ ଚାହିଁଲା । ଠିକ୍‌ କହୁଥିଲା ମମତା, ଏତେ ସବୁ ଧନସମ୍ପତ୍ତି ସତ୍ତ୍ୱେ ତା ଭିତରର ଦୁଃଖ ଟିକକ ସତରେ କଣ ଦୂର ହୋଇ ପାରିଲା !

 

ଏକମାତ୍ର ପୁଅ କାଲିଫର୍ଣ୍ଣିଆରେ । ସେ ସେଇ ଦେଶର ନାଗରିକତ୍ୱ ନେଇଛି । ବାପ ପରି ପୁଅ ମଧ୍ୟ ପ୍ରୟୋଜନବୋଧରେ ବିଶ୍ୱାସ କରେ । ମାର୍କିନ ଝିଅଟିଏ ବାହାହୋଇ ସେଠାକାର ନାଗରିକତ୍ୱ ପ୍ରାପ୍ତିର ରାସ୍ତାକୁ ପୁଅ ସୁଗମ କରିଛି ।

 

ରାତି ଅନେକ ହେଲାଣି । ତନ୍ମୟ ହଜିଲା ଜିନିଷ ଖୋଜା ବନ୍ଦ କରି ବାଲ୍‌କୋନିକୁ ଆସିଲା । ପାଚିରି ପାଖ ଗଙ୍ଗଶିଉଳି ଗଛରେ ବେଶ୍‌ କେତୋଟି ଫୁଲ ଫୁଟିଛି । ସେ ଫୁଲଗୁଡ଼ିକ ଆଡ଼େ ଚାହୁଁ ଚାହୁଁ ପୁଣି ଥରେ ସୁଲେଖାର ସ୍ମୃତି ଭିତରେ ହଜିଗଲା ।

 

ମାଟ୍ରିକ୍‌ ଟେଷ୍ଟ୍‌ ପରୀକ୍ଷା ସରିଯାଇଥିଲା । ଆଉ କିଛି ଦିନ ପରେ ସେମାନେ ସମସ୍ତେ ଛାଡ଼ିବେ ନୂଆଗାଁ ହାଇସ୍କୁଲର ହଷ୍ଟେଲ୍‌ । ଯିବା ଆଗରୁ ଆଉ ଥରେ ଗୋଟେ ଭୋଜି କରିବେ । ସାର୍‌ମାନଙ୍କୁ ନିମନ୍ତ୍ରଣ କରିବେ । ଗୀତ ଗାଇବେ, ହସକଥା କହିବେ, ପିଛିଲା ଦିନମାନଙ୍କୁ ମନେ ପକେଇ ସ୍ମୃତିଚାରଣ କରିବେ । ଏଇ ଉପଲକ୍ଷେ ଆୟୋଜନ ହୋଇଥିଲା ଭୋଜି ।

 

ସେ ଭୋଜିକୁ ଆସିଲେ ସମସ୍ତେ । ତନ୍ମୟ ବି ଯାଇଥିଲା । ସେ ପହଞ୍ଚିବା ଆଗରୁ ସେଠି ଆସି ପହଞ୍ଚିଥିଲେ ପ୍ରମିଳା, ଗୌରୀ ଓ ସୁଲେଖା ।

 

ଠିକ୍‌ ଠିକ୍‌ ଘଟଣାଗୁଡ଼ିକ ମନେ ପକେଇବାକୁ ଚେଷ୍ଟା କରୁଥିଲା ତନ୍ମୟ । ବର୍ଷେ ନୁହେଁ, ଚାଳିଶ ବର୍ଷ ତଳର ସ୍ମୃତିଗୁଡ଼ିକ ତା ଭିତରୁ ଭୁଲିହୋଇ ଯାଇ ନାହିଁ, ଏକଥା ଅନୁଭବ କରି ସେ ଆଶ୍ଚର୍ଯ୍ୟ ହେଉଥିଲା ।

 

ସେଦିନମାନଙ୍କରେ ସୁଲେଖାର କଥାବାର୍ତ୍ତା, ତାର ନିରବ ଚାହାଣି କିମ୍ବା ତାର ଭଲପାଇବା କୌଣସିଟିକୁ ଆଦୌ ଗୁରୁତ୍ୱ ଦେଇ ନଥିଲା ତନ୍ମୟ । ସ୍କୁଲ୍‌ର ସବୁଠୁ ସୁନ୍ଦରୀ ଝିଅ ଭାବେ ସୁଲେଖାର ସୁନାମ ଥିଲା । କିନ୍ତୁ ତନ୍ମୟ ପାଇଁ ସୁଲେଖା ଥିଲା ପ୍ରଧାନଶିକ୍ଷକଙ୍କ ନିକଟତର ହେବା ପାଇଁ ଗୋଟେ ମାଧ୍ୟମ, ଗୋଟେ ଯୋଗସୂତ୍ର । ତାହାଠୁଁ ବଳି ଆଉ କିଛି ଭାବେ ତନ୍ମୟ କେବେ ସୁଲେଖାକୁ ଦେଖି ନଥିଲା ।

 

ସେଇ ସୁଲେଖା ଚାଳିଶ ବର୍ଷ ଧରି ତନ୍ମୟର ତୁଚ୍ଛ ପିତ୍ତଳ ମୁଦିଟାକୁ ତା ହାତରେ ପିନ୍ଧୁଥିବ, ଏକଥା ସେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ପାରି ନ ଥାନ୍ତା ।

 

ଭୋଜି ପୂର୍ବରୁ ସେମାନେ ଚାରି ପାଞ୍ଚ ଜଣ ଗପସପ କରୁଥିଲେ । ପ୍ରମିଳା କହିଥିଲା, “ଚାଲ, ଆମେ ସମସ୍ତେ ପରସ୍ପର ଭିତରେ ନିଜ ନିଜର ଗୋଟେ ଗୋଟେ ଜିନିଷ ବଦଳେଇନେବା । ସେଇ ଜିନିଷଟି ଥିବା ଯାଏ ଆଉ କିଛି ହେଉ ନ ହେଉ ସାଙ୍ଗଟିର କଥା ତ ମନେ ରହିବ ।”

 

ପ୍ରମିଳା ମୁଣ୍ଡକୁ ସବୁବେଳେ ଏମିତି ନୂଆ ନୂଆ ବୁଦ୍ଧି ଆସେ । ସେମାନେ ତା କଥାରେ ରାଜି ହୋଇଥିଲେ ।

 

ହଠାତ୍‌ ଆଉ କେହି କିଛି ଦେବା ଆଗରୁ ସୁଲେଖା ତା ଡାହାଣ ହାତର ମୁଦିଟି ବାହାର କରି ତନ୍ମୟ ହାତରେ ପିନ୍ଧେଇ ଦେଇଥିଲା ।

 

ତନ୍ମୟ ଆଶ୍ଚର୍ଯ୍ୟ ହୋଇଥିଲା, ରୋମାଞ୍ଚିତ ବି । ଗୋଟେ କିଶୋରୀ ଦେହର ସ୍ପର୍ଶ ସେଇ ଥିଲା ତା ଜୀବନରେ ପ୍ରଥମ । ସେ ମଧ୍ୟ ତା ହାତର ପିତ୍ତଳ ମୁଦିଟି କାଢ଼ି ସୁଲେଖା ହାତକୁ ବଢ଼େଇ ଦେଇଥିଲା ।

 

ପ୍ରମିଳା ପଚାରିଥିଲା, “ସିଏ ତ ଆଙ୍ଗୁଳିରେ ପିନ୍ଧେଇଦେଲା, ତୁ ଖାଲି ତା ହାତକୁ ବଢ଼େଇ ଦେଉଛୁ କାହିଁକି ? କଣ ଲାଜ ମାଡ଼ୁଛି ?”

 

ପ୍ରମିଳା ତାକୁ ଗୋଟେ କଲମ ଦେଇଥିଲା, ଗୌରୀ ଦେଇଥିଲା ଗୋଟେ ରୁମାଲ । ସୁଶାନ୍ତ ଦେଇଥିଲା ଖଣ୍ଡେ କବିତା ବହି । ତନ୍ମୟ ମଧ୍ୟ ସେମାନଙ୍କୁ ତାର ବହି, କଲମ ଓ ରୁମାଲ ଉପହାର ଦେଇଥିଲା । ତାପରେ ଭୋଜି ଖାଇସାରି ସେମାନେ ହଷ୍ଟେଲ୍‌କୁ ଫେରିଥିଲେ । ସୁଲେଖା ଫେରିଯାଇଥିଲା ପ୍ରଧାନଶିକ୍ଷକଙ୍କ କ୍ୱାଟର୍ସକୁ ।

 

ହଷ୍ଟେଲ୍‌କୁ ଫେରି ତନ୍ମୟ ମୁଦି ଅଦଳ ବଦଳର ଲାଭକ୍ଷତି ଦିଗଟି ସମ୍ପର୍କରେ ସଚେତନ ହୋଇଯାଇଥିଲା । ତାର ସେ ପିତ୍ତଳ ମୁଦିଟି ତୁଳନାରେ ସୁଲେଖାର ମୁଦିଟି ଶସ୍ତା ନୁହେଁ ତ ? ତନ୍ମୟକୁ ସେ ମୁଦିଟି ଜଣେ ବାବାଜୀଠୁଁ ଆଣି ତା ମାଆ ଦେଇଥିଲେ–ସେ ମୁଦି ପିନ୍ଧିଲେ ଡର ଭୟ ରହିବ ନାହିଁ, ରାତି ଅଧରେ ସୁଦ୍ଧା ମଶାଣି ଦେଇ ଚାଲିଗଲେ ଭୂତପ୍ରେତ କିଛି କ୍ଷତି କରିପାରିବେ ନାହିଁ ।

 

ସୁଲେଖାର ମୁଦିଟି ସୁନା ପରି ଚକ୍‌ ଚକ୍‌ କରୁଥିଲା । ଏଇଟା କଣ ସତରେ ସୁନା ? ତନ୍ମୟ ସକାଳ ହେଲାକ୍ଷଣି ସୁନା ବ୍ୟବସାୟୀର ପୁଅ ଲକ୍ଷ୍ମୀଧରକୁ ପଚାରିଥିଲା, “ଦେଖିଲୁ ଲକ୍ଷ୍ମୀଧର, ମୁଦିଟା ସୁନା ନା ପିତ୍ତଳ ?”

ମୁଦିଟିର ବସ୍ତୁ ମୂଲ୍ୟ ନେଇ ତନ୍ମୟ ଲାଭକ୍ଷତି ଚିନ୍ତା କଲାବେଳେ ନୂଆଗାଁ ହାଇସ୍କୁଲ୍‌ ଆମ୍ବତୋଟାରେ ହଜାର ହଜାର ଆମ୍ବ ବଉଳର ଚଣା ଧରି ଆସୁଥିଲା । ବଉଳ ବାସ୍ନାରେ ଆମୋଦିତ ହୋଇ ଯାଉଥିଲା ସ୍କୁଲ୍‌ ପଡ଼ିଆ । ଶୁକ୍ଳପକ୍ଷ ଆକାଶରେ ଜହ୍ନ ହସୁଥିଲା । ସ୍କୁଲ୍‌ର ସେ ମୁଣ୍ଡକୁ ହେଡ଼୍‍ମାଷ୍ଟ୍ରଙ୍କ ଦୁଇ ବଖୁରିଆ କ୍ୱାର୍ଟର୍ସରେ ଶୋଇଥିଲା ସୁଲେଖା । ଆମ୍ବ ବଉଳ, ଜହ୍ନରାତି ଓ କିଶୋରୀ ସୁଲେଖାମନସ୍କ ହୋଇ ସେ ସେଇ ରାତିଟା ବିତେଇ ଦେଇ ପାରିଥାଆନ୍ତା ! ନା, ତନ୍ମୟ ସେଦିନ ଏତେ ବେଗରେ ଧାଉଁଥିଲା ଯେ ଆବେଗର ଗୁଳ୍ମଗୁଡ଼ିକ ତା ଆଖିରେ ପଡ଼ୁ ନଥିଲା । ତେଣୁ ସେ ସବୁକଥାକୁ ଭାବ ନୁହେଁ, କେବଳ ବସ୍ତୁ ମୂଲ୍ୟରେ ହିଁ କଳନା କରୁଥିଲା–ସମ୍ପର୍କକୁ, ସ୍ନେହକୁ, ଏପରିକି ପ୍ରେମକୁ ବି ।

ଲକ୍ଷ୍ମୀଧର କହିଥିଲା, “କେବଳ ସୁନା ନୁହେଁ, ଖାଣ୍ଟି ସୁନା ।”

ପ୍ରଥମଥର ପାଇଁ ସୁଲେଖା ସମ୍ପର୍କରେ ଗମ୍ଭୀର ଭାବେ ଚିନ୍ତା କରିଥିଲା ତନ୍ମୟ । ଏମିତି କଣ କଥା ନହସରେ କେହି ନିଜ ହାତର ଦାମୀ ସୁନା ମୁଦିଟାକୁ କାଢ଼ି ଅନ୍ୟକୁ ପିନ୍ଧେଇ ଦେଇପାରେ !

ପରଦିନ ହେଡ଼୍‍ମାଷ୍ଟରଙ୍କଠାରୁ ଇଂରାଜୀ ନୋଟ୍‌ ଫେରେଇ ଆଣିବାକୁ ଗଲାବେଳେ ସୁଲେଖା ସାଙ୍ଗେ ଦେଖା ହୋଇଥିଲା ତନ୍ମୟର । ସୁଲେଖା ମୁଣ୍ଡବାଳ ଧୋଇ କ୍ୱାଟର୍ସର ଅଗଣାରେ ଖରା ପୋଉଁଥିଲା । ତାର ଲମ୍ବାବାଳ ବେକ ପିଠି ଘୋଡ଼େଇ ଅଣ୍ଟାଯାଏ ଲମ୍ବି ଆସିଥିଲା । ତନ୍ମୟକୁ ଦେଖି ସେ ଚଉଁରା ପର୍ଯ୍ୟନ୍ତ ଖୁସିରେ ଧାଇଁ ଆସିଥିଲା ।

ତନ୍ମୟ ପଚାରିଥିଲା, “ସାର୍‌ ନାହାନ୍ତି ?”

ତୁମେ ତାହେଲେ ବାପାଙ୍କ ପାଖକୁ ଆସିଥିଲ ? ମୁଁ ଭାବିଲି... ।

ଦୁଷ୍ଟାମିର ହସ ହସି ସୁଲେଖା କହିଥିଲା । ବାଧ୍ୟହୋଇ ତନ୍ମୟ କହିଥିଲା, “ନା ନା, ମୁଁ ତୁମକୁ ବି ଗୋଟେ କଥା ପଚାରିବାକୁ ଆସିଥିଲି । ଲକ୍ଷ୍ମୀଧର କହୁଚି ଏଇଟା ଖାଣ୍ଟି ସୁନା ମୁଦି । ତାହାହେଲେ ତ ଏଇଟିର ବହୁତ ଦାମ୍‌ ହୋଇଥିବ । ତମେ ପିତ୍ତଳ ମୁଦିଟା ବଦଳରେ ଦାମୀ ସୁନା ମୁଦି ଦେବା... ।”

ତନ୍ମୟର କଥା ସମ୍ପୂର୍ଣ୍ଣ ହେବାକୁ ଦେଇ ନ ଥିଲା ସୁଲେଖା । ହସି ହସି କହିଥିଲା, “ତୁମେ ଏହା ଭିତରେ ସେ ବଣିଆ ଟୋକାକୁ ନେଇ ମୁଦିଟାକୁ ଦେଖେଇ ଆସିଲଣି ? ଧନ୍ୟ କହିବ ତୁମକୁ ! ଏଇ ବୁଦ୍ଧିରେ କେମିତି କ୍ଲାସ୍‌ରେ ଫାଷ୍ଟ୍‌ ହେଉଛ ? ସେଥିପାଇଁ ଚିନ୍ତା କର ନାହିଁ । ସୁନା କଣ, ମୋ ପାଖେ ହୀରା ମୁଦି ଥିଲେ ବି ତୁମକୁ ପିନ୍ଧେଇ ଦେଇଥାନ୍ତି । ସମ୍ପର୍କ ପାଖରେ ପିତ୍ତଳ, ସୁନା, ହୀରା ସବୁ ତୁଚ୍ଛ । ମୋତେ ଭୁଲିବ ନାହିଁ । ବଡ଼ ହେଲେ ତମେ କଣ ଆସି ମୋତେ ଏହାଠୁ ଆହୁରି ସୁନ୍ଦର ମୁଦିଟେ ପିନ୍ଧେଇ ଦେବନି ? ମୁଁ ତୁମ ମୁଦି ପାଇଁ ଅପେକ୍ଷା କରିବି ।”

ଚମକି ପଡ଼ିଥିଲା ତନ୍ମୟ । ଏକଥା କହିଲାବେଳେ ସୁଲେଖା ସତରେ ଯେ ଗମ୍ଭୀର ହୋଇ ପଡ଼ିଥିଲା ତାହା ସେ ସେଦିନ ବୁଝିପାରି ନ ଥିଲା କି ବୁଝିବାକୁ ଚେଷ୍ଟା କରି ନ ଥିଲା । କିନ୍ତୁ ଆଜି ବୁଝୁଛି । କିନ୍ତୁ ସେକଥା ବୁଝିବା ବେଳକୁ ବହୁତ ବିଳମ୍ବ ହୋଇଗଲାଣି ।

 

କଣ ହୋଇଥାଆନ୍ତା ଯଦି ସେ ପ୍ରକୃତରେ ସେଦିନ ସୁଲେଖାକୁ ବୁଝିବାକୁ ଚେଷ୍ଟାକରି ଥାଆନ୍ତା । ବିଦେଶକୁ ନ ଗଲା ନାହିଁ, କୋଉ ଦେବଗଡ଼, ସୋନପୁର, ଫୁଲବାଣୀ, ନ ହେଲେ ବଲାଙ୍ଗୀର ଡାକ୍ତରଖାନାରେ ଚାକିରି କରିଥାଆନ୍ତା । ପାଖରେ ସୁଲେଖା ପରି ସ୍ତ୍ରୀଟିଏ ଥାଆନ୍ତା–ଯିଏ ତା ପରି ଗୋଟିଏ ମଣିଷ ପାଇଁ କୈଶୋରର ସ୍ମୃତିକୁ ପଣ କରି ସାରା ଜୀବନ ଏକଲା ଏକଲା ବିତେଇ ଦେଲା !

 

ଆଉ ଥରେ ସୁଲେଖାର ସେ ସୁନା ମୁଦିଟାକୁ ଖୋଜିବା ପାଇଁ ବାହାରୁଥିଲା ତନ୍ମୟ । କିନ୍ତୁ ଗଲା ଚାଳିଶ ବର୍ଷ ଧରି ସେ ଯେଉଁଟିକୁ ଉପେକ୍ଷା ଓ ଅନାଦର ଭିତରକୁ ଫିଙ୍ଗିଦେଇଥିଲା ସେଇଟି ଆଜି ପ୍ରୟୋଜନ ବେଳେ ଆଦୌ ମିଳୁ ନ ଥିଲା ।

 

ସନ୍‌ ଫ୍ଲାୱାର ନର୍ସିଂହୋମ୍‌ରେ କାଲି ଆକସ୍ମିକ ଭାବେ ତନ୍ମୟ ଭେଟିଥିଲା ସୁଲେଖାକୁ । ଅପରେସନ୍‌ ଟେବୁଲ୍‌ ଉପରକୁ ଯିବା ଆଗରୁ ବୟସ୍କା ନାରୀଟିର ହାତ ଆଙ୍ଗୁଳି ଉପରେ ଦୃଷ୍ଟି ପଡ଼ିଯିବାକ୍ଷଣି ସେ ଚମକି ପଡ଼ିଥିଲା । ଚାଳିଶ ବର୍ଷ ପରେ ବି ତାର ପିଲାଦିନର ସେଇ ପିତ୍ତଳ ମୁଦିଟିକୁ ଚିହ୍ନିବାରେ ତାର ସମସ୍ୟା ହୋଇନଥିଲା । ‘ଓଁ’ ମୁଦ୍ରାର ତିଆରି ମୁଦିଟା ଉପରେ ଥିଲା ଇଂରାଜୀ ଅକ୍ଷରଟି–ତା ନାଆଁର ପ୍ରଥମ ଅକ୍ଷର । ସେ ଆନନ୍ଦ ଓ ଉତ୍ତେଜନାରେ ହୁଏତ ଚିତ୍କାର କରି ଉଠିଥାଆନ୍ତା । ମାତ୍ର ନର୍ସିଂହୋମ୍‌ର ପରିବେଶ ଏତେ କରୁଣ ଥିଲା ଯେ ତା ଭିତରେ ସେ ପାଟି ଖୋଲିପାରି ନ ଥିଲା ।

 

ସେଇଠୁଁ ମନେପଡ଼ିଥିଲା ନୂଆଗାଁ, ନୂଆଗାଁ ହାଇସ୍କୁଲ୍‌ ଓ ସେଇ ହାଇସ୍କୁଲ୍‌ରେ ବିତିଥିବା ଚାରିଟି ବର୍ଷ ।

 

ଗୋଟେ ଅପରାଧବୋଧରେ ତନ୍ମୟ ଅସ୍ଥିର ହୋଇ ପଡ଼ୁଥିଲା । ଯୋଉ ମୁଦି ଅଦଳବଦଳ ପ୍ରସଙ୍ଗଟିକୁ ପିଲାଳିଆମି ଭାବି ସେ ପ୍ରାୟତଃ ଭୁଲିଯାଇଥିଲା, ଆଜି ସେଇଟି ତା ଜୀବନରେ ଖୁବ୍‌ ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ମନେ ହେଉଥିଲା । ହୁଏତ ସୁଲେଖାର ସେ ମୁଦିଟି ମିଳିଗଲେ ସେ କାଲି ତାକୁ ଭେଟନ୍ତା, ପରିଚୟ ଦିଅନ୍ତା । ନିଜ ତରଫରୁ ଭୁଲ୍‌ ମାଗି ନିଅନ୍ତା–“ତମ କଥା ମନେ ରଖିପାରି ନାହିଁ, ତମକୁ ମୁଦିଟେ ପିନ୍ଧେଇ ଦେଇପାରି ନାହିଁ ।”

 

ମାତ୍ର ମୁଦିଟି ମିଳୁ ନ ଥିଲା । ଚାଳିଶ ବର୍ଷ ଭିତରେ ବାହାଘର ଓ ବ୍ରତଘର ପାଇଁ ମୁଦି କିଣାଯାଇଛି ଓ ଦିଆଯାଇଛି । ସମୟେ ସମୟେ ପୁରୁଣା ଗହଣା ଭଙ୍ଗାଯାଇ ନୂଆ ଡିଜାଇନ୍‌ର ଗହଣା ତିଆରି କରାଯାଇଛି । ତା ଭିତରେ ସୁଲେଖାର ମୁଦିଟି କୁଆଡ଼େ ଯେ ନିଖୋଜ ହୋଇଯାଇଛି ତାହା ଜାଣିବାର ଉପାୟ ନାହିଁ ।

 

ସେ ନିଜକୁ ନିଜେ ଭର୍ତ୍ସନା କଲା । ସୁଲେଖା ଝିଅଟେ ହୋଇ ଗୋଟେ ପୁରୁଷ ବନ୍ଧୁର ମୁଦିଟିକୁ ଏତେ ବର୍ଷକାଳ ପିନ୍ଧିରଖିବାର ସାହସ ଓ ନିଷ୍ଠା ଦେଖେଇ ପାରିଲା; ଅଥଚ ପୁଅଟେ ହୋଇ ସେତକ ନିଷ୍ଠା ସେ ନିଜେ ଦେଖେଇ ପାରିଲା ନାହିଁ ! କାଲି ଯଦି ସୁଲେଖା ତାକୁ ଚିହ୍ନିପାରି ହଠାତ୍‌ ତା ମୁଦିଟି ବିଷୟରେ ପଚାରି ବସେ, ତାହାହେଲେ ତାକୁ ସେ କି ଉତ୍ତର ଦେବ ?

 

ଗଭୀର ଅସ୍ୱସ୍ତିରେ ତନ୍ମୟର ରାତିଟା ବିତିଥିଲା । ଏତେ ପରିଶ୍ରମ ଓ ଖୋଜାଖୋଜି ପରେ ଅନ୍ତତଃ ମୁଦିଟି ମିଳିଯାଇଥିଲେ ସେ ଆଶ୍ୱସ୍ତ ହୋଇଥାଆନ୍ତା ।

 

ନର୍ସିଂହୋମ୍‌ରେ ପହଞ୍ଚୁ ପହଞ୍ଚୁ ଡାକ୍ତର ଅଗ୍ରୱାଲ ଦେଖା ହେଲେ । ସୁଲେଖା ତାଙ୍କରି ରୋଗୀ । ନିଜର କୌତୂହଳକୁ ଚାପି ରଖି ତନ୍ମୟ ପଚାରିଲା, “ଆପଣଙ୍କ ପେସେଣ୍ଟ୍‌ କିପରି ଅଛି-?”

 

ଡାକ୍ତର ଅଗ୍ରୱାଲ କ୍ଷୀଣ ହସ ହସିଲେ । ଏ ହସ ଯେ କାନ୍ଦଠୁଁ କରୁଣ, ତନ୍ମୟ ଜାଣେ । ପ୍ରଥମ ଥର ପାଇଁ ସେ ଅନୁଭବ କରୁଥିଲା ଯେ ସେ ଡାକ୍ତର ହୋଇ ରହି ନାହିଁ, କେତେବେଳୁ ସୁଲେଖାର ସମ୍ପର୍କୀୟ ପାଲଟି ଯାଇଛି । ସେ ଅଧୈର୍ଯ୍ୟ ଭାବେ କହିଲା, “ମୁଁ ଟିକେ ତାଙ୍କୁ ଦେଖିପାରିବି ?”

 

ଡାକ୍ତର ଅଗ୍ରୱାଲ ଇଣ୍ଟେନସିଭ୍‌ କେୟାର୍‌ ୟୁନିଟ୍‌ ଆଡ଼େ ହାତ ଠାରିଦେଇ ଚାଲିଗଲେ ।

 

ଆଇ.ସି.ୟୁ. ଭିତରଟା ଖୁବ୍‌ ଥଣ୍ଡା । ସୁଲେଖା ଆଖି ବୁଜି ଶୋଇଥିଲା । ତାକୁ ଥରେ ଆଖି ଭର୍ତ୍ତି କରି ଦେଖିନେଉଥିଲା ତନ୍ମୟ । ସେଇ ପିଲାଳିଆ ମୁହଁ ସେମିତି ରହିଛି । ବୟସର ଛାପରେ ସେ ମୁହଁ ଯେତେ ବଦଳି ନାହିଁ ରୋଗ ପାଇଁ ବଦଳିଯାଇଛି ବେଶୀ । ତା ହାତରେ ସାଲାଇନ୍‌ ଲାଗିଚି । ନାକ ପୁଡ଼ାରେ ଅକ୍ସିଜେନ୍‌ । ଆଞ୍ଜିଓଗ୍ରାମ୍‌ରେ ସୁଲେଖା ହୃତ୍‌ଯନ୍ତ୍ରର କ୍ରିୟା ପ୍ରତିକ୍ରିୟା ଗ୍ରାଫ୍‌ କାଟି ଯାଉଛି । ଆଖି ଯୋଡ଼ିକ ମୁଦି ସତେ କି ଗହନ ନିଦରେ ଶୋଇଛି ସୁଲେଖା-

 

ଡାକ୍ତର ତନ୍ମୟକୁ ଦେଖି ସିଷ୍ଟର ଓ ଜୁନିୟର ଡାକ୍ତର ଦି ଜଣଯାକ ଧାଇଁ ଆସିଲେ । ତନ୍ମୟ ପଚାରିଲା, ‘ୟାଙ୍କର ରିଲେଟିଭ୍‌ କେହି ଅଛନ୍ତି ?’ ସିଷ୍ଟର୍‌ ଜଣକ ନିରବରେ ଆଇ.ସି.ୟୁ. ସାମ୍ନା ବେଞ୍ଚରେ ବସିଥିବା ଜଣେ ବୟସ୍କ ଲୋକଙ୍କୁ ଦେଖେଇଦେଲା ।

 

ତନ୍ମୟ ସୁଲେଖାର ପାଦକୁ ଛୁଇଁଲା । ଶୀତଳ ଲାଗୁଛି । ଇଚ୍ଛା ବିରୋଧରେ ସେ କନିଷ୍ଠ ଡାକ୍ତର ଜଣକୁ ଚାହିଁ ଆଖିର ଇସାରାରେ ପଚାରିଲା, “ଆଶା ଅଛି ?”

 

ଡାକ୍ତର ଅଗ୍ରୱାଲଙ୍କ ପରି କନିଷ୍ଠ ଡାକ୍ତର ଜଣକ ମଧ୍ୟ ନିରବ ରହିଲେ । ତନ୍ମୟ ତାଙ୍କର ହାତଟିକୁ ଚାପି ଧରି କହିଲେ, ‘ମୁଁ ଆସୁଛି । ଲେଟ୍‌ ଅସ୍‌ ହୋପ୍‌ ଫର୍‌ ଦି ବେଷ୍ଟ୍‌ ।”

 

ଲମ୍ବା ବାରଣ୍ଡାର ଗୋଟିଏ କୋଣକୁ ଭଦ୍ରଲୋକ ଜଣକ ଲୋଚାକୋଚା ହୋଇ ବସିଥିଲେ । ବୟସ ଖୁବ୍‌ ବେଶି ହେଲେ ଚାଳିଶ ପଇଁଚାଳିଶ ହେବ । ମଫସଲୀ ଚେହେରା । ଏଇ ନିଶ୍ଚୟ ସୁଲେଖାର ସ୍ୱାମୀ ହୋଇଥିବେ । ତନ୍ମୟ ତାଙ୍କୁ ଭେଟିବା ପୂର୍ବରୁ ମାନସିକ ପ୍ରସ୍ତୁତି ନେଲା । ସେ କଣ ଜାଣିଥିବେ ତାକୁ ? ସୁଲେଖା କଣ କେବେ ତା ବିଷୟରେ ତା ସ୍ୱାମୀକୁ କହିଥିବ ! ଯଦି କହିଥାଏ, କି ଧରଣର ପରିଚୟ ସୁଲେଖା ଦେଇଥିବ ତାଙ୍କ ପାଖରେ ? ସେ ବା ସୁଲେଖା ବିଷୟରେ କଣ ଯାଇ ପଚାରିବ ? କେବଳ ସହାନୁଭୂତି ଜଣେଇବ ଜଣେ ଡାକ୍ତର ହିସାବରେ ? କହିବ, ଜନ୍ମ ଆଉ ମୃତ୍ୟୁ କେବଳ ଈଶ୍ୱରଙ୍କ ଅଧୀନ । ମଣିଷ କିଛି କରି ପାରିବ ନାହିଁ ।

 

ଏମିତି ଭାବୁ ଭାବୁ ତନ୍ମୟ ଯାଇ ଲୋକଟି ସାମ୍ନାରେ ଛିଡ଼ା ହୋଇ ସାରିଥିଲା । ଭଦ୍ରଲୋକ ଉଠିପଡ଼ି ଅତି ବ୍ୟସ୍ତ ସ୍ୱରରେ ପଚାରିଲେ, “ସୁଲ କେମିତି ଅଛି ଡାକ୍ତରବାବୁ ?”

 

ଜୀବନରେ ଏହିଭଳି ଅସ୍ୱସ୍ତିକର ମୁହୂର୍ତ୍ତ ଅନେକବାର ସାମ୍ନା କରିଛି ତନ୍ମୟ । ଛାତି ଉପରେ ପଥର ରଖି, ଆବେଗ ଉପରେ ପାହାଡ଼ ଚାପିଧରି ଶୀତଳ ଭାବେ ରୋଗୀ କି ରୋଗିଣୀର ମୃତ୍ୟୁ ଖବର ଦେଲାବେଳେ ଡାକ୍ତର ମଧ୍ୟ କିଛି ପରିମାଣରେ ମରିଯାଏ । ସେ ଧୀର ଗଳାରେ କହିଲା, “ଈଶ୍ୱରଙ୍କୁ ଡାକନ୍ତୁ । ସେଇ ହିଁ ବଡ଼ଲୋକ ।”

 

ଏଥର ତନ୍ମୟର ପଚାରିବାର ପାଳି । ପଚାରିବ କି କଣ କରୁଛନ୍ତି ଆପଣ ? କୋଉଁଠି ରହନ୍ତି ? କେତୋଟି ପୁଅଝିଅ ? ସେମାନେ କଣ କରୁଛନ୍ତି ? ସୁଲେଖା କେବେ ତନ୍ମୟ ବୋଲି ଗୋଟେ ପିଲା କଥା କିଛି କହିଛି କି ଆପଣଙ୍କୁ... ?

 

ନା, ଏତେଗୁଡ଼ାଏ ପ୍ରଶ୍ନ ସେ ଏକାଥରକେ ପଚାରି ପାରନ୍ତା ନାହିଁ । ରୋଗିଣୀ ସ୍ତ୍ରୀର ଦେଖାଶୁଣା କରିବାକୁ ଆସିଥିବା ସ୍ୱାମୀଟିକୁ ଏତେ କଥା ପଚାରି ବିରକ୍ତ କରିବା ଉଚିତ ହେବ ନାହିଁ-

 

ତନ୍ମୟ ପଚାରିଲା, “ଆପଣ କଣ ତାଙ୍କର... ?”

 

: ଭାଇ । ମୁଁ ସୁଲର ଦାଦାପୁଅ ଭାଇ । ଭଦ୍ରଲୋକ ଉତ୍ତର ଦେଲେ ।

 

ଭାଇଟିକୁ ସ୍ୱାମୀ ବୋଲି ଧରିନେଇ ଥିବାରୁ ତନ୍ମୟ ମନେ ମନେ ଲଜ୍ଜିତ ହେଲା । ପଚାରିଲା, “ଆଚ୍ଛା, ତାଙ୍କ ସ୍ୱାମୀ କଣ ଆସି ନାହାନ୍ତି ? ମୁଁ ତାଙ୍କୁ ଟିକେ ଭେଟି ପାରିବି ?”

 

ଲୋକଟି ମୁହଁ ଟେକି ତନ୍ମୟକୁ ଚାହିଁଲା । ପକେଟ୍‌ରୁ ମଳିଛିଆ ରୁମାଲଟିଏ ବାହାର କରି ଆଖି ପୋଛିଲା ଓ କହିଲା, “ସେ କଣ ବାହା ହୋଇଥିଲା ଯେ, ତାର ସ୍ୱାମୀ ଆସିବେ ଡାକ୍ତରବାବୁ ! ବିଚାରୀ ଭାରି ଦୁଃଖୀ । ପିଲାଦିନେ କାହାକୁ ଭଲପାଉଥିଲା ଯେ ତାକୁ ଅପେକ୍ଷା କରି କରି ଜୀବନ ସାରା ଅଭିଆଡ଼ୀ ରହିଗଲା ।”

 

ତନ୍ମୟର ପାଦତଳୁ କିଏ ଯେମିତି ଫାଶୀକୂଅର କାଠପଟାଟିକୁ ଘୋଷାରି ନେଉଛି । ବେକ ଚାରିପଟେ ଦଉଡ଼ି ଗଣ୍ଠି କଷି ହୋଇଆସୁଛି । କେହି ଜଣେ ତା ମୁହଁ ଉପରେ ଢାଙ୍କି ଦେଉଛି ଗୋଟେ କଳା କନା । ମୁହୂର୍ତ୍ତକରେ ସେ ଅନ୍ଧାରି କୂଅ ଭିତରକୁ ଖସିପଡ଼ୁଛି ।

 

ତରତର ପାଦରେ ଲୋକଟି ପାଖରୁ ସେ ଫେରିଆସିଲା । ଆଉ ଥରେ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ କବାଟର କାଚ ଦେଇ ସୁଲେଖାକୁ ଚାହିଁଲା । ସୁଲେଖାର ଛାତି ଉଠୁଛି ପଡ଼ୁଛି । ଧଳା ଚାଦରରେ ଢାଙ୍କି ହୋଇ ଶୋଇଛି ସୁଲେଖା, ଗାଢ଼ ନିଦରେ ଶୋଇବା ପରି । ତା ପାଖେ ତନ୍ମୟର କୌଣସି କଥା ଏବେ ପହଞ୍ଚି ପାରିବ ନାହିଁ ।

 

ସେ ବେତ୍ରାହତ ପରି ପୋର୍ଟିକୋକୁ ଓହ୍ଲାଇ ଆସି ଗାଡ଼ିରେ ବସିଲା । ବାରମ୍ବାର ସୁଲେଖାର ସେଇ କଥା ଦି’ପଦ ହାତୁଡ଼ିର ଆଘାତ ପରି ତା ଛାତି ଉପରେ ବାଡ଼େଇ ହୋଇଯାଉଥିଲା–“ତୁମେ ଯାଅ, ଯେଉଁଦିନ ତୁମର ମନ ହେବ ସେଦିନ ଆସି ସୁନା ମୁଦିଟେ ପିନ୍ଧେଇ ଦେବ । ତମ ମୁଦି ପାଇଁ ମୁଁ ଅପେକ୍ଷା କରିବି ।” ସେଇ କଥା ଦି’ପଦର ଆଘାତରେ ତାର ଯଶ, ଖ୍ୟାତି, ପ୍ରତିଷ୍ଠା ସବୁ କିଛି କାଚଘର ପରି ଭାଙ୍ଗି ଭୁଶୁଡ଼ି ପଡ଼ୁଥିଲା । ତାର ଅନୁଭବ ହେଉଥିଲା, ତାରି ଅବହେଳା ପାଇଁ ଦିନେ ମମତା ଯେମିତି ଆଖି ବୁଜିଲା, ସେମିତି ଆଜି ସୁଲେଖା ମୃତ୍ୟୁ ସାଙ୍ଗରେ ଲଢ଼େଇ କରୁଛି । ଆଖି ସାମ୍ନାରେ ସୁଲେଖାର ସେହି ପନ୍ଦର-ଷୋହଳ ବର୍ଷର ଚେହେରା ଛିଡ଼ା ହୋଇ ବାରମ୍ବାର ଗୋଟେ ପ୍ରଶ୍ନ ପଚାରୁଥିଲା, “କୁହ, କେତେ ମାସ, କେତେ ବର୍ଷ ଗୋଟେ ନାରୀ ଆଉ ଅପେକ୍ଷା କରିବ ? ତାର ପ୍ରେମ ପାଇଁ ଆଉ କେତେ ଲୁହ, କେତେ ଦୀର୍ଘଶ୍ୱାସ ଅଜାଡ଼ିବାକୁ ହେବ ତମ ଆଗରେ ?”

☆☆☆

 

Unknown

ସାହସ

 

ସୀମାଞ୍ଚଳ ପରି ବିଶ୍ୱସ୍ତ ପିଲା ମିଳିବା ପ୍ରକୃତରେ କଷ୍ଟ । ମୁଁ ମନକୁ ମନ କହେ ।

 

ସୀମାଞ୍ଚଳର କଇଁଚି ମୋ ମୁଣ୍ଡବାଳ ଉପରେ ମେସିନ୍‌ ପରି ଚାଲେ । ପରିଚିତ ବାଟୋଇ ଅଙ୍କାବଙ୍କା ରାସ୍ତା ଦେଇ ନିର୍ଭୁଲ ଠିକଣାରେ ପହଞ୍ଚିଗଲା ପରି ତାର କଇଁଚି ଚାଲେ ନିର୍ଭୁଲ ଠାଣିରେ । ସେ ଗୋଟିଏ ପରେ ଗୋଟିଏ ଗପ ଯୋଡ଼ି ଚାଲେ । ଗ୍ରାହକର ମନ ଜିଣିବାରେ ଟୋକାଟିର ଅପୂର୍ବ ଦକ୍ଷତା ।

 

ତା ଗପର କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ନ ଥାଏ । କେବେ କ୍ରିକେଟ୍‌ ମ୍ୟାଚ୍‌, କେବେ ବଜାର ଦର ତ କେବେ ସିନେମାର ହିରୋ ହିରୋଇନ୍‌ଙ୍କ କଥା । ଢେର୍‌ ଦିନ ହେଲା ସେ ଆନ୍ଧ୍ରପ୍ରଦେଶର ତାର ଜନ୍ମଭୂମି ଛାଡ଼ି ଆସିଥିଲେ ବି ତେଲୁଗୁ ସିନେମାର ନାୟକ ନାୟିକା ଓ ସେଠିକାର ନେତା ନେତ୍ରୀଙ୍କ କଥା କହିବାକୁ ଭୁଲେ ନାହିଁ ।

 

ସୀମାଞ୍ଚଳଠାରୁ ହିଁ ପ୍ରଥମେ ମୁଁ ଲକ୍ଷ୍ମୀପାର୍ବତୀଙ୍କ କଥା ଶୁଣିଥିଲି । ସେ ତାଙ୍କୁ ପାର୍ବତୀ ଆମ୍ମା ନାଆଁରେ ସମ୍ବୋଧନ କରେ । ପାର୍ବତୀ ଆମ୍ମାର ନଜର କୁଆଡ଼େ ଏନ୍‌.ଟି.ଆର୍‌.ର ସମ୍ପତ୍ତି ଉପରେ ବୋଲି ସେ ତାର ନିଜଆଡ଼ୁ ଟିପ୍ପଣୀ ଦିଏ ।

 

ମୁଁ ତା କଥାରୁ ବୁଝେ, ବୁଢ଼ା ବୟସରେ ଏନ୍‌.ଟି ରାମାରାଓ ଲକ୍ଷ୍ମୀପାର୍ବତୀଙ୍କୁ ବାହାହେବା କଥାଟିକୁ ସୀମାଞ୍ଚଳ ପସନ୍ଦ କରି ନାହିଁ । ତେଲୁଗୁ ହୁଅନ୍ତୁ କି ଓଡ଼ିଆ ହୁଅନ୍ତୁ ସବୁ ଭାରତୀୟ ସାଧାରଣ ଲୋକ ଏ ମାମଲାରେ ରକ୍ଷଣଶୀଳ । ପୁଅଝିଅ, ନାତିନାତୁଣୀ ଥାଉ ଥାଉ ଆଉ ଜଣକୁ ବାହାହେବା କଥାଟିକୁ ସେମାନେ ଗ୍ରହଣ କରି ପାରନ୍ତି ନାହିଁ ।

ମୁଁ ତାକୁ ଚିଡ଼େଇବା ପାଇଁ କହେ, “ବୁଢ଼ା ବୟସରେ ଲୋକଟାର ଦେଖାଚାହାଁ କରିବାକୁ ତ କେହି ଜଣେ ଲୋଡ଼ା । ତୁ ହୋଇଥିଲେ କଣ ସେଇଆ କରି ନ ଥାନ୍ତୁ କି ?”

ସୀମାଞ୍ଚଳ ଦାଢ଼ିଖିଅର ଫେଣତକ ଗୋଟେ ଛୋଟ କାଗଜ ଚିରକୁଟିରେ ପୋଛି ଦେଉ ଦେଉ ନିଷ୍ପତ୍ତି ଶୁଣେଇଲା ପରି କୁହେ, “କେବେ ନୁହେଁ ।”

ମୁଁ ହସେ । ପାଖରେ ବସିଥିବା ଗ୍ରାହକମାନେ ବି ହସନ୍ତି ।

କିନ୍ତୁ ଏନ୍‌.ଟି.ଆର୍‌ ଅଭିନୀତ ସିନେମାଗୁଡ଼ିକ ସୀମାଞ୍ଚଳ ଖୁବ୍‌ ପସନ୍ଦ କରେ । କାମଦାମ ଛାଡ଼ିଦେଇ ସେ ସିନେମା ଦେଖିବାକୁ ପଳେଇଯାଏ । ସିନେମା ଦେଖି ଆସିବାର ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ତା ଓଠରେ ସେହି ସିନେମାର ଗୀତ ଗୁଣୁ ଗୁଣୁ ହେଉଥାଏ ।

‘ଭେଙ୍କଟେଶ୍ୱର ହେୟାର କଟ୍‌ ସେଲୁନ୍‌’କୁ ଗଲେ ମୁଁ ଆଗେ ସୀମାଞ୍ଚଳକୁ ଖୋଜେ । ସୀମାଞ୍ଚଳ ଆଉ କାହାର ବାଳ କାଟୁଥିଲେ ମୋତେ ଦେଖି ହସିଦେଇ ନମସ୍କାର କରେ ଓ କହେ “ଟିକିଏ ବସିଯାଆନ୍ତୁ । ୟା ପରେ ଆପଣଙ୍କ ପାଳି ।”

ଆନ୍ଧ୍ରପ୍ରଦେଶର ରାଜନୀତି କଥା ନେଇ ବହୁତ ଖବର ରଖେ ସୀମାଞ୍ଚଳ । ରାଜନୀତିର ଧାର୍‌ ଧରୁ ନ ଥିବା ତା ପରି ଗୋଟେ ସାଧାରଣ ପିଲା ମନରେ ଯେ ଏତେ କଥା କେମିତି ଖେଳୁଥାଏ ସେ ନେଇ ମୋ ପରି ରାଜନୀତି-ବିମୁଖ ଲୋକ ଆଶ୍ଚର୍ଯ୍ୟ ହୁଏ ।

 

ସେଦିନ ସୀମାଞ୍ଚଳକୁ ଲଣ୍ଡା ହେବାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ‘ତୁ ତ ସମସ୍ତଙ୍କ ଚୁଟି କାଟୁଛୁ । ତୋ ବାଳ କିଏ କାଟେ’ ବୋଲି କେତେଥର ତାକୁ ମୁଁ ପଚାରିଥିବି । ସେ ସେତେବେଳେ ତାର ଆଉ ଜଣେ ସାଙ୍ଗକୁ ଦେଖେଇ ଦେଇ କୁହେ, “ସେ ମୋର କାଟିଦିଏ, ଆଉ ମୁଁ ତାର ।” କିନ୍ତୁ ହଠାତ୍‌ ଲଣ୍ଡା ହୋଇ ପଡ଼ିବା କଣ ପ୍ରୟୋଜନ ପଡ଼ିଲା ? ମୁଁ ପଚାରିଲି, “କିରେ ତିରୁପତି ଯାଇଥିଲୁ କି ? ଲଣ୍ଡା ହୋଇଛୁ ଯେ !”

 

ସୀମାଞ୍ଚଳ ମୋତେ ଅନେଇଲା । ତା ଚାହାଣିରେ ମୁଁ ଗୋଟାଏ ନୂଆ ସୀମାଞ୍ଚଳକୁ ଆବିଷ୍କାର କରୁଥିଲି । ସେ କିଛି କହିବା ଆଗରୁ ସେଲୁନ୍‌ର ସବାସାନ ପିଲାଟି କହିଲା, “ଏନ୍‌.ଟି.ଆର୍‌ ପାଇଁ ଲଣ୍ଡା ହୋଇଛି ।”

 

ମୁଁ ପ୍ରସଙ୍ଗ ବଦଳେଇବା ପାଇଁ ବାଟ ଖୋଜୁଥିଲି । ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ଅଭିନେତାଙ୍କ ପରି ସେଠିକାର ନେତାମାନେ ବି ଈର୍ଷଣୀୟ ଲୋକପ୍ରିୟତା ଉପଭୋଗ କରନ୍ତି । ସେମାନେ ମରିଗଲେ ତାଙ୍କର ଅନୁରାଗୀମାନେ ଲଣ୍ଡା ହୁଅନ୍ତି । ନିଜ ପରିବାରର ଗୁରୁଜନ କେହି ମରିଗଲା ଭଳି ରୀତିନୀତି ପାଳନ୍ତି ।

 

ମୁଁ ସୀମାଞ୍ଚଳଠାରୁ ଆଖି ଫେରେଇ ଆଣି ସାନ ପିଲାଟିକୁ ପଚାରିଲି, “ତୁ କେବେଠୁଁ ରହିଲୁଣି ?”

 

ସେ ଭୀରୁ ଶଙ୍କିତ ଉତ୍ତର ଫେରେଇଲା, “ରବିବାରଠୁଁ ।”

 

ଭେଙ୍କଟେଶ୍ୱର ସେଲୁନ୍‌କୁ ଏମିତି ଜଣେ ଜଣେ ଆସନ୍ତି ଓ ଚାଲିଯାଆନ୍ତି । ସେଲୁନ୍‌ର ମାଲିକ ଏମାନଙ୍କୁ କୋଉଠୁ କେମିତି ଯୋଗାଡ଼ କରେ ଜାଣି ନ ପାରି ମୁଁ ଆଶ୍ଚର୍ଯ୍ୟ ହୁଏ । ଭାବେ, ଭଲ ଗୋଟେ ଟ୍ରେନିଂ ସେଣ୍ଟର୍‌ ଖୋଲିଛି !

 

ସେଲୁନ୍‌ର ମାଲିକଟି ଖୁବ୍‌ ଚୁପ୍‌ଚାପ୍‌ ଲୋକ । ଚାଲାକ ଚତୁର ବେପାରୀମାନେ ବୋଧହୁଏ ଏଣୁ ତେଣୁ ଗପନ୍ତି ନାହିଁ । ସେମାନେ ସବୁବେଳେ ନିଜ ବେପାର ନେଇ ବ୍ୟସ୍ତ ଥାଆନ୍ତି-। ରାଜଧାନୀ ଉପକଣ୍ଠର ଏହି ବଜାରଟି ଯେତେବେଳେ ଗଢ଼ି ଉଠୁଥିଲା, ସେତେବେଳେ ଏ ଲୋକଟି ରାସ୍ତାକଡ଼ରେ ଖଣ୍ଡିଏ ଚଉକି ପକେଇ ତାର ଭ୍ରାମ୍ୟମାଣ ସେଲୁନ୍‌ ଆରମ୍ଭ କରିଥିଲା-। ସୂର୍ଯ୍ୟଙ୍କ ଗତି ସାଙ୍ଗେ ସମନ୍ୱୟ ରକ୍ଷା କରି ସେ ତାର ସେଲୁନ୍‌ଟିକୁ ପୂର୍ବ ଓ ପଶ୍ଚିମ ଦିଗକୁ ଉଠେଇ ନେଉଥିଲା । ଧୀରେ ଧୀରେ ବଜାରର ଭିଡ଼ ବଢ଼ିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏଠି ଗୋଟାଏ ତିନି ମହଲା ମାର୍କେଟ୍‌ କମ୍ପ୍ଲେକ୍ସ ତୋଳି ଭଡ଼ା ଲଗେଇଲେ । ଭେଙ୍କଟେଶ୍ୱର ସେଲୁନ୍‌ର ମାଲିକ ତଳ ମହଲାର ଘରଟିଏ ଯୋଗାଡ଼ କରି ସେଇଠିକି ତା ଦୋକାନ ଉଠେଇ ଆଣିଲା । ହାତ ନ ଥିବା ଗୋଟାଏ ଚଉକି ବଦଳରେ କୁସନ୍‌ ପକା ଛଅ ଛଅଟି ଚଉକି ପକେଇଲା । କାନ୍ଥରେ ଶିବ, ପାର୍ବତୀ ଓ ଭେଙ୍କଟେଶ୍ୱରଙ୍କ ବଡ଼ ବଡ଼ ଫଟୋ ଟାଙ୍ଗିଲା । ଚାରିପଟେ ବାର୍‌ଲାଇଟ୍‌ ଜଳେଇଲା ଓ ମୁଣ୍ଡ ଉପରେ ପଙ୍ଖା ଲଗେଇଲା । ଏବେ ଭେଙ୍କଟେଶ୍ୱର ସେଲୁନ୍‌ ଏ ମାର୍କେଟ୍‌ର ସବୁଠୁ ଲୋକପ୍ରିୟ ସେଲୁନ୍‌ । ଅହୋରାତ୍ର ସିନେମା ଗୀତ ବାଜୁଥାଏ, ଅହୋରାତ୍ର ବାନରସେନା ପରି ତାର ପିଲାମାନେ ଗ୍ରାହକଙ୍କ ବାଳ କାଟୁଥାନ୍ତି, ଦାଢ଼ି ଖିଅର, ଧଳା ମୁଣ୍ଡବାଳ କଳା ଓ ଚାହିଦା ମୁତାବକ ମାଲିସ୍‌ ମଧ୍ୟ କରନ୍ତି ।

 

ଏତେ କମ୍‌ ସମୟ ଭିତରେ ଲୋକଟାର ଉନ୍ନତି ଦେଖି ମୁଁ ବିସ୍ମିତ ହୁଏ । ସରକାରୀ ଚାକିରି କରି ମୁଁ ମୋର ତିନିଜଣିଆ ପରିବାରଟିକୁ ଭଲ ଭାବେ ଚଳେଇ ପାରୁ ନ ଥିବାବେଳେ ଭେଙ୍କଟେଶ୍ୱର ସେଲୁନ୍‌ ମାଲିକର ସମୃଦ୍ଧି ମୋତେ ଈର୍ଷାନ୍ୱିତ କରେ । ବେଳେ ବେଳେ ସେହି ଈର୍ଷା ମୂଲାମୂଲି ସ୍ତରକୁ ଖସି ଆସେ ଓ ମୁଁ କହେ, “ସମସ୍ତେ ପାଞ୍ଚ ଟଙ୍କା ନେଲାବେଳେ ତୁମେ ଆଉ ଆଠଅଣା ବେଶି ନେଉଛ କାହିଁକି ?”

 

ପ୍ରଶ୍ନପତ୍ରଟି ଆଗରୁ ପାଇ ଯାଇଥିବା ପିଲା ଉତ୍ତର ଯୋଗାଡ଼ କରି ରଖିଥିବା ପରି ସେ କହେ, ‘ସେଠିକି ଗଲେ ଆପଣଙ୍କୁ ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡ଼ିବ । ଜମା ଦି ଦିଇଟା ସିଟ୍‌ ପକେଇଛନ୍ତି । ସମୟର କଣ ମୂଲ୍ୟ ନାହିଁ ? ଆପଣମାନେ କେଡ଼େ ବ୍ୟସ୍ତ ଲୋକ !’

 

ତା କଥାରୁ ମୁଁ ମୋର ଉତ୍ତର ତ ପାଏ, ବୋନସ୍‌ ପରି କିଛି ପ୍ରଶଂସା ବି । ଲୋକଟା ମିଛ କହୁନାହିଁ । ସକାଳ ସାତରୁ ରାତି ଦଶଟା ଯାଏ ଦୋକାନ ଖୋଲା ରଖି ବାଳକାଟିବା ଲାଗି ଖୁବ୍‌ କମ୍‌ରେ ସେ ଛଅ ସାତ ଜଣ ପିଲା ରଖିଥିବ । ସେଥିପାଇଁ ଆଠଣା ବେଶି ନେଉଛି ତ ନେଉ-

 

ମୁଁ ବନ୍ଧୁତାର ହାତ ବଢ଼େଇବା ଲାଗି ଦର ମୂଲାମୂଲି କଥା ଛାଡ଼ି ଆଉ କଥା ପଚାରେ, “ତମ ପିଲାମାନେ ଜଣକ ପରେ ଜଣେ ପଳେଇ ଯାଉଛନ୍ତି କାହିଁକି ? ସବୁଥର ଦେଖିବା ବେଳକୁ ନୂଆ ପିଲା !”

 

“ବଦମାସ୍‌ଗୁଡ଼ାକ । ଖାଲି ସିନେମା ଦେଖିବେ, ବିଡ଼ି ଫୁଙ୍କିବେ ଓ ଲାଇନ୍‌ ମାରିବେ । ଏଭଳି ପିଲାଙ୍କୁ ରଖିଲେ ଦୋକାନର ବଦନାମ ହେବ ।”–ସେ କହେ ।

 

ଆମର ଏ କଥାବାର୍ତ୍ତା ଶୁଣି ସୀମାଞ୍ଚଳ ହସେ । ସେଇ ବୋଧହୁଏ ଏକମାତ୍ର ପିଲା, ଯିଏ ଗଲା ପନ୍ଦର ବର୍ଷ ହେଲା ଭେଙ୍କଟେଶ୍ୱର ସେଲୁନ୍‌ରେ କାମ କରୁଛି । କୁଆଡ଼କୁ ପଳେଇ ଯାଇ ନାହିଁ ।

 

ସୀମାଞ୍ଚଳ ତା ମାଲିକର କଥାକୁ ସମର୍ଥନ କରିବା ସ୍ୱରରେ କୁହେ, “ସବୁ ବାତେରା ଆଜ୍ଞା । କାମରେ ମନ ନାହିଁ । ସବୁଯାକ ଖରାପ କଥାରେ ମନ ।”

 

ଗାଁ ଗଣ୍ଡାରୁ ଆସିଥିବା ପିଲାଟି ହଠାତ୍‌ ସହରକୁ ଚାଲି ଆସିଲେ ମନ ଚହଲିଯିବା ସ୍ୱାଭାବିକ କଥା । କଞ୍ଚା ପଇସାର ଉପାର୍ଜନ ଓ ସହରୀ ପ୍ରଲୋଭନର ଆକର୍ଷଣ ସାଙ୍ଗରେ ଭାରସାମ୍ୟ ରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ । ସେତିକି ଦାୟିତ୍ୱବୋଧ ଓ ସଂଯମ ନ ଥିଲେ ସିନେମା, ମଦ ଓ ଝିଅ ଚକ୍କରରେ ଫସିଯିବା ମାମୁଲି କଥା । ସେଥିପାଇଁ ମୁଁ ସୀମାଞ୍ଚଳକୁ ମନେ ମନେ ପ୍ରଶଂସା କରେ । ଟୋକାଟିର ବୁଦ୍ଧି ଅଛି ।

 

ଦିନେ ଦିନେ ସେ କହେ, “ବାପା ରିକ୍ସା ଟାଣୁଥିଲା, ମା ବାସନ ମାଜୁଥିଲା । ଢେର୍‌ଦିନ ହେଲା ଆମେ ଓଡ଼ିଶା ପଳେଇ ଆସିଲୁଣି । ଆଗେ ବ୍ରହ୍ମପୁରରେ ଥିଲୁ, ତାପରେ ଆସିଲୁ ଭୁବନେଶ୍ୱର ।” ସେ ଦଶ ବର୍ଷର ହୋଇଥିଲା, ଏଇ ସେଲୁନ୍‌ ମାଲିକ ତାକୁ କାମ କରିବାକୁ ଡାକି ଆଣିଥିଲା । ଏବେ ତାକୁ ପଚିଶ ପୂରିଲାଣି । ମା ମରିଗଲାଣି । ବାପ ଖୁବ୍‌ ମଦ ପିଏ, ରିକ୍ସା ଟାଣି ଯାହା କିଛି ଆଣେ ସବୁ ପିଇଦିଏ । ସେଥିପାଇଁ ସୀମାଞ୍ଚଳ ବାପା ପାଖକୁ ବେଶି ଯାଏ ନାହିଁ । କିନ୍ତୁ ହପ୍ତାକୁ ହପ୍ତା ତା ବାପା ଏଠିକି ଆସି ମାଲିକ ପାଖରୁ ପଇସା ନେଇ ପଳାଏ ।

 

ମାଲିକ ପ୍ରତି କୃତଜ୍ଞ ସୀମାଞ୍ଚଳ ତାର ଢେର୍‌ ପ୍ରଶଂସା କରେ । ସେ କହେ, ଅନ୍ୟମାନଙ୍କ କଥା ଅଲଗା, ମାତ୍ର ତା ମାଲିକ ତାକୁ ପୁଅ ପରି ଦେଖେ । ତା ପାଇଁ ନୂଆ ବ୍ୟାନିୟନ୍‌ ଓ ଟ୍ରାଉଜର କିଣିଆଣେ । ବର୍ଷରେ ଥରେ ତାକୁ ବୁଲିଯିବା ପାଇଁ ଟଙ୍କା ଦିଏ । ତାକୁ ଟାଣକରି କିଛି କହେ ନାହିଁ ।

 

ମୁଁ ପରିହାସରେ ପଚାରେ, “ଅନ୍ୟ ଟୋକାମାନେ ସବୁ ଲାଇନ୍‌ ମାରୁଛନ୍ତି । ତୋ ମନ ସିଆଡ଼କୁ ଯାଉ ନାହିଁ ।”

 

ସୀମାଞ୍ଚଳ ହସିଦିଏ । ଆମେ ଗରିବ ଲୋକ ବାବୁ । ଆମକୁ କଣ ସେଗୁଡ଼ା ସାଜେ ? ଫୁସୁଲା ଫୁସୁଲି କରି ପଇସା ନେଇଯିବେ, ଲାଭ କଣ ?–ସେ କହେ ।

 

ପ୍ରାୟ ପ୍ରତି ପନ୍ଦର ଦିନରେ ଥରେ ତା ସାଙ୍ଗେ ମୋର ଦେଖାହୁଏ । ବାଳକାଟିବା ଦିନ ନିଶ୍ଚୟ, ଅନ୍ୟ ଦିନମାନଙ୍କରେ ବଜାର ସଉଦା କରି ଯାଇଥିଲେ ତା ସାଙ୍ଗେ ଦେଖା ହୋଇଯାଏ । ସେ ତା କାମ ଛାଡ଼ି ସେଲୁନ୍‌ରୁ କୁହାଟ ଛାଡ଼େ, “ଆଜ୍ଞା ନମସ୍କାର, ବାଳ କାଟିବେ ନାହିଁ ?”

 

ମୁଁ କହେ, “ଏବେ ତ ବାଳସବୁ ଆପେ ଆପେ ଉପୁଡ଼ି ଯାଉଛି, କାଟିବି କଣ ?”

 

ସେ ପରିହାସରେ କହେ, “ବାବୁ ବୁଢ଼ା ହେଇଗଲେଣି ।”

 

ମୁଁ ହସିଦେଇ ଚାଲିଆସେ ।

 

ମୋ ପରି ଆମ ଅଫିସ୍‌ର ଆଉ ଅନେକ ଲୋକ ଭେଙ୍କଟେଶ୍ୱର ସେଲୁନ୍‌ରେ ବାଳ କାଟନ୍ତି । ସେମାନେ ବି ବେଳ ଅବେଳରେ ସୀମାଞ୍ଚଳ କଥା କହନ୍ତି ।

 

ମୁଁ ସୀମାଞ୍ଚଳ ବିଷୟରେ ଭାବିଲାବେଳେ ତାର ହସ ହସ ମୁହଁ, ଦାୟିତ୍ୱସମ୍ପନ୍ନ ବ୍ୟବହାର ଓ ବିଶ୍ୱସ୍ତପଣିଆକୁ ପ୍ରଶଂସା ନ କରି ରହିପାରେ ନାହିଁ । ଇଏ ଦିନେ ନିଶ୍ଚୟ ତା ମାଲିକ ପରି ସେଲୁନ୍‌ କରିବ ଓ ନିଜେ ମାଲିକ ପାଲଟିବ । ଏପରି ଆଶାଟେ ସୀମାଞ୍ଚଳ ତରଫରୁ ମୁଁ କରିବସେ ।

 

ବେଳେବେଳେ ସେଲୁନ୍‌ରେ ଏକୁଟିଆ ଥିବାବେଳେ ମୁଁ ସୀମାଞ୍ଚଳକୁ ତାର ଭବିଷ୍ୟତ ଯୋଜନା ବାବଦରେ ପଚାରି ବସେ । କୋଉଠି ରହେ, କଣ ଖାଏ, କେତେ ଟଙ୍କା ପାଏ–ଏସବୁ ମୋର ସେ ପ୍ରଶ୍ନର ଗଣ୍ଠି ଭିତରେ ଥାଏ । କିନ୍ତୁ ସେସବୁ ସେ ଖୋଲି କହେ ନାହିଁ । ଯୁବକ ସୁଲଭ ସ୍ୱାଭିମାନ ବୋଧହୁଏ ତାର ଦାରିଦ୍ର୍ୟ ବିଷୟରେ ଅନ୍ୟ କାହାକୁ ଜଣେଇବା ଦିଗରେ ବାଧା ଦିଏ । ମାତ୍ର ଗୋଟାଏ କଥା ସେ ବରାବର କହେ, ତା ମାଲିକକୁ ନ ପଚାରି ସେ କିଛି କରିବ ନାହିଁ । ଯିଏ ତାକୁ ସାହା ଭରସା ଦେଇଛି, ତା ମନରେ ଦୁଃଖ ଦେଲେ ଭେଙ୍କଟେଶ୍ୱର ତାକୁ ଶାସ୍ତି ଦେବେ ।

 

ଇଏ ବି ରକ୍ଷଣଶୀଳ ମାନସିକତାର ଆଉଗୋଟେ ପରିଚୟ । ଆନୁଗତ୍ୟ ଯେଉଁଠି ଦାସତ୍ୱ ପାଲଟିଯାଏ ସେଠି ନିଜ ବିଷୟରେ ନିଜେ ନିଷ୍ପତ୍ତି ନେବା ଅକ୍ଷମଣୀୟ ଅପରାଧ ପାଲଟିଯାଏ । ମୁଁ ଆଉ ବେଶି କିଛି ପଚାରେ ନାହିଁ । ସବଳ ସୁସ୍ଥ ଯୁବକ, ସିଏ ତାର ନିଜର ଭଲମନ୍ଦ ଚିନ୍ତା କରୁ । ମୋର ସେଥିରେ ଯାଏ ଆସେ କଣ !

 

ସେଦିନ ମୁଁ ତରତର ଥିବାରୁ ସୀମାଞ୍ଚଳ ସାଙ୍ଗେ ଗପ ଯୋଡ଼ିବାକୁ ଚାହୁଁ ନ ଥିଲି । ଥରେ ଆରମ୍ଭ ହୋଇଗଲେ ସୀମାଞ୍ଚଳର ଗପ ଆଉ ବନ୍ଦ ହେବ ନାହିଁ । ତେଣିକି ସେ ବକ୍ତା ଓ ମୁଁ ତାର ଏକମାତ୍ର ଶ୍ରୋତା । ସେ ମୋ ମୁଣ୍ଡଟାକୁ ଭୂଗୋଳ ମାଷ୍ଟର ଗ୍ଲୋବ୍‌କୁ ଏକଡ଼ ସେକଡ଼ କରି ମହାଦେଶ ଓ ମହାସାଗର ଚିହ୍ନେଇବା ପରି ଏକଡ଼ ସେକଡ଼ କରି ବାଳତକ କାଟି ଚାଲିଥାଏ । କିଛି ଗୋଟାଏ କଥା କହିବା ପାଇଁ ସେ ନିଶ୍ଚୟ ଛାଟିପିଟି ହେଉଥିବ, ମୁଁ ସେଇଟି ଅନୁମାନ କରୁଥିଲେ ବି ଚୁପ୍‌ଚାପ୍‌ ବସିଥାଏ ।

 

ସୀମାଞ୍ଚଳ ବ୍ରହ୍ମାସ୍ତ୍ର ପ୍ରୟୋଗ କଲାପରି କହିଲା, “ମଝିରେ ଆଉ କେଉଁଠି ବାଳ କାଟିଥିଲେ କି ?”

 

ମୁଁ ଟୋକାଟାର ବୁଦ୍ଧିକୁ ତାରିଫ ନ କରି ରହି ପାରିଲି ନାହିଁ । ପଚାରିଲି, ‘ତୁ କେମିତି ଜାଣିଲୁ ?’

 

: ମୁଣ୍ଡଟାକୁ ପୂରା ବିଗାଡ଼ି ଦେଇଛି ।

 

ମୁଁ କହିଲି, “ମୁଣ୍ଡ ନୁହେଁ, ବାଳଗୁଡ଼ାକ ବେସାଇଜ୍‌ କରିଥିବ । ଚଉଦ ତାରିଖରେ ତ ତମ ଦୋକାନ ବନ୍ଦ ଥିଲା । ଗୋଟିଏ ଶୁଦ୍ଧି ଥିବାରୁ ହାଉସିଂ କଲୋନିରେ କଟେଇଥିଲି ।”

 

: ସବୁ ସାରିଦେଇଛି–ଖୁବ୍‌ ଗୋଟାଏ ଗୁରୁତର ଘଟଣା ଘଟିଯାଇଥିବା ପରି ସେ ମନ୍ତବ୍ୟ ଦେଲା ।

 

: ହଉ ତୁ ପୁଣି ସାଇଜ୍‌ କରିଦେଉନୁ । ଅସୁବିଧା କଣ ହେଉଛି ?

 

ସେ କାମରେ ଲାଗିଗଲା ।

 

ସେଦିନ ସୀମାଞ୍ଚଳ ଗୋଟେ ନୂଆ ବ୍ୟାନିୟନ୍‌ ପିନ୍ଧିଥିଲା । ତାର କଳାରଙ୍ଗର ଚେହେରାକୁ ନାଲି ବ୍ୟାନିୟନ୍‌ଟା ମୋର ଆଦୌ ପସନ୍ଦ ହେଉ ନ ଥିଲା । ମୁଁ କହିଲି, “ଏ ବ୍ୟାନିୟନ୍‌ଟା ତୋତେ ମାନୁ ନାହିଁ ।”

 

ସେ ଟିକିଏ ଦୁଃଖୀ ଦିଶିଲା । ମୋତେ ସମର୍ଥନ କଲା ପରି କହିଲା, “ମୋତେ ବି ଭଲ ଲାଗୁ ନାହିଁ । ମାଲିକ ଦେଇଛି, ପିନ୍ଧିଦେବା ।”

 

ମୁଁ ଆଉ ଥରେ ତା କଇଁଚି ଓ କ୍ଷୁରମାନଙ୍କ କବଳରୁ ମୁଣ୍ଡ ଖସେଇ ଆଣି ପଢ଼ିଲି, ବ୍ୟାନିୟନ୍‌ର ଛାତିରେ ଲେଖାହୋଇଚି ଇଂରାଜୀ ଅକ୍ଷର ୟୁ.ଏସ୍‌.ଏ. ।

 

: ଆମେରିକା ବ୍ୟାନିୟନ୍‌ ନା ? ଆପଣ ତ ଚିହ୍ନିଥିବେ । –ସେ କହିଲା ।

 

ମୁଁ କିଛି କହିଲି ନାହିଁ । ବମ୍ବେର ଉଲ୍ଲାସ ସାହୁ ଆସୋସିଏସନ୍‌ ମାର୍କେଟ୍‌ରୁ ଏଗୁଡ଼ାକ ଆସିଥାଏ । କିଛି ଲୋକ ଭାବନ୍ତି, ଏଗୁଡ଼ା ଆମେରିକା ତିଆରି । ସୀମାଞ୍ଚଳକୁ ଏକଥା କହିବା ପାଇଁ ମୁଁ ଚାହିଁଲି ନାହିଁ । ଆମେରିକା ଶବ୍ଦର ଗୁରୁତ୍ୱ ଉଲ୍ଲାସ ସାହୁ ଆସୋସିଏସନ୍‌ ଶବ୍ଦମାନଙ୍କରେ ନାହିଁ-। ସେ ଖୁସି ଥାଉ ।

 

ସେ କହିଲା, “ମାଲିକ କହୁଛି ମୋ ବାହାଘର କରେଇ ଦେବ ।”

 

ମୁଁ ଖୁସିରେ ତା ମୁହଁକୁ ଅନେଇଲି । ତାର ଗୋଲ ମୁହଁରେ ଲାଜ ଓ ଆନନ୍ଦ । କହିଲି, “ସେଇ କଥା ତ ମୁଁ କେବେଠୁ ଭାବୁଥିଲି । ଭଲ, କେବେ ବାହା ହେଉଛୁ ?”

 

: ମାଲିକ ଠିକଣା କରିବ ।

 

: ଝିଅ ଦେଖି ଯିବୁ କେବେ ?

 

: ମାଲିକ ଦେଖିଛି ।

 

: ତୋ ବାପା କଣ କହୁଛି ?

 

: ମାଲିକ ତାକୁ ଖବର ଦେବ ।

 

: ବାହାଘର ପରେ କେଉଁଠି ରହିବୁ ?

 

: ମାଲିକ ଘର ଠିକ୍‌ କରିଦେବ ।

 

ମାଲିକ, ମାଲିକ । ମାଲିକକୁ ଛାଡ଼ି କୌଣସି ଗୋଟାଏ ନିଷ୍ପତ୍ତି ଟୋକାଟା ନେଇପାରୁ ନାହିଁ । ମୁଁ ମନେ ମନେ ଚିଡ଼ିଗଲେ ବି ସୀମାଞ୍ଚଳକୁ ଦୋଷ ଦେଲି ନାହିଁ । ତା ପରି ମୁଁ ପନ୍ଦର ବର୍ଷ କାଳ ଗୋଟାଏ ଲୋକ ଉପରେ ସବୁ କଥାରେ ନିର୍ଭରଶୀଳ ହୋଇଥିଲେ ହୁଏତ ଏହିପରି ହିଁ ହୋଇଥାଆନ୍ତି । ତାଛଡ଼ା ସୀମାଞ୍ଚଳର ମାଲିକ ଏହା ଭିତରେ ଜଣେ ପ୍ରତିପତ୍ତିଶାଳୀ ଲୋକ ହୋଇଗଲାଣି । ପକେଟ୍‌ର ପଇସା ସାଙ୍ଗକୁ ତାର ବାହୁବଳ ବି ବଢ଼ିଗଲାଣି । ଲୋକଟା ଗୋଟେ ଦେଶୀ ମଦଭାଟି ଲାଇସେନ୍ସ ନେଇଥିବା ମୁଁ ଶୁଣିଛି । ସୀମାଞ୍ଚଳ ତା ମାଲିକର ପସନ୍ଦକୁ ଗ୍ରହଣ ନ କଲେ ହୁଏତ ଅସୁବିଧାରେ ପଡ଼ିପାରେ ।

 

ସୀମାଞ୍ଚଳ ଆଉ କଣ ଭାବୁଥିଲା ।

 

ମୁଁ ଉଠିପଡ଼ି ତା ହାତକୁ ପଇସା ବଢ଼େଇ ଦେଲି ଓ କହିଲି, “ତୋର ତ ଦିନରାତି ସବୁ ଏଇ ଦୋକାନ । ବାହାହେଲା ପରେ ଆଠ ଦଶଦିନ ଛୁଟି ନେଇ କୁଆଡ଼େ ବୁଲି ଆସିବୁ । ନ ହେଲେ ତୋ କନିଆ ତୋତେ ଛାଡ଼ି ପଳେଇବ ।”

 

ସେ ହସିଲା । ପାନିଆଁରୁ ବାଳତକ ଝାଡ଼ି ସଫା କରିଦେଲା ଓ ପାଉଡ଼ର୍‌ ଡବାଟାକୁ ବନ୍ଦ କରି ଯଥା ଜାଗାରେ ରଖିଲା ।

 

ବେଶ୍‌ କିଛିଦିନ ମୁଁ ଭେଙ୍କଟେଶ୍ୱର ସେଲୁନ୍‌କୁ ଯାଇ ନ ଥିଲି କି ସୀମାଞ୍ଚଳ ବିଷୟରେ କିଛି ଖବର ଅନ୍ତର ରଖିପାରି ନ ଥିଲି । ଖବର ବା ଆଉ କଣ ! ପନ୍ଦରଟା ବର୍ଷ ତ ସେ ସେଇ ଦୋକାନରେ ବିତେଇ ସାରିଲାଣି । ସେଇଠି କାମ କରିବ, ସେଇଠି ଦୋକାନ ଜଗି ଶୋଇବ । ସକାଳୁ ଉଠି ରାସ୍ତାକଡ଼ ପଡ଼ିଆରେ ନିତ୍ୟକର୍ମ ସାରି, ଜଗନ୍ନାଥ ଜଳଖିଆ ଦୋକାନରୁ ଇଡ଼୍‌ଲି ଘୁଘୁନି ଖାଉଥିବ ଓ ପୁଣି ଆସି ଦୋକାନ କାମରେ ଲାଗିପଡ଼ୁଥିବ । ବାହାଘର ହୋଇଥିଲେ ବାହାରେ ଯାଇ ହୁଏତ କୋଉଠି ଶୋଉଥିବ । କିନ୍ତୁ ଦଶ ପନ୍ଦର ଦିନ ଛୁଟି ନେଇ କୁଆଡ଼େ ଯିବା ତା ପକ୍ଷେ କେବେ ସମ୍ଭବ ହୋଇ ନ ଥିବ । ତା ମାଲିକ ଯେ ତାକୁ ଏତେଦିନ ଛୁଟି କଦାପି ଦେଇ ନ ଥିବ, ସେ କଥା ମୁଁ ଭଲ ଭାବରେ ଅନୁମାନ କରିପାରୁଥିଲି ।

 

ମଝିରେ ମୁଁ କିଛିଦିନ ମୋ ପିଲାପିଲିଙ୍କୁ ନେଇ ବାହାରକୁ ଚାଲିଯାଇଥିଲି । ଝିଅର ପରୀକ୍ଷା ସରିଥିଲା ଓ ତା ମାଆ ସବୁଦିନ ସେଇ ଘର କାମରେ ଧନ୍ଦି ହୋଇ ଚିଡ଼ିଚିଡ଼ା ହୋଇଯାଇଥିଲା । କେବଳ ବୁଲିଯିବା ମୋ ପରି କିରାଣି ପକ୍ଷେ ବିଳାସ । ତୀର୍ଥଯାତ୍ରା କଥାଟି ସାଙ୍ଗରେ ଯୋଡ଼ିଥିବାରୁ ଖର୍ଚ୍ଚଟାକୁ ଅନୁମୋଦନ କରି ହେଉଥିଲା । ଆମେମାନେ ଦିଲ୍ଲୀ ଯାଇଥିଲୁ ଓ ଦିଲ୍ଲୀରୁ ଟୁରିଷ୍ଟ କମ୍ପାନିର ବସ୍‌ରେ ଟିକେଟ୍‌ କାଟି ଆଗ୍ରା, ବୃନ୍ଦାବନ ଓ ମଥୁରା ବୁଲି ଦେଖିଥିଲୁ । ମୋ ସ୍ତ୍ରୀର ତାଜମହଲ ଦେଖିବାକୁ ଖୁବ୍‌ ମନ ଥିଲା । ଏଇ ଆଗ୍ରହଟିକୁ କୁଆଡ଼େ ସେ ତା କଲେଜପଢ଼ା ଦିନରୁ ମନ ଭିତରେ ପାଳିପୋଷି ବଢ଼େଇ ଆସିଥିଲା । ଆମେମାନେ ତାଜମହଲ ପାଖେ ପହଞ୍ଚିଲାବେଳକୁ ଏତେ ଟାଣ ଖରା ହୋଇଥିଲା ଯେ ସେଥିରେ ଦେହ ମୁଣ୍ଡ ଜଳିଗଲା ପରି ଲାଗିଥିଲା । ତା ସାଙ୍ଗକୁ ଟୁରିଷ୍ଟ ଗାଇଡ଼୍‍ର ‘ଶୀଘ୍ର ଚାଲନ୍ତୁ’ ବୋଲି ଘନ ଘନ ତାଗିଦା । ମୁଁ ପତ୍ନୀକୁ ବୁଝେଇଥିଲି, ଆଉ ଥରେ ଆସିବା । ତାଜମହଲ କଣ କୁଆଡ଼େ ପଳଉଛି ?

 

ସ୍ତ୍ରୀ ମୋ ମୁହଁକୁ ଚାହିଁଥିଲା । ତହିଁରେ ଆଶା ଯେତିକି ସନ୍ଦେହ ଓ ନିରାଶା ତାଠାରୁ ଢେର୍‌ ବେଶି । ‘ଥରେ ବୁଲେଇ ଆଣିବା ଲାଗି କୋଡ଼ିଏ ବର୍ଷ ବିତିଗଲା, ଆଉ ଥରେ ଆସିବ ବୋଲି କହୁଛ ?’

 

ବୃନ୍ଦାବନ ଓ ମଥୁରାରେ ତାକୁ ଅଧକ ସମୟ ମିଳିଥିଲା । ଦିଲ୍ଲୀରେ କୁତବ-ମିନାର ଦେଖିବାକୁ ଯାଇ ଆମେ ସେ ଲୁହାଖଣ୍ଡକୁ କୁଣ୍ଢ ପାଉଛି କି ନାହିଁ ପରଖି ଦେଖିଥିଲୁ ଓ ଆମ ଭିତରୁ କାହାର କୁଣ୍ଢ ପାଇ ନ ଥିବାରୁ ଆମର ଭାଗ୍ୟ ବେଶି ଉଜ୍ଜ୍ୱଳ ନୁହେଁ ବୋଲି ମନକୁ ମନ କହିଥିଲୁ । ଦିଲ୍ଲୀରେ ରହିବା ପାଇଁ ଅସୁବିଧା ଭୋଗି ନ ଥିଲେ ଆମେ ଆଉରି ଦି ତିନି ଦିନ ରହିଥାଆନ୍ତୁ ।

 

ଏହା ଭିତରେ ମୋ ବାଳ ବଢ଼ିଯାଇଥିଲା ଓ ସୀମାଞ୍ଚଳ କଥା ମନେ ପଡ଼ିଥିଲା । ଟୋକାଟା ତ ବାହା ହୋଇ କୁଆଡ଼େ ବୁଲି ଯାଉଥିଲା... ମୁଁ ମୋ ସ୍ତ୍ରୀକୁ ଶୁଣେଇଲା ପରି କହିଲି । ମୋ ସ୍ତ୍ରୀ କହିଲା, “ଭୁବନେଶ୍ୱରରେ କଣ ସେଇ ଏକା ବାଳ କାଟିଲାବାଲା ଅଛି ନା କଣ ?”

 

ମୁଁ କିଛି କହିଲି ନାହିଁ । କାହାରି ଉପରେ ଥରେ ଭରସା ଆସିଗଲେ ଅଲଗା ଆଡ଼େ ଯିବାକୁ ମନବଳେ ନାହିଁ । ସେ ମାଛଦୋକାନ, ପରିବା ଦୋକାନ, ଲୁଗା ଦୋକାନ ହେଉ କି ସେଲୁନ୍‌ ହେଉ । ମନଟା ସେଇ ମାପରେ ସଜାଡ଼ି ହୋଇଯାଏ । ଜୀବନ ଆଉ କଣ କି ? ଏଇ ଗୋଟେ ବୁଝାମଣା ତ ! ମୁଁ ଟିକେ ଗହୀରକୁ ଚାଲିଯାଉଥିଲି ।

 

‘ଭେଙ୍କଟେଶ୍ୱର ସେଲୁନ୍‌’ରୁ ସବୁଦିନ ପରି ସିନେମା ଗୀତ ଶୁଭୁଥିଲା । ଦୋକାନର ସବୁଯାକ ଚଉକିରେ ଗରାଖ ବସିଥିଲେ ଓ ଆଉ କେତେଜଣ ବାହାର ବେଞ୍ଚ୍‌ରେ ବସି ସିନେମା ସାପ୍ତାହିକୀ ‘ସ୍କ୍ରିନ୍‌’ର ପୃଷ୍ଠାଗୁଡ଼ିକୁ ଓଲଟାଉଥିଲେ । ଫର୍ଦ୍ଦ ଫର୍ଦ୍ଦ ହୋଇ ସେଇ କାଗଜଟି ଚାରିଜଣଙ୍କ ସମୟ କାଟିବାର ବାହାନା ପାଲଟି ଯାଇଥିଲା ।

 

ସୀମାଞ୍ଚଳ ନ ଥିଲା । ମୁଁ ଜାଣିଲି, ଟୋକାଟା ବାହାଘର ପର ଫୂର୍ତ୍ତି ପାଇଁ କୁଆଡ଼େ ବୁଲିଯାଇଥିବ । ସୀମାଞ୍ଚଳ ଯୋଉ ସିଟ୍‌ର ଦାୟିତ୍ୱ ବୁଝେ ସେଇଠି ମାଲିକ ନିଜେ ଠିଆହୋଇ ବାଳ କାଟୁଥିଲା ।

 

ମୁଁ ବେଞ୍ଚ ଉପରେ ବସି ପଡ଼ୁ ପଡ଼ୁ ପଚାରିଲି, “ସୀମାଞ୍ଚଳ ନାହିଁ କି ?”

 

‘ଭେଙ୍କଟେଶ୍ୱର ହେୟାରକଟ୍‌ ସେଲୁନ୍‌’ର ମାଲିକ ମୋ ଆଡ଼କୁ ଚାହିଁଦେଇ ପୁଣି ଆଖି ଫେରେଇନେଲା । କିଛି କହିଲା ନାହିଁ । ଲୋକଟା ସବୁଦିନେ ଚୁପ୍‌ଚାପ୍‌, ବେପାର ଭିନ୍ନ ଆଉ କିଛି ବୁଝେ ନାହିଁ ।

 

ଏକାଥରେ ତିନିଜଣଙ୍କ ବାଳକଟା ସରିଯାଇଥିଲା । ମୁଁ ସେଇ ସାନପିଲା, ଯାହାକୁ ସୀମାଞ୍ଚଳ ଆପ୍ପାରାଓ ବୋଲି ଡାକେ, ତା ଚୌକିରେ ଯାଇ ବସିଲି । ମାଲିକ ତା କାମ ସାରିଦେଇ ଖଣ୍ଡେ ସିଗ୍ରେଟ୍‌ ଲଗେଇଲା ଓ ମନଯୋଗ ସହକାରେ ସିଗ୍ରେଟ୍‌ଟି ଟାଣିବା ପାଇଁ ଦୋକାନ ବାହାରକୁ ପଳେଇଗଲା ।

 

ଆପ୍ସାରାଓ ମୋ ମୁଣ୍ଡରେ ପାଣି ସ୍ପ୍ରେ କଲା ଓ ବାଳତକ ପଛକୁ କୁଣ୍ଡେଇ ନେଇ କୋଉଠୁ ସେ କାଟିବା ଆରମ୍ଭ କରିବ ତାହା ଦେଖିଲା ।

 

ସୁଯୋଗ ଉଣ୍ଡି ମୁଁ ପଚାରିଲି, ‘ସୀମାଞ୍ଚଳ କେବେ ଫେରିବ କିରେ ?’

 

ଅପ୍ପାରାଓ ଏକଦମ୍‌ ଧୀର ଗଳାରେ, ଡରିଲା ଡରିଲା ପରି କହିଲା, ‘ସେ ଆଉ ଫେରିବ ନାହିଁ ।’

 

ମୁଁ ବୁଲିପଡ଼ି ଆପ୍ପାରାଓର ମୁହଁକୁ ଚାହିଁଲି । ସୀମାଞ୍ଚଳ ଫେରିବ ନାହିଁ, ଏମିତି କଥା ତ କେବେ ହୋଇ ନ ପାରେ । ଏଇ ସେଲୁନ୍‌ ଛଡ଼ା ଦୁନିଆର ଆଉ କଣ ସେ ବୁଝେ ?

 

ଆପ୍ପାରାଓ କହିଲା, “ମାଲିକ ଆସିଯିବ ବାବୁ, ତା କଥା ଧରନ୍ତୁ ନାହିଁ । ମାଲିକ ତା ଝିଅ ସାଙ୍ଗେ ସୀମାଞ୍ଚଳର ବାହାଘର କରିବ ବୋଲି ଠିକ୍‌ କରିଥିଲା । ସୀମାଞ୍ଚଳ ବାହାଘର ଆଗ ଦିନ କିନ୍ତୁ କୁଆଡ଼େ ପଳେଇଗଲା ଯେ ଆଉ ଆସିଲା ନାହିଁ ।”

 

ମୁଁ ହଠାତ୍‌ ତଳେ ପଡ଼ିଗଲା ପରି ଅନୁଭବ କରୁଥିଲି । ଆପ୍ପାରାଓ ପଚାରିଲା, ‘କଡ଼ା ପାନ ଖାଇଦେଲେ କି ?’

 

: ମୁଁ କହିଲି, ‘ହଁ । ଏବେ ଠିକ୍‌ ଅଛି । ତୁ କାଟ୍‌ ।’

 

ପଇସା ଦେଇ ଫେରିବା ବାଟରେ ମୋର ସେଲୁନ୍‌ ମାଲିକ ସାଙ୍ଗରେ ଦେଖାହେଲା । ମୁଁ ମୁହଁ ଫେରେଇ ଚାଲିଆସୁଥିଲି । କିନ୍ତୁ ସେ ତା ଆଡ଼ୁ ସୀମାଞ୍ଚଳ ବାବଦରେ ମୋତେ ଶୁଣେଇ ଶୁଣେଇ କହିଲା, “ଶଳା, ବେଇମାନ କୁକୁର । ଯୋଉଠି ଖାଇବ ସେଇଠି ମୂତିବ । ବାପା ଏଣେ ମାଲ୍‌ ପିଇବ ବୋଲି ମୋଠୁଁ ଶହ ଶହ ଟଙ୍କା ନେଇଥିବ, ପୁଅର ବାର ଫିକର । ଶଳାକୁ ଏମିତି ଧୁଲେଇ କରିଛି ଯେ ଜିନ୍ଦେଗୀ ସାରା ମନେ ରଖିଥିବ । ମୋ ଝିଅ କୁଆଡ଼େ ତାର ପସନ୍ଦ ହେଲା ନାହିଁ । ୟାକୁ ତ ସିନେମା ହିରୋଇନ୍‌ ଆସି ବାହାହେବେ ଆଉ ! ବେଇମାନ୍‌ର ରୁମେ ରୁମେ ମୋଅରି ପଇସା ପଶିଛି । କହିଲା କଣ ନା ସେ ତା ମର୍ଜିରେ ବାହାହେବ । ଶଳା, ଚାକରଟାର ମର୍ଜି କଣ ? ଆଁ ?”

 

ଲୋକଟାର ଆଖି ଲାଲ ଦିଶୁଥିଲା । ପ୍ରଥମଥର ପାଇଁ ଲୋକଟା ପ୍ରତି ମୋର ଭୟ ଆସୁଥିଲା । ମୁଁ ସାହସ ସଞ୍ଚୟ କଲା ପରି ପଚାରିଲି, “କିନ୍ତୁ ସେ ଗଲା କୁଆଡ଼େ ?”

 

: ଯାଉ ମ ଯୁଆଡ଼େ ! ମୁଠେ ଭାତ ପକେଇଲେ ପଲେ କାଉ ଆସିବେ । ଇଏ ପୁଣି ମୋ ପାଖରେ କତରିଂ ଦେଖଉଛି !

 

ମୋର ଆଉ କିଛି ଶୁଣିବାର ନ ଥିଲା । ଲୋକଟା ତୁଣ୍ଡରୁ ଯୋଉପରି କର୍କଶ ଓ ଅଶ୍ଳୀଳ ଶବ୍ଦ ବାହାରୁଥିଲା ସେଗୁଡ଼ିକୁ ହଜମ କରିବା ମୋ ପରି ଜଣେ ଡରକୁଳା ଲୋକ ପକ୍ଷେ ସମ୍ଭବ ହୋଇ ନ ଥାନ୍ତା ।

 

ଫେରିବା ବାଟରେ ମୁଁ ସୀମାଞ୍ଚଳ କଥା ହିଁ ଚିନ୍ତା କରୁଥିଲି । ପନ୍ଦର ବର୍ଷ ହେଲା ଯୋଉ ଲୋକଟାର ଆଙ୍ଗୁଳି ଇସାରାରେ ସେ ନାଚି ଆସିଥିଲା, ଆଜି ତାର ବିରୋଧ କରିବା ପାଇଁ ସେ ସାହସ ପାଇଲା କେମିତି ?

☆☆☆

 

ପିଲା ଖେଳ

 

କାନ୍ଥରେ ଶିଡ଼ି ଢିରା ଦେଇ ମଞ୍ଜୁ ଯେତେବେଳେ କଖାରୁ ଫୁଲ ତୋଳିବା ପାଇଁ ପିଢ଼ା ଉପରକୁ ଚଢ଼ୁଥିଲା ସେତିକିବେଳେ ଗଉଡ଼ଘର ମାଉସୀ ଡାକ ପକେଇଲା, “ଦଉଡ଼ି ଆ ମଞ୍ଜୁ, ତୋ ବଉଳ ଆସିଛି ।”

: ସତରେ ? ଯୋଉ ଗୋଟାକ ଫୁଲ ତୋଳିଥିଲା ସେଇଟାକୁ ଧରି ତରତରରେ ଗୁଣ୍ଡୁଚିମୂଷା ପରି ମଞ୍ଜୁ ଓହ୍ଲେଇ ଆସିଲା ଓ ଅଣ୍ଟାରେ ଗୁଡ଼େଇଥିବା ଶାଢ଼ିକାନିକୁ ସଜାଡ଼ି ବଉଳ ଘରକୁ ଧାଇଁଲା ।

ପଛରୁ ତା ବୋଉ ଡାକ ପକେଇଲା, “କିଲୋ, ଏମିତି ଓଲେଇ ଗାଈ ପରି କୁଆଡ଼େ ଧାଉଁଛୁ ? ରୋଷେଇବାସ ଆଜି ହବ ନା ନାହିଁ ?”

କିନ୍ତୁ ମଞ୍ଜୁ ପାଖରେ ବୋଉ କଥାର ଜବାବ ଦେବାପାଇଁ ବେଳ ନ ଥିଲା । ବଉଳ ବାହା ହୋଇଯିବାର ମାତ୍ର ତିନିଟି ଦିନ ବିତିଥିଲେ ବି ତାକୁ ତିନିମାସ ପରି ଲାଗୁଥିଲା । ସେଇଥିପାଇଁ ଆଉ କେହି ତା ବଉଳ ପାଖେ ପହଞ୍ଚି ତା ଶାଶୂଘରର ଅନୁଭୂତି ଶୁଣିବା ଆଗରୁ ସେ ନିଜେ ସେତକ ଶୁଣିବା ପାଇଁ ଉଚ୍ଛନ୍ନ ହୋଇ ପଡ଼ୁଥିଲା ।

ବଡ଼ ପୋଖରୀ ଆଡ଼ିରେ ମଞ୍ଜୁର ସାଙ୍ଗ ଫୁଲ ଓ ଜେମାଦେଈ ଦିହେଁ ପାଣି ନେଇ ଆସୁଥିଲେ । କଳସୀରୁ ପାଣି ଚହଲି ଦିହିଙ୍କର ଅଣ୍ଟା ଓ କାଖ ଓଦା ହୋଇ ଯାଇଥିଲା । ମଞ୍ଜୁ ତା ପାଦର ଗତି ଧିମେଇ ଦେଇ ଗୋଟେ ଜରୁରୀ ଖବର ଦେଲା ପରି କହିଲା, “ଫୁଲ, ଜାଣିଚୁ ନା, ବଉଳ ଆସିଛି ।”

ଖବରଟା ଦେଲା ସିନା, କିନ୍ତୁ ସେମାନଙ୍କ ପ୍ରତିକ୍ରିୟା ଜାଣିବା ପର୍ଯ୍ୟନ୍ତ ମଞ୍ଜୁ ଅପେକ୍ଷା କଲା ନାହିଁ । ସେ ଭାବି ନେଇଥିଲା ଯେ ଏ ଜନ୍ମରେ ହୁଏତ ଆଉ ତା ବଉଳ ସାଙ୍ଗେ ଦେଖା ହେବ ନାହିଁ । ବଉଳର ଶାଶୂଘର ଦୂର ଗାଁରେ ଓ ବଉଳ ଗାଁକୁ ନ ଆସିଥିଲେ ସେ କୌଣସି ଦିନ ତାକୁ ଭେଟିବା ପାଇଁ ତା ଶାଶୂଘର ଗାଁକୁ ଯାଇପାରି ନ ଥାନ୍ତା । ମନର ବ୍ୟଗ୍ରତା ଯୋଗୁ ସେ ଏକଥା ବି ଚିନ୍ତା କରୁ ନ ଥିଲା ଯେ କାହିଁକି ବଉଳ ଅଷ୍ଟମଙ୍ଗଳା ନ ଯାଉଣୁ ଗାଁକୁ ଆସିଲା । ‘ଟୁପୁସୀ ମୁହିଁ, ଘର ଘର ବୋଲି ତା ବରକୁ ଉଚ୍ଛନ୍ନ କରିଥିବ ।’ ବଉଳ ସିନା ଆସିପାରିଲା, କିନ୍ତୁ ସେ କଣ ଏମିତି ଆସି ପାରିବ ?

ଏଇ କାରଣରୁ ପୁଅ ପିଲାଙ୍କ ଉପରେ ମଞ୍ଜୁର ରାଗ ହୁଏ । ଏକା ଘରେ ଜନ୍ମ ହୋଇଥିବେ, ଏକା ଘରେ ଖାଇ, ପିନ୍ଧି, ଖେଳି ବଢ଼ିଥିବେ । କିନ୍ତୁ ପୁଅମାନେ ସାରା ଜୀବନ ରହିବେ ନିଜ ଘରେ, ନିଜ ଗାଁରେ; ଝିଅମାନଙ୍କୁ ପରଘରୀ କରି ଦୂର ଗାଁକୁ ପଠେଇଦେବେ । ସହରର ଝିଅମାନଙ୍କ ଉପରେ ବି ମଞ୍ଜୁର ଈର୍ଷା ହୁଏ । ତାଙ୍କର ବା କଣ ଅସୁବିଧା ! ଗାଡ଼ି ମଟର ଅଛି । ବରର ସ୍କୁଟର କି ମଟର ସାଇକେଲ୍‌ ଥିବ, ଯେତେବେଳେ ମନ ବାହାରିଲେ, ବାପଘରୁ ଯାଇ ବୁଲି ଆସିଲେ । ମଞ୍ଜୁ ପରି ଝିଅଙ୍କର ସେ ଭାଗ୍ୟ କାହିଁ !

ମଞ୍ଜୁର ଅଭିମାନ ମିଛ ନ ଥିଲା । ତାଙ୍କ ଗାଁ ମଧୁପୁରକୁ ସବୁଦିନିଆ ରାସ୍ତା ନାହିଁ । ଖରାଦିନ ଚାରିମାସ ଶଗଡ଼ଗୁଳା ଦେଇ ଖଣ୍ଡେ ଅଧେ ଗାଡ଼ି ଆସିପାରିଲେ ବି ବାକି ଦିନ ତାଙ୍କ ଗାଁକୁ ଗାଡ଼ି ଆସିବା କାଠିକର ପାଠ । ନଈକୂଳିଆ ନିଛାଟିଆ ଗାଁ । ପାଖରେ ସହର ଅଛି ନା ବଜାର ! ବଢ଼ିପାଣି ଘେର ଭିତରେ ଟାପୁଟେ ପରି ବିଲ୍‌କୁଲ ନିଛାଟିଆ ଗାଁ । ସେଇଠି ସକାଳ, ସେଇଠି ସଞ୍ଜ ।

 

ବଉଳର ଫେରିଆସିବା ଘଟଣାରେ ମଞ୍ଜୁ ଖୁସିରେ ଅଧୀର ହୋଇପଡ଼ିବାର ଆଉ ଗୋଟେ କାରଣ ବି ଥିଲା । ଗଲାକାଲି ରାତିରେ ଭଗବାନ ନାହାକ ଆସି ତାର ବାହାଘର କଥା ପକ୍କା ହୋଇଯାଇଥିବା ଖବର ବୋଉକୁ କହୁଥିଲାବେଳେ ସେ ଲୁଚି ଲୁଚି ଶୁଣି ଦେଇଥିଲା । ଏ ବର୍ଷ ତିଥି ନାହିଁ ଓ ଆର ବର୍ଷକୁ ମଞ୍ଜୁର ଯୋଡ଼ା ବରଷ ପଶୁଥିବାରୁ ତା ବାହାଘର ପାଇଁ ବୋଉ ଖୁବ୍‌ ବ୍ୟସ୍ତ ହୋଇ, ଭଗବାନ ନାହାକ ଦେଖାହେବାକ୍ଷଣି ବରାବର ସେ କଥା ପଚାରୁଥିବା ମଞ୍ଜୁ ଜାଣିଥିଲା । ଭଗବାନ ନାହାକ ଦରକାର ନ ଥିଲେ ସୁଦ୍ଧା ବରାବର ମଞ୍ଜୁର ଟିପଣା ଦେଖି ଗ୍ରହ ନକ୍ଷତ୍ର ଗଣନା କରୁଥିଲା ଓ ଅଧୈର୍ଯ୍ୟ ହୋଇପଡ଼ିଥିବା ତା ବୋଉକୁ ପ୍ରବୋଧନା ଦେଇ କହୁଥିଲା, ‘ବାହାଘର ତ ପିଲାଖେଳ ନୁହେଁ ମଞ୍ଜୁ ବୋଉ ! ଇଏ ରାଶି ନକ୍ଷତ୍ରର ଖେଳ । ତମ ଝିଅର ବଉଳ ବାହାଘର ପୁଣି କିଏ ଠିକ୍‌ କଲା ? ମୁଁ ନା ଆଉ କୋଉ ବାହାର ଗାଁ ମଧ୍ୟସ୍ଥି ? ଏମିତି ଘର ବର ଦି ବରଷ ଖୋଜିଥିଲେ ବି ସାଧୁ ବେହେରା ପାଇ ନ ଥାନ୍ତା ! ତମେ ଟିକିଏ ସବୁର୍‌ କର । ତମ ଝିଅ ବାହାଘର ବି ଠିକ୍‌ ହୋଇଯିବ ।’

 

ତା ବୋଉ ଚୁପ୍‌ ରହୁଥିଲା । କାରଣ ଭଗବାନ ନାହାକ ମିଛ କହୁ ନ ଥିଲା । ବାହାଘର ତ ପିଲାଖେଳ ନୁହେଁ !

 

: ଆଜିକାଲି ଯୁଗ ଯାହା ହେଲାଣି, ପଚାଶ ଷାଠିଏ ହଜାର ଟଙ୍କାର ଡିମାଣ୍ଡ ସାଧାରଣ କଥା । ସାଧୁ ବେହେରା ଆଉ ହାତୀ ଘୋଡ଼ା କଣ ଅଜାଡ଼ି ଦେଇଛି କି ! ଜ୍ୱାଇଁ ସରକାରୀ ଚାକିରି କରିଛି । ମାସକୁ ମାସ ତ ଦରମା ଥୁଆ । ତା ସାଙ୍ଗକୁ କେତେ ରକମ ସୁବିଧା ପୁଣି ଅଛି ।–ନାହାକ କହିଥିଲା ।

 

ଭାଗବାନ ନାହାକକୁ ଖୁସି କରେଇବା ପାଇଁ ତା ବୋଉ ତାକୁ ଖଣ୍ଡକୁ ଖଣ୍ଡ ପାନ ଭାଙ୍ଗି ବଢ଼େଇ ଦେଉଥିଲା ସିନା ଏ ବର୍ଷ ଆଉ ବାହାଘର ହୋଇପାରିବ ବୋଲି ମଞ୍ଜୁର ଜମା ବିଶ୍ୱାସ ନ ଥିଲା ।

 

ମଞ୍ଜୁ ଶୁଣିଥିଲା, ପୁଅ ଝିଅ ବାହାଘର କଥା ଆକାଶର ଠାକୁରମାନେ ଠିକଣା କରନ୍ତି । ବରପତ୍ର ଓ ଅଶ୍ୱତ୍‌ଥ ପତ୍ର ଉପରେ ପୁଅ ଝିଅଙ୍କ ନାଁ ଲେଖି ଶିବ ପାର୍ବତୀ ଗଙ୍ଗା ପାଣିରେ ଭସେଇ ଦିଅନ୍ତି । ସେମାନେ ମଞ୍ଜୁର ନାଁ ନ ଲେଖିବା ପର୍ଯ୍ୟନ୍ତ ଜ୍ୟୋତିଷ ନାହାକ ବା କଣ କରିପାରନ୍ତେ ?

 

ବାହାଘର ଠିକଣା ହୋଇପାରୁ ନାହିଁ ବୋଲି ମଞ୍ଜୁ ମନରେ ଯେଉଁ ଅଭିମାନ ଥିଲା, ସେକଥାଟି ପକ୍କା ହୋଇଗଲା ପରେ ସେତିକି ଭୟ ଓ ସଙ୍କୋଚ ବଢ଼ିଯାଇଥିଲା । ଭଗବାନ ନାହାକର କଥା ଶୁଣୁ ଶୁଣୁ ତା ଦେହ ହାତ ଶିର୍‌ଶିରେଇ ଉଠିଥିଲା । ତା ବାହାସନ୍ଧିରୁ ଝାଳ ଉକୁଟି ଆସିଥିଲା ଓ ଛାତି ଭିତରେ ଯେମିତି କୋଉଠି ପବନ ଅଟକି ଯାଇଥିଲା । ନାକପୁଡ଼ା ଭିତର ଦେଇ ଯା-ଆସ କରୁଥିବା ପବନ ତାକୁ ଉଷୁମ ଓ ତାର ହାତ ପାପୁଲି ଶୀତଳ ଲାଗିଥିଲା । ଗୋଟାଏ ମୁହୂର୍ତ୍ତରେ ତା ବୟସ ଯେମିତି ଆଉ ପାଞ୍ଚ ବର୍ଷ ବଢ଼ି ଯାଇଥିଲା ।

 

ତାପରଠୁ ସେ କେବଳ ତା ବର, ଶାଶୂ, ଶ୍ୱଶୁର ଓ ଯାଆ ନଣନ୍ଦଙ୍କ କଥା ହିଁ ଚିନ୍ତା କରୁଥିଲା । ତାର ମାଇନର୍‌ ସ୍କୁଲ ପାଠ ଭିତରେ ଯେତିକି ବୁଦ୍ଧି ଅକଲ ସେ ଗୋଟେଇଥିଲା ସେ ସବୁକୁ ଏକାଠି କରି ସେମାନଙ୍କୁ ଖୁସି କରିବାର ଯୋଜନାମାନ ମନେ ମନେ ଖଞ୍ଜୁଥିଲା । ସାବନା ରଙ୍ଗର ଚେହେରା ନେଇ ତା ଭିତରେ ଥିବା ନିଉଛୁଣା ଭାବ କଟି ଯାଇଥିଲା । ସେ ବରାବର ଗାଁ ଠାକୁରାଣୀଙ୍କି ସୁମରଣା କରୁଥିଲା ଓ ମନକୁ ମନ ମାନସିକ ଯାଚି ଦେଉଥିଲା ।

କେମିତିକା ଲୋକ ହୋଇଥିବ ତାର ବର ! ମୋଟା ନା ପତଳା ! ଗେଡ଼ା ନା ଡେଙ୍ଗା ! ତାକୁ କଣ ସାବନା ମଞ୍ଜୁ ପସନ୍ଦ ହେବ ! ତାର ଉଚ୍ଚା କପାଳ, ବଡ଼ ବଡ଼ ଆଖି, ଟାଆଁସା ପାପୁଲି ଦେଖି ସେ ରାଗିଯିବ ନାହିଁ ! କିନ୍ତୁ ମଞ୍ଜୁ ବା କଣ କରିବ ? ସିଏ ତ ତା ନିଜ ରାଜି ଖୁସିରେ ତା ଦେହ ହାତ ଗଢ଼ିନାହିଁ ! ତା ହୋଇଥିଲେ ସିଏ ବି ତା ବଉଳ ପରି ଗୋରା ତକତକ ରୂପ ମାଗି ଆଣିଥାଆନ୍ତା । ତା ବଉଳର ଆଖିଯୋଡ଼ାକ କି ସୁନ୍ଦର ! ନାଲିକଇଁ ପରି ଓଠ ଯୋଡ଼ିକ କେତେ ମିଠା ! ତାର ପାଦ ଓ ପାପୁଲି ସାନ ପିଲାର ପାଦ ପାପୁଲି ପରି କେଡ଼େ ନରମ ! ବଉଳର ହଳଦୀମଖା ଦେହକୁ ଜାବୁଡ଼ି ଧରି ମଞ୍ଜୁ କହେ, “ମୁଁ ପୁଅ ହୋଇଥିଲେ ସତ କହୁଛିଲୋ, ତୋତେ ହିଁ ବାହାହୋଇ ଥାଆନ୍ତି ।”

ଧେତ୍‌, ଅଣ୍ଡିରାଚଣ୍ଡୀ ! ବଉଳ କହେ । ଉପରକୁ ଏମିତି କହେ ସିନା ଭିତରେ ଭିତରେ ଖୁସି ହୁଏ । ଖୁସି ହେଉ ନ ଥିଲେ ମୁହଁରେ ଏମିତି ଲାଜ ଉକୁଟି ଉଠନ୍ତା କାହିଁକି !

ମଞ୍ଜୁ କହେ, “ଦେଖିବୁ, ତୋ ବର ସବୁ କାମଧନ୍ଦା ଛାଡ଼ି ଦିନ ରାତି ତୋଅରି ପାଖରେ ବସି ରହିବ ! ତୁ ତ ଗୋରୀ କନିଆଁ, ତୋର ଆଉ ଦୁଃଖ କଣ ?”

ବଉଳ ବଉଳି ଉଠେ । ମଞ୍ଜୁକୁ କୁଣ୍ଢେଇ ଗେଲ କରେ । ବଡ଼ ପୋଖରୀ ଆଡ଼ିରେ ଗୋଡ଼ ଲମ୍ବେଇ ସଞ୍ଜର ମାଛି ଅନ୍ଧାରରେ ଥିରି ଥିରି କହେ, “ସାବନା ହେଲେ କଣ ହେବ ଲୋ, ତୋ ମନଟି ଭାରି ଭଲ । ରୂପ ତ ଆଜି ଅଛି, କାଲିକି ନ ଥିବ । ତୋ ପରି ମନ ଆଉ କାହାର ଅଛି-?”

ଦିଇଟି ଅଭିଆଡ଼ୀ ଝିଅ ଚୁପ୍‌ଚାପ୍‌ ବସନ୍ତି । ଛାତି ଭିତରେ ଅଜଣା ଆଶଙ୍କା ଢିଙ୍କି ପରି ଦୁମ୍‌ଦୁମ୍‌ ପଡ଼ୁଥାଏ । ଦିହିଙ୍କର ଏକା ନାଁ ବୋଲି ପିଲାଟି ଦିନରୁ ସେମାନେ ବଉଳ ବସିଥିଲେ । ଛୋଟ ଜାତିର ଝିଅ ବୋଲି ମଞ୍ଜୁକୁ ତା ବଉଳ କେଉଁଦିନ ତଳେଇ ଦେଖି ନାହିଁ । ପୂନେଇଁ ପରବରେ ଦିହେଁ ଦିନରାତି ଏକାଠି ନାଚିଛନ୍ତି, କୁଦିଛନ୍ତି । ବରକୋଳି, ଭଇଁଚ କୋଳିଠୁଁ ଆମ୍ବୁଲ ଓ ଆଚାର ପର୍ଯ୍ୟନ୍ତ ଚୋରେଇ ଦିହେଁ ବେହେରାଘର ପୋଖରୀ ତୁଠରେ ବସି ଖାଇଛନ୍ତି । ଏମିତି କୋଉ କଥା ନାହିଁ ଯାହା ବଉଳ ତାକୁ କହି ନାହିଁ, ଏମିତି କୋଉ ଜିନିଷ ନାହିଁ ଯାହା ତାକୁ ଦେଖେଇ ନାହିଁ !

ସେଇ ତା ବଉଳ ।

ହଜାରକରେ ଗୋଟିଏ, ଗାଁ ଭିତରେ ସବୁଠୁ ସୁନ୍ଦରୀ ତା ବଉଳ । ମାଛିକୁ ମ କହେ ନାହିଁ । କାହାକୁ ଟାଣ କରି ପଦେ କହେ ନାହିଁ । ବ୍ରାହ୍ମଣ ଘର ବୁଢ଼ୀ ପରି ବରଷକର ସବୁ ଓଷା, ସବୁ ବ୍ରତ, ସବୁ ପୂନେଇଁ ଓ ସବୁ ଅମାବାସ୍ୟା ପାଳେ ।

ମଞ୍ଜୁ ତା ବଉଳ ଘର ଦାଣ୍ଡ ଅଗଣାରେ ପହଞ୍ଚି ସାରିଥିଲା । ସେ ଭାବୁଥିଲା, ଆଗେ ତା ବାହାଘର ଖବରଟା ବଉଳକୁ କହିବ ନା ବଉଳଠୁଁ ତା ଶାଶୂଘରର କଥା ଶୁଣିବ ? ମଞ୍ଜୁକୁ ଦିଇଟାଯାକ କଥା ଏକାପରି ଗୁରୁତ୍ୱପୂର୍ଣ୍ଣ ଜଣାପଡ଼ୁଥିଲା ।

ବଉଳ ବିଦା ହୋଇଯିବା ଦିନ ଯେମିତି କାନ୍ଦିକାଟି ଯାଇଥିଲା ସେ କଥା ତା ମନରୁ ଆଦୌ ଯାଇ ନ ଥିଲା । ତିନିଟା ଦିନ କଣ ତିନି ବର୍ଷ ବିତିଥିଲେ ବି ମଞ୍ଜୁ ସେ କଥା ଭୁଲିପାରନ୍ତା ନାହିଁ । କି ବିକଳରେ ହାତଗୋଡ଼ ଛାଟି କାନ୍ଦୁ ନ ଥିଲା ତା ବଉଳ ! ମଞ୍ଜୁର ବେକକୁ ଜାବୁଡ଼ି ଧରି ବଉଳ ଚେତା ହରେଇ ଦେଇଥିଲା । ତା ଖୁଡ଼ୀ ଓ ମାଉସୀ ପାଣି ଛାଟି ସାଷ୍ଟମ କରେଇଥିଲେ । ରାହାଧରି କାନ୍ଦୁ କାନ୍ଦୁ ବଉଳ କହିଥିଲା, “ମୁଁ ଯାଉଛି ଲୋ ବଉଳ । ବଞ୍ଚିଥିଲେ ମୋତେ ଦେଖିବୁ, ନ ହେଲେ ପାଣି ଛଡ଼େଇ ଦେବୁ... ।”

ମଞ୍ଜୁର ଛାତି ଦୁହିଁ ହୋଇ ଯାଇଥିଲା । ଏମିତିକା ନିଉଛୁଣା ଜୀବନ କାହିଁକି ଦଇବ ଗଢ଼ିଛି ?

ତା ବୋଉ ଲୁଗାକାନିରେ ଆଖି ପୋଛୁ ପୋଛୁ ବୁଝେଇଥିଲା, “କାନ୍ଦନା ମା । ସମସ୍ତଙ୍କୁ ଦିନେ ଯିବାକୁ ହୁଏ । ଇଏ କଣ ନୂଆ କଥା ! ତୁ ପୁଣି ଆସିବୁ ନାହିଁ କି ?”

ବଉଳ ଆସିଛି ।

ବଉଳର ଅଗଣାରେ ଗୋଟେ ଗାଡ଼ି ଥୁଆ ହୋଇଛି । କେତେ ଭାଗ୍ୟ ତା ବଉଳର ! କେତେଟା ଝିଅ ଗାଡ଼ି ଚଢ଼ି ବାପଘରକୁ ଆସିଛନ୍ତି ଏ ଗାଁରେ ! ବସିଥିଲେ ବସିଥିବେ ସବାରିରେ, ଶଗଡ଼ରେ ନ ହେଲେ ରିକ୍ସାରେ । ତା ବଉଳ କିନ୍ତୁ ଆସିଛି ମଟର ଗାଡ଼ିରେ ।

ଘର ଭିତରକୁ ପଶି ଯାଉ ଯାଉ ମଞ୍ଜୁ ଶୁଣିଲା, ବଉଳର ବଡ଼ବାପା କାହାକୁ ଶୁଣେଇଲା ପରି କହୁଛନ୍ତି, “ଅଷ୍ଟମଙ୍ଗଳା ଯାଇନାହିଁ, ଝିଅ ଫେରି ଆସିଲାଣି । ମୁଁ କହୁ ନ ଥିଲି, ନିଶ୍ଚୟ କିଛି କେଁ ଅଛି ।”

ମଞ୍ଜୁର ଦେହ ରାଗରେ ଜଳିଗଲା । ସବୁଦିନେ ବଉଳ ବଡ଼ବାପାର ଏହିପରି ଅମଙ୍ଗଳିଆ କଥା । ବଉଳର ବାପା ଓ ବଡ଼ବାପା ଦି ଭାଇ, କିନ୍ତୁ କାହାରି କାହା ସାଙ୍ଗରେ ପଡ଼େ ନାହିଁ । କଥାରେ ଅଛି, ଯୋଉ ମା ପେଟରେ ରାବଣ, ସେଇ ମା ପେଟରେ ବିଭୀଷଣ । ଏମିତି ଭାଇ ଥିଲେ ଶତ୍ରୁ ଖୋଜିବା ଲାଗି ହାଟକୁ ଯିବା ଦରକାର ନାହିଁ । ନିଜ ଝିଆରୀ ନାଁରେ ବି ଏମିତି କଥା !

ବେହେରା ଘର ଆଠମାସିଆ ମୂଷା ମଳିକ ଏକା ଧ୍ୟାନରେ କିନ୍ତୁ ବଉଳ ବଡ଼ବାପାର କଥା ଶୁଣୁଥିଲା । ମଝିରେ ମଝିରେ କଥାରେ ଜୁଆ ଦେଉଥିଲା । ବଉଳ ଘରର ଦାଣ୍ଡ କବାଟକୁ ଆଉଜି ମଞ୍ଜୁ ଶୁଣିଲା ମୂଷା ମଳିକ କହୁଛି, “ସରବା ମହାନ୍ତି ପୁଅ କଥାଠୁ ଏକଥା ବଳିଗଲା । ଏମିତି ଆଚମ୍ବିତ କଥା ଆଉ କଣ ମଝିରେ କିଏ ଶୁଣିଥିଲା ?”

ସରବା ମହାନ୍ତି ପୁଅ କଥା ପ୍ରକୃତରେ ଥିଲା ଆଚମ୍ବିତ କଥା । ମଞ୍ଜୁ ସେତେବେଳେ ସାନ ହୋଇଥିଲା । ସରବା ମହାନ୍ତି ଓ ତା ସାନ ଭାଇ ଭିତରେ ବିବାଦ ଥିଲା । ସରବାର ଦି ବର୍ଷର ପୁଅକୁ ଭୁଲେଇ ଭାଲେଇ ନେଇ ତା ଦାଦା ଖୁଡ଼ୀ ଗୋଟେ ଗାତ ଖୋଳି ପୋତି ଦେଇଥିଲେ । ଯେତେ ଯୁଆଡ଼େ ଖୋଜାଖୋଜି କରି ପୁଅର ପତ୍ତା ନ ପାଇଲାରୁ ସରବା ଯାଇ ପାଟପୁର ଫାଣ୍ଡିରେ ଏତଲା ଦେଇଥିଲା । ପୁଲିସ ଆସି ଦଳପୋଖରୀ ହୁଡ଼ା ତଳୁ ସରବା ପୁଅକୁ ଗାତ ଖୋଳି ବାହାର କରିଥିଲେ । ଦେଢ଼ଦିନ ପରେ ବି ଛୁଆଟା ବଞ୍ଚିଥିଲା !

ସରବାର ସାନ ଭାଇକୁ ଜେଲ୍‌ ହୋଇଥିଲା । ଗାଁ ଠାକୁରାଣୀଙ୍କ ଲାଗି ଦି ଗୁଣ୍ଠ ଜମି ଖଞ୍ଜି ଦେଇଥିଲା ସରବା ମହାନ୍ତି । ରାଜ୍ୟସାରା ଏ ଖବର ରାଷ୍ଟ୍ର ହୋଇଯାଉଥିଲା । ଠାକୁରାଣୀଙ୍କ ମହିମା ନ ଥିଲେ ଦେଢ଼ଦିନ ପରେ ଜିଅନ୍ତା ପିଲା ମାଟିତଳୁ ଉଦ୍ଧୁରି ନ ଥାନ୍ତା !

କିନ୍ତୁ ବଉଳ ସାଙ୍ଗରେ ସେ ଘଟଣାର ସମ୍ପର୍କ କଣ ! ଆଉ ଧୈର୍ଯ୍ୟ ଧରି ଠିଆହୋଇ ପାରିଲା ନାହିଁ ସେ । ବଉଳ ଘରର ମଝି ଅଗଣାକୁ ଧାଇଁଗଲା ।

 

ଘରର ମଝି ଅଗଣାରେ, ଯୋଉଠି ତା ବଉଳର ବାହାଘର ବେଦୀ ସଜଡ଼ା ହୋଇଥିଲା ସେଇଠି ବଉଳର ବର ଛିଡ଼ାହୋଇ ବଡ଼ ପାଟିରେ କଣ କହୁଥିଲା । ବଉଳର ବାପା ଜ୍ୱାଇଁଙ୍କ ହାତ ଧରି ତାଙ୍କୁ ଘର ଭିତରକୁ ଭିଡ଼ି ନେଉଥିଲେ ବି ଜ୍ୱାଇଁ ହାତ ଛାଟି ଦେଇ ଘର ଭିତରୁ ପଳେଇ ଆସୁଥିଲା । ଘର ଭିତରଟା ଗୋଟେ ମଶାଣି ପରି ଗୁମ୍‌ସୁମ୍‌ ଜଣାପଡ଼ୁଥିଲା । ଦାଣ୍ଡ ଅଗଣାର କଥା ଶୁଣି ବ୍ୟସ୍ତ ହୋଇପଡ଼ିଥିବା ମଞ୍ଜୁ ଏଥର ସତକୁ ସତ କାତର ହୋଇପଡ଼ିଲା । ତା ବଉଳ କାହିଁ ?

 

ଖଞ୍ଜା ଘର ଭିତରେ ତା ବୋଉର ଶୋଇବାଘର ଖଟ ଦାଢ଼ରେ ବଉଳ ବସିଥିଲା । ତାର ଅଳତା ବୋଳା ଲାଲ୍‌ ଟୁକୁଟୁକୁ ପାଦ ଯୋଡ଼ିକ ଉପରେ ହିଁ ମଞ୍ଜୁର ନଜର ଆଗେ ପଡ଼ିଥିଲା । ସେଇଠୁ ନଜର ଉଠି ଉଠି ତାର ମୁହଁଯାଏ ଗଲା । ବଉଳ ପଣତକାନିରେ ମୁହଁ ଲୁଚେଇ କଇଁ କଇଁ କାନ୍ଦୁଥିଲା ।

 

ସେ ଧାଇଁଯାଇ ତା ବଉଳକୁ ଜାବୁଡ଼ି ଧରିଲା । ବୁଡ଼ିଗଲା ଲୋକ ଆଶ୍ରା ପାଇଲା ଭଳି ମଞ୍ଜୁକୁ କୁଣ୍ଢେଇ ଭୋ ଭୋ କାନ୍ଦି ଉଠିଲା ବଉଳ ।

 

ଖାଲି କୋହ ଆଉ କୋହ । ଲୁହ, ଲାଳ ଓ ସିଂଘାଣି ମିଶି ବଉଳର ମୁହଁ ବାଲୁବାଲୁ ହୋଇଯାଇଥିଲା । ଦୁଇ ହାତ ପାପୁଲିରେ ମଞ୍ଜୁ ତା ବଉଳର ମୁହଁଟିକୁ ଟେକି ଧରି ପଚାରିଲା, ‘କହ, କଣ ହେଇଚି ମୋତେ କହ ବଉଳ !!’

 

କିନ୍ତୁ ବଉଳ କିଛି କହୁ ନ ଥିଲା । କିଛି ହିଁ କହୁ ନ ଥିଲା । ସେ ଯେତେଥର ତୁଣ୍ଡ ଖୋଲିବାକୁ ଚାହୁଁଥିଲା ସେତେଥର ତା ଓଠର କଥା କେବଳ ଗୋଟେ ବିକଳ କାନ୍ଦଣା ହୋଇପଡ଼ୁଥିଲା । ସେଇ କାନ୍ଦଣା ଭିତରେ ତାର କଥାସବୁ ବଢ଼ିପାଣି ଭିତରେ ଧାନକ୍ଷେତ ଲୁଚିଗଲା ପରି ଲୁଚି ଯାଉଥିଲା ।

 

ଦାଣ୍ଡପଟର ପାଟିଗୋଳ ବଢ଼ି ଯାଇଥିଲା । ମଞ୍ଜୁ କାନ ଡେରିଲା, ମଟର ଗାଡ଼ିଟା ଧୂଆଁ ଓ ଧୂଳି ଉଡ଼େଇ ବଉଳ ଘର ଦାଣ୍ଡରୁ ବାହାରି ଚାଲିଗଲା ଓ ଚାହୁଁ ଚାହୁଁ ସେ ଶବ୍ଦ ହଜିଗଲା ।

 

ସେ ସେଇ କୋଳାହଳ ଭିତରୁ ଯୋଡ଼ାଏ କଠୋର ବାକ୍ୟ ଶୁଣି ପାରିଥିଲା, “ତୁମ ଝିଅର ଚରିତ୍ର ଖରାପ । ତାକୁ ତୁମେ ସମ୍ଭାଳ ।”

 

ଚରିତ୍ର ଖରାପ ! ବାସ୍‌, ଏଇ କଥା ପଦକ କହିବା ଲାଗି ହିଁ ବଉଳର ବର ଏତେବାଟ ଆସିଥିଲା ? ଦିନ ଦିଇ ତିନିଟା ଭିତରେ ଏତେ ବଡ଼ ଖବର ବଉଳର ବର ପାଇଗଲା, ଯାହା ମଞ୍ଜୁ ତାର ଏକୋଇଶି ବର୍ଷ ଜୀବନରେ ବି ଜାଣିପାରିଲା ନାହିଁ !

 

ବଉଳର ବାପା, ଛେଉଣ୍ଡ ଛୁଆଟେ ପରି ଏପଟ ସେପଟ ହେଉଥିଲେ । ତାଙ୍କର ମାନ ମହତ ସବୁତକ ଶୁଖିଲା କାଠିକୁଟା ପରି ଅଗଣାରେ ଖେଳେଇ ହୋଇ ପଡ଼ିଥିଲା । ଗାଁ ଗୋଟାକର ଲୋକ, ବୁଢ଼ା-ବୁଢ଼ୀ, ପୁରୁଷ-ସ୍ତ୍ରୀ, ସମସ୍ତେ ଗୋଟି ଗୋଟି କରି ଆସି ଜମା ହେଉଥିଲେ । ତିନିଟା ଦିନ ତଳେ ଏଇମାନେ ଆସି ଭୋଜିଭାତ ଖାଇ ଯାଇଥିଲେ । ବଉଳର ବରକୁ ଦେଖି ପ୍ରଶଂସା କରିଥିଲେ । ବଉଳ ବାପାର ସୌଭାଗ୍ୟକୁ ସାବାସି ଦେଇଥିଲେ ।

 

ମଞ୍ଜୁ ତା ବଉଳର ଘର ଅଗଣାକୁ ଚାହିଁଲା । ବାହାବେଦୀ ସେମିତି ସାଜିଲା ସୁଜିଲା ପରି ଦିଶୁଛି । କଦଳୀ ଗଛ ଗୁଡ଼ାକ ଶାଗୁଆ ଓ ରଙ୍ଗ କାଗଜ ସେମିତି ସତେଜ ଅଛନ୍ତି । ଏଇ ବେଦୀ ଉପରେ ହୋମ ହୋଇଥିଲା । ଦି ପକ୍ଷର ବ୍ରାହ୍ମଣ ମନ୍ତ୍ର ପଢ଼ିଥିଲେ । ଏଇଠି ପଡ଼ିଥିଲା ହାତଗଣ୍ଠି, ବନ୍ଦାପନା, କଉଡ଼ି ଖେଳ ଓ ବାହା ହୋମ । ସେଇଠି ବସିଥିଲା ବଉଳ, ତା ଡାହାଣକୁ ତା ବର । ଦିହିଁଙ୍କ ମଥାରେ ଥିଲା ମୁକୁଟ, କପାଳରେ ଚନ୍ଦନ ଟୋପା । ସେପଟେ ବାରିକ ବସି ବ୍ରାହ୍ମଣ ହାତକୁ ଗୋଟାକ ପରେ ଗୋଟାଏ ସଜ ବଢ଼େଇ ଦେଉଥିଲା । ଏପଟେ ବାରିକାଣୀ ବସି ବଉଳକୁ ବାହାବିଧି ବତେଇ ଦେଉଥିଲା ।

 

ହଠାତ୍‌ ଗୋଟାଏ ଚିତ୍କାର ଶୁଣି ମଞ୍ଜୁ ସ୍ତବ୍ଧ ହୋଇଗଲା । ବଉଳର ବୋଉ ପାଟି ଇଏ । ସେ ବଉଳକୁ ଛାଡ଼ି ଅଗଣାକୁ ଧାଇଁଗଲା । ବଉଳର ବାପା ଚେତା ହରେଇ ପଡ଼ି ଯାଇଥିଲେ । ତା ବୋଉ ପାଣି ଛାଟୁ ଛାଟୁ ସାହାଯ୍ୟ ପାଇଁ ଡାକ ପକଉଥିଲେ । ମଞ୍ଜୁକୁ ବୁଦ୍ଧିବାଟ କିଛି ଦିଶୁ ନ ଥିଲା-

 

ଆଜି ମଞ୍ଜୁର ବାହାଘର । ରାତିକି ବର ଆସିବ । ଶେଷ ତିଥିର ବାହାଘର । ଏହାପରେ ଏ ବର୍ଷ ଆଉ ତିଥି ନାହିଁ ।

 

ବଉଳ ତାର ମୁଣ୍ଡ କୁଣ୍ଡେଇ ଦେଉଥିଲା । ମଞ୍ଜୁ ଚୁପ୍‌ଚାପ୍‌ କାଠ କଣ୍ଢେଇ ପରି ବସିଥିଲା-। କୋଉଠୁ କେମିତି ସେ କଥା ଆରମ୍ଭ କରିବ ଚିନ୍ତା କରିପାରୁ ନ ଥିଲା । ଏହା ଭିତରେ ଆଠଦିନ ବିତିଯାଇଥିଲା । ବଉଳ ଘରର ଅଷ୍ଟମଙ୍ଗଳା ଭାର ତା ଶାଶୂଘର ଫେରେଇ ଦେଇଥିଲେ-। ସେମାନେ ସମ୍ବନ୍ଧ ଭାଙ୍ଗି ଦେଇଛନ୍ତି । ତା ବଉଳକୁ ସେମାନେ ଆଉ ବୋହୂ କରି ନେଇପାରିବେ ନାହିଁ ।

 

ବଉଳର ବାପା ଜିଦ୍‌ ଧରିଛନ୍ତି, ସେ କଚେରିକୁ ଯିବେ ।

 

ମୋକଦ୍ଦମା ହେବ ।

 

ବଉଳକୁ ନେଇ ଏବେ ଗାଁଟା ସାରା ଉଠୁଛି ପଡ଼ୁଛି । ଗୋଟେ ମଫସଲୀ ଗାଁର କୋଳାହଳ ପାଇଁ ଏହାଠୁ ବଡ଼ ଖବର ଆଉ କଣ ହୋଇପାରେ !

 

ଗୋଟେ ଚାପା କୋହ ବାହାରକୁ ବାହାରି ଆସିବା ପାଇଁ ବାଟ ଖୋଜୁଥିଲା । ସେଇଟି ବାହାରି ନ ଆସିଲେ ମଞ୍ଜୁ ଯେମିତି ଥୟ ଧରିପାରିବ ନହିଁ । ତାର ଛାତି ଓ ପେଟ ଭିତରେ ସେ କୋହ ପଶି ତାକୁ ଅଥୟ କରିଦେଉଥିଲା । କାହିଁକି ବଉଳର ବର ଏମିତି ନିଷ୍ଠୁର ଭାବରେ ଆଣି ବଉଳକୁ ଛାଡ଼ି ଦେଇଗଲା ?

 

ମୋର ରାଣ ବଉଳ, ମୋତେ କହ । ନ ହେଲେ ତୋରି ଆଗରେ ମୁଣ୍ଡ କଚାଡ଼ି ଦେବି–ଅଧୈର୍ଯ୍ୟ ହୋଇ ମଞ୍ଜୁ ଆଉ ଥରେ ପଚାରିଲା ।

 

ଏଇ ପ୍ରଶ୍ନଟିକୁ ଗଲା ଆଠଦିନ ଭିତରେ ଆଠ ଶହଥର ମଞ୍ଜୁ ପଚାରି ସାରିଛି । ସବୁଥର ବଉଳ କେବଳ ଗୋଟାଏ ଶୂନ୍ୟ ଚାହାଣିରେ ତାକୁ ଚାହିଁଛି । ମୁହଁର ଭାଷା ଆଖିର ଲୁହ ହୋଇ ନିଗିଡ଼ି ଆସିଛି ସିନା, ମଞ୍ଜୁକୁ କିଛି ବୁଝେଇ ପାରି ନାହିଁ ।

 

ମଞ୍ଜୁ ଆଉ ଥରେ ଜଡ଼େଇ ଧରିଲା ବଉଳକୁ । ଯିଏ ଯାହା କହୁ, ସେ ଚିହ୍ନେ ତା ବଉଳକୁ । ଏତେ ଟିକିଏ ଧୂଳିମଳି ନାହିଁ, ସୋରିଷଟିଏ ବି ରଖିପାରେ ନାହିଁ ସେ ତା ପେଟରେ । ତା ନାଆଁରେ ପୁଣି ଏଡ଼ିକି ଅପବାଦ !

 

ବଉଳ ତୁଣ୍ଡ ଖୋଲିଲା । ଆଖି ଧାରରେ ପୁଣି ଦି ଟୋପା ଲୁହ । ମଞ୍ଜୁ ନିଜ କାନିରେ ପୋଛି କହିଲା, “କହ ବଉଳ, କହ ।”

 

ବଉଳ କହିଥିଲା । ସେ କହି ନ ଥିଲେ ଏମିତି ଗୋଟିଏ ସାନ କଥା ପାଇଁ ତା ବଉଳର ସଂସାର ଭାଙ୍ଗି ଯାଇଥିବା କଥା ମଞ୍ଜୁ କୌଣସି ଦିନ କଦାପି ବିଶ୍ୱାସ କରିପାରି ନ ଥାନ୍ତା ।

 

: ସବୁ ଭୁଲ୍‌ । ସବୁ ମିଛ । ଏ ହୋମ, ଏ ମନ୍ତ୍ର, ଏ ସପ୍ତପଦୀ ନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମ ପାଇଁ ସାଥୀ ହେବାର ସଙ୍କଳ୍ପ, ସବୁ ଭୁଲ୍‌ । ଦଶ ଦୋଷ କ୍ଷମା କରିବାର ପ୍ରତିଶ୍ରୁତି ବି ମିଛଲୋ ବଉଳ ! କୋଉଦିନ ଏସବୁ ଉପରେ ଭରସା କରିବୁ ନାହିଁ ।

 

: ଚଉଠି ରାତିରେ କେତେ କଥା କହିଥିଲେ । ମୋଠୁଁ ଯାହା ତାଙ୍କ ମନ, ସବୁ ଆଦାୟ କରିଥିଲେ । କୋଉ କୋଉ ଝିଅ ତାଙ୍କୁ କୋଉ କୋଉ ଦିନ ଭଲପାଇଥିଲେ ବନେଇ ଚୁନେଇ କହିଥିଲେ । ଏପରିକି କାହାକୁ ବାହା ହେବାଲାଗି କଥା ଦେଇ ସାରିଥିଲେ, ସେ କଥା ବି ।

 

: ମୋତେ ବି ପଚାରିଥିଲେ–ତୁମେ କୁହ, ତୁମେ ବି କାହାକୁ କେବେ ଭଲପାଇଥିବ ! କହିଲୁ ବଉଳ, ମୋର ବା କାହା ସାଙ୍ଗେ କି ସମ୍ପର୍କ ? କଣ ମିଛଟାରେ ଲଗେଇ ଜୁଟେଇ କହିଥାଆନ୍ତି ! କିନ୍ତୁ ବଡ଼ ଅବିଶ୍ୱାସୀ ପୁଅ ପିଲାଙ୍କ ମନ । ଯେତେ କହିଲେ ବି ତାଙ୍କ ମନ ବୁଝି ନ ଥିଲା । ସେ ରୁଷିଥିଲେ, କାନ୍ଥକୁ ମୁହଁ କରି ଶୋଇଥିଲେ । ଉଲୁଗୁଣା ଦେଇଥିଲେ ଯେ ମୁଁ ମିଛ କହୁଛି । ମନର କଥା ପେଟରେ ଲୁଚଉଛି ।

 

: ମାଇନର୍‌ ସ୍କୁଲରେ ପଢ଼ିଲାବେଳେ ହେଡ଼୍‍ମାଷ୍ଟରଙ୍କ ପୁଅ ତନୁ କଥା ମନେ ଅଛି ନା ! ତା ନାଆଁରେ ହେଡ଼୍‍ମାଷ୍ଟ୍ରଙ୍କୁ କଣ କହିଦେଇଥିଲି ବୋଲି ସେଇ ଥରେ ମୋର ଚୁଟି ଭିଡ଼ି ଦେଇଥିଲା ରାଗରେ । ସେଇ ଗୋଟିଏ ପୁଅ, ଯିଏ ମୋତେ ଥରେ ଛୁଇଁଥିଲା । ମନେ ପକେଇ ପକେଇ ସେଇକଥା କହିଥିଲି–ତନୁ ଥରେ ମୋର ଚୁଟି ଭିଡ଼ିଥିଲା । ସେଇ ଯଦି ତମ କଥାରେ ଭଲପାଇବା ହୁଏ ତାହେଲେ ହେଉ ।

 

: ସେଇ ମୁହୂର୍ତ୍ତରେ ମୋର ସଂସାର ଉଜୁଡ଼ି ଯାଇଥିଲା ବଉଳ ! ସେ ହଠାତ୍‌ ଖଟ ଉପରୁ ଉଠି ଝଡ଼ ପରି ପଳେଇ ଯାଇଥିଲେ । ଆଉ ଉଁ କି ଚୁଁ କିଛି ବି କହି ନ ଥିଲେ । ଓକିଲ ପରି ମୋତେ ଧମକେଇଥିଲେ, ମୁଁ କୁଆଡ଼େ ସବୁ କଥା ଲୁଚଉଛି । ତନୁ ଖାଲି ଚୁଟି ଭିଡ଼ି ନ ଥିଲା...

 

: ମୋ ରାଣଲୋ ବଉଳ, ଏତେ ଟାଣକଥା ପରେ ବି ମୁଁ ତାଙ୍କର କେତେ ଗୋଡ଼ହାତ ଧରିଲି । କେତେ ଅନୁନୟ ବିନୟ ହେଲି । ‘ତମେ ବାଧ୍ୟ କଲାରୁ ତମ ମନ ରଖିବାକୁ କିଛି ତ ଗୋଟେ କହିବାକୁ ହେବ ବୋଲି ତନୁ କଥା କହିଛି । ଏକଥା ବି କହିଛି, ଦିଇଟି ବାର ତେର ବର୍ଷ ପିଲାଙ୍କ ଚୁଟି ଭିଡ଼ାଭିଡ଼ି କଣ ଭଲପାଇବା ?’

 

ଆଉ କିଛି କହିପାରି ନ ଥିଲା ବଉଳ । ଆଖିର ଲୁହ ଓ ଛାତି ତଳର କୋହ ମିଶି ତାକୁ କଥା କୁହାଇ ଦେଇ ନ ଥିଲା । କହିଥିଲେ ବି କଣ କହିଥାଆନ୍ତା ? କହିଥାଆନ୍ତା–ତୋ ବରକୁ ବି ତୁ ମିଛରେ କି ସତରେ କୋଉ ପୁଅ ପିଲାକୁ ଆଡ଼ ଆଖିରେ ଅନେଇଥିବା କଥା କହିବୁ ନାହିଁ । କୋଉ ପୁଅ ସାଙ୍ଗର ନାଁ ବି ନେବୁ ନାହିଁ ତୁଣ୍ଡରେ, ଜୀବନ ଚାଲିଗଲେ ବି ।

 

ମଞ୍ଜୁର ମୁଣ୍ଡ ଝାଇଁ ମାରି ଦେଉଥିଲା । ସେ ବୁଝି ପାରୁଥିଲା ଯେ ତା ବଉଳର କଥାକୁ କେହି ବିଶ୍ୱାସ କରିବେ ନାହିଁ । କେହି କଣ କେବେ ବି ଭାବିବ ଯେ ଏତେ ଛୋଟ କଥାଟେ ଲାଗି ତା ବର ତାକୁ ଛାଡ଼ିଦେଲା ? କିଏ ବିଶ୍ୱାସ କରିବ ? ସମସ୍ତେ ଜିରାରୁ ଶିରା ଖୋଜିହେବେ, ଯେମିତି ଖୋଜିଥିଲା ରଜାପୁଅ ।

 

ମଞ୍ଜୁର ସେ ଗପଟି ମନେ ପଡ଼ୁଥିଲା । ରଜାପୁଅ ମନ୍ତ୍ରୀପୁଅ ଭାରି ସାଙ୍ଗ ଥିଲେ । ଦିହିଁଙ୍କ ଭିତରେ ଭେଦ ତିଆରିବା ପାଇଁ ମାଲୁଣୀ ବୁଢ଼ୀ ଫନ୍ଦି କରିଥିଲା । ସବାରିଟାରେ ସାଜିସୁଜି କନିଆଁ ବେଶ ହୋଇ ରଜାପୁଅ ମନ୍ତ୍ରୀପୁଅ ପାରିଧି ଯିବା ବାଟରେ ସେ ଅନିଷା କରିଥିଲା ।

 

ରଜାପୁଅ ମନ୍ତ୍ରୀ ପୁଅକୁ ପଠେଇଲା, “ଯା ବୁଝି ଆସିବ, ସେ ଅପୂର୍ବ ସୁନ୍ଦରୀ କଣ କହୁଛି-?”

 

ମନ୍ତ୍ରୀପୁଅ ଗଲାରୁ ଚତୁରୀ ମାଲ୍ୟାଣୀ କହିଥିଲା, “ଧାନଟି ଭିତରେ ଚାଉଳଟିଏ, ଚାଉଳ ଭିତରେ କିଛି ନାହିଁ ।”

 

: ଏତିକି କଥା ? ଆଉ କଣ କହିବ !

 

ଧାନଟି ଭିତରେ ଚାଉଳଟିଏ, ଚାଉଳ ଭିତରେ କିଛି ନାଇଁ ।

 

ମନ୍ତ୍ରୀପୁଅ ଫେରିଆସି ସେଇକଥା ରଜାପୁଅକୁ କହିଥିଲା । ମାତ୍ର ରଜାପୁଅ ସନ୍ଦେହ କରିଥିଲା ସଙ୍ଗାତକୁ । ନିଶ୍ଚୟ କିଛି ଗୋପନ କଥା କହିଛି ସେ ସୁନ୍ଦରୀ, ଅଥଚ ତା ସଙ୍ଗାତ ତାକୁ ଲୁଚଉଛି ।

 

ଏକଜିଦିଆ ରଜାପୁଅ ଉଆସକୁ ଫେରି ହୁକୁମ ଦେଇଥିଲା, ମନ୍ତ୍ରୀପୁଅକୁ ହାଣି ତା ରକ୍ତ ଦେଖେଇଲେ ସେ ଯାଇ ଅନ୍ନ ଜଳ ଛୁଇଁବ ।

 

ମନ୍ତ୍ରୀପୁଅ ବହୁତ ବୁଝେଇଥିଲା । କିନ୍ତୁ କେହି କଣ ତା କଥା ଶୁଣିଥିଲା ! ତା ବଉଳ କଥା ବି ସେମିତି । କିଏ ଶୁଣିବ ତା କଥା !

 

ଘର ଅଗଣାରେ ବେଦୀ ପାଇଁ କଟା ହୋଇଥିବା କଦଳୀପୁଆରୁ ଗୋଟିଏ ତଳେ ପଡ଼ିଥିଲା । ତା ଉପରେ ଯିବା ଆସିବା ଲୋକ ଗୋଡ଼ ଥୋଇ ଯା ଆସ କରୁଥିଲେ । ନା ସେ କଦଳୀ ପୁଆ ଫଳି ପାରିଲା ନା ଦେବୀ କାମରେ ଲାଗିପାରିଲା ?

 

ମଞ୍ଜୁ କାନରେ ବାଜାବାଲାଙ୍କ ବାଜା, କୁଣିଆଁ ମଇତ୍ରଙ୍କ ହସ ଖୁସି, ସାନ ସାନ ପିଲାଙ୍କ କୋଳାହଳ କିଛି ଶୁଭୁ ନ ଥିଲା । ଭଗବାନ ନାହାକର କଥା କେବଳ ତା କାନରେ ରହି ରହି ଶୁଭୁଥିଲା–ବାହାଘର ପିଲାଖେଳ ନୁହେଁ । ବାହାଘର ଯଦି ପିଲାଖେଳ ନୁହେଁ ତାହେଲେ ଆଉ କଣ, ସେଇ କଥା ନାହାକକୁ ପଚାରିବାକୁ ତାର ଇଚ୍ଛା ହେଉଥିଲା ।

 

ସେ ତା ବଉଳର ମୁହଁକୁ ଚାପିଧରି କହିଲା, ‘ତୁନି ହ ବଉଳ । ତୁନି ହ । ନହେଲେ ମୋ ମୁଣ୍ଡ ଖାଇବୁ । ତୋଅରି ଆଗରେ ମୁଁ ମୁଣ୍ଡ ପିଟିଦେବି ।’

☆☆☆

 

ଉଧାର-ମା

 

ମଣିଷ ତା ମନର ମାଲିକ ନା ବିବେକର କ୍ରୀତଦାସ ?

 

ଏ ପ୍ରଶ୍ନର ଉତ୍ତର ଅହଲ୍ୟା ଜାଣେ ନାହିଁ । ସେ ଖାଲି ବୁଝେ ମରୁଡ଼ି ଉଜୁଡ଼ା ଧାନବିଲକୁ ଚାହିଁଲେ ଭୋକ ମରେ ନାହିଁ । ଦୁଃଖ ଦୁଃଖ ଜାଗାରେ, ଭୋକ ଭୋକ ଜାଗାରେ । ଲୁହ କେବେ ଭୋକର ନିଆଁକୁ ପୋଛିଦିଏ ନାହିଁ ।

 

ତା ଭିତରେ ଅନେକ ଭୋକ ଏବଂ ସେ ଭୋକ ସବୁ ଢେର୍‌ ପୁରୁଣା । ସେ ଭୋକର ଜ୍ୱାଳା ଢେର୍‌ ନିଷ୍ଠୁର । ସେ କଣ ସେଇ ଭୋକ ମେଣ୍ଟେଇବା ପାଇଁ ନିଜ ବିବେକକୁ ଚରୁ ଅନ୍ନ ପରି ହୋମରେ ଚଢ଼େଇ ଦେବ !

 

ସେଦିନ ଏମିତି କେତେ ପ୍ରଶ୍ନ ତା ଭିତରେ ମୁଣ୍ଡ ଟେକିଥିଲା । ଦୁର୍ବଳ, ଅକ୍ଷମ ଓ ରୋଗଣା ସ୍ୱାମୀର ମୁହଁକୁ ଚାହିଁ ଚାହିଁ ନିଃଶବ୍ଦ ବିଳାପ କରୁଥିବାବେଳେ ଏମିତି କେତେ କଥା ମନକୁ ଜୁଟୁଥିଲା ।

 

ବନମାଳୀକୁ ସେତେବେଳେ ଭୟଙ୍କର ପକ୍ଷାଘାତ ରୋଗ ମାଡ଼ି ମାଡ଼ି ଆସୁଥିଲା । ପ୍ରଥମେ ବେକର ବାଁ ପଟ, ତାପରେ ବାଁ ହାତ, ବାଁ ଅଣ୍ଟା ଓ ଶେଷକୁ ବାଁ ପାଦ । ଦେଖୁ ଦେଖୁ ଲୋକଟାର ଗୋଟିଏ ପାଖ ଅଚଳ ହୋଇପଡ଼ିଥିଲା । ନା ସେ ଅଙ୍ଗରେ ସେ କିଛି କାମ କରିପାରେ ନା ଜିନିଷଟେ ତଳୁ ଉଠେଇ ଉପରେ ରଖି ଦେଇପାରେ । କ୍ରମେ ତାର ଘରୁ ବାହାରିବା ବି ଅସମ୍ଭବ ହୋଇପଡ଼ିଲା । ଅହଲ୍ୟା ହେଲା ବନମାଳୀର ହାତ ଆଉ ପାଦ । ତାର ପତ୍ନୀ ଓ ଧାଈ ।

 

ଯୋଉ କାରଖାନାକୁ ନେଇ ବନମାଳୀର ଦମ୍ଭ ଥିଲା, ଯୋଉ କାରଖାନାର ମାଲିକ ବନମାଳୀକୁ ନିଜ ‘ଭାଇ’ ପରି ଶ୍ରଦ୍ଧା କରୁଥିଲା, ସେ କାରଖାନାର ମାଲିକ ବନମାଳୀ ପାଇଁ ଗୋଟେ ହୁଇଲ୍‌ଚେୟାର ଓ ତିନି ହଜାର ଟଙ୍କା ଦେଇ ତା ଦାୟିତ୍ୱ ସାରିଦେଲା । ଅହଲ୍ୟା ଦାବି କଲା, ପ୍ରଭିଡ଼େଣ୍ଟ୍‌ ଫଣ୍ଡ୍‌ ଟଙ୍କା ଜମା କରିଦିଅ । ମୁଁ ମୋ ସ୍ୱାମୀର ଚିକିତ୍ସା କରିବି । କାରଖାନାର ମାଲିକ ବ୍ୟବସାୟ ଆରମ୍ଭ ଦିନରୁ ପ୍ରଭିଡ଼େଣ୍ଟ୍‌ ଫଣ୍ଡ୍‌ ଟଙ୍କା ଜମା କରି ନଥିଲା କି ପରେ ବି କଲା ନାହିଁ । କେବଳ ବନମାଳୀର ନୁହେଁ, କାହାରି ଟଙ୍କା ସେ ଜମା କରି ନ ଥିଲା । ସେ ସେମାନଙ୍କ ଦରମାରୁ ଟଙ୍କା କାଟିରଖି ଅନ୍ୟ କାମରେ ଲଗେଇ ଦେଉଥିଲା ଓ କେହି ଜିଦ୍‌ କଲେ ତାକୁ ପ୍ରଥମେ ଫୁସୁଲା ଫୁସୁଲି କରି ଟାଳିଦେଇ ପରେ ନାଲିଆଖି ଦେଖଉଥିଲା ।

 

ଅହଲ୍ୟା ଅଭିଶାପ ଦେଇଥିଲା ।

 

କାରଖାନାର ମ୍ୟାନେଜର କହିଥିଲା, “ଗରମ ପାଣିରେ ଘର ପୋଡ଼େ ନାହିଁ ।”

 

ଅହଲ୍ୟା କେସ୍‌ କରିବ ବୋଲି ଧମକ ଦେଲା ।

 

ମ୍ୟାନେଜର କହିଲା, “ଏମିତି ଧମକାଣ ଆମେ ଢେର୍‌ ଦେଖିଛୁ ।”

 

ଅହଲ୍ୟା କାରଖାନା ଫାଟକ ପାଖରେ ବସି ରହିଲା ।

 

ମାଲିକର ଦରବୁଢ଼ା ପୁଅ ଅଶ୍ଳୀଳ ଇଙ୍ଗିତ ଦେଖାଇ କହିଲା, ‘ସିଏ ତ ଅପଙ୍ଗ ହୋଇଗଲାଣି, ତୁ ଆଉ କୁଆଡ଼କୁ ପଳଉନୁ ! କହିବୁ ଯଦି ମୁଁ ବୁଝିଦେବି । ଉଠୁଛୁ ନା ଏଠୁ !’

 

ଅହଲ୍ୟା ମୁଣ୍ଡ କଚାଡ଼ିଲା, ଛାତି ବାଡ଼େଇଲା, କାନ୍ଦିଲା, ରାଗିଲା; କିନ୍ତୁ ବନମାଳୀ ଭଲ ହେଲା ନାହିଁ ।

 

ସେ ପ୍ରଥମେ ତାର କାନଫୁଲ, ଚୁଡ଼ି, ରୁପାମାଳ, ପିତ୍ତଳ ଜିନିଷପାତି ବିକିଲା ଓ ଶେଷକୁ ବାସନକୁସନ ସୁଦ୍ଧା ବିକିଦେଲା । ସବୁ ସରିବା ପରେ ଯେତେବେଳେ ଦି’ ପରାଣୀଙ୍କ ଖାଇବା ଖର୍ଚ୍ଚ ଜୁଟିଲା ନାହିଁ, ଅହଲ୍ୟା ଚାକିରି କରିବାକୁ ବାହାରିଗଲା । ଏବେ ଅହଲ୍ୟା ଗୋଟେ ପବ୍ଲିକ୍‌ ଫୋନ୍‌ ବୁଥ୍‌ରେ ବସେ । ସକାଳ ନଅଟାରୁ ସଞ୍ଜ ଛଅଟାଯାଏ, ସପ୍ତାହରେ ସାତଦିନ । ସକାଳୁ ଉଠି ପଡ଼ି ନିଜ କାମ ସାରେ, ବନମାଳୀକୁ ଗାଧୋଇ ଦିଏ । ନିଜେ ଖାଏ, ବନମାଳୀକୁ ଖୁଆଏ । ଦିପହର ପାଇଁ ରୁଟି ସନ୍ତୁଳା ରାନ୍ଧି ରଖିଦେଇ ଆସେ । ଘରୁ ବାହାରିଲା ବେଳକୁ ପଡ଼ୋଶୀଘର ବୁଢ଼ୀକୁ ଡାକ ଦିଏ–ଆସୁଛି ମାଉସୀ, ଟିକିଏ ବାଢ଼ିଦେବୁ ।

 

ଏଇ ଅହଲ୍ୟାର ଜୀବନ ।

 

ଗେଣ୍ଡା, କାଚିଣ୍ଡୀର ଘୋଷରା ଜୀବନ ପରି ଜୀବନ ।

 

ଅହଲ୍ୟା ଚୁଲି ପାଖରୁ ଉଠିପଡ଼ିଲା । ମହାପାତ୍ର ବାବୁଙ୍କ ଦାଣ୍ଡଘର ଟିଭିରେ ପାଲା ହେଉଛି, କିନ୍ତୁ କେହି ଶୁଣୁ ନାହାନ୍ତି । ଅହଲ୍ୟା ଅନେଇଲା, ବାଜା ବାଜୁଛି, ଝାଞ୍ଜ ବାଜୁଛି । ଗାଆଣ ଚାମର ଦୋଳେଇ ଗୀତ ବୋଲୁଛନ୍ତି । ଗୀତ ବୋଲିସାରି ବ୍ୟାଖ୍ୟା କରୁଛନ୍ତି-

 

ଅହଲ୍ୟା ଅଟା ବାଲୁ ବାଲୁ ହାତକୁ ଲୁଗା କାନିରେ ଝାଡ଼ିଦେଇ କାନ ଡେରିଲା-

 

: ଯେତେବେଳେ ବିଚିତ୍ରବୀର୍ଯ୍ୟ ମରିଗଲେ...

 

ପାଳିଆମାନେ ପାଳି ଧରିଲେ, ହଁ ।

 

: ମାତା ସତ୍ୟବତୀ ମହାଜ୍ଞାନୀ ବେଦବ୍ୟାସଙ୍କର ଶରଣ ପଶିଲେ...

 

: ହଁ ।

 

: ବଂଶରକ୍ଷା ପାଇଁ ତାଙ୍କୁ ହିଁ କିଛି କରିବାକୁ ହେବ ।

 

: କରିବାକୁ ହେବ ।

 

: ସେଇଠୁ ସତ୍ୟବତୀ ଆଦେଶ ଦେଲେ, “ତୁମେ ଅମ୍ବିକା ଓ ଅମ୍ବାଳିକା ଦୁଇ କନ୍ୟାଙ୍କୁ ସମ୍ଭୋଗ କର । କରରେ... ।”

 

ଧା-ଧା-ଧିନ୍‌, ଝ...ଣ...ଝଣ...ଝ...ଣ, ଧିନ୍‌ ଧିନ ଧା ତେରେକେଟେ ଧା, ଧାଧା ।

 

ଅହଲ୍ୟା ଆହୁରି କୌତୂହଳୀ ହୋଇପଡ଼ିଲା । ଏମାନେ ତାକୁ ଉପଲକ୍ଷ୍ୟ କରି ପାଲା ଗାଉ ନାହାନ୍ତି ତ... !

 

: ମହାମୁନି ବେଦବ୍ୟାସ ଅମ୍ବିକାକୁ ସମ୍ଭୋଗ କଲାବେଳେ ସେ ଆଖି ବୁଜି ଦେଲେ ।

 

: ହଁ ।

 

: ତେଣୁ ତାଙ୍କ ଗର୍ଭର ସନ୍ତାନ ଅନ୍ଧ ହୋଇଗଲା ।

 

ଅହଲ୍ୟା ମନକୁ ମନ କହିଲା, ସେ କେବେ ବି ଆଖି ବୁଜି ଦେବ ନାହିଁ । କେବେ ବି ।

 

ଗାୟକ କହିଲେ, “ଅମ୍ବାଳିକାକୁ ସମ୍ଭୋଗ ବେଳେ ସେ ପାଣ୍ଡୁର ବର୍ଣ୍ଣ ଧାରଣ କରିଗଲେ-।”

 

: ହଁ ।

 

: ତେଣୁ ତାଙ୍କ ଗର୍ଭରୁ ଜାତ ସନ୍ତାନ ପାଣ୍ଡୁର ବର୍ଣ୍ଣର ହେଲା ।

 

ଅହଲ୍ୟା ସଙ୍କଳ୍ପ କଲା, ସେ କଦାପି ଭୟ ପାଇବ ନାହିଁ ।

 

ଗାୟକ ଏଥର ବୁଝେଇଲେ, “ଏଥୁ ଅନ୍ତେ ରାଜଦାସୀ... ଯେତେବେଳେ ସମ୍ଭୋଗ ଇଚ୍ଛିଲେ, ମହାମୁନି ବ୍ୟାସ ଓ ଦାସୀଙ୍କ ଗର୍ଭରୁ ବିଦ୍ୱାନ ବିଦୁର ଜନ୍ମ ହେଲେ ରେ... ଏ... ।”

 

ପୁଣିଥରେ ଝାଞ୍ଜ, ମୃଦଙ୍ଗ ବାଜି ଉଠିଲା–ଧା ତେରେକେଟେ ଧା... ଧା... ଧା... ଧିନା, ଧା ଧିନା ଧା ଧା ।”

 

ଅହଲ୍ୟାର ପଞ୍ଜରା ଥରେଇ ଗୋଟେ ଦୀର୍ଘଶ୍ୱାସ ବାହାରି ଆସିଲା । ତା ଛାତି ଭିତରଟା ଏକାଥରକେ ଦୁହିଁ ହୋଇଗଲା ।

 

ସବୁଦିନେ ସବୁ କଥା ପୁରୁଷର ବଂଶରକ୍ଷା ପାଇଁ ହିଁ କରାଯାଏ । ବୋହୂମାନଙ୍କୁ ରମଣ ପାଇଁ ଦେଢ଼ଶୁରଙ୍କୁ ନିର୍ଦ୍ଦେଶ ଦେଲାବେଳେ ସତ୍ୟବତୀ କଣ ସବୁ କୁଳ ଧର୍ମକୁ ଲଙ୍ଘନ କରିଯାଇଥିଲେ ? ଏପରିକି ବୋହୂମାନଙ୍କର ସମର୍ଥନ ଅଛି କି ନାହିଁ ସେ କଥା ଥରୁଟେ ପାଇଁ ସୁଦ୍ଧା ସେମାନଙ୍କୁ ପଚାରିଲେ ନାହିଁ ।

 

ଅହଲ୍ୟା ବେଶି ପୁରାଣଶାସ୍ତ୍ର ପଢ଼ି ନାହିଁ । କିନ୍ତୁ ସେ ଜାଣେ ପୁରୁଷର ଇଚ୍ଛା ଓ ଚାହିଁବା ପାଖରେ ନାରୀର ଇଚ୍ଛା ଅନିଚ୍ଛା ପ୍ରଶ୍ନ ନିରର୍ଥକ । ସେ ଯୁଗରେ, ଏ ଯୁଗରେ ବି ।

 

ସେ ମନକୁ ଦୃଢ଼ କଲା, ସେ ଆଖିବୁଜି ଦେବ ନାହିଁ କି ଡରିଯିବ ନାହିଁ । ଆଦରରେ, ଆଗ୍ରହରେ ସେ ନିଜକୁ ସମର୍ପି ଦେବ । ଇଏ ତା ପାଇଁ ଅଗ୍ନିପରୀକ୍ଷା । ଏ ଅଗ୍ନିପରୀକ୍ଷାରେ ଜିଣିଗଲେ ବନମାଳୀ ଭଲ ହୋଇଯିବ, ତା ସଂସାର ପୁଣି ଥରେ ହସିଉଠିବ । ବିଫଳ ହେଲେ ଟଙ୍କା ତ ମିଳିବ ନାହିଁ, ରୋଗିଣା ବର ସାଙ୍ଗକୁ ବିକଳାଙ୍ଗ ଛୁଆର ଦାୟିତ୍ୱ ବି ହୁଏତ ତାକୁ ଜୀବନସାରା ତୁଲେଇବାକୁ ହେବ ।

 

।। ଦୁଇ ।।

 

ରାଜିନାମାର ସର୍ତ୍ତ ଏଇଆ ଥିଲା ।

 

ଅପୁତ୍ରକ ସିଂହ ଦମ୍ପତିଙ୍କ ସାହାଯ୍ୟ ପାଇଁ ଅହଲ୍ୟା ତାର ଗର୍ଭାଶୟ ଭଡ଼ାରେ ଦେବ ।

 

ଉଭୟ ପକ୍ଷର ଗ୍ରହଣଯୋଗ୍ୟ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ଗୋଟିଏ ରାତି କିମ୍ବା ଆବଶ୍ୟକ ହେଲେ ଅଧିକ ରାତି ପାଇଁ ଅହଲ୍ୟା ସହ ଶ୍ରୀଯୁକ୍ତ ସିଂହ ସହବାସ କରିବେ ।

 

ଏହି ସହବାସରୁ ଉତ୍ପନ୍ନ ସୁସ୍ଥ ସନ୍ତାନ ବିନିମୟରେ ଅହଲ୍ୟା ଏକ ଲକ୍ଷ ଟଙ୍କା ପାଇବ ।

 

ସନ୍ତାନ ଜନ୍ମ ପରେ ତାହାକୁ ଶ୍ରୀ ସିଂହଙ୍କ ହାତରେ ଅର୍ପଣ ନ କଲେ କିମ୍ବା ଜନ୍ମିତ ସନ୍ତାନ ପଙ୍ଗୁ କିମ୍ବା ବିକଳାଙ୍ଗ ହୋଇଥିଲେ ଅହଲ୍ୟା କୌଣସି ଅର୍ଥ ଦାବି କରିବ ନାହିଁ । ମନେ ରଖିବାକୁ ହେବ ଯେ ଏହି ଅର୍ଥ ସହବାସ ପାଇଁ ନୁହେଁ ସହବାସ ଜନିତ ସନ୍ତାନ ଲାଗି ପ୍ରଦାନ କରାଯାଉଛି ।

 

ପ୍ରଥମେ ଯେଉଁଦିନ ଓକିଲ ଏହି ସର୍ତ୍ତଗୁଡ଼ିକ ଇଂରାଜୀରେ ପଢ଼ି ତାକୁ ଓଡ଼ିଆରେ ବୁଝେଇ ଦେଇଥିଲେ ସେଦିନ ଅହଲ୍ୟା କ୍ରୋଧ ଓ ଅପମାନରେ ଲାଲ୍‌ ପଡ଼ିଯାଇଥିଲା । ତାର ମନେ ହୋଇଥିଲା ସେ ମଣିଷ ନୁହେଁ, ଗୋଟେ ମେସିନ୍‌ । ମାତ୍ର ଓକିଲ ବୁଝେଇଥିଲେ, ଏଥିରେ ରାଗିବାର କାରଣ ନାହିଁ । ତୁମେ ଚାହିଁଲେ ଏଥିରେ ଦସ୍ତଖତ କରିପାର, ନ ଚାହିଁଲେ କରି ନ ପାର-। ଇଏ ଦି ପକ୍ଷର ରାଜିନାମାର କଥା, ଏଥିରେ କିଛି ବାଧ୍ୟବାଧକତା ନାହିଁ ।

 

ଓକିଲ ହୁଏତ ଠିକ୍‌ କହୁଥିଲେ ।

 

ଲକ୍ଷେ ଟଙ୍କା କିଏ କାହାକୁ ଖାଲିରେ ଦେବ ନାହିଁ ।

 

ପୁଣି ବିକଳାଙ୍ଗ ପିଲାର ବାପ ହେବାଠୁଁ ଅପୁତ୍ରକ ହୋଇ ରହିଯିବାରେ ତ ବିଶେଷ କ୍ଷତି ନାହିଁ । ସିଂହବାବୁ କାହିଁକି ସେ ଜଞ୍ଜାଳ ନେବେ ?

 

‘ବୁଝିକି କହିବି’ ବୋଲି କହି ଅହଲ୍ୟା ଫେରି ଆସିଥିଲା ।

 

ଅହଲ୍ୟା ଏମିତି ଗୋଟେ ପ୍ରସ୍ତାବ ସମ୍ପର୍କରେ ପ୍ରଥମ ସୂଚନା ପାଇଥିଲା ତାର ଟେଲିଫୋନ୍‌ ବୁଥ୍‌ରୁ । ସେଇଠି ହିଁ ସେ ଏମିତି ଗୋଟେ ସମ୍ଭାବନାର ଖବର ପାଇଥିଲା । ଏହା ଆଗରୁ ସେ କିଡ଼୍‍ନୀ ବଦଳରେ ଟଙ୍କା ମିଳୁଥିବା ଖବର ଜାଣିଥିଲା । ମାତ୍ର ଗର୍ଭାଶୟ ବି ଭଡ଼ାରେ ଦିଆଯାଇପାରିବ, ସେ କଥା ସେ ପୂର୍ବରୁ ଜାଣି ନ ଥିଲା ।

 

ଖବରଟା ଶୁଣୁ ଶୁଣୁ ଅଲକ୍ଷ୍ୟରେ ତା ହାତର ଆଙ୍ଗୁଳି ତା ତଳିପେଟ ଉପରକୁ ଚାଲିଯାଇଥିଲା । ଆଉ କୌଣସି ଦିନ ସେ ତାର ପେଟକୁ ନେଇ ଏତେ ଉଲ୍ଲସିତ ହୋଇ ନ ଥିଲା । ଦଶ ବର୍ଷର ବିବାହିତ ଜୀବନ ପରେ ସେ ତାର ଯୌନ ଆବେଦନକୁ ପ୍ରାୟ ଭୁଲିଯାଇଥିଲା । ଗର୍ଭାଶୟରେ ଭ୍ର୍ରୂଣ ସଞ୍ଚାରକୁ ଯୋଉଟାକି କେତେ ଭାଗ୍ୟର ଫଳ ବୋଲି ସେ ବିଚାରୁଥିଲା ଏବେ ତାହା ଅହଲ୍ୟା ପାଇଁ ଅସମ୍ଭବ ଥିଲା । ବାହାଘର ଦିନଠୁଁ ବନମାଳୀ ପ୍ରାୟ ରୋଗଣା ଥିଲା ଓ ସେଥିପାଇଁ ତାର ଯୌନ ଆଗ୍ରହ ନ ଥିଲା । ପ୍ରଥମେ ପ୍ରଥମେ ଅହଲ୍ୟା ଅଲାଜୁକୀ ପରି ନିଜଆଡ଼ୁ ଉବରା ପଡ଼ିଥିଲେ ବି ପଛକୁ ସେ ଅପମାନିତା ମନେ କରି ସେଥିରୁ ଓହରି ଆସିଥିଲା ।

 

ସେ ଆଜିକୁ ବେଶ୍‌ କିଛିଦିନ ତଳର କଥା । ଗର୍ଭାଶୟ ଭଡ଼ାରେ ଲାଗିପାରିବ ବୋଲି ଶୁଣିଲା ପରେ କାହାର ଏମିତି ଗର୍ଭାଶୟ ଲୋଡ଼ା ବୋଲି ସେ ପଚାରି ବସିଥିଲା । ତା ପ୍ରଶ୍ନ ଶୁଣି ତା ଟେଲିଫୋନ୍‌ ବୁଥ୍‌ର ମାଲିକ ତାକୁ ଗାରଡ଼େଇ ଅନେଇଥିଲେ, ସତେ କି ଅହଲ୍ୟା ଏକଥା ପଚାରି ପୁରୁଷମାନଙ୍କ କଥାରେ ଦଖଲବାଜି କରୁଛି । ସେ ଶଙ୍କି ଆସିଥିଲା । କିନ୍ତୁ ଲକ୍ଷେ ଟଙ୍କାର ମୋହକୁ ତ ସହଜରେ ମୂରୁଛି ଦେଇ ହୁଏ ନାହିଁ !

 

ଯୋଉଦିନ ସେ ଖବରଟା ପାଇଗଲା ସେଦିନ ସତେ କି ତା ସଂସାରର ସବୁତକ ଜଞ୍ଜାଳ ତୁଟେଇ ପାରିଛି; ଏଭଳି ଗୋଟେ ଖୁସିରେ ସେ ଆଶ୍ୱସ୍ତ ଦିଶିଥିଲା । ମାତ୍ର ବନମାଳୀ ସାମ୍ନାରେ ଏ ପ୍ରସଙ୍ଗ କିପରି ପକେଇବ ସେ ନେଇ ବେଶ୍‌ କିଛି ସମୟ ଦୋଘାଇରେ ପଡ଼ିଥିଲା । ବନମାଳୀ ଯଦି ରାଗିଯାଏ ! ଯଦି ସେ ରାଗିଯାଇ ନିଜେ କିଛି କରି ବସେ ? ଯଦି... । ଯଦି...

 

ଅହଲ୍ୟା ବହୁତ କଥା ଭାବିଯାଇଥିଲା ।

 

ମନେ ମନେ ସବୁ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ବି ସଜାଡ଼ି ରଖିଥିଲା ।

 

ଡାକ୍ତର କହୁଛନ୍ତି, ଇଂଜେକ୍‌ସନ୍‌ ଦେଇ ପିଲା ଜନ୍ମ କରେଇଦେବେ । ସେ ଚାହିଁଲେ ବାପକୁ ନ ଦେଖି, ମାଆକୁ ନ ଦେଖି ସେମାନଙ୍କ ଛୁଆର ମାଆ ହୋଇପାରିବ । କିନ୍ତୁ ତା ପରି ଅଳ୍ପପାଠୋଈ ସ୍ତ୍ରୀ ଲୋକ ଏତେସବୁ ବିପଦକୁ ଯିବାକୁ ଚାହୁଁନାହିଁ, ସେମିତିରେ କଷ୍ଟ, ଏମିତିରେ ବି କଷ୍ଟ । ଏଥିରେ କ୍ଷତି କିଛି ନାହିଁ । ଖାଲି ଲାଭ ହିଁ ଲାଭ । ବନମାଳୀ ଭଲ ହୋଇଯିବ । ପୁଣି ଥରେ କାମ କରିପାରିବ । ତାର ବର୍ଷ ବର୍ଷର ଦୁଃଖ, ଦାରିଦ୍ର୍ୟ କଟିଯିବ । ସେମାନେ ପୁଣି ଥରେ ତାଙ୍କ ଘରକରଣା ସଜାଡ଼ି ପାରିବେ ।

 

ଅହଲ୍ୟା ଜାଣେ, ବାରଲୋକ ବାରକଥା କହିବେ । ମାତ୍ର ସେ ଲୋକଙ୍କ କଥାଶୁଣି ଲାଭ କଣ ? ରାତି ଅନ୍ଧାରରେ ସେମାନେ ମନର ସଉକି ପାଇଁ ଶହ ଶହ ଟଙ୍କା ଫୋପାଡ଼ି ଦେଇ ଆସନ୍ତି, କିନ୍ତୁ ଅସମୟରେ ପଡ଼ିଥିବା ସ୍ତ୍ରୀ ଲୋକଟିକୁ ଦେଖିଲେ ଆହା ପଦୁଟେ କହନ୍ତି ନାହିଁ । ସେପରି ଲୋକଙ୍କ କଥାକୁ କାନ ଡେରିଲେ ତାର ଦୁଃଖ ଘୁଞ୍ଚିବ ନାହିଁ ।

 

ବନମାଳୀ ରାଗି ନଥିଲା । ଅଭିମାନ କରି ନ ଥିଲା । ଓଲଟି ଅହଲ୍ୟାର କଥାକୁ ଅବିଶ୍ୱାସ କଲା ପରି ପଚାରିଥିଲା, ‘ସତ କହୁଛୁ ? ଏତେ ସହଜରେ ଆମକୁ ଲକ୍ଷେ ଟଙ୍କା ମିଳିଯିବ-?”

 

ବନମାଳୀର କଥା ଶୁଣି ଖୁସି ହୋଇଥିଲା କି ଅହଲ୍ୟା ! ନା, ଖୁସି ହୋଇ ନ ଥିଲା । ମୁହଁ ଲୁଚେଇ କାନ୍ଦିଥିଲା ବରଂ । ହେଉ ପଛେ ପଙ୍ଗୁ, ଅସମର୍ଥ, ବନମାଳୀ ତାର ସ୍ୱାମୀ । ତାର ଦେହ, ପେଟ, ପିଠି, ଗର୍ଭାଶୟ, ହୃଦୟ, ମନ ସବୁଥିରେ ତାଆରି ପୂର୍ଣ୍ଣ ଅଧିକାର । ଥରୁଟେ ତ ମନା କରିପାରିଥାଆନ୍ତା ବନମାଳୀ ! ଗାଳିଦେଇ ପାରିଥାଆନ୍ତା, ରାଗିଥାଆନ୍ତା । ମିଛଟାରେ ହେଉ ପଛେ ବିଷ ଖାଇ ମରିଯିବାର ଧମକ ଦେଇ ଥାଆନ୍ତା ।

 

କିନ୍ତୁ ବନମାଳୀ ସେମିତି କରି ନ ଥିଲା ! ଓଲଟି ପଚାରିଥିଲା । “ଏମିତି କଣ ସତରେ ହେଉଛି ?” ତା କଥାକୁ ଅହଲ୍ୟା ଆଉ ଟିକେ ଫେଣେଇ ନିଜ ମନକୁ ନିଜେ କହିଥିଲା, ଏତେ ସହଜରେ ଟଙ୍କା ମିଳୁଛି ଜାଣିଲା ପରେ ବି ତୁ ଟଙ୍କା ସାଙ୍ଗରେ ଧରି ନ ଆସି ମୋତେ ପଚାରିବାକୁ ଆସିଛୁ ? –ବନମାଳୀ ହୁଏତ ଏଇଆ କହିବାକୁ ଚାହୁଁଥିଲା ।

 

ବନମାଳୀ ଚାହେଁ, ସେ ନିଜେ କେମିତି ଭଲ ହୋଇଯିବ । ପୁଣି ଥରେ କାମକୁ ଯିବ, ରାସ୍ତାରେ ଚାଲିବ । ଖୋଲା ପବନ ଓ ମେଲାମୁକୁଳା ଆକାଶକୁ ଦେଖିବ । ତା ମତରେ ହୁଇଲ୍‌ ଚେୟାରର ଜୀବନଠୁଁ ବରଂ ମରଣ ଭଲ ।

 

ସିଂହବାବୁର ଦରକାର, ତାଙ୍କ ପରିବାରକୁ ପୁଅଟିଏ ଆସିବ । ୟାର-ତାର ପାଳିତ ପୁଅ ନୁହେଁ । ନିଜ ରକ୍ତ ଓ ବୀର୍ଯ୍ୟର ସନ୍ତାନ, ଯିଏ ତାଙ୍କ ପିତୃତ୍ୱକୁ ସଫଳ କରିବ । ତାଙ୍କ ବଂଶର ଉତ୍ତରାଧିକାରୀ ହେବ ।

 

ସିଂହବାବୁର ନିଜ ସ୍ତ୍ରୀ ? ଅହଲ୍ୟା ତାଙ୍କ କଥା ଏ ଯାଏ ଭାବି ନ ଥିଲା । ସିଏ କଣ ଅହଲ୍ୟା ଗର୍ଭରୁ ଜନ୍ମ ହୋଇଥିବା ଛୁଆଟିକୁ ନିଜ ପୁଅ ଭାବି ଗ୍ରହଣ କରିନେବେ ! ଯେତେ ଯେତେ ଥର ଛୁଆଟାକୁ ଦେଖିଥିବେ, ସେତେ ସେତେ ଥର କଣ ସେ ନିଜର ନିପାରିଲାପଣ ଓ ନିଜର ବନ୍ଧ୍ୟାତ୍ୱକୁ ନେଇ ସଚେତନ ହୋଇପଡ଼ିବେ ନାହିଁ ? ସେ ଘରେ ଅହଲ୍ୟା ପେଟର ପୁଅ ମାଆର ସ୍ନେହ ପାଇବ ତ ? ତାକୁ କେହି ଜାରଜ ସନ୍ତାନ କହି ରାଜରାସ୍ତାରେ ଛିଗୁଲେଇବ ନାହିଁ ?

 

ଅହଲ୍ୟାର ମୁଣ୍ଡ ଭିତରେ ଶିରାପ୍ରଶିରା କିଟିକିଟ୍‌ କରି ବିନ୍ଧି ଉଠୁଥିଲା । ସିଂହବାବୁ ତାଙ୍କର ମଧ୍ୟସ୍ଥି ଜରିଆରେ ବରାବର ଫୋନ୍‌ କରି ବୁଝୁଥିଲେ । ଅହଲ୍ୟା ରାଜିନାମାରେ ଦସ୍ତଖତ କରିଦେଲେ ସେ ଅଗ୍ରିମ ଟଙ୍କା ପଠେଇବେ । ତାପରେ ଅହଲ୍ୟା ପାଇଁ ସେ ଟିକେଟ୍‌ ପଠେଇବେ । ଅହଲ୍ୟା ଯୋଉଠିକୁ ଇଚ୍ଛା ସେଇଠିକି ଯିବ । ଗୋଟିଏ କି ଦୁଇଟି ଦିନର କଥା । ତାପରେ ଅହଲ୍ୟା ଫେରିଆସିବ ତା ନିଜ ସହରକୁ ।

 

ଅହଲ୍ୟା ସିଂହବାବୁକୁ ଦେଖିନାହିଁ ।

 

ବାହାଘର ଆଗରୁ ସେ ବନମାଳୀକୁ ବି ଦେଖି ନ ଥିଲା ।

 

ସେଇ ଦୁଇ ଦିନ ପରେ ସିଂହବାବୁ ତାକୁ ଓ ସେ ସିଂହବାବୁକୁ ଭୁଲିଯିବ ।

 

ତାପରେ ସେ ଫେରିଆସିବ ବନମାଳୀର ଘରକୁ । ପୁଣି ଥରେ ଗାଧୋଇ ପାଧୋଇ ତା ସଂସାରରେ ଲାଗିଯିବ । କେତେ ପର ପିଲା ତା କାନ୍ଧରେ ଲାଉ ହୋଇ ଖେଳିଛନ୍ତି, ଏଇଟି ପେଟ ଭିତରେ ଖେଳିବ । କଣ ମହାଭାରତ ଅଶୁଦ୍ଧ ହୋଇଯିବ ସେଥିରେ ?

 

ମହାଭାରତ । ମହାଭାରତ ମନେ ପଡ଼ିଲାରୁ ତାର ପୁଣି ମନେ ପଡ଼ୁଥିଲା ବେଦବ୍ୟାସ ମୁନିଙ୍କ ଭ୍ରାତୃବଧୂ ସମ୍ଭୋଗ ପ୍ରସଙ୍ଗ । ଯଦି ସେ ପୁଅମାନେ ରାଜା ହୋଇପାରିଲେ, ମନ୍ତ୍ରୀ ହୋଇପାରିଲେ ତାହାହେଲେ ତା ପୁଅ ଜାରଜ କାହିଁକି ହେବ ?

 

ମଧ୍ୟସ୍ଥି ଓକିଲ ଫୋନ୍‌ କଲାବେଳେ କହନ୍ତି, ଅହଲ୍ୟା ଚାହିଁଲେ ଭାରତବର୍ଷର ପ୍ରଥମ ଉଧାର-ମା ହୋଇପାରିବ । ଯୁଗ ବଦଳୁଛି, ସମୟ ବଦଳୁଛି । ମଣିଷର ଇତିହାସରେ ଅହଲ୍ୟାର ନାଁ ଲେଖା ହେବ କାଳ କାଳ ପାଇଁ ।

 

ଅହଲ୍ୟା ହସିବ କି କାନ୍ଦିବ ବୁଝିପାରେ ନାହିଁ । କଣ ନାଁ ରହିବ–ଏଇଆ ଯେ ତାର ସ୍ୱାମୀ ଥାଉ ଥାଉ ସେ ଆଉ ଜଣକୁ ଦେହଦାନ କରିଥିଲା କିଛି ଟଙ୍କାର ପ୍ରୟୋଜନରେ ? ଖୋଲାଖୋଲି ଅସ୍ୱୀକାର କରିଥିଲା ସମାଜର ନୀତି, ନିୟମ ଓ ବିଧିବିଧାନ ! ଏଇଆ ?

 

ହାଟରେ, ବାଟରେ, ଚା’ ଦୋକାନରେ, ପାନ ଦୋକାନରେ ତା କଥା ଆଲୋଚନା କଲାବେଳେ କେହି ବି କଣ ବୁଝିବ ଯେ ତା ରୋଗଣା ସ୍ୱାମୀର ଚିକିତ୍ସା ପାଇଁ ସେ ଦେହଦାନ କରିଥିଲା ! ଗୋଟାଏ ଅପୁତ୍ରକ ପରିବାରର ବଂଶରକ୍ଷା ପାଇଁ ସେ ନିଜର ଗର୍ଭାଶୟକୁ ଉଧାର ଦେଇଥିଲା ?

 

ହୁଏତ ନା । ସେ କଥା କେହି ଆଲୋଚନା କରିବେ ନାହିଁ । କାରଣ, ସେ ଆଲୋଚନା ଜମିବ ନାହିଁ ।

 

ରାତି ଅନେକ ହୋଇଯାଇଥିଲା । ଅହଲ୍ୟା ଦୁଆର ବନ୍ଧ ପାଖରୁ ତାର ରୋଗଣା ସ୍ୱାମୀ, ତାର ଦରଉଜୁଡ଼ା ଘରକରଣା, ତାର ଶୂନ୍ୟ ସଂସାର ଆଡ଼େ ଚାହିଁଲା । ଛାତି ଭିତରଟା ତାର ହାହାକାର କରି ଉଠିଲା । ଏଇ କଣ ଜୀବନ, ଯୋଉଠି ପିନ୍ଧିବାକୁ ଖଣ୍ଡେ ଭଲ ଲୁଗା ନାହିଁ, ଖାଇବାକୁ ଦୁଇବେଳା ଭାତ ନାହିଁ, ମୁଣ୍ଡ ଗୁଞ୍ଜିବାପାଇଁ ବଖରାଏ ଘର ନାହିଁ । ଏଇ ଜୀବନକୁ ବୋହି ବୋହି ସେ ଏପର୍ଯ୍ୟନ୍ତ ଆସିଛି ଯେତିକି ବର୍ଷ, ଯିବାକୁ ହେବ ତାହାଠୁଁ ଆହୁରି ଦି’ଗୁଣା ବର୍ଷ ।

 

ସେ ମନକୁ ଦୃଢ଼ କଲା ।

 

ସେ ଏ ଘରକୁ ଦେବ ଅଟା, ଚାଉଳ ଓ ପନିପରିବା । ସେ ତା ବରକୁ ଦେବ ଔଷଧ, ଚିକିତ୍ସା ଓ ନୂଆ ଜୀବନ ।

 

ସେ ଅପୁତ୍ରକକୁ ପୁତ୍ର ଦେବ ।

 

ଅନ୍ଧାରକୁ ଦେବ ଆଲୁଅ ।

 

ସେ ମାଆ ହେବ, ମା ।

 

ହଉ ପଛେ ଉଧାର ମା, ସେ ତାର ବଳ କଳିବ, ତାର ଧୈର୍ଯ୍ୟ କଳିବ । ନିଜେ ନିଜର ପରୀକ୍ଷା ଦେବ ।

 

ସେ ଏ ପ୍ରସ୍ତାବରେ ରାଜି ହୋଇଯିବ ।

 

ଯିଏ ଯାହା କହୁ ପଛକେ ।

☆☆☆

 

ଛୁଆ ବାଆଜି

 

ତାକୁ ସମସ୍ତେ ବାଆଜି ବୋଲି ଡାକୁଥିଲେ, ଯଦିଓ ‘ବାଆଜି’ ଶବ୍ଦଟି ହିଁ ତାକୁ ସବୁଠୁ ବିରକ୍ତିକର ଲାଗୁଥିଲା । କାହିଁକି କେଜାଣି ଏଇ ନାଆଁରେ ତାକୁ କେହି ଡାକିଲେ ସେ ଡାକିଲାବାଲା ଉପରକୁ ଚିଡ଼ି ଯାଉଥିଲା । ଡାକିବାବାଲା ତାଠୁ ବୟସରେ ସାନ ଓ ଚେହେରାରେ ଦୁର୍ବଳ ହୋଇଥିଲେ, ଧାଇଁଯାଇ ତାକୁ ଚାପୁଡ଼ାଟାଏ କି ଧକ୍କାଟାଏ ଦେଉଥିଲା; ଲୋକଟି ବୟସରେ ବଡ଼ ଓ ହୃଷ୍ଟପୁଷ୍ଟ ହୋଇଥିଲେ ତା ଆଗରୁ ଚାଲିଯିବା ଯାଏ ଅପେକ୍ଷା କରୁଥିଲା ଏବଂ ଜିଭକାଢ଼ି ଖତେଇ ହେଉଥିଲା । ତାକୁ ତାର ‘ବାଆଜି’ ନାଆଁଟି ଆଦୌ ଭଲ ଲାଗୁ ନ ଥିଲା ।

 

କିନ୍ତୁ ସମସ୍ତେ ତାକୁ ସେଇ ନାଆଁରେ ଡାକୁଥିଲେ । କ୍ରମେ ମଠ, ମଠ ପଛର ବଗିଚା, ବଗିଚାର ଗଛପତ୍ର, ଘାସ ପଡ଼ିଆ, ପଡ଼ିଆର ଗାଈବାଛୁରୀ, ପୋଖରୀ, ପୋଖରୀ ତୁଠର ଲଙ୍ଗଳା ପିଲା ଓ ରାସ୍ତାଧାରର ବାବୁଲା ଗଛ ସମସ୍ତେ ତାର ସେଇ ନାଆଁ ସହ ଅଭ୍ୟସ୍ତ ହୋଇ ଯାଉଥିଲେ । ତା ଭିତରୁ ତାର ବୋଉ ଡାକୁଥିବା ‘ଟୁଟୁଲ୍‌’ ନାଆଁଟି କୁଆଡ଼େ ହଜି ଯାଉଥିଲା । ଆକାଶରୁ ଇନ୍ଦ୍ରଧନୁଟେ ଲିଭିଯିବା ପରି ଲିଭିଯାଉଥିଲା, ପାଣି ଫୋଟକା ପରି ମିଳେଇ ଯାଉଥିଲା, ମଉଳା କନିଅର ପରି ଡେମ୍ଫରୁ ଖସି ପଡ଼ୁଥିଲା ସେ ନାଁ ।

 

ବାଆଜିକୁ ଏଗାର ବର୍ଷ ଚାଲିଥିଲା । ତା ଜନ୍ମ ଆଗରୁ ତା ବାପା ବୋଉଙ୍କର ପିଲାପିଲି ହେଉ ନଥିଲେ ବୋଲି ସେମାନେ ଜଗନ୍ନାଥଙ୍କ ପାଖେ ଶରଣ ପଶିଥିଲେ । ବାଆଜି ଶୁଣିଥିଲା, ପ୍ରଥମେ ତା ବୋଉ ଗାଁ ଠାକୁରାଣୀ, ଚନ୍ଦ୍ରଶେଖର ମହାଦେବ, ନରେନ୍ଦ୍ରପୁରର ପାଟଣ ମଙ୍ଗଳା, ଭଦ୍ରକର ଭଦ୍ରକାଳୀ ଓ ଆରଡ଼ିର ଆଖଣ୍ଡଳମଣିଙ୍କ ପାଖରେ ଅଧିଆ ପଡ଼ିବା ପରେ ସିଧା ରେଳଗାଡ଼ିରେ ବସି ପୁରୀ ଯାଇଥିଲା ଓ ପୁଅ ହେଲେ ତାକୁ ସେ ବାଆଜି କରିଦେବ ବୋଲି ଜଗନ୍ନାଥଙ୍କ ପାଖରେ ମାନସିକ କରି ଫେରି ଆସିଥିଲା । ପୁରୀରୁ ଫେରିବାର ବର୍ଷକ ପରେ କୁଆଡ଼େ ସେ ଜନ୍ମ ହୋଇଥିଲା ।

 

ଟୁଟୁଲ୍‌ ଥୁକୁଲ୍‌ ଥୁକୁଲ୍‌ ହୋଇ ଧାଉଁଥିବାବେଳେ ତା ବାପା ତାକୁ ବହୁତ ଗେଲ କରୁଥିଲେ । ତା ବୋଉ ତାକୁ ଖୁବ୍‌ ଆଦର କରୁଥିଲା ଓ ତାକୁ ଧରି ଯେଉଁମାନେ ଆଗରୁ ତାକୁ ଆଣ୍ଠୁକୁଡ଼ୀ, ବାଞ୍ଝ ଓ ଅଲକ୍ଷଣୀ ବୋଲି ଗାଳିମନ୍ଦ କରୁଥିଲେ ସେମାନଙ୍କ ଘରକୁ ବୁଲେଇ ନେଉଥିଲା । ତା ଉପରେ କାଳେ କାହାରି ଦୃଷ୍ଟି ପଡ଼ିଯିବ ସେଇ ଆଶଙ୍କାରେ ବୋଉ ତା କହୁଣିରେ ଗୋଟେ ମନ୍ତୁରା ଡେଉଁରିଆ ବାନ୍ଧୁଥିଲା ଓ ପଡ଼ିଶା ଘରକୁ ସାଙ୍ଗରେ ନେଇ ଗଲାବେଳେ ତାର ଗୋରା ଗାଲରେ ଟିକିଏ କଳା ନେସି ଦେଉଥିଲା ।

 

ଟୁଟୁଲ୍‌କୁ କଅଁଳା ବାଛୁରୀର କାନ, ପ୍ରଜାପତିର ଡେଣା ଓ କୁକୁଡ଼ାର ଲାଞ୍ଜ ଟାଣିବାକୁ ଖୁବ୍‌ ଭଲ ଲାଗୁଥିଲା । ସେ ସ୍କୁଲକୁ ଯିବା ବାଟରେ ଅନେକ ସମୟ ପୋଖରୀ ହୁଡ଼ା ବରଗଛ ମୂଳେ ଛିଡ଼ା ହୋଇ ଗୁଣ୍ଡୁଚିମୂଷାକୁ ଉପରୁ ତଳ ଓ ତଳୁ ଉପର ହେବାର ଦୃଶ୍ୟ ଦେଖୁଥିଲା । ଗୁଣ୍ଡୁଚିମୂଷା ତାର କୁନି କୁନି ହାତରେ ବରଫଳ ଗୋଟେଇ ନେଇ କୁଟୁର କୁଟୁର କରି ଖାଇବାର ଦୃଶ୍ୟ ତାକୁ ଏତେ ଭଲ ଲାଗୁଥିଲା ଯେ ସେ ସମୟେ ସମୟେ ସ୍କୁଲ୍‌ ଯିବା କଥା ଭୁଲି ଯାଉଥିଲା । କିନ୍ତୁ ବେଶି ସମୟ ସେ ଗୁଣ୍ଡୁଚିମୂଷା ପାଖରେ ଅଟକି ରହିପାରୁ ନଥିଲା । କେତେବେଳେ ସ୍କୁଲର ଘଣ୍ଟା, କେତେବେଳେ ତାର ସାର୍‌ ଓ କେତେବେଳେ ତା ବାପା ତାକୁ ବରଗଛ ପାଖରୁ ଟାଣି ଟାଣି ନେଇ ସ୍କୁଲଘରେ ପହଞ୍ଚେଇ ଦେଉଥିଲେ । ଟୁଟୁଲ୍‌ ସ୍କୁଲ୍‌ଘରେ ବସି ପଡ଼ିଆର ଛେଳିମାନଙ୍କୁ ଚାହୁଁଥିଲା ଓ ଛେଳି ପଛେ ପଛେ ଛକି ଛକି ଚାଲୁଥିବା ବଗକୁ ଦେଖି ଗୁଣ୍ଡୁଚିମୂଷାକୁ ବେଶି ସମୟ ଦେଖି ପାରି ନ ଥିବାର ଦୁଃଖକୁ ଭୁଲି ଯାଉଥିଲା ।

 

ଟୁଟୁଲ୍‌କୁ ସମସ୍ତେ ଦୁଷ୍ଟ ବୋଲି କହୁଥିଲେ ।

 

ଏଥିରେ ଟୁଟୁଲ୍‌ ଅପେକ୍ଷା ତା ବୋଉକୁ ବେଶି କଷ୍ଟ ହେଉଥିଲା । ସେ ଟୁଟୁଲ୍‌କୁ ଘୋଷାଡ଼ି ଘୋଷାଡ଼ି ନେଇ ଘର ଭିତରେ ପୂରେଇ ଦେଉଥିଲା । ଅନେକ ସମୟ ପର୍ଯ୍ୟନ୍ତ ତା ସାଙ୍ଗରେ କଥାବାର୍ତ୍ତା କରୁ ନ ଥିଲା; କିନ୍ତୁ ଖାଇବା ସମୟ ହେଲେ ବୋଉ ଆସି ତା ନିଜଆଡ଼ୁ ତାକୁ ବୁଝାଉଥିଲା ଓ ଜଗନ୍ନାଥଙ୍କ ଫଟୋକୁ ଚାହିଁ ଟୁଟୁଲ୍‌ ନିଶ୍ଚେ ଦିନେ ଭଲ ପିଲା ହୋଇଯିବ ବୋଲି ଆଶା କରୁଥିଲା ।

 

ଜଗନ୍ନାଥ ତାକୁ କେମିତି ଭଲପିଲା କରିଦେବେ, ସେକଥା ସେ ବୁଝିପାରୁ ନ ଥିଲା, ଯଦିଓ ସେ ବୋଉର ଆଖି ଲୁହ, ବାପାଙ୍କ ନାଲିଆଖି ଓ ମାଷ୍ଟରଙ୍କ ବେତର ଭାଷା ସାଙ୍ଗେ ସାଙ୍ଗେ ବୁଝି ପାରୁଥିଲା । ବେଳେବେଳେ ସେ ଡରିଯାଇ ପ୍ୟାଣ୍ଟ୍‌ରେ ମୂତି ପକାଉଥିଲା ।

 

ସେଇ ଟୁଟୁଲ୍‌ ଏବେ ପାଟପୁର ମଠରେ ରହୁଥିଲା । ତାକୁ ଦଶ ବର୍ଷ ପୂରିବାକ୍ଷଣି ତା ବୋଉର କନ୍ଦାକଟା, ଗାଁ ଲୋକଙ୍କ ବୁଝାଶୁଝା ଓ ତାର ସାଙ୍ଗମାନଙ୍କ ନିରବ ଧର୍ମଘଟ ସତ୍ତ୍ୱେ ତା ବାପା ତାକୁ ଏଠିକି ନେଇ ଆସିଥିଲେ । ଟୁଟୁଲ୍‌କୁ ଦଶ ବର୍ଷ ପୂରିଲା ପରେ ତାକୁ ଘରେ ରଖି ଜଗନ୍ନାଥଙ୍କ ସଙ୍ଗେ ସେ ଆଉ ଦ୍ରୋହ କରିପାରିବେ ନାହିଁ ବୋଲି ସମସ୍ତଙ୍କୁ ବଡ଼ ପାଟିରେ ବାପା କହୁଥିଲେ ।

 

ଟୁଟୁଲ୍‌ର ସେଦିନ କଥା ମନେ ଅଛି ।

 

ସକାଳୁ ସକାଳୁ ତା ବୋଉ ତାକୁ ତେଲ ହଳଦୀ ଲଗେଇ ଗାଧୋଇ ଦେଇଥିଲା । ତାର ମୁଣ୍ଡ କୁଣ୍ଡେଇ ଦେଇ ତା ଗାଲରେ କଳାଟୋପାଟେ ଆଙ୍କି ଦେଇଥିଲା । ତାକୁ ନୂଆ ସାର୍ଟପ୍ୟାଣ୍ଟ୍‌ ପିନ୍ଧେଇ ଦେଇଥିଲା । ବହୁତ ବଳେଇ ବଳେଇ ତାକୁ ଆରିସା, ଚକୁଳି ପିଠା ଓ ଛେନା ଖାଇବାକୁ ଦେଇଥିଲା ।

 

ଟୁଟୁଲ୍‌ ସେଦିନ ତାଙ୍କ କଅଁଳା ବାଛୁରୀର କାନ ଭିଡ଼ିବା ପାଇଁ ଆଦୌ ସମୟ ପାଇ ନଥିଲା । ତାକୁ ଗାଁର ଅନେକ ଲୋକ ଆସି ଦେଖି ଯାଉଥିଲେ ଓ ତାର ନୂଆ ସାର୍ଟପ୍ୟାଣ୍ଟ୍‌ ଲୋଚାକୋଚା ହୋଇଯାଉଥିବା ସତ୍ତ୍ୱେ କେହି କେହି ତାକୁ ଭିଡ଼ିନେଇ ଗେଲ କରି ପକଉଥିଲେ । ସେ ନିଜକୁ ସେମାନଙ୍କ କବଳରୁ ମୁକୁଳେଇ ଆଣି ତା ବୋଉ ପାଖକୁ ଦଉଡ଼ି ପଳଉଥିଲା । ତା ବୋଉ ତାକୁ କୋଳରେ ପୂରେଇ ଗେଲ କରି ଦଉଥିଲା ଓ ଶାଢ଼ି କାନିରେ ନିଜ ଆଖି ପୋଛୁଥିଲା ।

 

ଶେଷ ପର୍ଯ୍ୟନ୍ତ ସେ ଗୋଟେ ଆରିସା ପିଠା ଖାଇପାରି ନ ଥିଲା । ସେଇଟିକୁ ସେ ତା ନୂଆ ପ୍ୟାଣ୍ଟ୍‌ର ପକେଟ୍‌ରେ ପୂରେଇ ଖେରଙ୍ଗ ଯାଏ ଚାଲି ଆସିଥିଲା । ବାଟ ଚାଲି ଚାଲି ଟୁଟୁଲ୍‌ ଏତେ ଥକି ପଡ଼ିଥିଲା ଯେ ମନେ ମନେ ତା ବାପା ଉପରେ ରାଗି ଯାଇଥିଲା । ବାଟସାରା ଖାଲି ତାର ତା ବୋଉ କଥା ମନେ ପଡ଼ୁଥିଲା ।

 

ତା ବୋଉ, ତା ସୁନା ବୋଉ । ତା ନାକକାନ୍ଦୁରୀ ବୋଉ । ଟୁଟୁଲ୍‌ ବୋଉ କଥା ମନେ ପକେଇ ତା ବାପାକୁ ଲୁଚେଇ କାନ୍ଦି ପକଉଥିଲା । କିନ୍ତୁ ସେତେବେଳେ ସେ ଆଦୌ ଭାବି ନ ଥିଲା ଯେ ତା ବାପା ତାକୁ ସତକୁ ସତ ପାଟପୁର ମଠରେ ଛାଡ଼ିଦେଇ ଗାଁକୁ ପଳେଇ ଆସିବେ ଓ ସେ ତା ବୋଉଠୁ ଅଲଗା ହୋଇଯିବ ।

 

ପାଟପୁରକୁ ଆସିଲା ବେଳକୁ ଟୁଟୁଲ୍‌ର ବହୁତ କାମ ଗାଁରେ ବାକି ପଡ଼ିଥିଲା । ତାର ଦାଦାପୁଅ ନଣ୍ଡାଭାଇ ଗୋଟେ ନୂଆ ବନ୍‌ଶୀ ତିଆରି କରିଥିଲା ଓ ସେଦିନ ସକାଳେ ଟୁଟୁଲ୍‌ ନଣ୍ଡାଭାଇ ସାଙ୍ଗେ ଜିଅଳ ଶଡ଼େଇ ଧରି ଯିବ ବୋଲି କଥା ଦେଇଥିଲା । ପିଣ୍ଟୁ ଗୋଟେ ଗୁଡ଼ି ତିଆରି କରିଥିଲା ଓ ଟୁଟୁଲ୍‌କୁ ଠିକ୍‌ ସେହିପରି ଗୁଡ଼ିଟେ ତିଆରି କରିଦେବ ବୋଲି କହିଥିଲା । ଟୁଟୁଲ୍‌ ଖାଲି ତାଙ୍କ ଘରୁ ତାର ପୁରୁଣା ଖାତାଟେ ନେଇ ପିଣ୍ଟୁକୁ ଦେବାର ଥିଲା । ତା ସାଙ୍ଗ ଗେଣ୍ଡା ତାଠୁ ଛଅଟା କାଚଗୁଲି ନେଇ ତା ବଦଳରେ ଦଶଟା ସିଗାରେଟ୍‌ ଖୋଳ ଦେବ ବୋଲି କଥା ଦେଇଥିଲା । ତାର ଗଗନ ପିଇସା ତାକୁ ଗୋଟେ ଦିଆସିଲି ଖୋଳ ଭିତରେ ଭଅଁର ପୂରେଇ ଦେବ ବୋଲି କହିଥିଲା ଓ ସେ ଗଗନ ପିଇସାର ଗୋଟେ ଚିଠି ନେଇ ରମିଦେଈକୁ ଦେଇଦେବ ବୋଲି କଥା ଦେଇଥିଲା । ଟୁଟୁଲ୍‌ର ଆଉରି ଅନେକ କାମ ବି ବାକି ରହିଥିଲା, ଯାହା ସେ ତା ଗାଁରୁ ପାଟପୁର ପର୍ଯ୍ୟନ୍ତ ପାଞ୍ଚ ମାଇଲ୍‌ ବାଟ ଚାଲି ଚାଲି ଆସିବା ଭିତରେ ଭୁଲି ଯାଇଥିଲା ।

 

ଟୁଟୁଲ୍‌ ପାଟପୁରକୁ ଆସି ଚୁଡ଼ା ଚିନି ଖାଇ ଶୋଇ ପଡ଼ିଥିଲା । ସକାଳୁ ଉଠିଲା ବେଳକୁ ତା ପାଖରେ ତା ବାପା ନଥିଲେ କି ବାପାର ଝୁଲା, ଚପଲ ଓ ଛତା କିଛି ନ ଥିଲା । ସେ ବିଛଣାରୁ ଉଠିପଡ଼ି ମୁହଁ ନ ଧୋଇ, ଆଖିରୁ ଲେଞ୍ଜରା ନ ପୋଛି ସେଇଠି ବସି କାନ୍ଦିଥିଲା । କିନ୍ତୁ ତା କାନ୍ଦ ଶୁଣି ବାପା କି ବୋଉ କେହି ନ ଆସିବା ଦେଖି ସେ ମନକୁ ମନ ତୁନି ହୋଇଯାଇଥିଲା ।

 

ସେଇଦିନ ସକାଳୁ ଟୁଟୁଲ୍‌ ବାଆଜି ହୋଇଗଲା ।

 

ଟୁଟୁଲ୍‌ର କୁଞ୍ଚୁକୁଞ୍ଚିଆ ମୁଣ୍ଡବାଳ ସବୁ କାଟି ଦିଆଗଲା ଓ ପଛପଟେ ଚୁଟି ଛାଡ଼ି ଦିଆଗଲା । ତା ବାଳ କାଟୁଥିବା ବାରିକ ‘ବାପ ତ ଅଛି, ଚୁଟିଟା ଥାଉ’ କହି ସେତକ ଛାଡ଼ି ଦେଇଥିଲା । ବାଳ କାଟିବାବେଳେ ବାରିକର ଜଙ୍ଘ ମଝିରେ ତା ମୁଣ୍ଡଟା ଏମିତି ଚାପି ହୋଇ ଯାଇଥିଲା ଯେ ମୁଣ୍ଡଟା ତା ପାଖକୁ ଫେରି ଆସିଲାକ୍ଷଣି ସେ ଦୁଇ ହାତରେ ନିଜ ମୁଣ୍ଡକୁ ଆଉଁଶି ଦେଇଥିଲା । ମୁଣ୍ଡଟା ତାର ସ୍ଲେଟ୍‌ ପରି ପାଲିସ୍‌ ଓ ଚିକ୍କଣ ଲାଗୁଥିଲା ।

 

ସେ ଆଉ ଥରେ କାନ୍ଦିଥିଲା । ବାରିକର ଖୁର ବାଜି ତାର ମୁଣ୍ଡରେ ତିନି ଜାଗାରୁ ରକ୍ତ ବାହାରିଥିଲା ଓ ସେ ସେଇ ପ୍ରଥମଥର ତା ମୁଣ୍ଡର ରକ୍ତ ମଧ୍ୟ ତା ଆଙ୍ଗୁଳିର ରକ୍ତ ପରି ଲାଲ୍‌ ବୋଲି ଜାଣିଥିଲା ।

 

ଟୁଟୁଲ୍‌ ଏବେ ପାଟପୁର ମଠରେ ଛୁଆ ବାବାଜି । ସକାଳୁ ଉଠି ସେ ଗାମୁଛାଟିଏ କଛାମାରି ପିନ୍ଧେ ଓ ବଡ଼ି ସକାଳୁ ତୋଳିଥିବା ଫୁଲକୁ ଛୁଞ୍ଚିସୂତା ଧରି ମାଳ ଗୁନ୍ଥେ । ଛୁଞ୍ଚିର ମୁନିଆଁ ଅଗ ବାଜି ତାର ଆଙ୍ଗୁଳି ଫୋଡ଼ି ହୋଇଯାଏ ଓ ସେ ତା ରକ୍ତକୁ ପାଟିରେ ଶୋଷି ଦିଏ । ଏମିତି କରିବାକୁ ତା ବୋଉ ତାକୁ ଶିଖେଇଥିଲା–ନଉ ଖାଇଲେ ବଳ ବଢ଼େ । ତାପରେ ସେ ଗାଈ ଚରେଇ ଯାଏ । ଗାଈ ଚରେଇ ଫେରିବା ପରେ ସେ ସ୍କୁଲକୁ ଯାଏ । ସ୍କୁଲରୁ ଫେରି ଗାଈ ପାଇଁ ଘାସ କାଟି ଆଣେ । ପୁଣି ଥରେ ଠାକୁରଙ୍କ ଆଗରେ ବସି ସେ ଗୋସେଇଁଙ୍କ ପୂଜାଥାଳି ସଜିଲ କରିଦିଏ । ଗୋସେଇଁ ଆଳତି କଲାବେଳେ ସେ ଘଣ୍ଟା ପିଟେ ଓ ଆଳତି ସରିବା ପରେ ଭୋଗ ଖାଏ ।

 

ତାକୁ ତା ସ୍କୁଲର ସାଙ୍ଗମାନେ ବାଆଜି ବାଆଜି କହି ଡାକନ୍ତି । ତାର ଚୁଟିକୁ ଭିଡ଼ନ୍ତି ଓ ତା ବହିଖାତା ନେଇ ଯାଆନ୍ତି । ବାଆଜି କାନ୍ଦେ ଓ ବେଳେବେଳେ ଉଠିପଡ଼ି ତା ସାର୍‌ଙ୍କୁ ଏକଥା କହିଦିଏ । ସେଦିନ ଆଉ କେହି ତା ଚୁଟି ଭିଡ଼ନ୍ତି ନାହିଁ ବୋଲି ବାଆଜି ଖୁସି ହୁଏ । ମାତ୍ର ତା ପରଦିନ ସେଇକଥା ହୁଏ । ସେ ଆଉ କାହାକୁ କିଛି କହେ ନାହିଁ, ସହିଯାଏ ।

 

ବାଆଜି ଗାଈ ଚରାଉଥିବାବେଳେ ରାସ୍ତାକୁ ଅନାଏ । ଅନେକ ଦୂର ପର୍ଯ୍ୟନ୍ତ ଧାନବିଲ, ଗୋହିରି ଦିଶେ; କିନ୍ତୁ କେବେ ବି ତା ବାପା କି ବୋଉକୁ ସେ ଦେଖେ ନାହିଁ । ଚାହିଁ ଚାହିଁ ତାର ଆଖିପତା ବଥେଇ ଯାଏ । ସେ ଚୁପ୍‌ଚାପ୍‌ କାନ୍ଦେ ଓ ଗୋସେଇଁ ରାଗିବେ ବୋଲି ଲୁହକୁ ତା ଗାମୁଛା କାନିରେ ପୋଛିଦିଏ ।

 

ବାପା ଆସନ୍ତି ନାହିଁ । ବୋଉ ଆସେ ନାହିଁ ।

 

ଗଗନ ପିଇସା, ନଣ୍ଡାଭାଇ, ଟୁଟୁ କି ପିଣ୍ଟୁ କେହି ଆସନ୍ତି ନାହିଁ । ବାଆଜି ପାଟପୁର ଗାଁକୁ ତା ଗାଁର ଚିତ୍ର ସାଙ୍ଗେ ତୁଳନା କରେ । ତାକୁ ପାଟପୁରର ମଠ, ସ୍କୁଲ ଓ ସ୍କୁଲର ସାଙ୍ଗପିଲା କେହି ଭଲ ଲାଗନ୍ତି ନାହିଁ । ତାର ଖାଲି କାନ୍ଦିବାକୁ ଇଚ୍ଛା ହୁଏ ।

 

ଗୋସେଇଁ ତାକୁ ବରାବର ବୁଝାନ୍ତି । ବାଆଜି ସବୁ ବୁଝେ, କିନ୍ତୁ ଗୋସେଇଁ ଉଠିଗଲା କ୍ଷଣି ସବୁ ଭୁଲିଯାଏ । ଗୋସେଇଁ ଫେରିଆସି ତାକୁ ନାଲିଆଖି ଦେଖାନ୍ତି । ବାଆଜି କାନ୍ଦି ପକାଏ । ଗୋସେଇଁ ପୁଣି ନରମ ହୋଇ ବାଆଜିକୁ ଖଇ ଉଖୁଡ଼ା ଓ ନଡ଼ିଆ ଦିଅନ୍ତି । ବାଆଜି ସେତକ ଖାଇସାରିବା ପର୍ଯ୍ୟନ୍ତ ଗାଁ କଥା ଭୁଲିଯାଏ । କିନ୍ତୁ ଖିଆ ସରିଲେ ପୁଣି ତାର ତା ଗାଁ ଓ ବୋଉ କଥା ମନେପଡ଼େ ।

 

ଟୁଟୁଲ୍‌ ପାଟପୁର ମଠକୁ ଆସିଲାବେଳେ ତାକୁ ଫୁଲମାଳ ଗୁନ୍ଥିବା, ଗାଈ ଚରେଇବା, ଘଣ୍ଟ ପିଟିବା ଏପରିକି ଭଲକରି ଶୌଚ ହେବା ବି ଜଣା ନଥିଲା । ଗୋସେଇଁ ଓ ଗୋସେଇଁଙ୍କ ଚେଲା ଆଳୁଆ ବାବା ତାକୁ ଗାଳିମନ୍ଦ କରୁଥିଲେ ଓ ଏଇଟା ଗୋଟେ ଗଜମୂର୍ଖ ବୋଲି ତାକୁ କହୁଥିଲେ । ବାଆଜିର ଆଳୁଆ ବାବା ଉପରେ ବେଶି ରାଗ ହେଉଥିଲା ଓ ବେଳେବେଳେ ଆଳୁଆ ବାବା ତାକୁ ଯେତେ ଡାକିଲେ ବି ସେ ତାଙ୍କ ଡାକ ଶୁଣୁ ନ ଥିଲା । ଖୁଣ୍ଟଟା ପରି ଛିଡ଼ା ହୋଇ ରହୁଥିଲା ।

 

ସେ ଅନ୍ଧାରରେ ସ୍ୱପ୍ନ ଦେଖି ବିଛଣାରୁ ଉଠି ବସୁଥିଲା ଓ ତା ବୋଉ ତାକୁ କେମିତି ଏକଲା ଛାଡ଼ି ରହୁଛି ବୋଲି ମନେ ମନେ ଭାବୁଥିଲା । ସେ ସବୁଦିନ ଭାବୁଥିଲା ଯେ, କାଲିକି ନିଶ୍ଚେ ତା ବାପା ଆସି ତାକୁ ଏଠୁ ନେଇଯିବେ ଓ ସେ ପୁଣି ଯେମିତି ଆସିଥିଲା ସେମିତି ବଡ଼ ବଡ଼ ପାହୁଣ୍ଡ ପକେଇ ତାଙ୍କ ଗାଅଁକୁ ପଳେଇଯିବ । ମାତ୍ର ତା ବାପା ଆସୁ ନ ଥିଲେ, ତା ଗାଁରୁ କେହି ଜଣେ ହେଲେ ପାଟପୁର ଆସୁ ନ ଥିଲେ ।

 

ଟୁଟୁଲ୍‌ ମନେ ମନେ ତାଙ୍କ ଗାଅଁକୁ ପଳେଇ ଯିବା ପାଇଁ ବହୁତ ଚେଷ୍ଟା କରୁଥିଲା । ଥରେ ସେ ମଠରୁ ଦଉଡ଼ି ପାଟପୁର ଓ ଖେରଙ୍ଗ ମଝିରେ ଥିବା ନୂଆନଈ ପର୍ଯ୍ୟନ୍ତ ଚାଲିଯାଇଥିଲା-। ମାତ୍ର ନଈ ପାଖରୁ ସେ ଫେରି ଆସିଥିଲା । ତାକୁ ନଈ ପହଁରା ଜଣା ନ ଥିଲା କି ଡଙ୍ଗାବାଲା ତାକୁ ପାରି କରିଦେବ ବୋଲି ଭରସା ନ ଥିଲା । ନଈକୂଳଟା ଏତେ ଖାଁ ଖାଁ ଓ ନିଛାଟିଆ ଲାଗିଥିଲା ଯେ, ଆଉ ବେଶି ସମୟ ରହିଲେ ତାକୁ ଭୂତ ଗୋଡ଼େଇ ଆସିବ ବୋଲି ଟୁଟୁଲ୍‌ ଭାବିଥିଲା । ସେ ନଈପାଖରୁ ଦେଖା ଯାଉ ନ ଥିବା ମଠକୁ ପଳେଇ ଆସିଥିଲା । କିନ୍ତୁ ତାକୁ ପାଟପୁର ମଠ ଆଦୌ ଭଲ ଲାଗୁ ନ ଥିଲା । ଏଠି ତାକୁ କେହି ମାଛ କି ଶୁଖୁଆ ଖାଇବାକୁ ଦେଉ ନଥିଲେ । ସବୁଦିନେ ଚୁଡ଼ା ଗୁଡ଼, ଅରୁଆ ଭାତ ଓ ଡାଲମା ଖାଇ ଖାଇ ତାକୁ ବିରକ୍ତ ଲାଗୁଥିଲା-। ତାକୁ ଘିଅ, ଦହି ଦେଖିଲାବେଳକୁ ବାନ୍ତି ମାଡ଼ୁଥିଲା ଓ ତା ବୋଉ ତାକୁ ଯେମିତି ପଖାଳ ଓ ଇଲିସି ଶୁଖୁଆ ଖାଇବାକୁ ଦିଏ ସେ କଥା ସେ ବଡ଼ ପାଟିରେ କହି ଅଧାଖିଆରୁ ବାସନକୁସନ ଗୋଟେଇ କଳ ପାଖକୁ ପଳେଇ ଯାଉଥିଲା । କିନ୍ତୁ ତାକୁ କେହି ଇଲିସି ଶୁଖୁଆ ଦେଉ ନ ଥିଲେ କି ଖାଇବା ପାଖରୁ ଉଠିଗଲେ କେହି ତାକୁ ବଳେଇ ବଳେଇ ଖୁଆଉ ନ ଥିଲେ । ତାକୁ ଭୋକ ଲାଗୁଥିଲେ ସେ ସୁରେଇରୁ ପାଣି ପିଇ ଶୋଇ ଯାଉଥିଲା ।

 

ଆଳୁଆ ବାବା ତାକୁ ବେଳେବେଳେ ଗୋଡ଼ ଘଷିଦେବା ପାଇଁ ଡାକୁଥିଲା । ଆଳୁଆ ବାବାର ଥନ୍ତଲପେଟ ଦେଖି ତାକୁ ହସ ମାଡ଼ୁଥିଲେ ବି ସେ ହସ ଚାପି ତା ଗୋଡ଼ ଘଷି ଦେଉଥିଲା-। କାରଣ ଆଳୁଆ ବାବା ତା ଉପରେ ସବୁବେଳେ ରାଗୁଥିଲା ।

 

ଟୁଟୁଲ୍‌ର ତା ବୋଉ କଥା ମନେ ପଡ଼ୁଥିଲା । ସବୁଦିନେ ଶୋଇବାବେଳେ ତା ବୋଉ ତା ଗୋଡ଼ରେ ସୋରିଷ ତେଲ ଲଗେଇ ଆଉଁଶି ଦିଏ । ବୋଉ ଆଉଁଶି ଦେଉଥିଲାବେଳେ ଟୁଟୁଲ୍‌ ଆଖିବୁଜି ଓ ଓଠଚାପି ଶୋଇ ରହେ । ତା ବୋଉ ଯେତେ ଜୋର୍‌ରେ ତା ଗୋଡ଼ ଘଷିଦେଲେ ବି ତାକୁ ସରସର ଲାଗେ ଓ ହସ ମାଡ଼େ । କିନ୍ତୁ ଘରେ ଥିଲାବେଳେ ସେ କେବେ ତା ବାପା କି ବୋଉର ଗୋଡ଼ ଘଷି ନ ଥିଲା, ତା ବୋଉ ତାକୁ କିଛି ଟାଣ କାମ କରିବାକୁ ଦେଉ ନ ଥିଲା ।

 

ଟୁଟୁଲ୍‌ ମନେ ମନେ ତା ବାପା, ମଠ ଗୋସେଇଁ ଓ ସବାଶେଷକୁ ଠାକୁରଙ୍କୁ ଗାଳି ଦେଉଥିଲା । ତାର ଦୃଢ଼ ଧାରଣା ହୋଇଥିଲା ଯେ ସେ ଗାଁରେ ଖୁବ୍‌ ଦୁଷ୍ଟାମି କରିଥିବାରୁ ତା ବାପା ତାକୁ ଆଣି ଏ ମଠରେ ଛାଡ଼ିଦେଇ ଯାଇଥିଲେ । ସେ ମନେ ମନେ ଆଖିଛୁଇଁ, ବିଦ୍ୟାଛୁଇଁ ଓ ପରୀକ୍ଷା ରାଣ ପକେଇ ହଲପ କରୁଥିଲା, ଏଥର ଯଦି ସେ ଗାଁକୁ ଯାଏ ତାହାହେଲେ ଆଦୌ ଦୁଷ୍ଟାମି କରିବ ନାହିଁ । ସେ ଠିକ୍‌ ସମୟରେ ସ୍କୁଲକୁ ଯିବ ଓ ସ୍କୁଲରୁ ଫେରି ଘରେ ବସି ପାଠ ପଢ଼ିବ । ସେ ଗୁଡ଼ି ଉଡ଼େଇବାକୁ ଯିବ ନାହିଁ କି ପୋଖରୀରେ ପହଁରିବ ନାହିଁ । ଗଛ ଚଢ଼ିବ ନାହିଁ କି କଙ୍କି ଧରିବ ନାହିଁ । ତା ବାପା ତାକୁ ଯାହା ଯାହା କହିବେ, ସେ ସେୟା ସେୟା କରିବ । କିନ୍ତୁ ତା ବାପା ଏଠିକି ଆସୁ ନ ଥିବାରୁ ଏଭଳି ରାଣ ନିୟମ କଥା ବାପାଙ୍କ ପାଖେ ପହଞ୍ଚେଇ ପାରୁ ନଥିଲା-

 

ବାପା ଯଦିବା ତାକୁ ଛାଡ଼ି ଦେଇଥିଲେ, ତାହାହେଲେ ମଠ ଗୋସେଇଁ ତାକୁ କାହିଁକି ରଖିଲେ ବୋଲି ସେ ମନେ ମନେ ଗୋସେଇଁଙ୍କୁ ପଚାରୁଥିଲା । ମାତ୍ର ଏକଥା ଗୋସେଇଁଙ୍କୁ ସେ ସିଧା ପଚାରି ପାରୁ ନ ଥିଲା । ତାଙ୍କର ଚିତା ଚଇତନ ଚେହେରା, ରାଗିଲା ରାଗିଲା ମୁହଁ ଦେଖିଲା କ୍ଷଣି ତା ପାଟି ଖନି ବାଜି ଯାଉଥିଲା । ସବା ଶେଷରେ ଟୁଟୁଲ୍‌ ଠାକୁରଙ୍କୁ ହିଁ ତାର ଏ ଦୁର୍ଦ୍ଦଶା ପାଇଁ ଦାୟୀ କରୁଥିଲା । ତାର ଭରସା ଥିଲା ଯେ ଠାକୁର ଚାହିଁଲେ ତାକୁ ତା ବୋଉ ପାଖକୁ ପଠେଇ ଦେଇ ପାରନ୍ତେ । ମାତ୍ର ଠାକୁର କାହିଁକି ସେମିତି କରୁ ନ ଥିଲେ ତାହା ସେ ବୁଝିପାରୁ ନ ଥିଲା । ଫୁଲମାଳ ଗୁନ୍ଥିବାବେଳେ ଅନ୍ୟମନସ୍କ ଟୁଟୁଲ୍‌ର ଆଙ୍ଗୁଳିରେ ଛୁଞ୍ଚି ଫୋଡ଼ି ହୋଇ ରକ୍ତ ବୋହୁଥିଲା । ତା ହାତରେ ରକ୍ତ ଲାଗି ଟଗର ଫୁଲର ପାଖୁଡ଼ା ଲାଲ୍‌ ହୋଇଯାଉଥିଲା । ସେ ରକ୍ତଲଗା ଫୁଲମାଳକୁ ଠାକୁରଙ୍କୁ ଦେଖେଇଲା ପରି ଦେଖେଇ କହୁଥିଲା–ସାନପିଲାର ଏ ଦଶା ତୁମକୁ ଦେଖିବାକୁ କଣ ଭଲ ଲାଗୁଛି ? କିନ୍ତୁ ଠାକୁର କେବେ ବି ତାକୁ କିଛି କହୁ ନ ଥିଲେ ।

 

ଟୁଟୁଲ୍‌ ଗୋସେଇଁଙ୍କଠାରୁ ଶୁଣିଥିଲା, ଠାକୁର ମୁହଁରେ କାହାକୁ କିଛି କହନ୍ତି ନାହିଁ । କିନ୍ତୁ ସେ ଯାହା କହିବାର କଥା ତାଙ୍କ ଢଙ୍ଗରେ କହି ଦିଅନ୍ତି । ମାନସିକ କଲା ଲୋକ ତା ମନ ଭିତରେ ସେଇ କଥାଟି କହି ଠାକୁରଙ୍କ ଗାଦି ଉପରେ ଫୁଲଟିଏ ଥୋଇ ଦିଏ । ଠାକୁରଙ୍କ ଗାଦିରୁ ଯଦି ଫୁଲଟିଏ ଖସିପଡ଼େ, ତାହାହେଲେ ଭକ୍ତର ‘ମନୋବାଞ୍ଛା‚ ପୂରଣ ହେଲା ବୋଲି ଜଣାପଡ଼ିଥାଏ । ମନୋବାଞ୍ଛା‚ କଣ ତାହା ଟୁଟୁଲ୍‌ ବୁଝେ ନାହିଁ । ମାତ୍ର ସେ ଠାକୁରଙ୍କ ପାଖରେ କେହି ନ ଥିଲାବେଳେ ତଳୁ ଗୋଟେଇ ଗୋଟିଏ ପରେ ଗୋଟିଏ ଫୁଲ ଠାକୁରଙ୍କ ଗାଦି ଉପରେ ରଖେ । ଫୁଲଗୁଡ଼ାକ ଅଠାରେ ଲାଗିଗଲା ପରି ସେଠି ଲାଗିଯାଆନ୍ତି, ଖସନ୍ତି ନାହିଁ । ଟୁଟୁଲ୍‌ର ମନ ଖରାପ ହୋଇଯାଏ । ସେ ବୁଝିଯାଏ, ଠାକୁରେ ତାର ଗାଁକୁ ଫେରିଯିବା ଚାହାନ୍ତି ନାହିଁ । ସେ ଠାକୁରଙ୍କ ଉପରେ ଆହୁରି ରାଗିଯାଏ ।

 

କିନ୍ତୁ ଆଜି ଟୁଟୁଲ୍‌ର ମନ ଖୁସି ଥିଲା ।

 

ଗୋସେଇଁ ବାରଣ କରିଥିବା ପଞ୍ଚମ ଭୁଲ୍‌ଟି ବି ସେ କରିସାରିଥିଲା । ଅଥଚ ସେ ଭୁଲ୍‌ ପାଇଁ ସେ ଅନୁତାପ କରୁ ନ ଥିଲା; ବରଂ ମୁକ୍ତିର ଆଶାରେ ତା ପାଦଯୋଡ଼ିକ ତା ଗାଁର କଅଁଳା ବାଛୁରୀ ଖୁରା ପରି ଧାଉଁଥିଲା । ତାର ହାତଯୋଡ଼ିକ ପ୍ରଜାପତିର ଡେଣା ପରି ଅସ୍ଥିର ହେଉଥିଲା । ତାର ମନ ପିଣ୍ଟୁର ଗୁଡ଼ିପରି ଆକାଶକୁ ଉଠି ଯାଉଥିଲା ।

 

ଗୋସେଇଁ ବାରମ୍ବାର ତାକୁ ଧମକ ଦେଇଥିଲେ, ଯଦି ଟୁଟୁଲ୍‌ ଏମିତିକା ଭୁଲ୍‌ ଆଉ ଥରେ କରେ ତାହା ହେଲେ ସେ ତାକୁ ତାଙ୍କ ମଠରୁ ନିକାଲି ଦେବେ । ଆଉ ଥରେ ଆଉ ଥରେ ହୋଇ ଟୁଟୁଲ୍‌ ଚାରିଟା ଭୁଲ୍‌ କରି ସାରିବା ପରେ ଗୋସେଇଁ ରାଗିପାଚି ଲାଲ୍‌ ହୋଇଯାଇଥିଲେ । ସେଦିନ ତାଙ୍କର ରାଗ ଦେଖି ଟୁଟୁଲ୍‌ ମୂତି ପକେଇଥାଆନ୍ତା, କିନ୍ତୁ ପରଶୁର ମଦତ୍‌ ତାକୁ ସେଥିରୁ ବଞ୍ଚେଇ ଦେଇଥିଲା । ଗୋସେଇଁ ସମସ୍ତଙ୍କୁ ଶୁଣେଇ ଶୁଣେଇ କହିଥିଲେ ଏ ଟୋକା ଯଦି ଏମିତିକା କାମ ଆଉ ଥରେ କରେ ତାହାହେଲେ ସେ ତା ବାପାକୁ ଡକେଇ ଏଇଟାକୁ ବିଦା କରିଦେବେ । ଏଭଳି ପାପାଚାର ସେ ତାଙ୍କ ମଠରେ ଆଉ ବରଦାସ୍ତ କରିପାରିବେ ନାହିଁ ।

 

ସେଦିନ ଟୁଟୁଲ୍‌ ମନରେ ଯେତିକି ଦୁଃଖ ହୋଇଥିଲା, ତା ତୁଳନାରେ ବେଶି ଆନନ୍ଦ ହୋଇଥିଲା । ମନକୁ ମନ ନିଜର ସାହସ ପାଇଁ ସେ ନିଜକୁ ସାବାସି ଦେଇଥିଲା ଏବଂ ପରଶୁକୁ ଅନେକ କୃତଜ୍ଞତା ଜଣେଇଥିଲା । ସେ କହିଥିଲା, “ମୁଁ ଗାଁକୁ ଗଲେ ବୋଉକୁ ତମ କଥା କହିବି ।”

 

ପରଶୁ ତାର ଗାଲକୁ ଟିପି ଦେଇ କହିଥିଲା, “ମୋ ମଗଜର କମାଲ୍‌ ଦେଖିଲୁ ତ !”

 

ପ୍ରକୃତରେ ପରଶୁର ମଗଜ ଦେଖିବା ଭଳି ଥିଲା । ଟୁଟୁଲ୍‌ ଗୋଟେ ଶିଷ୍ୟ ତା ଗୁରୁଙ୍କୁ ଚାହିଁଲା ପରି ଭକ୍ତି ଓ କୃତଜ୍ଞତାପୂର୍ଣ୍ଣ ଆଖିରେ ପରଶୁକୁ ଚାହିଁଥିଲା ।

 

ପରଶୁର ବୟସ ତାଠାରୁ ତିନି ବର୍ଷ ବେଶି । ସେ ବି ପାଟପୁର ସ୍କୁଲରେ ପଢ଼େ, କିନ୍ତୁ ହାଇସ୍କୁଲରେ । ହାଇସ୍କୁଲର ପିଲାମାନେ ଅଲଗା ଅଲଗା ଚଉକି ଓ ଟେବୁଲ୍‌ରେ ବସନ୍ତି । ପରଶୁ ସେମିତି ବସେ । ଟୁଟୁଲ୍‌ ପରି ଛଅ ସାତଜଣ ଗୁଞ୍ଜି ହୋଇ ବସୁଥିବା ବେଞ୍ଚରେ ସେ ବସେ ନାହିଁ ।

 

ପରଶୁ ସାଙ୍ଗେ ଟୁଟୁଲ୍‌ର ବନ୍ଧୁତା ଗୋଟେ କାହାଣୀ ।

 

ଟୁଟୁଲ ସେ କଥା ମନେ ପକେଇ ବହୁତ ସାନ୍ତ୍ୱନା ପାଏ । ଯେତେବେଳେ ସେ ତାର ବାପା, ବୋଉ, ଗାଁ, ପାଟପୁର ମଠ, ଗୁରୁ ଗୋସେଇଁ, ଆଳୁଆ ବାବା ଓ ସ୍କୁଲ ସାଙ୍ଗ... ଏ ସମସ୍ତଙ୍କ ଉପରେ ଚିଡ଼ିଯାଏ, ସେତିକିବେଳେ ପରଶୁ କେବଳ ତାର ବନ୍ଧୁ ହୋଇ ଉଭା ହୁଏ । ପରଶୁ ତା କାନ୍ଧରେ ହାତ ପକାଏ, କିନ୍ତୁ ତାର ଚୁଟି ଭିଡ଼େ ନାହିଁ । ତା ହାତ ଧରେ, କିନ୍ତୁ ତାର ଲଣ୍ଡା ମୁଣ୍ଡକୁ ଢୋଲ ଭାବି ତାକ୍‌ ଧିନାଧିନ, ତାକ୍‌ ଧିନାଧିନ୍‌ ବଜାଏ ନାହିଁ । ତାକୁ ଆଣି ତା ମଠ ପାଖରେ ଛାଡ଼ି ଦେଇଯାଏ । ଟୁଟୁଲ୍‌କୁ କେହି ଥଟ୍ଟା କଲେ, ବାଆଜି ବାଆଜି କହି ଚିଡ଼େଇଲେ, ପରଶୁ ସେମାନଙ୍କୁ ମାରିବା ପରି ଦଉଡ଼ିଯାଏ, ଢେଲା ଉଠେଇ ଫିଙ୍ଗିବା ପାଇଁ ବାହାରେ ।

 

ସେଇ ପରଶୁ ତାକୁ ଏସବୁ ଭୁଲ୍‌ କରିବାକୁ ବୁଦ୍ଧି ବତେଇ ଦେଇଥିଲା । ପରଶୁ କହିଥିଲା, “ଗୋସେଇଁ ଯେଉଁଥିପାଇଁ ଚିଡ଼ୁଛି, ତୁ ସେଇ କାମ କରିଯା । ଆପେ ତୋତେ ତୋ ଗାଁକୁ ପଠେଇଦେବ ।”

 

ଟୁଟୁଲ୍‌ର ଆଖିରେ ଲୁହ ଦୁଇଟୋପା ଚିକ୍‌ଚିକ୍‌ କରି ଉଠିଥିଲା । ସତରେ ସେ ପୁଣି ତା ଗାଁକୁ ଫେରିଯାଇ ପାରିବ ! ସେଇ ମନ୍ତେଇ ଧାରରେ ତା କୁନି ଗାଁ, ଚାରିପଟେ ସବୁଜ ଧାନବିଲ, ଧାନବିଲ ମଝିରେ ଅଙ୍କାବଙ୍କା ହିଡ଼, ହିଡ଼ ଉପରକୁ ଧାନକେଣ୍ଡାଗୁଡ଼ିକ ପେଟେଇ ପଡ଼ିଥିବେ, ହିଡ଼କଟା ନାଳିରେ ଖଇଁଚି ବସିଥିବ, ଖଇଁଚି ଉପରେ ଏକ ଗୋଡ଼ିଆ ବଗ... ଟୁଟୁଲ୍‌ ମୁହୂର୍ତ୍ତକରେ ମନେ ମନେ ତା ଗାଁକୁ ଫେରିଯାଏ । ଯେଉଁଦିନ ସେ ଗାଁରୁ ଆସିଥିଲା ସେଦିନ ସେ ଯାହା ଯେମିତି ଦେଖିଥିଲା ତା ଗାଁ ସବୁଦିନେ ସେମିତି ଦିଶୁଥିବ ବୋଲି ସେ ମନେ ମନେ ଭାବେ । ପରଶୁ ତାର ପିଠି ଥାପୁଡ଼େଇ ଦେଇ କହେ, “ହିମ୍ମତ ଦରକାର । ମାଇଚିଆଙ୍କ ପରି କାନ୍ଦିଲେ ଫାଇଦା ନାହିଁ ।”

 

ଟୁଟୁଲ୍‌ ସାହସ ସଞ୍ଚୟ କରେ । ଯେମିତି ସେ ଗାଁରେ ଥିଲାବେଳେ କାଚଗୁଲି, ଖପରା, ସିଗାରେଟ୍‌ ଖୋଳ ଓ କଳା କାଗଜ ସବୁ ଖୋଜି ଲୋଡ଼ି ସଞ୍ଚୟ କରୁଥିଲା ସେମିତି ତା ମନ ଭିତରେ ଖେଳେଇ ଖାଳେଇ ପଡ଼ିଥିବା ସାହସତକ ସେ ଗୋଟାଗୋଟି କରି ଏକାଠି କରେ । ପରଶୁ ସାହସ ଦେଇଛି, ସେ ନିଶ୍ଚୟ ତା ଗାଁକୁ ଫେରିଯାଇ ପାରିବ ।

 

ଗତକାଲି ସେ ପଞ୍ଚମ ଭୁଲ୍‌ଟି କରିଥିଲା । ଟୁଟୁଲ୍‌ ମନେ ମନେ ହିସାବ କଲା, ମଠକୁ ଆସିଥିବା ଭକ୍ତ ବୁଢ଼ାଟିର କଛା ଟାଣିବା ଥିଲା ପ୍ରଥମ ଭୁଲ୍‌ । ଦ୍ୱିତୀୟ ଥିଲା ଗୋଡ଼ହାତ ନ ଧୋଇ କି ଗାଧୁଆ ପାଧୁଆ ନ କରି ଠାକୁରଙ୍କ ବେକରେ ଫୁଲମାଳ ପିନ୍ଧେଇବା । ସେଇ ଭୁଲ୍‌ଟି ପାଇଁ ଟୁଟୁଲ୍‌ ବହୁତ ଡରି ଯାଇଥିଲା । ତାର ଧାରଣା ହୋଇଥିଲା ଯେ, ହୁଏତ ଠାକୁର ତା କାମରେ ଆଉ ସହଯୋଗ କରିବେ ନାହିଁ ଓ ସବୁ ଯୋଜନା ତାର ଫସର ଫାଟିଯିବ । ମାତ୍ର ପରଶୁ କହିଥିଲା, “ଠାକୁର ସବୁ ଜାଣନ୍ତି, ତୁ ଚିନ୍ତା କରନା” ଏବଂ ଟୁଟୁଲ୍‌ ନ ଗାଧୋଇ ସେମିତି ବାସି ଲୁଗାପଟାରେ ଠାକୁରଙ୍କୁ ମାଳ ପିନ୍ଧେଇ ଦେଇଥିଲା, ଗୋସେଇଁ ଦେଖୁ ଦେଖୁ ।

 

କିନ୍ତୁ ସବୁଠୁ ଦୁଃସାହସୀ କାମଟି ହିଁ ଟୁଟୁଲ୍‌ ଗତକାଲି କରିଥିଲା । ପରଶୁ ଗୋଟେ କାଗଜରେ ଦିଇଟା ବଡ଼ ବଡ଼ ଚିଙ୍ଗୁଡ଼ି ଶୁଖୁଆ ପୋଡ଼ି ଟୁଟୁଲ୍‌କୁ ଦେଇଥିଲା । କହିଥିଲା, “ଏ ଶୁଖୁଆ ଦି’ଟା ତୁ ଆଳୁଆ ବାଆଜି ସାମ୍ନାରେ ହିଁ ତାକୁ ଦେଖେଇ ଦେଖେଇ ଖାଇବୁ । ଦେଖିବୁ, ତାର ପାଞ୍ଚ ଘଣ୍ଟା ପରେ ତୁ ଯାଇ ଥିବୁ ତୋ ଗାଁରେ ।”

 

ଗାଁ ! ପୁଣି ଟୁଟୁଲ୍‌ର ମନ ନାଚି ଉଠିଥିଲା ।

 

ଗାଁକୁ ଫେରିଯିବା ପାଇଁ ଗୋଟେ କଣ, ପାଞ୍ଚଟା କଣ, ସେ ଗଣି ଗଣି ପାଞ୍ଚ ଶହ ଭୁଲ୍‌ ବି କରିପାରେ । ସେକଥା ପରଶୁକୁ ସେ କହିଥିଲା ।

 

କାଲି ଦିପହରେ ସ୍କୁଲରୁ ଫେରିବା ବାଟରେ ସେ ପରଶୁଙ୍କ ଘର ଦେଇ ଆସିଥିଲା । ତାକୁ ଦେଖି ପରଶୁର ଭଉଣୀ ପଚାରିଥିଲା, “କିରେ, ବାଆଜି ! ଆମ ଘରକୁ କେମିତି ଆସିଗଲୁ ?”

 

ତାକୁ ‘ବାଆଜି’ ବୋଲି ଡାକିଥିବାରୁ ଟୁଟୁଲ୍‌ ପରଶୁର ବଡ଼ ଭଉଣୀ ଉପରେ ଚିଡ଼ି ଯାଇଥିଲା । କିନ୍ତୁ ଗୋଟେ ଦୁଃସାହସୀ କାମ କରିବାକୁ ଗଲାବେଳେ କାହା ଉପରେ ଚିଡ଼ି ଧୈର୍ଯ୍ୟ ହରେଇବା ତା ପକ୍ଷେ ଉଚିତ ହୋଇ ନ ଥାନ୍ତା, ପରଶୁ କହିଥିଲା । ଟୁଟୁଲ୍‌ ତେଣୁ କିଛି କହି ନ ଥିଲା-। ପରଶୁର ବଡ଼ ଭଉଣୀ ତାକୁ ଝିଙ୍କିନେଇ ତା କୋଳରେ ତାକୁ ଚାପି ଧରିଥିଲା, ତା ଗାଲକୁ ଚିପି ଦେଇଥିଲା, ତା ଓଠକୁ ଝୁଲେଇ ଦେଇଥିଲା ଠିକ୍‌ ତା ବୋଉ ପରି ଏବଂ ଟୁଟୁଲ୍‌ ମନେ ମନେ ପରଶୁର ଭଉଣୀକୁ କ୍ଷମା କରିଦେଇଥିଲା ।

 

ପରଶୁ କହିଥିଲା, “ସେ ମୋ ମାମୁଝିଅ ଭଉଣୀ, ଭାରି ଚାଲାକ୍‌ । ତୋତେ କିଛି ପଚାରୁଥିଲା କି ?”

 

ଟୁଟୁଲ୍‌ କିଛି ନ କହି ପରଶୁର ମୁହଁକୁ ଚାହିଁଲା । ପରଶୁ ବି କଣ ତା ପରି ସମସ୍ତଙ୍କୁ ଡରେ !

 

ପରଶୁ ତା ଜାମା ଓ ପ୍ୟାଣ୍ଟ୍‌ ଟେକି ତାର ଛାତି, ଜଂଘ ଓ କହୁଣିରେ ଥିବା ଆଞ୍ଚୁଡ଼ା ଘା ଓ କଟାଦାଗ ସବୁ ଟୁଟୁଲ୍‌କୁ ଦେଖେଇଥିଲା । କହିଥିଲା, “ପଚିଶ ଥର ଗଛରୁ ଖସି ପଡ଼ିଥିବି, ସାଇକେଲ୍‌ରୁ ପଡ଼ିଥିବି ନଅ ଦଶ ଥର । ତୁ ମୋତେ ଡରିବା କଥା କହୁଛୁ ? ଛାଡ଼୍‍, ନେ ଏଇ ପୁଡ଼ିଆରେ ରଖିଛି । ଆଳୁଆ ବାଆଜି ସାମ୍ନାରେ ହିଁ ତୁ ଚକ୍‌ଲେଟ୍‌ କି ଲଜେନ୍ସ ଖାଇଲା ଭଳିଆ ଖାଇବୁ । ଦେଖ୍‌, ଏମିତି... ।”

 

ତାର ବିଶି ଆଙ୍ଗୁଳିକୁ ପାଟିରେ ପୂରେଇ ପରଶୁ କାମୁଡ଼ି କାମୁଡ଼ି ଖାଇବାର ଢଙ୍ଗ ଦେଖେଇ ଦେଉଥିଲା । ଟୁଟୁଲ୍‌ କହିଲା, “ମୋତେ ଚିଙ୍ଗୁଡ଼ି ଶୁଖୁଆ ଭାରି ଭଲ ଲାଗେ । ତୁ ମୋତେ ଆଉ ଦେବୁ ?”

 

: ଦେବି । ଆଗେ ତୁ ଯା । ତୋତେ ବାଆଜି ଖୋଜୁଥିବ ।

 

ପରଶୁ କହିବା ମତେ, ଆଳୁଆ ବାବାଜି ମଠରୁ ଠାକୁରଗାଦିକୁ ଆସୁଥିବାବେଳେ ଟୁଟୁଲ୍‌ ଭଜା ଚିଙ୍ଗୁଡ଼ି ଶୁଖୁଆ ଖାଇଥିଲା । କାଗଜ ପୁଡ଼ିଆକୁ ଖୋଲି ଦେଖେଇ ଦେଖେଇ ଖାଇଥିଲା ।

 

ଆଳୁଆ ବାବାଜି ଚିତ୍କାର କରିଥିଲା, ଯେମିତି ଚିତ୍କାର ଟୁଟୁଲ୍‌ ଆଶଙ୍କା କରୁଥିଲା ।

 

ତାକୁ ଜୋର୍‌ରେ ଗୋଟାଏ ଧକ୍କା ମାରିଥିଲା, ଯୋଉଟା ସେ ଆଶଙ୍କା କରି ନ ନଥିଲା କି ପରଶୁ ତାକୁ କହି ନ ଥିଲା ।

 

ମଠ ଭିତରେ ଗୋଟେ ହଇଚଇ ଉଠିଥିଲା । ଯିବା ଆସିବା ଲୋକ କହିଥିଲେ, “ଘୋର ପାପାଚାର । ମନ୍ଦିର ଆଉ ଥରେ ପ୍ରତିଷ୍ଠା ନ ହେଲେ ଏଠୁ ଠାକୁର ପଳେଇଯିବେ ।”

 

ଠାକୁରଙ୍କ ପଳେଇଯିବା କି ରହିବା ନେଇ ଟୁଟୁଲ୍‌ର ଚିନ୍ତା ନ ଥିଲା । ସେ ଖାଲି ତା ନିଜ ପଳେଇଯିବାର ରାସ୍ତା ଖୋଜୁଥିଲା । ସେ ଚିନ୍ତା ଭିତରେ ତା ପିଠି ଓ ଗାଲର ଆଘାତ ସେ ଭୁଲି ଯାଉଥିଲା ।

 

ରାତିଟା ସାରା ତାକୁ ନିଦ ହୋଇ ନଥିଲା । ସମସ୍ତେ ତାକୁ କୁଳାଙ୍ଗାର ଏବଂ ଘୋର ପାପୀ ବୋଲି କହୁଥିଲେ । ତାକୁ, ତାର ବାପାକୁ, ତାର ମାଆକୁ, ତାର ବଂଶ ଏବଂ ଗୋତ୍ର ବୋଲି ଗୋଟେ କଣକୁ ମଧ୍ୟ ତା ସାଙ୍ଗରେ ଗାଳିମନ୍ଦ କରୁଥିଲେ । ସେତେବେଳେ ଟୁଟୁଲ୍‌ର ଥରେ ଇଚ୍ଛା ହୋଇଥିଲା, ସେ ଯାଇ ଆଳୁଆ ବାବାଜି ପାଖରେ ସବୁକଥା କହିଦେବ । କହିବ, ଯାହା ଯାହା ସେ କରିଛି ସବୁ ପରଶୁ ବୁଦ୍ଧିରେ କରିଛି । ଏଥିରେ ତାର କିଛି ଦୋଷ ନାହିଁ ।

 

କିନ୍ତୁ ପରଶୁର ଧମକ ବି ଟୁଟୁଲ୍‌ର ମନେ ଥିଲା । ସେ ତାଠୁ ବିଦ୍ୟାରାଣ, ଆଖିଛୁଇଁ ରାଣ ଓ ମା ରାଣ ପରି ତିନି ତିନିଟି ରାଣ ନେଲାପରେ ଯାଇ ତାକୁ ଏ ବୁଦ୍ଧି ଦେଇଥିଲା । ଯଦି ସେ କାହା ଆଗେ ପରଶୁ ଏମିତି ବୁଦ୍ଧି ବତେଇଥିଲା ବୋଲି କହିଦିଏ, ତାହାହେଲେ ତାର ଆଉ ପାଠ ହେବ ନାହିଁ, ତାର ଆଖି ଫୁଟିଯିବ ଓ ତାର ମା ମରିଯିବ ।

 

ମା, ବୋଉ । ଟୁଟୁଲ୍‌ର ପାଠ ନ ହେଉ ପଛକେ, ଆଖି ଫୁଟିଯାଉ ପଛକେ ତା ବୋଉର କିଛି ନ ହେଉ । ଟୁଟୁଲ୍‌ ବୋଉ କଥା ମନେ ପକେଇ ଦାନ୍ତ ଚିପି ସବୁ ସହି ଯାଇଥିଲା ।

 

ସକାଳୁ ସକାଳୁ ହିଁ ନିଜେ ମଠ ଗୋସେଇଁ ତାକୁ ଡାକିଥିଲେ । ତୁ ଆଉ ଏ ମଠରେ ରହିପାରିବୁ ନାହିଁ–ତାକୁ କହିଦେଲେ ।

 

ଟୁଟୁଲ୍‌ କିଛି କହି ନ ଥିଲା ।

 

: ତୋ ବାପକୁ ଖବର ଦେଇଛି । ସେ ଆସି ତୋତେ ନେଇଯାଉ । ତାହା ନ ହେଲେ ଏ ମଠରେ ଧର୍ମ କର୍ମ କିଛି ରହିବ ନାହିଁ ।

 

ଅପମାନିଆ କଥାଗୁଡ଼ିକ ଆଗରୁ କେବେ ଏତେ ଭଲ ଲାଗି ନଥିଲା ଟୁଟୁଲ୍‌କୁ । ସେ ମଠ ଗୋସେଇଁଙ୍କ ପାଖରୁ ପାଦ ଚିପି ଚିପି କିଛି ବାଟ ଆସିଲା ପରେ ବାଡ଼ିର ଭେଣ୍ଡି ଓ ମକା ଗଛ ଉହାଡ଼ରେ ଗୋଟେ କୁଦା ମାରିଥିଲା ଓ ଖୁସି ହୋଇଥିଲା । ନଳ ପାଖକୁ ଯାଇ ମୁହଁହାତ ଧୋଇ ପରଶୁକୁ ମନେ ମନେ ଧନ୍ୟବାଦ ଦେଇଥିଲା । ତା ମଗଜର କମାଲ୍‌ ଅଛି, ନ ହେଲେ କଣ ଠିକ୍‌ ପାଞ୍ଚଟା ଭୁଲ୍‌ କରିସାରିବା ବେଳକୁ ତାକୁ ଗାଁକୁ ନେବା ପାଇଁ ବାପା ଆସୁଥାଆନ୍ତେ !

 

ଦୁର୍ଗାପୂଜା ବାସିଦିନ ଟୁଟୁଲ୍‌ ପାଟପୁର ଆସିଥିଲା, ଏବେ ସରସ୍ୱତୀ ପୂଜା ସରିଗଲାଣି । କେତେଦିନ ଯେ ଏହା ଭିତରେ ବିତିଗଲାଣି ଟୁଟୁଲ୍‌ ତାର ହିସାବ ରଖିପାରି ନାହିଁ ।

 

ବାପାକୁ ଦେଖିଲାକ୍ଷଣି ଟୁଟୁଲ୍‌ ଦଉଡ଼ିଗଲା । କାହିଁକି କେଜାଣି ତା ବାପା ତାକୁ ଅଲଗା ଅଲଗା ଦିଶୁଥିଲେ । ଏତିକି ଦିନ ଭିତରେ ତା ବାପା ବହୁତ ବୁଢ଼ା ହୋଇଗଲା ପରି ତାର ମନେ ହେଉଥିଲା । ଟୁଟୁଲ୍‌ ଯାଇ ତା ବାପାଙ୍କ ପେଟକୁ କୁଣ୍ଢେଇ ପକେଇଲା । ଲାଉ ହୋଇପଡ଼ିଲା । କାନ୍ଦି ପକେଇଲା ସେ । ଗେରୁଆ ଗାମୁଛା, ଲଣ୍ଡା ମୁଣ୍ଡ, ଗୁଣ୍ଡୁଚିମୂଷା ଲାଞ୍ଜ ପରି ତାର ଚୁଟି ଓ ତିଳକ ଚିତା ପିନ୍ଧା ବାଆଜି ପୁଣି ଟୁଟୁଲ୍‌ ହୋଇଯିବା ଲାଗି ଛାଟିପିଟି ହେଉଥିଲା । ତା ବାପାର ହାତ ଯୋଡ଼ିକ ନଇଁ ଆସି ତାକୁ କୋଳ କରି ନେବା ପାଇଁ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲା ।

 

ଟୁଟୁଲ୍‌ ମନରେ ଅସୁମାରି ଯୋଜନା । ଗାଁରେ ପହଞ୍ଚିବାକ୍ଷଣି କଣ କଣ କରିବ ତାର ଗୋଟେ ତାଲିକା ସେ ତା ମନ ଭିତରେ ତିଆରି କରୁଥିଲା । ଆଉ କିଛିଦିନ ଆଗରୁ, ଗାଁକୁ ଗଲେ ଦୁଷ୍ଟାମି କରିବ ନାହିଁ ବୋଲି ସେ କରିଥିବା ନିୟମ ଏବେ ଭୁଲି ଯାଇଥିଲା । ତାର ରହି ରହି ବଣିଆସାହି ପଦା, ମନ୍ତେଇ ନଈ କୂଳ, ବଡ଼ପୋଖରୀ ହୁଡ଼ା, ଅର୍ଜୁନ ବାଆଜି ମଠର ପିଜୁଳି ଗଛ, ପିଣ୍ଟୁଙ୍କର କୁକୁଡ଼ା ପଲା, ଗଗନ ପିଇସାର ଛୋଟ କୁକୁର ଛୁଆ ଓ ତାଙ୍କର କଅଁଳା ବାଛୁରୀ କଥା ମନେ ପଡ଼ୁଥିଲା । କେତେ ଯେ କାମ ! ଟୁଟୁଲ୍‌ ମନେ ମନେ ବ୍ୟସ୍ତ ହୋଇ ପଡ଼ୁଥିଲା । ଗପର ମନପବନ କଠଉ ଭଳି ଦି’ ଯୋଡ଼ା କଠଉ ଥିଲେ ସେ ଓ ତା ବାପା ଗୋଟାଏ ମୁହୂର୍ତ୍ତରେ ଯାଇ ଗାଁରେ ପହଞ୍ଚିଯାଆନ୍ତେ । ସାଙ୍ଗେ ସାଙ୍ଗେ ମହାଦେବ ପୋଖରୀ ତୁଠରେ ଗୋଡ଼ହାତ ଧୋଇ ସେ ତା ବୋଉ ସାମ୍ନାରେ ହାଜର ହୋଇ ଡାକନ୍ତା, “ବୋ-ଉ !”

 

ତା ବାପା ତାକୁ ଝିଙ୍କିଦେଲେ, “ଓହ୍ଲା, ଓହ୍ଲା କହୁଛି ।”

 

ଟୁଟୁଲ୍‌ କିଛି ବୁଝି ପାରିଲା ନାହିଁ ।

 

ତା ବାପା କହିଲେ, “ତୁ ଯା । ମୁଁ ଆଗେ ଗୋସେଇଁଙ୍କ ସାଙ୍ଗେ କଥା ହୋଇସାରେ ।”

 

ଟୁଟୁଲ୍‌ ଧାଇଁ ଧାଇଁ ପଳେଇଗଲା । ମଠ ଭିତରେ ଆଳୁଆ ବାଆଜି ବସାଘରର ଗୋଟିଏ କୋଣରେ ଟୁଟୁଲ୍‌ର ବାସ । ସେଇଠି ଥିଲା ତାର ଶପ, ବହିଖାତା, କଲମ ପେନ୍‌ସିଲ୍‌ ଓ ତାର ଜାମା ପ୍ୟାଣ୍ଟ୍‌ । ଟୁଟୁଲ୍‌ ସବୁଗୁଡ଼ିକୁ ଗୋଟିଆ ଗୋଟି କରି ତା ସ୍କୁଲ୍‌ ବ୍ୟାଗ୍‌ ଭିତରେ ଭର୍ତ୍ତି କରିଦେଲା । ‘ଗାମୁଛାଟା ଓଦା ଅଛି, ବାଟରେ ଶୁଖିଯିବ’ କହି ବ୍ୟାଗ୍‌ ଭିତରେ ପୂରେଇ ଦେଲା । ‘ମଗ ଓ ଲୋଟା ମୋର କଣ ହବ’ ବୋଲି ଭାବିଲା ଓ ସେଗୁଡ଼ାକୁ ଦୂରକୁ ଠେଲିଦେଲା । ସେ ଏସବୁ ସଜଡ଼ା ସଜଡ଼ି କରିବାରେ ଏତେ ତରତର ହେଉଥିଲା ଯେ, ତା କପାଳରୁ ଝାଳ ବୋହି ଆସୁଥିଲା । ହର୍ଲିକ୍ସ ବୋତଲ ଭିତରେ କିଛି ଉଖୁଡ଼ା ଥିଲା ଓ ତହିଁରେ ପିମ୍ପୁଡ଼ି ଲାଗି ଯାଇଥିଲେ । ଟୁଟୁଲ୍‌ ପିମ୍ପୁଡ଼ିମାନଙ୍କୁ ଅଡ଼େଇଲା ନାହିଁ, ଆଙ୍ଗୁଳିରେ ଚିପି ମାରିଲା ନାହିଁ । କଣ ଭାବି କେଜାଣି ତାର ଠିପିଟାକୁ ଖୋଲି ଆଳୁଆ ବାଆଜି ଖଟିଆର ଗୋଡ଼ ପାଖରେ ଥୋଇଦେଲା, “ପାଉ ମଜା ବାଆଜି !”

 

ଏବେ ସେ ତାର ଝୁଲା ଧରି ବାହାରି ଆସିଲା ।

 

ତାର ବାପା ଗୋସେଇଁଙ୍କୁ କଣ ସବୁ କହୁଥିଲେ । ଟୁଟୁଲ୍‌ ସେ ଆଡ଼କୁ କାନ ଦେଲା ନାହିଁ ।

 

ବାପା ତାଙ୍କ ଜାଗାରୁ ଉଠିଆସି ଗୋସେଇଁଙ୍କ ହାତକୁ କିଛି ଟଙ୍କା ବଢ଼େଇଦେଲେ । ଟୁଟୁଲ୍‌ କାନରେ ପଡ଼ିଲା, “ପିଲା ଲୋକ, ଭୁଲ୍‌ କରିଦେଇଛି । କିଛି ଭାବିବେ ନାହିଁ ।”

 

ଟୁଟୁଲ୍‌ ଅନେଇଲା । ଯିବା ଆସିବାବେଳେ ତା ମାମୁଁ ତାକୁ ଏମିତି କିଛି ଟଙ୍କା ଦେଇଯାଆନ୍ତି । ଥରେ ତାର ପିଇସା ଆସିଥିଲେ, ସେ ବି ତା ହାତରେ କିଛି ଟଙ୍କା ଗୁଞ୍ଜି ଦେଇଥିଲେ । ବାପା ବି ଗୋସେଇଁଙ୍କୁ ଦେଉଛନ୍ତି, ଦିଅନ୍ତୁ ।

 

ବାପା ଆସି ଟୁଟୁଲ୍‌କୁ କହିଲେ, “ଗୋସେଇଁଙ୍କ ହାତ ଗୋଡ଼ ଧରିଛି । କାଇଲି ହୋଇଛି-। ସେ ତୋର ଦୋଷ କ୍ଷମା କରିଦେଇଛନ୍ତି । ଏବେ ତୁ ସୁନାପିଲା ପରି ହେବୁ । ବାର ବର୍ଷ ହୋଇଗଲେ ତୋତେ ଠାକୁରଙ୍କ ପାଖକୁ ନେଇ ବିକିଦେବି, ପୁଣି କିଣି ଆଣିବି । ଆଉ ତୋତେ ବାବାଜି ହେବାକୁ ପଡ଼ିବ ନାହିଁ ।”

 

ଟୁଟୁଲ୍‌ ଆକାଶରୁ ଖସିପଡ଼ିଲା । ପିଣ୍ଟୁ ହାତରୁ କୁକୁଡ଼ା ଡିମ୍ବ ଖସିପଡ଼ିଲା ପରି ତାର ମନ ତା ଛାତି ଭିତରୁ ଖସି ପଡ଼ି ଭାଙ୍ଗିଗଲା । ସେ ତା କାନକୁ ବିଶ୍ୱାସ କରିପାରୁ ନ ଥିଲା ।

 

ଟୁଟୁଲ୍‌ ଆଳୁଆ ବାଆଜିର ମଜଭୁତ ହାତ ଦିଇଟା ଭିତରେ ଛାଟିପିଟି ହେଉଥିଲା । ବାପା, ବାପା, ବୋଲି ରଡ଼ି ଛାଡ଼ୁଥିଲା । କିନ୍ତୁ ତା ବାପା ଠାକୁରଙ୍କ ସାମ୍ନାରେ ମୁଣ୍ଡିଆ ମାରି ‘ସବୁ ତୁମରି ଦୟା’ କହି ରାସ୍ତା ଉପରକୁ ବାହାରି ଯାଉଥିଲେ ଏବଂ ଟୁଟୁଲ୍‌ ଆଖି ସାମ୍ନାରୁ କ୍ରମେ ଦୂରକୁ ଦୂରକୁ ଚାଲି ଯାଉଥିଲେ ।

 

ବାଆଜିର କାନ୍ଦ ନା ତା ବାପା, ନା ଗୋସେଇଁ ନା ଠାକୁର କାହାରିକୁ ଶୁଭୁ ନ ଥିଲା ।

 

ଟୁଟୁଲ୍‌ କାନ୍ଧରୁ ଝୁଲା ବ୍ୟାଗ୍‌ଟା ଖସିପଡ଼ି ଚଟାଣରେ ଲୋଟୁଥିଲା । ତା ଭିତରୁ ତାର ବହିଖାତା, କଲମ ଓ ପେନ୍‌ସିଲ୍‌ ବାହାରି ବିକଳ ଢଙ୍ଗରେ ଖେଳେଇ ପଡ଼ିଥିଲେ ।

☆☆☆

 

Unknown

କବି

 

ନିଶାକର ସବୁବେଳେ ତା ପକେଟ୍‌ରେ ମେଞ୍ଚାଏ ଘଟଣା ଧରି ବୁଲୁଥାଏ । କାହା ସାଙ୍ଗେ ଦେଖାହେଲା କ୍ଷଣି ସେ ଆର ଲୋକଟିର କାମଧନ୍ଦା, ସମୟ ଅସମୟ ଭୁଲି ତା ସାମ୍ନାରେ ତାର ଘଟଣାର ଝୁଲାମୁଣିଟି ଖୋଲିଦିଏ ।

 

କେହି କେହି ତା କଥା ଶୁଣନ୍ତି, ବେଶୀ ଭାଗ ଲୋକ କାମର ଆଳ ଦେଖାଇ ତା ପାଖରୁ ଖସି ପଳାନ୍ତି ।

 

ନିଶାକରକୁ ଯେ ଶହେରେ ଶହେ ଲୋକ ଆଡ଼େଇ ଚାଲିଯିବାକୁ ଚାହାନ୍ତି, ତାହା ନୁହେଁ-। ଅନେକ ଲୋକ ତା ପାଖକୁ ତାଙ୍କ ନିଜର ଜମିବାଡ଼ି ମପାଚୁପା, ଖଜଣା ପାଉତି ଓ ବାଦବିବାଦ ନେଇ ଆସିଥାଆନ୍ତି । ମାତ୍ର ଏସବୁ କଥାରେ ନିଶାକର ଆଗ୍ରହ ଦେଖାଏ ନାହିଁ । ‘ହଉ ବୁଝିବା’ କହି ଲୋକଙ୍କୁ ବସେଇଦିଏ ଓ ତା ପକେଟ୍‌ରୁ ସେହି ଖବରମାନ ବାହାର କରି ଶୁଣାଏ । ଲୋକମାନେ ତା ସଙ୍ଗେ ଖଜଣା, ପଟ୍ଟା, ପାଉତି ନେଇ ପରାମର୍ଶ କରିବାକୁ ଯାଇଥିବାବେଳେ ନିଶାକର ତାଙ୍କୁ ଛାନ୍ଦ, ଚଉତିଶା ଓ ଚମ୍ପୂ କଥା କହିବସେ । ସେମାନେ ତାଙ୍କ ଜମି ମାପଚୁପ ନେଇ ପରାମର୍ଶ ଲୋଡ଼ିବା ବେଳକୁ ନିଶାକର କଟକର କୋଉ ସାହିତ୍ୟ ସଭାର ବିବରଣୀ ବଖାଣି ବସେ-। ଲୋକମାନେ ତହସିଲଦାର୍‌ ଅଛନ୍ତି କି ନାହିଁ ଖବର ପଚାରି ବସିଲେ ନିଶାକର ପ୍ରଶ୍ନକର୍ତ୍ତାର ଗାଁରେ ପଣାସଂକ୍ରାନ୍ତି ଦିନ ଗୋଟେ ସାହିତ୍ୟସଭା କରିହେବ କି ନାହିଁ ସେ ନେଇ ଓଲଟି ପ୍ରସ୍ତାବ ବାଢ଼ି ବସେ । ନିଜ ନିଜର ଜମିଜମା ସମସ୍ୟା ନେଇ ଆସିଥିବା ଗାଉଁଲି ଲୋକମାନେ ନିଶାକରର ଏହି ଖୋଇ ଯୋଗୁ ନିହାତି ପ୍ରୟୋଜନ ନ ଥିଲେ ତାକୁ ଏଡ଼େଇ ରହିବାକୁ ଚେଷ୍ଟା କରନ୍ତି । ନିଶାକର ତ ତହସିଲ ଅଫିସ୍‌ରେ ଏକମାତ୍ର ପିଅନ ନୁହେଁ ଯେ ସେମାନେ ତାର ସବୁତକ ପାଗଳାମି ବରଦାସ୍ତ କରନ୍ତେ !

 

କେହି କେହି ଅପ୍ରିୟ ହେବାର ଡର ସତ୍ତ୍ୱେ ନିଶାକରକୁ ଏକଥା ବି କହନ୍ତି, “ସବୁବେଳେ ତମେ ପାଗଳଙ୍କ ପରି ଇଆଡ଼ୁ ସିଆଡ଼ୁ ଗପୁଛ କାହିଁକି ? ତମର କଣ ଆଉ କିଛି କାମଧନ୍ଦା ନାହିଁ-?” ଅଥବା, “ଏଇ କାମ ପାଇଁ କଣ ସରକାର ତୁମକୁ ଦରମା ଦେଉଛି ?”

 

ଅବଶ୍ୟ ସମସ୍ତେ ନିଶାକରକୁ ଗାଳିମନ୍ଦ କରନ୍ତି ନାହିଁ । କିଛିଲୋକ ତା ପ୍ରତି ସହାନୁଭୂତି ଦେଖାନ୍ତି । ତାଙ୍କ ମତରେ ନିଶାକର ଜାଣି ଜାଣି ନିଜ ଭବିଷ୍ୟତ ନଷ୍ଟ କରୁଛି । ତହସିଲ ଅଫିସ୍‌ରେ ପିଅନ ଚାକିରି କିଛି ଖରାପ ଚାକିରି ନୁହେଁ । ଏହି ଚାକିରିରେ ରହି ଲୋକମାନେ ଦଶ ବାର ମାଣ ଜମି ପକେଇ ପାରିଛନ୍ତି । ସବୁଦିନେ ଏଠି କଞ୍ଚା ପଇସା କାରବାର । ଷ୍ଟାମ୍ପ୍‌ଟିଏ ଲଗେଇଦେଲେ ଟଙ୍କା, ଫାଇଲ ଆଣି ତହସିଲଦାର୍‌ଙ୍କ ଟେବୁଲ ଉପରେ ପହଞ୍ଚେଇଦେଲେ ଟଙ୍କା, ତାରିଖ ଘୁଞ୍ଚେଇବା ଅର୍ଜି ଲେଖେଇଦେଲେ ଟଙ୍କା । କିନ୍ତୁ ନିଶାକର ସେ କାମ ଛାଡ଼ି ଅର୍ଥହାନି କାମରେ ଦିନ ବିତଉଛି । ଚାହୁଁ ଚାହୁଁ ଅଠାବନ ବର୍ଷ ପୂରିଯିବ ଓ ଚାକିରି ସରିଯିବ । ତାପରେ ସେ କଣ କରିବ ?

 

କିନ୍ତୁ ନିଶାକର ଏକଥା ବୁଝିପାରେ ନାହିଁ କି ବୁଝିବା ପାଇଁ ଚେଷ୍ଟା କରେ ନାହିଁ, କହିବା ମୁସ୍କିଲ । ସବୁଦିନ ସକାଳ ଆଠଟାରୁ ସେ ସାଇକେଲ୍‌ ମାରି ଚାନ୍ଦବାଲି ତହସିଲ ଅଫିସ୍‌କୁ ଆସେ । ହାକିମଙ୍କ ଟେବୁଲ ସଫାକରି ଫାଇଲ୍‌, କଲମ, ପେନ୍‌ସିଲ୍‌ ଓ କାଳିଦୁଆତ ସଜାଡ଼ି ରଖିଦିଏ । ତାପରେ ତାର ଟୁଲ୍‌ଟି ଝାଡ଼ିଝୁଡ଼ି ଦେଇ ଦୁଆର ଏକଡ଼େ ବସି କାହାକୁ ଜଣକୁ ଖୋଜିବସେ, ଯାହା ସାଙ୍ଗେ ତା ମନ ମୁତାବକ ଗପ ସେ ଗପିପାରିବ ।

 

ନିଶାକରକୁ ପଚାଶ ଟପିଲାଣି । ବାଳସବୁ ପାଚି ଆସିଲାଣି । କୋଉକାଳୁ ଚାଳିଶା ଚଷମା ଲଗେଇଲାଣି ସେ । ଡେଙ୍ଗା, ପାତଳ ଚେହେରା । ସବୁଦିନେ ଗୁଡ଼ାଏ ଧଳା ଫତେଇ ପୋଷାକ ଓ ଧୋତି । ପକେଟ୍‌ରେ ନାଲି, ନେଳୀ ଦି ରଙ୍ଗର ଦିଇଟି ଫାଉଣ୍ଟେନ୍‌ ପେନ୍‌ । ଏ କଲମ ଯୋଡ଼ିକ ବିଷୟରେ କେହି ଭୁଲ୍‌ରେ ତାକୁ ପଚାରିଦେଲେ ନିଶାକର କଥା ଗପି ବସେ । କେମିତି ତା ଗୀତ ଓ କବିତା ପଢ଼ି ଚାନ୍ଦବାଲିକୁ ସରକାରୀ ଗସ୍ତରେ ଆସିଥିବା ମାଜିଷ୍ଟ୍ରେଟ୍‌ ଏ କଲମ ଯୋଡ଼ିକ ତାକୁ ଉପହାର ଦେଇଥିଲେ, ସେସବୁ କଥା ଟିକିନିଖି କରି କହେ ।

 

“ମାଜିଷ୍ଟ୍ରେଟ୍‌ଙ୍କ ସମ୍ବର୍ଦ୍ଧନା ପାଇଁ ଏଠି ଆୟୋଜନ ହୋଇଥିଲା ବିରାଟ ସଭା । ସିଏ ତ ଏବକାର ଟୋକାଟାକଳା ମାଜିଷ୍ଟ୍ରେଟ୍‌ ନୁହେଁ, ପୁରୁଖା, ଟାଣୁଆ ମାଜିଷ୍ଟ୍ରେଟ୍‌ । ସେତେବେଳକୁ ବଙ୍ଗଳାଦେଶକୁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ସରିଯାଇଥାଏ । ଭାରତ ଜିଣିସାରିଥାଏ ସେ ଯୁଦ୍ଧ । ସଭିଏଁ ଜେନେରାଲ୍‌ ମାନେକ୍ସାଙ୍କ ପ୍ରଶଂସାରେ ଶତମୁଖ ହେଉଥାଆନ୍ତି । କି ଭୟଙ୍କର ଯୁଦ୍ଧ ସେ ! ତା ପରଠୁଁ ଆଉ ପାକିସ୍ତାନ ଭାରତ ଆଡ଼େ ଅନେଇବାକୁ ସାହସ ଗୋଟେଇ ପାରି ନାହିଁ । କିନ୍ତୁ ଯୁଦ୍ଧ ଜୟର ଖୁସି ମନେଇବାକୁ ବା ଆମର ବେଳ କୋଉଠି ଥିଲା ? ଏକସ୍ତରି ବାତ୍ୟା ଆମର ଘରବାଡ଼ିସବୁ ଭାଙ୍ଗିରୁଜି ଦେଇଥିଲା । ଲୁଣା ଚରି ଆସିଥିଲା କରଣପଲ୍ଲୀ ଡେଇଁ ପଞ୍ଚୁଟିକ୍ରୀ ପର୍ଯ୍ୟନ୍ତ-। କୋଉଠି ବି ଗୋଟେ ଡେଙ୍ଗା ଗଛ ଛାଡ଼ି ନ ଥିଲା ସେ ବାତ୍ୟା । ସବୁକୁ ଭାଙ୍ଗିରୁଜି ତଳେ ପକେଇ ଦେଇଥିଲା । ସେଇ ଦୁଃଖ କାହାଣୀ ମୁଁ ମୋ ଗୀତରେ ଲେଖିଥିଲି । ମୋ ଗୀତ ଶୁଣି ମାଜିଷ୍ଟ୍ରେଟ୍‌ ଏତେ ଖୁସି ହୋଇଯାଇଥିଲେ ଯେ ଚଉକିରୁ ଉଠି ଆସି ମୋ ପିଠି ଥାପୁଡ଼େଇ ସାବାସି ଦେଇଥିଲେ-। ତାଙ୍କ ନିଜ ପକେଟ୍‌ରୁ ଏ ଯୋଡ଼ିକ କଲମ ବାହାର କରି ସେ ମୋ ପକେଟ୍‌ରେ ଖୋସି ଦେଇଥିଲେ ।”

 

ନିଶାକର ଏକଥା କହୁ କହୁ ଭାବପ୍ରବଣ ହୋଇଉଠେ । କଲମ ଯୋଡ଼ିକର ପ୍ରାପ୍ତି ତା ପାଇଁ ଯେତେଟା ବସ୍ତୁଗତ ପୁରସ୍କାର ନୁହେଁ, ମାଜିଷ୍ଟ୍ରେଟ୍‌ଙ୍କ ତୁଣ୍ଡରେ ତା ଗୀତର ପ୍ରଶଂସା ତହିଁରୁ ବଳି ବଡ଼ ପୁରସ୍କାର ବୋଲି ସେ କହିବାକୁ ଚାହେଁ । କିନ୍ତୁ ପଚିଶ ବର୍ଷ ତଳର ସେ କଥା ନିଶାକର ଛଡ଼ା ଆଉ କେହି କହିବାର କେବେ ଶୁଣାଯାଏ ନାହିଁ । ଯେଉଁମାନେ ଏ ଘଟଣାର ସାକ୍ଷୀ ଥିଲେ ସେମାନେ କିଏ କୁଆଡ଼େ ଗଲେଣି । ଏବର ଟୋକାଟାକଳାଙ୍କ ଭିତରେ ଏସବୁ କଥା ନେଇ ଆଗ୍ରହ କୋଉଠି ଅଛି ଯେ ସେମାନେ ମନେରଖିବେ ବୋଲି ନିଶାକର ତା ଆଡ଼ୁ କହି ସନ୍ଦେହୀ ଲୋକଙ୍କ ଅନୁଚ୍ଚାରିତ ସଂଶୟର ଜବାବ ଦିଏ ।

 

ନିଶାକରର କଥା ସମ୍ପୂର୍ଣ୍ଣ ଭୁଲ୍‌ ନୁହେଁ । ମତୋ ମାଇନର ସ୍କୁଲର ସାହିତ୍ୟ ଶିକ୍ଷକ ପଦ୍ମଲୋଚନ ବାବୁ ସମୟେ ସମୟେ ‘ଚାନ୍ଦବାଲି ବୁକ୍ସ’ ଦୋକାନକୁ ବୁଲିଆସିଥିବାବେଳେ, ନିଶାକରର କଥା ଉଠିଲେ ମତ ଦିଅନ୍ତି । ଆଜିକାଲି ସାହିତ୍ୟ ସଙ୍ଗୀତ ପ୍ରତି ବା କାହାର ଆଗ୍ରହ ଅଛି ? ସମସ୍ତେ ତ ଭୋଗବିଳାସ ପଛରେ ଦଉଡ଼ିଛନ୍ତି । ଆମ ସ୍କୁଲ କଥା ଦେଖୁନ ! ତାପରେ ପଦ୍ମଲୋଚନ ବାବୁ ତାଙ୍କ ସ୍କୁଲ ପ୍ରସଙ୍ଗକୁ ଫେରିଯାଆନ୍ତି ।

 

ନିଶାକର ଧାଇଁଯାଇ ଦିଇଟି ମିଠାକଡ଼ା ପାନ ଭାଙ୍ଗି ଆଣି ପଦ୍ମଲୋଚନ ବାବୁଙ୍କ ହାତକୁ ବଢ଼େଇଦିଏ । ଟିକିଏ କରଛଡ଼ା ହୋଇ ସେହି ବେଞ୍ଚ ଉପରେ ବସି ଆଗ୍ରହ ଚିତ୍ତରେ ପଦ୍ମଲୋଚନ ବାବୁଙ୍କୁ ଚାହେଁ, କାଳେ ପଦ୍ମଲୋଚନ ବାବୁ ଏଥର କୋଉ ସାହିତ୍ୟ ସଭାର ଅନୁଭୂତି ତାକୁ ଶୁଣେଇବେ !

 

ପଦ୍ମଲୋଚନ ବାବୁ ସମୟେ ସମୟେ କଟକର ସେକେଣ୍ଡାରୀ ବୋର୍ଡ଼ ଅଫିସ୍‌କୁ ଯାଆନ୍ତି-। କଟକ ଗଲେ ସେ ବୁଲିଯାଆନ୍ତି ବାଲୁବଜାର, ବିନୋଦବିହାରୀ । ଥରେ ଦି’ଥର ଶ୍ରୀରାମଚନ୍ଦ୍ର ଭବନ ଓ ଟାଉନ୍‌ହଲ୍‌ର ସାହିତ୍ୟ ସଭାରେ ବି ସେ ଯୋଗ ଦେଇଛନ୍ତି । ସେଥିପାଇଁ ନିଶାକର ପଦ୍ମଲୋଚନ ବାବୁଙ୍କ ଅନୁଭୂତି ଶୁଣିବା ପାଇଁ ବେଶି ଉତ୍ସୁକ ହୋଇପଡ଼େ । ସମୟ ଥିଲେ ପଦ୍ମଲୋଚନ ବାବୁ ସେକଥା କିଛି କହନ୍ତି, ସମୟ ନ ଥିଲେ, “ରବିବାର ହାଟପାଳିକୁ ଆସ, ଗପସପ ହେବା” କହି ଉଠିଯାଆନ୍ତି ।

 

ନିଶାକର ତା ଅଫିସ୍‌କୁ ଫେରିଯାଏ । ତହସିଲ ଅଫିସ୍‌ ଓ ସବ୍‌ରେଜିଷ୍ଟ୍ରାର ଅଫିସ୍‌ ପାଖାପାଖି । ଦିନ ଆଠଟାରୁ ସଞ୍ଜଯାଏ ଭିଡ଼ । ଷ୍ଟାମ୍ପ୍‌ ପେପର, ଆଫିଡେଭିଟ୍‌, ଖଜଣା, ପାଉତି, ବଣ୍ଟନ କଚ୍ଛ ଫର୍ଦ୍ଦ, ମୁଦେଇ, ମୁଦାଲା, ବାୟା, ସାକ୍ଷୀ, ବିକ୍ରି କବଲା ଓ କଣ୍ଟକବଲା ପରି ଶବ୍ଦମାନଙ୍କ ଭିଡ଼ ଭିତରେ ତାର ଗୀତ, କବିତା, ଚମ୍ପୂ, ଚଉତିଶା ଓ ଛାନ୍ଦ ପରି ଶବ୍ଦମାନେ ହଜିଯାଆନ୍ତି । ଯେତେବେଳେ ତାର ଭାଇ ବିରାଦରମାନେ ଚଷମା ଫାଙ୍କରୁ ଚିଲ ମାଛ ଖୋଜିଲା ପରି ଗାଉଁଲି, ମଫସଲୀ ଲୋକଙ୍କୁ ଖୋଜି ବସୁଥାଆନ୍ତି, ନିଶାକର ଏ ସବୁଠୁ ଦୂରେଇ ଜଣେ ରସଗ୍ରାହୀ ଶ୍ରୋତାକୁ ଖୋଜୁଥାଏ, ଯାହା ସାଙ୍ଗରେ ସେ ଏ ଜମିବାଡ଼ି ଲାଭକ୍ଷତି, ବଜାର ଦର ଓ ଖର୍ଦ୍ଦି ବିକ୍ରି ପ୍ରସଙ୍ଗଠୁଁ ଦୂରେଇ କିଛି ସାହିତ୍ୟ-ସଙ୍ଗୀତର କଥା ଗପି ପାରିବ, ସମ୍ଭବ ହେଲେ ଗଲା ସପ୍ତାହରେ ସେ ଲେଖିଥିବା ତାର କବିତାଟିକୁ ପଢ଼ି ତାକୁ ଶୁଣେଇ ପାରିବ । କିନ୍ତୁ ସେଭଳି ଧୈର୍ଯ୍ୟବାନ୍‌ ଶ୍ରୋତା ନିଶାକର ପାଏ ନାହିଁ । ତାର ଛାତିପକେଟ୍‌ ଓ ଝୁଲାମୁଣି ଭିତରେ ଅନେକ କବିତା ଛାଟିପିଟି ହେଉଥାଆନ୍ତି, ମାତ୍ର ନିଶାକର ସେମାନଙ୍କୁ ସାହାଯ୍ୟ କରିପାରେ ନାହିଁ । ନିଜେ ନିଜର ଗୀତଖାତା ବାହାର କରି ପଢ଼େ, ପଢ଼ୁ ପଢ଼ୁ ତନ୍ମୟ ହୋଇଯାଏ ଓ ହାକିମଙ୍କ ଘଣ୍ଟି ଶବ୍ଦରେ ଅପ୍ରସ୍ତୁତ ହୋଇପଡ଼ି ତରତରରେ ଖାତାକୁ ଝୁଲା ଭିତରେ ପୂରେଇ ହୁକୁମ ତାମିଲ କରିବାକୁ ଉଠିପଡ଼େ ।

 

ବୈତରଣୀ ନଈକୂଳର ସେହି ଛୋଟିଆ ବଜାରକୁ କେବେ କେମିତି ରାଜଧାନୀର ଜଣେ ଅଧେ ବଡ଼ ହାକିମ ଆସିଲା ପରି ନିଶାକର ଥରେ ଅଧେ ତା ମନପସନ୍ଦର ଶ୍ରୋତା ପାଇଯାଏ । ପାନ, ସିଗ୍ରେଟ୍‌ ଓ ଚା ଦେଇ ସେ ତାଙ୍କୁ ତା କବିତା ଶୁଣେଇ ବସେ । ବେଳେବେଳେ କେହି ତାକୁ ଟିକିଏ ପ୍ରଶଂସା କଲେ ସେ ଏମିତି କୃତକୃତ୍ୟ ହୋଇପଡ଼େ ଯେ ତାର ପଚାଶ ବର୍ଷର ପ୍ରୌଢ଼ ଚେହେରା ସାନପିଲା ଚେହେରା ପରି ଦିଶିଯାଏ । ସେ ନିଜଆଡ଼ୁ ନିଜ ପାଇଁ ପ୍ରଶ୍ନଟେ ଯୋଗାଡ଼ କଲା ପରି ପଚାରେ, “ଆପଣ ପଚାରିବେ ଯେ କବିତା ନ ଲେଖି ମୁଁ ରହିପାରେ ନାହିଁ କାହିଁକି ? ଶୁଣନ୍ତୁ–ତାପରେ ସେ ନିଜେ କହିଚାଲେ, “ମୁଁ ତ ଗୋଟେ ପୁରୁଷ ଲୋକ । ମାଆ ହେବାର ଅନୁଭବ ମୋର ନାହିଁ । କିନ୍ତୁ କବିତାଟେ ଲେଖିବାବେଳେ ମୋର କାଇଁ ସେମିତିକା ଅନୁଭବ ହୁଏ । ଦେହହାତ କସକସ ହୁଏ । ବାନ୍ତି ଉଠେଇଲା ପରି ମୋ ଭିତରୁ ଅଇ ଉଠିଆସେ । କଣ ଗୋଟେ ଲେଖି ନ ପକେଇଲେ ଯେମିତି ମୁଁ ଥୟ ଧରିପାରିବି ନାହିଁ । ତାପରେ ମୁଁ କବିତା ଲେଖିପକାଏ ।”

 

ଆଗ୍ରହୀ ଶ୍ରୋତାଙ୍କ ପାଖରେ ଆଉ ବେଶି ଶୁଣିବା ପାଇଁ ବେଳ ନ ଥାଏ । ମାତ୍ର ନିଶାକର ଛାଡ଼େ ନାହିଁ । ନୂଆ କୁଣିଆଙ୍କୁ ଆଦର କଲା ପରି ସେ ଆଦର କରି ବସାଏ, ଆଉ ଗିଲାସେ ଚା କି ପାନ ଦି ଖଣ୍ଡ ମଗେଇ ଦିଏ । କହେ, “ଆପଣ ପଚାରିବେ ମୁଁ ଆରଜନ୍ମରେ କଣ ହେବି ? ମୋର ମନ ମୁଁ ଆରଜନ୍ମରେ ଗୋଟେ ମା ହେବି । ଆପଣ ପଚାରିବେ କାହିଁକି ? ଏଇଆ ତ ! ମୁଁ କହୁଛି, ଶୁଣନ୍ତୁ ।”

 

“ମାଆ ହେବାର ଯୋଉ କଷ୍ଟ ସେ କଷ୍ଟ ପୁରୁଷ ବୁଝିପାରିବ ନାହିଁ । ଯେତେ ଯାହା ବନେଇ ଚୂନେଇ କହିଲେ ବି କଦାପି ସେ ବୁଝିପାରିବ ନାହିଁ । ସେ ସେହି କଷ୍ଟ ବୁଝିପାରିବ ନାହିଁ ବୋଲି ମାଆ ହେବାର ଆନନ୍ଦ ବି କଦାପି ଭଲକି ବୁଝିପାରିବ ନାହିଁ । ମଣିଷ ଜନ୍ମ ପାଇ ଯଦି ସବୁଠୁ ବଡ଼ ଆନନ୍ଦ ମୁଁ ଅଙ୍ଗେ ନିଭେଇ ନ ପାରିଲି ତାହାହେଲେ ଆଉ ଲାଭ କଣ ? ଅନ୍ତ ଫାଡ଼ି, ରକ୍ତରେ ଗାଧୋଇ ସନ୍ତାନ ସୃଷ୍ଟି କରିବାରେ ଯେଉଁ କଷ୍ଟ, ସେ କଷ୍ଟ ଭୋଗିବାକୁ ମୋର ଭାରି ଇଚ୍ଛା-। କିଛି କିଛି ସେ କଷ୍ଟ ମୁଁ ମୋ ଗୀତ କବିତା ଲେଖିବା ବେଳେ ଅନୁଭବ କରେ । କିନ୍ତୁ ସମୁଦାୟ କଷ୍ଟ ଭୋଗି ନାହିଁ ବୋଲି ମୋ କବିତା ସମସ୍ତଙ୍କୁ ଭଲ ଲାଗୁ ନାହିଁ । ଏଇ ତ କାଲି ଗୋଟେ କବିତା ଲେଖିଛି, ଶୁଣିବେ... ?”

 

ଶ୍ରୋତାଙ୍କ ମର୍ଜି ଉପରେ ନିଶାକର କବିତାର ଭାଗ୍ୟ ନିର୍ଭର କରେ । ସେ ଚାହିଁଲେ ନିଶାକର କବିତା ବୋଲିବ, ନ ହେଲେ ତା ଝୁଲା ଭିତରେ ପୁଣି ଥୋଇଦେବ ତାର ଗୀତ ଖାତା ।

 

ସମୟେ ସମୟେ ପଦ୍ମଲୋଚନ ବାବୁ ପଚାରନ୍ତି, “ତୁମର କଣ ଘରସଂସାର ନାହିଁ କିହୋ ନିଶାକର ! ସଦାବେଳେ ଯେ ଏଇ ଗୀତ ଫୀତ ନେଇ ବ୍ୟସ୍ତ ରହୁଛ !”

 

ହଠାତ୍‌ ଛାଡ଼ିଯାଇଥିବା ଗୀତର ପଦ ମନେ ପଡ଼ିଲା ଭଳି ନିଶାକରର ତା ପରିବାର କଥା ମନେପଡ଼ିଯାଏ । ତା ସ୍ତ୍ରୀ ବରାଦ କରିଥିବା ସାବୁନ, ଚିନି, ଆଳୁ ଓ ପିଆଜର ତାଲିକାଟି ତାକୁ ଓଜନିଆ ଓଜନିଆ ଲାଗେ । ସେ ତାର ପାନପିକ ବସି କଳାପଡ଼ି ଆସିଥିବା ଦାନ୍ତ ଦେଖେଇ, ମୁଣ୍ଡ ସାଉଁଳେଇ କୈଫିୟତ୍‌ ଦେବା ଭଙ୍ଗୀରେ କହେ, “ଚାଲିଛି ଆଜ୍ଞା ! ଯେମିତି ବାବା ଆଖଣ୍ଡଳମଣିଙ୍କ ଦୟା, ସେମିତି ଚାଲିଛି ।”

 

ନିଶାକରର ଘର ଦିଗଛିଆ । ଠିକ୍‌ ଦିଗଛିଆ ନୁହେଁ, ବୟାଙ୍ଗ ପଟକୁ ଗୋଟେ ତଳମାଳ ଗାଁରେ । ସକାଳୁ ଉଠି ସେ ତା ଘରକାମ ତୁଟେଇ ସାଇକେଲ୍‌ ଛୁଟେଇ ଦିଏ ଚାନ୍ଦବାଲି । ସାଢ଼େ ନଅଟା ପାଖାପାଖି ସେ “ଚାନ୍ଦବାଲି ବୁକ୍ସ” ଦୋକାନ ପାଖେ ପହଞ୍ଚିଯାଏ । ସେଇଠି ସାଇକେଲ୍‌ର ଷ୍ଟାଣ୍ଡ୍‌ ମାରିଦେଇ ଆଗେ ଖବରକାଗଜ ଓ ପତ୍ରପତ୍ରିକାର ଉପର ପୃଷ୍ଠା ଉପରେ ନଜର ବୁଲେଇ ଆଣେ । ତାପରେ ସେ ବହି ଦୋକାନର ମାଲିକ ରଘୁନାଥର ମୁହଁକୁ ଅନାଏ । ରଘୁନାଥର ମୁହଁରେ ଖୁସି ଖୁସି ଭାବ ଥିଲେ ସେ କହେ, “ଏଇ ପତ୍ରିକାଟି ଟିକେ ନେଇଯାଉଛି । ପଢ଼ିସାରି ଫେରେଇ ଦେଇଯିବି ।” ରଘୁନାଥର ମନ ଖରାପ ଥିଲେ ସେ ନିଶାକରର ମୁହେଁ ମୁହେଁ ଶୁଣେଇ ଦିଏ, “ବଇନି ହୋଇ ନାହିଁ । ପଛକୁ ଆସ ।” ନିଶାକର ଫେରିଆସେ ।

 

କିନ୍ତୁ ରଘୁନାଥ ସବୁବେଳେ ଚିଡ଼େ ନାହିଁ । ତାଛଡ଼ା ତାର ବି ବେଳେବେଳେ ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ କାମ ପଡ଼େ । ସେଇ ଅଫିସ୍‌କୁ ସମୟେ ସମୟେ ସେ କାଗଜ, କାଳି କି ଆଲ୍‌ପିନ୍‌ ଯୋଗାଏ । ନିଶାକର ହାତରେ ଏ ନେଇ ଖଡ଼ା ନ ସିଝିଲେ ବି ମୁହଁଚିହ୍ନା ଥାଉ, କ୍ଷତି କଣ-?

 

ନିଶାକର ପତ୍ରିକା ଖଣ୍ଡିକ ଧରି ସିଧା ତା ଅଫିସ୍‌କୁ ଚାଲିଆସେ । ଟୁଲ୍‌ ଉପରେ ବସି ପଡ଼ି ସୂଚୀପତ୍ରର ପୃଷ୍ଠା ଓଲଟାଏ । ଚାହୁଁ ଚାହୁଁ ସେ ଏଭଳି ପତ୍ରିକା-ମନସ୍କ ହୋଇଯାଏ ଯେ ଚାରିକଡ଼ର ଆଉ ସବୁ ଶବ୍ଦ ଏବଂ ଦୃଶ୍ୟ ତାଠାରୁ ଢେର୍‌ ଦୂରକୁ ଚାଲିଯାଆନ୍ତି । ପୁରୁଣା କୋଠାଘର, ସାମ୍ନାର ବରଗଛ, ବାରନ୍ଦାରେ ମୋହରିରମାନଙ୍କ କଥା କଟାକଟି, ଜମି ଖର୍ଦ୍ଦି ବିକ୍ରି ପାଇଁ ଆସୁଥିବା ଲୋକମାନଙ୍କ କୋଳାହଳ ସବୁ ସେ ଭୁଲିଯାଏ ।

 

ହଠାତ୍‌ ଘଣ୍ଟିଟା କର୍କଶ ଶବ୍ଦ କରି ବାଜିଉଠେ । ଘଣ୍ଟିର ଶବ୍ଦରୁ ସେ ହାକିମଙ୍କ ମିଜାଜ୍‌ର ଅବସ୍ଥା କଳିନିଏ । ହାକିମ ରାଗିଥିଲେ ଲମ୍ବା ଘଣ୍ଟି ଦିଅନ୍ତି, ତରତର ଥିଲେ ଟୁଂ କିନା ଟିକେ ବଜେଇ ଛାଡ଼ି ଦିଅନ୍ତି, ତା ନ ହେଲେ ଅନ୍ୟ ସମୟରେ ଛାଡ଼ି ଛାଡ଼ି ତିନିଥର ଟୁଂ ଟୁଂ ଟୁଂ ବଜାନ୍ତି । ଆଜି କିନ୍ତୁ ଲମ୍ବା ଘଣ୍ଟି ବାଜିଥିଲା । ନିଶାକର ପତ୍ରିକାଟିକୁ ସେଇ ହାତରେ ଧରି ହାକିମଙ୍କ କୋଠରି ଭିତରକୁ ପଶିଗଲା ।

 

: ତୁମେ ଏଠିକି କାମ କରିବାକୁ ଆସୁଛ ନା ଏଇ ମାଗାଜିନ୍‌ ପଢ଼ିବାକୁ ଆସୁଛ ?

 

ନିଶାକର କିଛି ନ କହି ମୁଣ୍ଡ ସାଉଁଳେଇଲା ।

 

: ବୁଢ଼ାଟେ ହେଲଣି, ତଥାପି ପାଗଳାମି ଛାଡ଼ୁନାହିଁ ?

 

ନିଶାକର କପିକରି ଧରାପଡ଼ିଥିବା ଛାତ୍ରଟେ ପରି ମୁଣ୍ଡ ତଳକୁ କରି ଛିଡ଼ା ହୋଇ ରହିଲା ।

 

: କାମ କରିବାକୁ ଯଦି ମନ ନାହିଁ, ତାହେଲେ ଇସ୍ତଫା ଦେଇ ପଳଉନ ! ତାପରେ କବି ହୁଅ କି କୋବି ହୁଅ, ତମକୁ କେହି କିଛି କହିବେ ନାହିଁ ।

 

ନିଶାକର ପ୍ରତିବାଦ କରିବାକୁ ମୁଣ୍ଡ ଟେକିଲା । କିନ୍ତୁ କାହିଁକି କେଜାଣି ତା ତୁଣ୍ଡରୁ ଶବ୍ଦଟେ ବି ବାହାରିଲା ନାହିଁ । ସେ ଚୁପ୍‌ଚାପ୍‌ ଛିଡ଼ା ହେଲା ।

 

: ଯାଅ, ମହାନ୍ତି ବାବୁଙ୍କୁ ଡାକିଦିଅ ।

 

ନିଶାକର ଦପ୍ତର ଭିତରୁ ବାହାରି ଆସିଲା । ତା ଛାତି ଭିତରେ ହାକିମଙ୍କ ‘କୋବି’ ଶବ୍ଦଟା ଛୁରୀ ଭୁସିଲା ପରି ଭୁସି ହୋଇଯାଇଥିଲା । ସେ ହାତରେ ଧରିଥିବା ପତ୍ରିକାଟିକୁ ମୋଡ଼ିମାଡ଼ି ଟୁଲ୍‌ ଉପରକୁ ଛାଟିଦେଲା ଓ ମହାନ୍ତି ବାବୁଙ୍କୁ ଖବର ଦେବା ପାଇଁ ଚାଲିଗଲା ।

 

ମହାନ୍ତି ବାବୁଙ୍କ ପାଖରୁ ଫେରିବାବେଳକୁ ଟୁଲ୍‌ ଉପରେ ତା ମାଗାଜିନ୍‌ଟି ନ ଥିଲା । ଏହା ଭିତରେ ସେ ହାକିମଙ୍କ ରାଗ ଭୁଲିଯାଇଥିଲା ଓ ‘ଏଇଠି ତ ପତ୍ରିକାଟି ରଖିଥିଲି କିଏ ନେଲା’ ବୋଲି କହି ଖୋଜିହେଲା ବେଳକୁ ଦେଖିଲା, ପଦ୍ମଲୋଚନ ବାବୁ ହସି ହସି ତାକୁ ଅନେଇଛନ୍ତି । ସେ ମନର ରାଗ ଭୁଲିଯାଇ କହିଲା, “ଆଜ୍ଞା, ନମସ୍କାର ! କେତେବେଳେ ଆସିଲେ କି ?”

 

: ଏଇ ତ ଆସୁଛି ।

 

: ଆପଣଙ୍କ ସାର୍ଟିଫାଏଡ଼୍‍ ନକଲ ବାହାର କରେଇ ଦେଇଛି । ଚାରିଟା ବେଳକୁ ନେଇଯିବେ ।

 

ପଦ୍ମଲୋଚନ ବାବୁ ତଳେ ପଡ଼ିଥିବା ପତ୍ରିକାଟିକୁ ଗୋଟେଇ ହାତରେ ଧରିଥିଲେ । ସେଇଟିକୁ ସେ ନିଶାକର ହାତକୁ ବଢ଼େଇ ଦେଉ ଦେଉ କହିଲେ, “ତମକୁ ଗୋଟେ ଭଲ ଖବର ଦେବାପାଇଁ ଆସିଛି । ମୋତେ କଣ ଦେବ ଆଗେ କୁହ ।”

 

: କଣ ଦେବି ଆଜ୍ଞା ! ସକାଳୁ ତ ଗାଳି ଖାଇଲିଣି, ଦିନଟା କେମିତି କଟିବ କେଜାଣି ? ଆପଣ ବସନ୍ତୁ, ମୁଁ ଆପଣଙ୍କ ପାଇଁ ପାନ ନେଇ ଆସୁଛି ।

 

ପଦ୍ମଲୋଚନ ବାବୁ ନିଶାକରର ବାଟ ଓଗାଳି ତା ହାତକୁ ଖଣ୍ଡେ କାଗଜ ବଢ଼େଇଦେଲେ । ‘ନିଅ ପଢ଼ । ପ୍ରତିଭା ପୂଜା ସମିତି ଏଥରର ବାର୍ଷିକ ଉତ୍ସବରେ ତମକୁ ସମ୍ମାନିତ କରିବା ପାଇଁ ଚିଠି ଦେଇଛନ୍ତି । ମୁଁ ତମ ଚିଠିଟା ହାତେ ହାତେ ନେଇ ଆସିଥିଲି, ନିଅ ।’

 

ନିଶାକର ସ୍ତବ୍ଧ ହୋଇ ଛିଡ଼ା ହୋଇଥିଲା । ତା ଚାରିପଟେ କଣ ଘଟୁଛି ସେ କିଛି ଜାଣିପାରୁ ନ ଥିଲା । ଏପରିକି ପଦ୍ମଲୋଚନଙ୍କ ଉପସ୍ଥିତି ବିଷୟ ମଧ୍ୟ ସେ ବିସ୍ମୃତ ହୋଇଯାଉଥିଲା-। ଚିଠିଟାର ଅଗରୁ ମୂଳ ପର୍ଯ୍ୟନ୍ତ ଗୋଟି ଗୋଟି ଅକ୍ଷର ସେ ପଢ଼ୁଥିଲା । ଠିକ୍‌ ତ ! ତା ନାଆଁ ଲେଖାଯାଇଛି, ନିଶାକର ମହାପାତ୍ର, ତହସିଲ୍‌ଦାରଙ୍କ କାର୍ଯ୍ୟାଳୟ, ଚାନ୍ଦବାଲି, ଭଦ୍ରକ-। ତଳେ ପ୍ରତିଭା ପୂଜା ସମିତିର ସମ୍ପାଦକ ଦସ୍ତଖତ କରିଛନ୍ତି । କଟକର ଶ୍ରୀରାମଚନ୍ଦ୍ର ଭବନରେ ଆସନ୍ତା ଚଉଦ ତାରିଖରେ ତାର ନିରଳସ ସାରସ୍ୱତ ସାଧନା ପାଇଁ ତାକୁ ସମ୍ମାନିତ କରାଯିବ ।

 

ନିଶାକରର ଆଖିରୁ ଲୁହ ଦୁଇବୁନ୍ଦା ନିଗିଡ଼ି ଆସୁଥିଲା । ତାର ପଚାଶ ବର୍ଷର ଜୀବନ ଏଇ ମୁହୂର୍ତ୍ତରେ ଧନ୍ୟ ହୋଇଯାଇଥିଲା । ତାର ନିଉଛୁଣା ପିଅନ ଚାକିରି, ନିପାରିଲା ଗୃହସ୍ଥୀ ଜୀବନ, ତାର ସଦା ଉପେକ୍ଷିତ କବିର ପରିଚିତି ସବୁ ଯେମିତି ଏଇ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା । ସେ ବାରମ୍ବାର ସେଇ କାଗଜଖଣ୍ଡିକୁ ଓଲଟପାଲଟ କରି ପଢ଼ୁଥିଲା ଓ ଆନନ୍ଦରେ ବତୁରି ଯାଉଥିଲା ।

 

କେତେବର୍ଷ ହେବ ଏମିତିକା ମୁହୂର୍ତ୍ତଟେକୁ ସେ ଅପେକ୍ଷା କରୁ ନଥିଲା ! ସବୁବେଳେ ତ କଳ୍ପନାରେ ଭାବୁଥିଲା, ଦିନେ ଗୋଟିଏ ଚିଠି ଆସି ପହଞ୍ଚିବ । ତାକୁ ମିଳିବ ତା କବିପଣର ସ୍ୱୀକୃତି । ସେ ସେଇ ସମ୍ବର୍ଦ୍ଧନା ଆଣିବା ପାଇଁ କଟକ କି ଭୁବନେଶ୍ୱର ଯିବ । ବଡ଼ ବଡ଼ କବି ଲେଖକଙ୍କ ମେଳରେ ତାକୁ ସମ୍ବର୍ଦ୍ଧନା ଦିଆଯିବ । ରାଜ୍ୟପାଳ କି ମୁଖ୍ୟମନ୍ତ୍ରୀ ତା ଗଳାରେ ଫୁଲମାଳ ପିନ୍ଧେଇଦେବେ । ତାର ଫଟୋ ଉଠିବ । ତା ନାଁ ଖବରକାଗଜରେ ବାହାରିବ, ଲୋକମାନଙ୍କ କରତାଳି ଓ ପ୍ରଶଂସାର କୋଳାହଳ ଭିତରେ ସେ ପୋତି ହୋଇଯିବ । ଚାହୁଁ ଚାହୁଁ ସେ କବି ନିଶାକର ନାଁରେ ବିଖ୍ୟାତ ହୋଇଯିବ ।

 

: ନିଶାକର ! ନିଶାକର ! ମୁଁ ଆସୁଛି । ଚଉଦ ତାରିଖରେ ତ ସମ୍ବର୍ଦ୍ଧନା ଉତ୍ସବ । ତୁମେ ତେର ତାରିଖରୁ ଚାଲିଗଲେ ଭଲ । ଶ୍ରୀଧରବାବୁଙ୍କ ବସାରେ ରାତିଟା ରହିଯିବ ।

 

ନିଶାକର ଚିଠିଟାକୁ ଚଉଭାଙ୍ଗ କରି ପକେଟ୍‌ରେ ରଖୁ ରଖୁ କହିଲା, “କେତେବଡ଼ ଖବରଟେ ଆଣି ଆପଣ ଦେଲେ ! ମୋ ଜୀବନ ଧନ୍ୟ ହୋଇଗଲା । ଖାଲି ଖାଲି ଆପଣ ଚାଲିଯିବେ ? ମୁହଁ ମିଠା ନ କରେଇ ମୁଁ କେବେ ବି ଛାଡ଼ିବି ନାହିଁ ।”

 

: କିନ୍ତୁ ତହସିଲଦାର ଏଣେ ଖୋଜିବେ ଯେ !

 

: ଥାଉ ଆଜ୍ଞା ସେ ଚାକିରି । ଚିହ୍ନିବାକୁ ଶିଖି ନାହିଁ ପର ମନ, ସେ କି କେବେ ପ୍ରଭୁପଣକୁ ଭାଜନ ! ଆଜି ମୁଁ ତାଙ୍କୁ ଏ ଚିଠି ନିଶ୍ଚୟ ଦେଖେଇବି । କହୁଛନ୍ତି କଣ ନା କୋବି ? ଏଡ଼େ ବକଟେ ଟୋକା, ଏମିତି ଟାଇଁଟାଇଁଆ କଥା ? ଛାଡ଼ନ୍ତୁ ଆଜ୍ଞା, ଯୌବନଂ ଧନ ସମ୍ପତ୍ତି ପ୍ରଭୁତ୍ୱଂ ଅବିବେକିତା, ଏକୈକମପ୍ୟନର୍ଥାୟ କିମୁଯତ୍ର ଚତୁଷ୍ଟୟମ୍‌... ।’

 

ନିଶାକର ପ୍ରଗଳ୍‌ଭ ହୋଇଉଠିଥିଲା । ବୈତରଣୀରେ ଜୁଆର ଆସିବା ପରି ତା ମନରେ ବି ଜୁଆର ଆସିଥିଲା । ତା ଗୋଡ଼ ମାଟିରେ ଲାଗୁ ନ ଥିଲା କି ମୁଣ୍ଡ ସ୍ଥିର ରହୁ ନ ଥିଲା । ହଠାତ୍‌ ଯେମିତି ତାକୁ କାଳିଶି ଲାଗିଯାଇଥିଲା ଓ ସେ ଯାହାକୁ ଦେଖୁଥିଲା ହସି ହସି କୁଣ୍ଢେଇ ପକଉଥିଲା ।

 

ପ୍ରକୃତରେ ନିଶାକରକୁ ଚିହ୍ନି ହେଉ ନ ଥିଲା । ସେ ଏତେ ଖୁସି ଖୁସି ଦିଶୁଥିଲା ଯେ ତାକୁ ଦେଖି ଦିଗଛିଆ ଛକର ଘନ ସାହୁ ମଧ୍ୟ ଦୋଘାଇରେ ପଡ଼ିଯାଇଥିଲା । ବସ୍‌ରୁ ଓହ୍ଲେଇ ନିଶାକର କାହାକୁ କିଛି ନ କହି ସିଧା ତା ଗାଁ ରାସ୍ତାରେ ମୁହାଁଇଥିଲା ।

 

ଘନ ସାହୁ ପଚାରିଲା, ‘ଇଏ ନିଶାକର ନା ? ଏମିତି ଦଉଡ଼ୁଛି କାହିଁକି ?’

 

ଘନ ସାହୁ ପଇସା ବାକ୍ସଟା ଖୋଲୁ ଖୋଲୁ କହିଲା “କଣ ଗୋଟେ ସମ୍ବର୍ଦ୍ଧନା ପାଇଁ କଟକ ଯାଇଥିଲା ପରା !”

 

: ସିଏ ପରା କବି ହେଇଛି । ଜାଣିନ କି !

 

: ଚୁପ୍‌ ବେ । ମୁଁ ଜାଣିନି ଯେ ଇଏ ଆଇଲା ମୋତେ ଜଣେଇବାକୁ । ଆରେ, ତୋର କେତେ ବୟସ, ଆଉ ମୋର କେତେ ? ମୁଁ ପରା ତାକୁ ଚାଳିଶ ବର୍ଷ ହେଲା ଦେଖୁଛି, କବି ହେଇଛି-! ପାଗଳ, ପାଗଳ ।

 

ଘନ ସାହୁର ଟାଣ କଥା କାଳିଆର ମନ ଭାଙ୍ଗି ଦେଇଥିଲା । ସେ ଖାଲି କହିଲା, “ମୁଁ ତ ସେଇଆ କହୁଛି । ତମେ ଖାଲି ଫି କଥାରେ ବିଗୁଡ଼ୁଛ ଆଉ... ।”

 

: ଆରେ, ବିଗିଡ଼ିଲି କେତେବେଳେ ? ମୁଁ ତ କହୁଥିଲି, ଲୋକଟାର ଯଦି ଘରସଂସାର କରିବାକୁ ମନ ନ ଥିଲା ତାହେଲେ ବାହା ହଉଥିଲା କାହିଁକି ? ଝିଅ ଜନ୍ମ କରୁଥିଲା କାହିଁକି ?

 

ନିଶାକର ତା ଘର ସାମ୍ନାରେ ପହଞ୍ôଚ ସବୁଦିନ ପରି ଡାକ ପକେଇଲା, “ଇନ୍ଦୁ ! ଇନ୍ଦୁ ଲୋ, ଦେଖିବୁ ଆ ।”

 

କିନ୍ତୁ ଇନ୍ଦୁ ଆସିଲା ନାହିଁ । ତା ବଦଳରେ ତା ସ୍ତ୍ରୀ ବାହାରି ଆସିଲା । ମାତ୍ର ଇଏ କି ବେଶ ! ନିଶାକର ତା ନିଜ ଘରେ ପହଞ୍ଚିଛି ନା ଆଉ କେଉଁଠି ପହଞ୍ଚିଛି ହଠାତ୍‌ ବୁଝିପାରିଲା ନାହିଁ । ସେ ଜଳକାଙ୍କ ପରି କେବଳ ଚାହିଁଥିଲା । ଦାଣ୍ଡ ଅଗଣାରେ ଆଉ କେତେଜଣ ଲୋକ ବି ଜମିଛନ୍ତି । ଏମାନେ କଣ ତା ସମ୍ବର୍ଦ୍ଧନା ପାଇଁ ବଧେଇ ଜଣେଇବାକୁ ଆସିଛନ୍ତି–ନିଶାକର ଭାବିଲା ।

 

ହଠାତ୍‌ ନିଶାକରର ସ୍ତ୍ରୀ ‘ସେ ଚଣ୍ଡାଳୁଣୀ ମୋତେ ବୁଡ଼େଇ ଦେଇଗଲା ହେ ଇନ୍ଦୁବାପା’ କହି ସେଇ ଦାଣ୍ଡଟାରେ ଲଥ୍‌ କରି ବସିପଡ଼ିଲା । ଲୋକମାନେ ହାଁ, ହାଁ କରି ଉଠିଲେ ।

 

ନିଶାକର ଏମିତି ଗୋଟେ ଦୃଶ୍ୟ ପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ସେ ତା ସ୍ତ୍ରୀର ଦି’ ବାହା ଧରି ଟିକିଏ ଚଢ଼ାଗଳାରେ ପଚାରିଲା, “କଥାଟା କଣ କୁହ, ଇଏ ସବୁ କଣ ଚାଲିଛି ?”

 

ଇନ୍ଦୁବୋଉ କିଛି କହିବା ଆଗରୁ ପଦ୍ମଲୋଚନ ବାବୁ କହିଲେ, “ଶୁଣିଲି, କାଲି ସଞ୍ଜବେଳେ ଇନ୍ଦୁ ବନା ମଳିକ ପୁଅ ସାଙ୍ଗରେ କୁଆଡ଼େ ପଳେଇଯାଇଛି । ସ୍କୁଲକୁ ଯିବା ବାଟରେ ଏ କଥା ଶୁଣି ଚାଲିଆସିଲି । ପିଲାଟା ଏମିତି ଅବାଟରେ ଯିବ ବୋଲି କିଏ ବା ଜାଣିଥାଆନ୍ତା ? ତୁମେ ବ୍ୟସ୍ତ ହୁଅ ନାହିଁ । ଇନ୍ଦୁମାଆକୁ ସମ୍ଭାଳ ।”

 

ନିଶାକର ବାଇଗଣ ବାଡ଼ିର ପାଳଭୂତଟେ ପରି ଛିଡ଼ା ହୋଇଥିଲା । କଟକରୁ ଦିଗଛିଆ ପର୍ଯ୍ୟନ୍ତ ସେ କେତେ କେତେ କଥା ଭାବି ଆସିଥିଲା ! ଅଥଚ ଫେରିଆସି ସେ ଏ କଣ ଦେଖୁଛି ? ଭାବିଥିବା ଦୃଶ୍ୟ ସାଙ୍ଗରେ ଏସବୁର ଟିକିଏ ବି ମେଳି ନାହିଁ । ଯୁଆଡ଼େ ଯେଉଁଠିକି ଯାଇଥିଲେ ଫେରିଆସି ସେ ଆଗେ ତା କଥାତକ ଝିଅକୁ କହେ । ସେଇ ତ ଗୋଟିଏ ପିଲା, ଯାହା ସାଙ୍ଗେ ସେ ପିଲାପରି ମିଶେ । ଯିଏ ତାକୁ ବଡ଼ ମଣିଷ ପରି ବାରକଥା ବୁଝାଏ । ସେହି ଇନ୍ଦୁ ତା ବାପକୁ ଛୋଟକରି ଘରୁ ପଳେଇଗଲା ! ପୁଣି ଆଜି ପରି ଦିନରେ ? ଆଉ ଗୋଟାଏ ଦିନ ଚାଣ୍ଡାଳୀ ଅପେକ୍ଷା କରିପାରିଲା ନାହିଁ, ବାପର ପ୍ରଶଂସା ଶୁଣିବା ପାଇଁ ।

 

ନିଶାକରର କଥାଗୁଡ଼ିକ ଗୋଟେ ସର୍ବସ୍ୱାନ୍ତ ଲୋକର ବିଳାପ ପରି ଶୁଭୁଥିଲା । ପଦ୍ମଲୋଚନ ତା ପାଖକୁ ଲାଗିଆସି କହିଲେ, “ତୁମେ ମନ ଛୋଟ କର ନାହିଁ । ଆମେ ବୁଝିବା । ତୁମର ପିଲା ହୋଇ ଏମିତି ଅବାଟରେ ଯିବ ବୋଲି କିଏ କଣ ଭାବିଥିଲା ?”

 

ପଦ୍ମଲୋଚନ ଆଖିରୁ ଉକୁଟି ଆସୁଥିବା ଲୁହ ଅଟକାଇ କହିଲେ, “ସବୁ ଦୋଷ ମୋର ଆଜ୍ଞା, ସବୁ ଦୋଷ ମୋର । ବାପ ହୋଇ ତ ସାରା ଜୀବନ ଅବାଟରେ ଚାଲିଲି, ସେ ଆଉ ନୂଆ କଣ କଲା... ?”

 

ପଦ୍ମଲୋଚନ ନିଜ କାନକୁ ବିଶ୍ୱାସ କରି ପାରୁ ନ ଥିଲେ । ନିଶାକର ଏ କଣ କହୁଛି ? ଯେଉଁଦିନ କେହି ତାକୁ ସ୍ୱୀକୃତି ଦେଇ ନ ଥିଲେ, ପଦୁଟେ ପ୍ରଶଂସା କରୁ ନ ଥିଲେ ସେଦିନ ସେ ନିଜ ବାଟକୁ ଭୁଲ୍‌ କହି ନ ଥିଲା, ଅଥଚ ଆଜି ଏତେ ବଡ଼ ସ୍ୱୀକୃତି ସତ୍ତ୍ୱେ ନିଜକୁ ଧିକ୍‌କାର କରୁଛି । ସେ ଆଉ କଣ କହିବା ପାଇଁ ଯାଉଥିଲେ ମାତ୍ର ନିଶାକରର ଧୈର୍ଯ୍ୟ ନ ଥିଲା । ସେ ତା କାଖରେ ଜାକିଥିବା କାଚ ବନେ୍ଧଇ ସାର୍ଟିଫିକେଟ୍‌ଟାକୁ ତଳେ ପକେଇ ଦେଇ ଘରୁ ବାହାରି ଯାଉଥିଲା ।

 

ପଦ୍ମଲୋଚନ କଣ କରିବେ ନ କରିବେ କିଛି ସ୍ଥିର କରିପାରୁ ନ ଥିଲେ । ଇନ୍ଦୁବୋଉ ଉଠିପଡ଼ି କହିଲା, “ଟିକେ ତାଙ୍କ ସାଙ୍ଗରେ ଯାଆନ୍ତୁ । ପାଗଳା ଲୋକ, କାଳେ ଯଦି କଣ କରି ବସିବେ । ମୋତେ କାହିଁକି ତାଙ୍କ ଢଙ୍ଗରଙ୍ଗ ଦେଖି ଡର ମାଡ଼ୁଛି ।”

 

ପଦ୍ମଲୋଚନ ବାହାରିପଡ଼ିଲେ । ଘର ଚଟାଣରେ ନିଶାକର କଟକରୁ ଆଣିଥିବା କାଚବନ୍ଧେଇ ସାର୍ଟିଫିକେଟ୍‌ ଖଣ୍ଡିକ ପଡ଼ି ଚୂନା ହୋଇଯାଇଥିଲା । ତା ଭିତରୁ ରଙ୍ଗବେରଙ୍ଗ କାଳିରେ ଲେଖା ହୋଇଥିବା ପ୍ରଶଂସାପତ୍ରଟି ବିକୃତ ଓ ବିବର୍ଣ୍ଣ ଦିଶୁଥିଲା ।

☆☆☆

 

ବଳି ବିଚରା

 

ଆମେ ଯୁଆଡ଼େ ଯୁଆଡ଼େ ଯାଉଥିଲୁ, ଲଳିତ ମିଶ୍ର ସିଆଡ଼େ ସିଆଡ଼େ ଆମ ସାଙ୍ଗରେ ଯାଉଥିଲା । ଆମର ଭଲମନ୍ଦ ବୁଝିବା ଦାୟିତ୍ୱ ତା ଉପରେ ହିଁ ନ୍ୟସ୍ତ ଥିଲା । ସୁନ୍ଦରଗଡ଼ ପ୍ରୋଜେକ୍ଟ ଆଡ଼୍‍ମିନିଷ୍ଟ୍ରେଟର୍‌ ବଣେଇର ଏସ୍‌.ଡି.ଓ.ଙ୍କୁ ଫୋନ୍‌ କରି କହିଥିଲେ, ଦିଲ୍ଲୀରୁ ପ୍ରେସ୍‌-ଟିମ୍‌ ଆସିଛନ୍ତି, ସେମାନଙ୍କ ଦେଖାଶୁଣାରେ ଯେମିତି ହେଳା ନ ହୁଏ, ଟିକିଏ ଧ୍ୟାନ ଦେବେ ।

 

ତାପରଠୁ ଏଇ ଲଳିତ ମିଶ୍ର ଆମ ସାଙ୍ଗରେ ଅଛି । ମୁହୂର୍ତ୍ତକ ପାଇଁ ସୁଦ୍ଧା ସାଙ୍ଗ ଛାଡ଼ି ଯାଉ ନାହିଁ ।

 

ପାଞ୍ଚ ବର୍ଷ ପରେ ମୁଁ ଦ୍ୱିତୀୟ ଥର ବଣେଇ ଆସିଥିଲି । ପାଞ୍ଚ ବର୍ଷ ତଳେ ଏଠିକି ଆସିବା ସହଜ ନ ଥିଲା । ଏବେ ନଈରେ ପୋଲ ତିଆରି ହେବା ପରେ ଗାଡ଼ି ଯା-ଆସ କରିବା ସୁବିଧା ହୋଇଛି । ସେଥର ଆସିଲାବେଳେ ଆମମାନଙ୍କୁ ଡଙ୍ଗାରେ ପାରିହେବାକୁ ପଡ଼ିଥିଲା । ନଈ ସେପଟେ ଆମ ପାଇଁ ଅଲଗା ଗୋଟେ ଗାଡ଼ିର ବନ୍ଦୋବସ୍ତ କରାଯାଇଥିଲା ।

 

ସେତେବେଳେ ମୋର ରାଜେନ୍ଦ୍ର ବାବୁଙ୍କ କଥା ମନେ ପଡ଼ିଥିଲା । ସେ କହୁଥିଲେ, ଆଗରୁ କୌଣସି ଅଫିସରଙ୍କୁ ଶାସ୍ତିଦେବା ପାଇଁ ଓଡ଼ିଶା ସରକାର ଚାହୁଁଥିଲେ ବଣେଇକୁ ପଠେଇ ଦେଉଥିଲେ । ସେ ନିଜେ ବି ଏକଦା ଏଠିକାର ଏସ୍‌.ଡି.ଓ. ଥିଲେ । ସେତେବେଳେ ଜଳପଥ, ସ୍ଥଳପଥ କିମ୍ବା ଆକାଶ ପଥରେ ଏଠିକି କୌଣସି ସଂଯୋଗ ନ ଥିଲା । ଟେଲିଫୋନ୍‌ ତ ଦୂରର କଥା ଚିଠି ପଠେଇଲେ ବି ଏଠି ପହଞ୍ଚିବା କାଠିକର ପାଠ ହୋଇ ପଡ଼ୁଥିଲା ।

 

ମାତ୍ର ଏସବୁକୁ ଅତିରଞ୍ଜନ ମନେକରି ମୁଁ ତାଙ୍କ କଥାକୁ ସେଦିନ ବିଶ୍ୱାସ କରି ନ ଥିଲି, ନିଜେ ବଣେଇ ବୁଲି ଆସିବାଯାଏ ।

 

ମୁଁ ଲଳିତ ମିଶ୍ର ପାଖରୁ ମୋ ଦୃଷ୍ଟି ଆଡ଼େଇ ଚାଲୁଥିଲି । ମୋର ଆଶଙ୍କା ଥିଲା, କାଳେ ଲୋକଟା ମୋତେ ଚିହ୍ନି ଦେବ ଓ ମୋର କାର୍ଯ୍ୟଘେନା ପ୍ରୀତି ପ୍ରସଙ୍ଗ ମନେପକେଇ ଇଆଡ଼ୁ ସିଆଡ଼ୁ କିଛି କହିବ । ସୌଭାଗ୍ୟକୁ ସେ ମୋ ସାଙ୍ଗେ ବେଶି କଥାବାର୍ତ୍ତା କରୁ ନ ଥିଲା । ଦିଲ୍ଲୀରୁ ଆସିଥିବା ଶ୍ରୀଯୁକ୍ତ ତିୱାରୀଙ୍କୁ ସେ ଆମ ଦଳର ନେତା ଭାବେ ଗ୍ରହଣ କରିନେଇଥିଲା ।

 

ମୋର ପାଞ୍ଚ ବର୍ଷ ତଳ କଥା ମନେ ପଡ଼ୁଥିଲା । ସେଥର ମୁଁ ମୋ ପିଲାପିଲିଙ୍କୁ ଧରି ଖଣ୍ଡାଧାର ବୁଲି ଆସିଥିଲି । ଆମେମାନେ ସୁନ୍ଦରଗଡ଼ରୁ ରାଉରକେଲା ଯାଇଥିଲୁ ଓ ରାଉରକେଲାରୁ ବାରକୋଟ୍‌ ଫେରିବା ବାଟରେ ଖଣ୍ଡାଧାର । ଆମେମାନେ ଆଗରୁ ଖଣ୍ଡାଧାରକୁ ରାସ୍ତା ଦେଖି ନ ଥିଲୁ ଓ ସେଠି ରହିବା ଏବଂ ଖାଇବାର କିଛି ବ୍ୟବସ୍ଥା ଅଛି କି ନାହିଁ ତାହା ଜାଣି ନ ଥିଲୁ । ସେଥିପାଇଁ ଭୁବନେଶ୍ୱରରୁ ଆସିବା ପୂର୍ବରୁ ୱେଲଫେୟାର ବିଭାଗରେ କାମ କରୁଥିବା ବନ୍ଧୁ ସୁରେଶ ବାବୁଙ୍କ ଜରିଆରେ ଆମ ପାଇଁ କିଛି ଟିକେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲୁ ।

 

ମାତ୍ର ଟିକିଏ ବ୍ୟବସ୍ଥାର ଅନୁରୋଧଟା ଏଇ ଲଳିତ ମିଶ୍ର ଯୋଗୁ ରାଜକୀୟ ଅଭ୍ୟର୍ଥନାରେ ପରିଣତ ହୋଇଯାଇଥିଲା । ରାଉରକେଲାରୁ ଆମେମାନେ ସକାଳ ଆଠଟା ବେଳେ ବାହାରିବୁ ବୋଲି ଆଗରୁ କହିଥିଲେ ବି ପାନପୋଷ ସର୍କିଟ୍‌ହାଉସ୍‌ରୁ ଜଳଖିଆ ଖାଇ ବାହାରିବା ବେଳକୁ ଦିନ ଦଶଟା ବାଜିଯାଇଥିଲା । ପାନପୋଷରୁ ବାରକୋଟ ରାସ୍ତାରେ ଆସିବାବେଳେ ଲହୁଣିପଡ଼ା ପୂର୍ବରୁ ରାସ୍ତାଟିଏ ବାଙ୍କିଯାଇଛି । ଦିଇଟା ରାସ୍ତା ଭିତରୁ କୋଉଟା ବାରକୋଟକୁ ରାସ୍ତା ସେ ନେଇ ଦୋଦୋପାଞ୍ଚ ହେଲାବେଳକୁ ରାସ୍ତାକଡ଼ ଆମ୍ବଗଛ ତଳୁ ଯିଏ ବାହାରି ଆସି ଆମକୁ ବନ୍ଧୁତାର ହାତ ବଢ଼େଇ ଦେଇଥିଲା ସିଏ ହିଁ ଥିଲା ଲଳିତ ମିଶ୍ର । ଗଛତଳେ ସ୍କୁଟରଟି ଠିଆ କରେଇ ଲଳିତ ମିଶ୍ର ଆମକୁ ଅପେକ୍ଷା କରୁଥିଲା ।

 

ଆମେ ପଚାରିଲୁ “କେତେବେଳୁ ଅପେକ୍ଷା କଲେଣି ?”

 

ଏଇଟା ଗୋଟେ ଅନାବଶ୍ୟକ ଓ ସାଧାରଣ ପ୍ରଶ୍ନ ବିଚାରି ତାହାକୁ ଏଡ଼େଇ ଯିବାର ଚେଷ୍ଟା କରୁ କରୁ ଲଳିତ ମିଶ୍ର କହିଥିଲା “ଆପଣମାନଙ୍କର ଆଠଟାବେଳୁ ବାହାରିବାର ଥିଲା ତ, ତେଣୁ ମୁଁ ଏଠୁ ନଅଟା ବେଳୁ ଅପେକ୍ଷା କରିଛି । ଅବଶ୍ୟ ରାସ୍ତା ଖରାପ ଯୋଗୁଁ ପାନପୋଷରୁ ଏଠିକି ଦେଢ଼ ଘଣ୍ଟା ଲାଗିଯାଉଛି ।”

 

ମୁଁ ଗଛ ଉପରୁ ଖସିପଡ଼ିଲା ପରି ଅନୁଭବ କରିଥିଲି ।

 

ଗ୍ଳାନି ଓ କୃତଜ୍ଞତାରେ ଜୁଡୁବୁଡୁ ଆମେମାନେ ପରସ୍ପରର ମୁହଁକୁ ଚାହାଁଚୁହିଁ ହୋଇଥିଲୁ-। ଆମକୁ ଅପେକ୍ଷା କରି ଗୋଟେ ଲୋକ ସକାଳ ନଅଟାରୁ ଦିନ ବାରଟାଯାଏ ଏଇଠି ଛିଡ଼ା ହୋଇଛି !

 

ମୁଁ ଗାଡ଼ିରୁ ଓହ୍ଲେଇ ଯାଇ ଲଳିତ ମିଶ୍ରର ହାତ ଧରିବା ପରି ଅନୁନୟ କରି କହିଥିଲି, ‘କ୍ଷମା କରିବେ, ଅକାରଣରେ ଆମ ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିଲା ।’

 

ଲଳିତ ମିଶ୍ର ସ୍ୱରରେ ଅଭିଯୋଗ କି ଅଭିମାନ କିଛି ନ ଥିଲା । ଏମିତି ଅପେକ୍ଷା କରିବା ଯେମିତି ଗୋଟେ ସାଧାରଣ ଓ ନିତିଦିନିଆ କଥା, ସେମିତି ଗୋଟେ ଧାରଣା ସେ ଆମକୁ ଦେଇଥିଲା । ‘ଏପଟେ ଫୋନ୍‌ ସୁବିଧା ନାହିଁ ତ, ତେଣୁ ଆପଣ ଖବର ଦେଇ ପାରି ନଥିବେ’ ବୋଲି ଆମ ତରଫରୁ ସେ ସଫେଇ ଦେଇଥିଲା ।

 

ସେଇ ଲଳିତ ମିଶ୍ର । ୱେଲଫେୟାର ଡିପାର୍ଟମେଣ୍ଟ୍‌ର ଜୁନିଅର୍‌ ଇଞ୍ଜିନିୟର୍‌ ।

 

ସେଥର ଖଣ୍ଡାଧାରକୁ ଯିବା ବାଟରେ ଲଳିତ ମିଶ୍ର ତାର ବଣେଇ ଅଭିଜ୍ଞତା ସବୁ କହିଥିଲା । ଅନେକ ଦିନ ଧରି କାହା ସାଙ୍ଗରେ ମନଖୋଲି ଅବା ସେ ଗପି ନ ଥିଲା ! ଆମକୁ ଉପଲକ୍ଷ୍ୟ କରି ସେ ତା ନିଜର କାହାଣୀ ପାହାଡ଼ ଓ ଗଛଲତାଙ୍କୁ ଶୁଣଉଥିଲା ।

 

ଲଳିତ ମିଶ୍ର ଘର ଜଗତସିଂହପୁର ଅଞ୍ଚଳରେ । ଗରିବ ଘରର ପିଲା । ଆଇ.ଏସ୍‌ସି. ପଢ଼ା ସରିବା ପରେ ପଇସା ଅଭାବରୁ ଦି ବର୍ଷ ଘରେ ବସିଥିଲା । ତାପରେ ବ୍ରହ୍ମପୁରର ‘ସଂଜୟ ଟେକ୍‌ନିକାଲ୍‌ କଲେଜ’ରେ ଦି ବର୍ଷିଆ କୋର୍ସଟିଏ ପଢ଼ିଲା । ମାତ୍ର ଦୁର୍ଭାଗ୍ୟକୁ ସେ କୋର୍ସଟି ଇଞ୍ଜିନିୟରିଂ କୋର୍ସ ଭାବେ ଗୃହୀତ ହେବ ନା ନାହିଁ ସେ ବିବାଦ ହାଇକୋର୍ଟରେ ଯାଇ ଦେଢ଼ବର୍ଷ ରହିଗଲା । ହାଇକୋର୍ଟ ଦ୍ୱାରା ନିଯୁକ୍ତ ଅଭିଜ୍ଞ ପରୀକ୍ଷକମାନେ ଡିପ୍ଲୋମା କୋର୍ସ ସାଙ୍ଗରେ ଲଳିତ ମିଶ୍ର ପଢ଼ିଥିବା କୋର୍ସକୁ ମିଳେଇ ଦେଖିଲେ । ନ୍ୟାୟ ଲଳିତ ମିଶ୍ର ମାନଙ୍କ ସପକ୍ଷରେ ଗଲା ଓ ସେ ସାର୍ଟିଫିକେଟ୍‌ ପାଇଲା । ତାପରେ ସେ ପୁଣି ବେକାର ହୋଇ ବସିଲା । ଅନ୍ୟ ବେକାରମାନଙ୍କ ସାଙ୍ଗରେ ମିଶି ସରକାରୀ କଳକୁ ପ୍ରଭାବିତ କରିବା ପାଇଁ ଧର୍ମଘଟ ଓ ଅନଶନରେ ପଶିଲା, ଜୋତା ସଫା କଲା ଓ ସେକ୍ରେଟେରିଏଟ୍‌ ସାମ୍ନାରେ ଝାଡ଼ୁ ଦେଲା । ଢେର୍‌ ଦିନ ପରେ ସେ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର୍‌ ଭାବେ ନିଯୁକ୍ତି ପାଇଲା ଓ ପ୍ରଥମ ପୋଷ୍ଟିଂ ବଣେଇ ।

 

ଖଣ୍ଡାଧାର ଯିବା ବେଳେ ମଝାମଝି ରାସ୍ତାରେ ମୋ ଝିଅକୁ ବାନ୍ତି ମାଡ଼ିଥିଲା । ଜୁଲାଇ ମାସର ଗୁଳୁଗୁଳି ଓ ଅରମା ରାସ୍ତାର ଧକଡ଼ଚକଡ଼ରେ ତା ଦେହ ଖରାପ ହୋଇଯାଇଥିଲା । ମାତ୍ର ଝିଅର ଦେହ ଖରାପ ପାଇଁ ଆମେ ବାପ ମା' ଯେତିକି ବ୍ୟସ୍ତ ନ ଥିଲୁ ଲଳିତ ମିଶ୍ର ତାଠାରୁ ଅଧିକ ବ୍ୟସ୍ତ ହୋଇଥିଲା । ରାମଲୀଳାର ହନୁମାନ ପରି କୁଦାଟେ ମାରି ସେ ପାଖ ଗାଁକୁ ଧାଇଁ ଯାଇଥିଲା ଓ ଗୋଟେ କମଳା ଧରି ଚାଲି ଆସିଥିଲା । ସେଇ କମଳାକୁ ନାକ ପାଖରେ ଚାପିଧରି ମୋ ଝିଅ ଗାଡ଼ିରେ ବସିଥିଲା । ବାଟରେ ଆଉ ତାର ବାନ୍ତି ହୋଇ ନ ଥିଲା ।

 

ଲଳିତ ମିଶ୍ର ସେତେବେଳକୁ ତିନିବର୍ଷ ବଣେଇରେ ବିତେଇ ସାରିଥିଲା । ବଣେଇ ସବ୍‌ଡ଼ିଭିଜନ୍‌ର ରାସ୍ତାଘାଟ, ପାହାଡ଼ ଝରଣା, ଗାଁ ବିଲ ସବୁ ସେ ଚିହ୍ନି ସାରିଥିଲା ।

 

ମୁଁ ତାକୁ ପଚାରିଥିଲି, ‘ତୁମର ଆଉ ଅସୁବିଧା କଣ ? ଭଲରେ ତ ଅଛ । ଆଦିବାସୀମାନେ ସରଳ ଲୋକ, ତୁମକୁ ଏଠି ପ୍ରଶ୍ନ କଲାବାଲା କେହି ନାହିଁ ।’

 

ସେଇ ପ୍ରଥମଥର ପାଇଁ ଲଳିତ ମିଶ୍ର ମୁହଁରେ ବିରୋଧର ଛାପ ଦେଖିଥିଲି । ସେ ବୁଲିପଡ଼ି କହିଥିଲା, “ଆପଣଙ୍କ ପରି ଲୋକମାନଙ୍କର ଏ ଅଞ୍ଚଳ ସମ୍ପର୍କରେ ଥିବା ଧାରଣା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ ।”

 

ମୁଁ ପ୍ରଥମଥର ପାଇଁ ଏଭଳି ଗୋଟେ ପ୍ରତିକୂଳ ମନ୍ତବ୍ୟ ଶୁଣୁଥିଲି । ଆଦିବାସୀମାନଙ୍କର ସରଳତା, ନିଷ୍ଠା ଓ ଈଶ୍ୱର ବିଶ୍ୱାସ ସମ୍ପର୍କରେ ଯଥେଷ୍ଟ ଉପନ୍ୟାସ, ରିପୋର୍ଟ ଓ କିଛି କିଛି କବିତା ପଢ଼ାପଢ଼ି କରିଥିବା ମୋ ପରି ଲୋକ ଲଳିତ ମିଶ୍ର ଭଳି ଜଣେ ଅର୍ବାଚୀନର ମନ୍ତବ୍ୟକୁ ଅବଶ୍ୟ ବେଶି ଗୁରୁତ୍ୱ ଦେଇ ନ ଥିଲା ।

 

ଖଣ୍ଡାଧାର ପାଖରେ ଗୋଟେ ଗାଁ ଅଛି । ରାସ୍ତାରେ ଯାଉଥିବା ଜଣେ ଆଦିବାସୀ ବୁଢ଼ୀ ସାଙ୍ଗ ଗପସପ କରୁ କରୁ ପଚାରିଥିଲି, ‘ଏଠିକି ଯୋଉ ବାବୁମାନେ ଆସୁଛନ୍ତି ତାଙ୍କ ଭିତରେ ତମ ଆଦିବାସୀ ଲୋକ ଅଛନ୍ତି, ପୁଣି କଟକୀ ଅଫିସର ବି ଅଛନ୍ତି । ତମେମାନେ ସରକାରଙ୍କୁ କହୁନାହଁ, କେବଳ ତମରି ଆଦିବାସୀ ଅଫିସରଙ୍କୁ ଏଠିକି ପଠାନ୍ତେ । ତାହାହେଲେ ସେମାନେ ତମ କଥା ଆହୁରି ଭଲ ଭାବେ ବୁଝି ପାରନ୍ତେ । ଏ ବାହାରର ଲୋକମାନେ ଠିକ୍‌ ଠିକ୍‌ ତୁମ କଥା ବୁଝି ପାରୁ ନ ଥିବେ ।’

 

ବୁଢ଼ୀଟି ମୋ କଥାକୁ ନାପସନ୍ଦ କରିଥିଲା । ନି ନି ବୋଲି ତିନି ଚାରିଥର କହି ମୁଣ୍ଡ ହଲେଇଥିଲା । ତା ଭାଷାରେ ଯାହା କହିଥିଲା, ତାର ଅର୍ଥ ଥିଲା ଯେ ଆଦିବାସୀ ପାଠପଢ଼ୁଆ ସହରକୁ ଦଉଡ଼ିବ, ତା ଗାଁକୁ ଆସିବ ନାହିଁ । ସେ କାହାରି କଥା ମାନିବ ନାହିଁ କି ଶୁଣିବ ନାହିଁ । ସହରୀ ବାବୁଙ୍କର ଡର ଅଛି, ସରକାର ତାକୁ ବଦଳେଇ ଦେବ । କାମ କରିବାର ମନ ତାର ଅଛି ।

 

ରାସ୍ତାକଡ଼ରେ ବିଲ ବଛା କାମ ସାରି କେତେକ ଆଦିବାସୀ ଝିଅ ଫେରୁଥିଲେ । ହାଟସଉଦା ସାରି ପୁରୁଷ ଲୋକମାନେ ହାଟରୁ ଆସୁଥିଲେ । ଦାମୀ ଜୋତା ପିନ୍ଧିଥିବା ଦଳେ ପିଲା ଡାହାଣପଟ ପଡ଼ିଆରେ ହକି ଖେଳୁଥିଲେ । ସେଇ ପାଖାପାଖି ବାଁ କଡ଼େ ନାନା ରଙ୍ଗର ଇଟା ଡିଜାଇନ୍‌ର କ୍ଲବ୍‌ଟେ ମୁଣ୍ଡ ଟେକିଥିଲା । ଆଦିବାସୀ ଅଞ୍ଚଳର ଉନ୍ନତି ଦେଖି ଆମେ ଖୁସି ହେଉଥିଲାବେଳେ ଲଳିତ ମିଶ୍ର କହିଥିଲା, “କଟକ ପୁରୀ ଜିଲ୍ଲାରେ କଣ ପିଲାଏ ଏତେ ଭଲରେ ଅଛନ୍ତି ? ଆମ ଗାଁର ପିଲାଏ ତ ଫୁଟ୍‌ବଲ୍‌ଟେ ବି ପାଉ ନାହାନ୍ତି !”

 

ମୋ ସ୍ତ୍ରୀ କହିଲା, “ଆଦିବାସୀ ଓ ହରିଜନଙ୍କ ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ଅଛି-। ହରିଜନମାନେ ଯୁଆଡ଼କୁ ଗଲେ ବି ସେଠିକା ପରିସ୍ଥିତି ସାଙ୍ଗେ ଖାପଖୁଆଇ ଚଳି ପାରିବେ-। ମାତ୍ର ଆଦିବାସୀମାନେ ଏଇ ବଣ, ପାହାଡ଼ଠୁଁ ବିଚ୍ଛିନ୍ନ ହୋଇଗଲେ ଚଳିପାରିବେ ନାହିଁ-। ତାଙ୍କୁ ଏଇଠି ସେ ସୁବିଧା ଟିକକ ଯୋଗାଇ ଦେବା ସରକାରର ଦାୟିତ୍ୱ ।”

 

ମାତ୍ର ଲଳିତ ମିଶ୍ର ତିନି ବର୍ଷ ଭିତରେ ଆଦିବାସୀ ବିଦ୍ୱେଷୀ ହୋଇପଡ଼ିଥିଲା । ସେ ମୋ ସ୍ତ୍ରୀର ବ୍ୟାଖ୍ୟାକୁ ସମର୍ଥନ କରୁଥିଲେ ସୁଦ୍ଧା ତାର ଉପସଂହାର ସହ ଏକମତ ହୋଇପାରୁ ନ ଥିଲା-

 

ତାର ଯୁକ୍ତି ଥିଲା ଯେ ସେମିତି ହୋଇଥିଲେ ଆଦିବାସୀ ସମ୍ପ୍ରଦାୟର ବଡ଼ ବଡ଼ ଅଫିସରମାନେ ରାଜଧାନୀ ଓ କଟକରେ କୋଠା ତୋଳନ୍ତେ ନାହିଁ । କେନ୍ଦ୍ର ସରକାରଙ୍କ ଅଧୀନରେ ସେକ୍ରେଟେରୀ ପାହ୍ୟାର ଜଣେ ଅଫିସର୍‌ଙ୍କ ନାଁ କହି ସେ ତା ଯୁକ୍ତି ବାଢ଼ୁଥିଲା । ଏଭଳି ଲୋକମାନଙ୍କର ଗୋଟେ ତାଲିକା ସେ ତା ମନେ ମନେ ପ୍ରସ୍ତୁତ କରି ରଖିଥିଲା ।

 

ମୁଁ ତା କଥାରେ ବାଧା ଦେଇଥିଲି । ଏଠିକା ଲୋକମାନେ ସେଥିପାଇଁ ତ ଅଣଆଦିବାସୀମାନଙ୍କୁ ପ୍ରଶଂସା କରୁଛନ୍ତି । ତୁମେ ଏତେ କଠୋର ହେଲେ ହେବ ?

 

ଗାଡ଼ିଟା ବୁଲାଣି ରାସ୍ତାରେ ଯାଉଥିଲା । ଡ୍ରାଇଭର ସହସା ବ୍ରେକ୍‌ ମାରିଥିବାରୁ ଆମେ ସମସ୍ତେ ଦୋହଲି ଯାଇଥିଲୁ । ଲଳିତ ମିଶ୍ର କହିଥିଲା, “ଆପଣଙ୍କୁ ମୁଁ ବୁଝେଇ ପାରିବି ନାହିଁ, ହେଉ-।”

 

ତାପରେ ସେ ବଣେଇରେ ତାର ଅଭିଜ୍ଞତା କହିଥିଲା । ଅନ୍ଧାରୀ ମୁଲକର ଅଭିଜ୍ଞତା । ପ୍ରଥମ ଦିନର ପ୍ରଥମ ରାତିରେ ଗୁଣ୍ଡାମାନେ ଘରେ ପଶି ତା ହାତରୁ ଘଣ୍ଟା ଛଡ଼େଇ ନେଇଥିଲେ । ସେ ଥାନାରେ ଏତଲା ଦେଇଥିଲା ଓ ପୁଲିସ ଗୁଣ୍ଡାମାନଙ୍କୁ ଖୋଜି ଆଣି ଚିହ୍ନଟ ପାଇଁ ଲଳିତ ମିଶ୍ରକୁ ଡକେଇଥିଲା । ମାତ୍ର ଲଳିତ ମିଶ୍ର ଗୁଣ୍ଡାମାନଙ୍କୁ ଚିହ୍ନିପାରିଲା ନାହିଁ ଓ ସେମାନେ ଛାଡ଼ ପାଇଗଲେ-

 

: କିନ୍ତୁ ତମେ ଚିହ୍ନିଲ ନାହିଁ କାହିଁକି ? ମୁଁ ପଚାରିଥିଲି ।

 

ଲଳିତ ମିଶ୍ର ମୋର ବୁଦ୍ଧିକୁ ନିନ୍ଦା କଲା ପରି ଅନେଇଥିଲା ଓ କହିଥିଲା, ‘ମୁଁ ସେଠି ଜୀବନ ଧରି ବଞ୍ଚିଥାଆନ୍ତି ତ !’

 

ସେଦିନ ମୁଁ ବୁଝିଥିଲି, ବିହାର ଓ ଓଡ଼ିଶାର ଉପକୂଳ ଅଞ୍ଚଳରୁ ଯାଇ କିଛି ଲୋକ ବଣେଇ ପରି ପଛୁଆ ଅଞ୍ଚଳରେ ଗୋଟେ ରାକେଟ୍‌ ଚଳେଇଥିଲେ । କିଛି ସ୍ଥାନୀୟ ଲୋକଙ୍କୁ ହାତବାରିସି କରି ସେମାନେ ଏକ ପ୍ରକାର ସମାନ୍ତରାଳ ଶାସନ ଚଳଉଥିଲେ । ବାହାରର ଲୋକ କେହି ଗଲେ ତା ଉପରେ ଜୁଲୁମ କରୁଥିଲେ ଓ ତାର ସେଠିକାର ରହଣିକୁ ସଂକ୍ଷିପ୍ତ କରି ଦେଉଥିଲେ ।

 

ମୁଁ କହିଥିଲି, “ଲୋକମାନେ ପାଠପଢ଼ିଲେ ବଳେ ବଳେ ନିଜର ଭୁଲ୍‌ ତ୍ରୁଟି ବୁଝିପାରିବେ-। କାହାର ହାତବାରିସି ହୋଇ ଗୁଣ୍ଡାଗର୍ଦ୍ଦି କରିବେ ନାହିଁ ।”

 

ମୋର ଏପରି ବୁଝେଇବା ପଛରେ ମୋ ନିଜର ଆତ୍ମପ୍ରତ୍ୟୟ ଯେତେ ନ ଥିଲା, ତାହାଠୁ ବେଶି ଥିଲା ମୋର ପଳାୟନପନ୍ଥୀ ପ୍ରବୃତ୍ତି । ଲଳିତ ମିଶ୍ର ବଣେଇରୁ ବଦଳି ହୋଇ ଆସିବାକୁ ଚାହୁଁଥିଲା ଏବଂ ସେ ଦିଗରେ ମୋର ସାହାଯ୍ୟ ଲୋଡ଼ୁଥିବାରୁ ମୁଁ ଯୁକ୍ତିଛଳରେ ସେ ଦାୟିତ୍ୱରୁ ମୁକ୍ତି ଲୋଡ଼ୁଥିଲି । ମାତ୍ର ଲଳିତ ମିଶ୍ର ମୋ କଥାରେ ରାଜି ହେଉ ନଥିଲା ।

 

ଲଳିତ ମିଶ୍ର ସେଦିନ ତା ପିଲାପିଲିଙ୍କ କଥା କହି ଆମଠୁ ସହାନୁଭୂତି ଲୋଡ଼ିଥିଲା । ତା ଘରର ସମସ୍ୟା କହି ଘର ପାଖକୁ ଯିବାର ପ୍ରୟୋଜନୀୟତା ବୁଝେଇଥିଲା ।

 

ଆମେମାନେ ଲହୁଣିପଡ଼ା ଡାକବଙ୍ଗଳାକୁ ଫେରି ଆସୁଥିଲୁ । ଆମର ଭ୍ରମଣ ସରିଆସିଥିଲା ଓ ଭ୍ରମଣ ଶେଷରେ ଆମ ପାଇଁ ଭୋଜନ ଏବଂ ଆବଶ୍ୟକ ପାନୀୟର ବ୍ୟବସ୍ଥା ଅପେକ୍ଷା କରିଥିଲା ।

 

ମୁଁ ଆଶ୍ୱସ୍ତ ହେଉଥିଲି, ଲଳିତ ମିଶ୍ରର ଆଖିରୁ ବର୍ତ୍ତି ଯାଇଛି । ନ ହେଲେ ସେ ପୁଣି ତାର ପୁରୁଣା କଥାଗୁଡ଼ିକ ଦୋହରାଇ ଥାଆନ୍ତା ।

 

କିନ୍ତୁ ମନ ଭିତରେ ଲୋକଟି ପାଇଁ ଟିକିଏ ମାୟା ହେଉଥିଲା ।

 

ଲଳିତ ମିଶ୍ର ରୋଷେଇଘରେ ପଶି ଆମ ଖାଇବା ପିଇବାର ତଦାରଖ କରୁଥିଲା । ଶ୍ରୀଯୁକ୍ତ ତିୱାରୀ, ଘୋଷବାବୁ ଓ ଫଟୋଗ୍ରାଫର ମୁଖାର୍ଜୀ ସମସ୍ତେ କ୍ଳାନ୍ତ ଅଥଚ ଖୁସି ଦିଶୁଥିଲେ । ଅନେକ ଦିନ ପରେ ସେମାନେ ଏଭଳି ଗୋଟେ ବଣଜଙ୍ଗଲ ଜାଗାକୁ ବୁଲି ଆସିଥିଲେ ।

 

ରୋଷେଇଘରପଟୁ ଦି ଜଣଙ୍କର ପାଟିତୁଣ୍ଡ ମୁଁ ଶୁଣିପାରୁ ନ ଥିଲି । ପ୍ରଥମଟି ଉଗ୍ର ଓ କର୍କଶ ଏବଂ ଦ୍ୱିତୀୟଟି କୋମଳ ଏବଂ ବିକଳ । ଦ୍ୱିତୀୟ ସ୍ୱରଟି ହିଁ ଥିଲା ଲଳିତ ମିଶ୍ରର । ମୁଁ ତାର ସ୍ୱର ସଙ୍ଗେ ପରିଚିତ ହୋଇ ସାରିଥିଲି ।

 

...ଶ୍ୟେଃ, ଚବିଶ ଘଣ୍ଟାରେ ତୁମକୁ ଆଉ ପାହାଚେ ତଳକୁ ଖସେଇଦେବି, ଜାଣିଛ ! ପଛକଥା ଭୁଲିଗଲଣି କି ? –ଉଗ୍ରସ୍ୱରଟି ବିକଳ ସ୍ୱରକୁ କହୁଥିଲା ।

 

ବିକଳ ସ୍ୱର ଅନୁନୟ କରୁଥିଲା, “ସାର୍‌, ପ୍ରେସ୍‌ ଟିମ୍‌ ଚାଲିଯାଉ, ମୁଁ ଆପଣଙ୍କ କଥା ନିଶ୍ଚୟ ବୁଝିବି । ମୁଁ ଜୋର୍‌ ଦେଇ କହୁଛି, ଆପଣଙ୍କ ସମ୍ପର୍କରେ ଏଭଳି କଥା କହିନାହିଁ, କେହି ଆପଣଙ୍କୁ ମିଛଟାରେ ମୋ ନାଁରେ ଲଗେଇ ଜୁଟେଇ କହିଥିବ ।”

 

ଉଗ୍ରସ୍ୱର ଅଧିକ ଉଗ୍ର ହେଉଥିଲା । ହୋମ ନିଆଁରେ ଘିଅ ପଡ଼ିଲା ପରି ଧାସ ଉପରକୁ ଉଠୁଥିଲା । ଆମେମାନେ ସେ କଥାବାର୍ତ୍ତା ଶୁଣିପାରୁଥିଲୁ । ଡାକବଙ୍ଗଳାର ପରଶୁଣିଆ ଦୋରା ଆମ ଟେବୁଲ ଉପରେ ସାଲାଡ଼୍‍ ପ୍ଲେଟ୍‌ଗୁଡ଼ିକ ଥୋଇଦେଇ ଫେରିଯାଉଥିଲା । ମୁଁ ପଚାରିଲି, “ପାଟିତୁଣ୍ଡ ଶୁଭୁଛି ଯେ ! କିଏ କି ?”

 

ଦୋରା ଦୋଦୋପାଞ୍ଚ ହେଲା । କହିବ ନ କହିବ ଭାବିହେଲା ଓ ମୁଣ୍ଡ କୁଣ୍ଡେଇଲା । ଆମେ ତାକୁ ଇସାରାରେ ଉତ୍ସାହିତ କଲୁ–କୁହ, କୁହ ଆମେ ଖାଲି ଜାଣିବା ପାଇଁ ପଚାରୁଛୁ । ତାହା ନ ହେଲେ ଆମର ଏଥିରେ ମୁଣ୍ଡ ଖେଳେଇବାର କିଛି ନ ଥିଲା ।

 

ଦୋରା କହିଲା, “ଆଗ ଏମ.ଏଲ୍‌.ଏ. ଆମ ଜେ.ଇ.ଙ୍କ ଉପରେ ପାଟି କରୁଛନ୍ତି । କଣ ଥିବ ପରା !” ସେ ଫେରିଗଲା ।

 

ମୋର ପୁଣି ପାଞ୍ଚ ବର୍ଷ ତଳର ସେଇସବୁ କଥା ମନେ ପଡ଼ିଗଲା । ଲଳିତ ମିଶ୍ର କହିଥିବା କଥା । ନୂଆ ନୂଆ ଚାକିରିକୁ ଆସି ସେମାନେ ଯୋଉକଥା ପ୍ରଥମେ ଶିଖନ୍ତି, ସେଇକଥା । ଉପରୁ ତଳଯାଏ ନେତା ଓ କର୍ମୀଙ୍କ ଟିପଣା ତିଆରି କରିବାକୁ ହୁଏ । ସଭା, ସମିତି, ପୂଜା, ସମାବେଶ ପାଇଁ ଚାନ୍ଦା ଦେବାକୁ ପଡ଼େ । ଠିକାଦାର ଜରିଆରେ ସେ କାମ ହୁଏ । ନାଆଁକୁ ଇଞ୍ଜିନିୟର ! ନ ହେଲେ କୋଉ ପୋଲ, କୋଉ ବନ୍ଧ ଓ କୋଉ ମରାମତି କାମ କେଉଁ ଠିକାଦାର କରିବ, ସେ କଥା ଉପର ମହଲରେ ଠିକଣା ହୋଇଯାଇଥାଏ ।

 

ମୋ ସ୍ତ୍ରୀ ମୂର୍ଖ ପରି ପଚାରିଥିଲା, “ଏ ଲାଞ୍ଚ କାରବାର କେମିତି ଦିଆନିଆ ହୁଏ ?” ମୁଁ ତାକୁ ଚିମୁଟି ଦେଇ ସେଭଳି ପ୍ରଶ୍ନ ସେ ପଚାରିବା ଉଚିତ ନୁହେଁ ବୋଲି ଚେତେଇ ଦେଇଥିଲି ।

 

କିନ୍ତୁ ଲଳିତ ମିଶ୍ର ଖୁବ୍‌ ଉତ୍ସାହର ସହ ତାର ଅଭିଜ୍ଞତା ସବୁ ଗପିଥିଲା । ଖୁବ୍‌ ଗପୁଡ଼ି ଲୋକ । ଲାଞ୍ଚ ତ ପବନରେ ଅମ୍ଳଜାନ ପରି ମିଶିକି ରହିଛି । ତା ପାଇଁ ଚିନ୍ତା କରିବାକୁ ପଡ଼େ ନାହିଁ, ବରଂ ଠିକ୍‌ ସମୟରେ ବଟି ନ ମିଳିଲେ ଉପରୁ ତାଗିଦା ଆସେ ।

 

: କଣ କରନ୍ତି ଏମାନେ ଏତେ ଟଙ୍କା ପଇସା ? ମୋ ସ୍ତ୍ରୀ ପୁଣି ମୂର୍ଖଙ୍କ ପରି ପଚାରିଥିଲା ।

 

: ଘର, ଗାଡ଼ି, ସୁନା, ବିଳାସ, ଭଲମନ୍ଦ, ଭଲ ଖାଇବା, ଭଲଜାଗା ବୁଲିବା, ବେନାମୀ ସେୟାର, ପୁଣି ଘର, ପୁଣି ଗାଡ଼ି, ପୁଣି ସୁନା... ଦରିଦ୍ର ପରିବାରରୁ ଆସିଥିବା ଉପର ଅଫିସର, କୁଜିନେତା, ତାଙ୍କ ଉପରର ନେତା ସମସ୍ତେ ହବିଷ ପରର ଛାଡ଼ଖାଇରେ ଆଇଁଷ ପାଇଁ ବିକଳ ହେଲା ପରି ହୁଅନ୍ତି । ଅଧିକ ଟଙ୍କା ଦେଇପାରିବା ଅଫିସର କମ୍‌ ଟଙ୍କା ଦେଉଥିବା ଅଫିସରକୁ ଦୂରକୁ ଠେଲିଦେଇ ଭଲ ଜାଗାକୁ ଆସେ । ଚେସ୍‌ବୋର୍ଡ଼ର ହାତୀ, ଘୋଡ଼ା ପରି ମରେ ନ ହେଲେ ବଞ୍ଚେ । ସବୁଠୁ ବେଶି ପଇସା ଯୋଗାଡ଼ କରୁଥିବା ଲୋକ ଚାକିରି ସରିଲା ପରେ ବି ନୂଆ ନିଯୁକ୍ତି ପାଏ, ବିଦେଶକୁ ଯାଏ ଟୁର୍‌ରେ । ନେତା ହେବା ପାଇଁ ଟିକେଟ୍‌ ଯୋଗାଡ଼ କରିପାରେ ।

 

ମୁଁ ଲଳିତ ମିଶ୍ର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ନ ଥିଲି, ଦୁଃଖିତ ହୋଇଥିଲି । ଏହିଦିନୁ ପିଲାଟାର ଏତେକଥା ଜାଣିବା ଉଚିତ ନ ଥିଲା । ଏତେ ବେଶି ଜାଣୁଥିବା ପିଲାଏ ଶାନ୍ତିରେ ବଞ୍ଚିପାରନ୍ତି ନାହିଁ ।

 

ସେଇ ଲଳିତ ମିଶ୍ର ।

 

ଯିଏ ଜଗତସିଂହପୁର କଲେଜରେ ପଢ଼ିବାବେଳେ ପ୍ରତି ରବିବାର ସିନେମା ଦେଖିବା ପାଇଁ କଟକ ପଳେଇ ଆସୁଥିଲା । କମ୍ପିଟିସନ୍‌ ମାଷ୍ଟର ଓ ସକ୍‌ସେସ୍‌ ରିଭ୍ୟୁ ସାହାଯ୍ୟରେ ଅନେକ ଉପରକୁ ଉଠିଯିବ ବୋଲି ଆଶା କରୁଥିଲା । ଇଞ୍ଜିନିୟର୍‌ ଚାକିରି କରି ତା ବାପାର ଧୋକଡ଼ା ଚାଳିଆ ଖଣ୍ଡକୁ କୋଠାଘର କରିଦେବ ବୋଲି ସ୍ୱପ୍ନ ଦେଖୁଥିଲା ।

 

ସେଇ ଲଳିତ ମିଶ୍ର ଚାକିରି କରିବାର ତିନିଟା ବର୍ଷ ଭିତରେ ଗୋଟେ ଅସନ୍ତୁଷ୍ଟ, ଚିଡ଼ିଚିଡ଼ା ଓ ମୋହଭଗ୍ନ ସରକାରୀ ମେସିନ୍‌ର ଅଂଶ ପାଲଟି ଯାଉଥିଲା ।

 

ମୁଁ ତାର ଦଶ ବର୍ଷ ପରର ଚେହେରା ଚିନ୍ତା କରି ବିବ୍ରତ ହୋଇଥିଲି ।

 

ଖଦଡ଼ ପିନ୍ଧା ପୂର୍ବତନ ଏମ୍‌.ଏଲ୍‌.ଏ. ରୋଷେଇଶାଳାରୁ ବାହାରି ଆସିଲେ । ଆଉ ଟିକକ ପୂର୍ବର କ୍ରୋଧ, ଅହଙ୍କାର, ବିରକ୍ତି ତାଙ୍କର ଶ୍ୟାମଳ ମୁହଁର ବିସ୍ତୀର୍ଣ୍ଣ ଇଲାକାରେ ଆଦୌ ନ ଥିଲା । ସେ ସବୁତକ ଯେମିତି ଲଳିତ ମିଶ୍ରର ବିକଳିଆ ପ୍ରାର୍ଥନାର ଟିସୁ ପେପର୍‌ରେ ସେ ପୋଛିପୋଛି ଦେଇ ଆସିଥିଲେ । ଆମେମାନେ ଖାଇବାରେ ମନ ଦେଲୁ । ଲଳିତ ମିଶ୍ରକୁ ମୁଖାର୍ଜୀ ଡାକିଲା, “ଆସନ୍ତୁ ।” ସେ କିନ୍ତୁ ଦୋରା ପାଖରେ ଛିଡ଼ା ହୋଇ କହିଲା, “ନାଇଁ, ଆପଣମାନେ ଖାଇସାରନ୍ତୁ । ମୋ ପାଇଁ ଚିନ୍ତା କରନ୍ତୁ ନାହିଁ ।”

 

ଫେରିବା ପୂର୍ବରୁ ମୁଁ ଏକ୍‍ସ ଏମ୍‌.ଏଲ୍‌.ଏ.ଙ୍କୁ ପଚାରିଲି, “ଏଇ ଲଳିତ ମିଶ୍ର ଲୋକଟି କେମିତି ?”

 

ସେ ଟିକିଏ ଆଶ୍ଚର୍ଯ୍ୟ ହେଲେ । ମୁଁ କେମିତି ଲଳିତ ମିଶ୍ରକୁ ଚିହ୍ନିଲି, ସେ କଥା ବୋଧହୁଏ ସେ ଜାଣିବାକୁ ଚାହୁଁଥିଲେ । ମୋର ଏ ପ୍ରଶ୍ନ ତାଙ୍କ ପାଇଁ ଚିନ୍ତାର କାରଣ ହେଉ, ତାହା ମୁଁ ଚାହୁଁ ନ ଥିଲି । କହିଲି, “ନାଇଁ, ଏମିତି ପଚାରୁଥିଲି ।”

 

ଭଦ୍ରଲୋକ କହିଲେ, “ଖୁବ୍‌ ଭଲଲୋକ । କିନ୍ତୁ ସେପଟ ଟୋକା । ତାକୁ ଦବେଇକି ନ ରଖିଲେ ସେ ମୁଣ୍ଡ ଉପରେ ଚଢ଼ିବ । ଆମେ ହେଲୁ ଟ୍ରାଇବାଲ୍‌ ଲିଡ଼ର । ଆମ ଉପରେ ଚଢ଼ି ସେ କଥା କହିବ ?”

 

ମୁଁ ଭଦ୍ରଲୋକଙ୍କ ହୀନମଣ୍ୟତା ବୁଝିପାରୁଥିଲି । ନୂଆ ନୂଆ କ୍ଷମତା ପାଇଥିବା ଲୋକମାନେ ଏମିତି । ନିଜ ପ୍ରଭାବ ଓ ପତିଆରାର ବିକଳ ପ୍ରଚାର କରନ୍ତି–ନୂଆ ପୋଷ୍ଟିଂ ପାଇଥିବା ପୋଲିସ୍‌ କର୍ମଚାରୀଙ୍କ ପରି । ମୁଁ ମୁଣ୍ଡ ତଳକୁ କରିନେଲି ।

 

ଭଦ୍ରଲୋକ ବୋଧହୁଏ ମୋ ମନକଥା ବୁଝିଗଲେ । ଅଥବା ଭୂରିଭୋଜନର ପ୍ରଭାବ ତାଙ୍କୁ ନରମେଇ ଦେଇଥିଲା । ସେ କହିଲେ, “ମୋ ଟାଇମ୍‌ରେ କିଛି ଅସୁବିଧା ନ ଥିଲା । କିନ୍ତୁ ଲୋକଟା ଟିକେ ବୋକା । ପଲିଟିକ୍‍ସରେ ଫସିଗଲା । ଆଉ ପ୍ରମୋସନ୍‌ ହେବ କଣ, ବିଚରାକୁ ତଳକୁ ଖସେଇ ଦିଆଗଲା, ବଳି ପଡ଼ିଗଲା ବିଚରା !”

 

ମୁଁ ସେ କଥା ଶୁଣିବାପାଇଁ କୌତୂହଳୀ ହୋଇ ପଡ଼ିଲି ।

 

“ପାହାଡ଼ିଭୂୟାଁଙ୍କ ପାଇଁ କିଛି ଭଲ କାମ କରିଥିଲା ଲଳିତ ମିଶ୍ର । ଉନ୍ନୟନ ଅଧିକାରୀ ଓ ସେ ମିଶି ବେଶ୍‌ କେତୋଟି ପରିବାରକୁ ପାହାଡ଼ ଉପରୁ ଆଣି ସମତଳ ଭୂମି ଉପରେ ଥଇଥାନ କରେଇଥିଲେ । ତାଙ୍କ ବସତିକୁ ରାସ୍ତା ତିଆରି କରିଥିଲେ, ସେମାନଙ୍କୁ କିଣି ଦେଇଥିଲେ ହଳଲଙ୍ଗଳ, ଘର ସାମ୍ନାରେ ନଳକୂଅ ବସେଇଥିଲେ ।”

 

“ସେମାନଙ୍କ ଥଇଥାନ କାର୍ଯ୍ୟକ୍ରମର ସଫଳତାରେ ସନ୍ତୁଷ୍ଟ ସ୍ଥାନୀୟ ପ୍ରଶାସନ ଗୋଟେ ସଭାର ଆୟୋଜନ କରିଥିଲା ଏବଂ ସେ ସଭାର ଅତିଥି ହୋଇ ଆସିଥିଲେ ବିଭାଗୀୟ ମନ୍ତ୍ରୀ ।”

 

: ସେଇଠୁ ? ମୁଁ ପଚାରିଲି ।

 

: କିନ୍ତୁ ଯୋଉଦିନ ସଭା ଡକାଯାଇଥିଲା, ସେଇଦିନ ସକାଳୁ ସେ ଲୋକମାନେ ଘରଛାଡ଼ି ପୁଣି ପାହାଡ଼ ଉପରକୁ ପଳେଇ ଯାଇଥିଲେ ।

 

ମୁଁ ଆଶ୍ଚର୍ଯ୍ୟ ହେଲି । ଲୋକମାନେ ପାଗଳ ନା କଣ ? କେହି କଣ ଏମିତି ସୁବିଧା ଛାଡ଼େ ?

 

ପୂର୍ବତନ ବିଧାୟକ କହିଲେ, ‘ଏସବୁ ଥିଲା ବିରୋଧୀ ଦଳର ଚକ୍ରାନ୍ତ । କିଛି ମଦ ଓ କୁକୁଡ଼ା ଦେଇ ସେମାନେ ଶିଖେଇଦେଲେ, ତୁମେମାନେ ଦୂରଛଡ଼ା ଦେଲେ ସରକାର ଲୋକ କୁକୁର ପରି ତମ ପଛରେ ଗୋଡ଼େଇବେ । ତମକୁ ଆହୁରି ସୁବିଧା ଦେବେ, ଟଙ୍କା ଦେବେ । ତୁମେ ଏତିକିରେ ସନ୍ତୁଷ୍ଟ ହୋଇ ରହିଗଲେ ତୁମର ତ ଲାଭ ହେବ ନାହିଁ, ବରଂ କ୍ଷତି ହେବ । ଖାଲି ସେ ଅଫିସରଗୁଡ଼ା ପ୍ରମୋସନ୍‌ ପାଇ ଉପରକୁ ଉଠିଯିବେ ।’

 

ମୁଁ ହଠାତ୍‌ ଗୋଟେ ମୁଣ୍ଡିଆ ଉପରୁ ଖସିପଡ଼ିଲା ପରି ଅନୁଭବ କଲି, ସତେ କି ମୁଣ୍ଡ ଘୂରେଇଦେଲା !

 

ମନ୍ତ୍ରୀ ଆସି ଏ ଘଟଣା ଦେଖି ଏମିତି ରାଗିଗଲେ ଯେ ଅଫିସର୍‌ମାନଙ୍କୁ ସସ୍‌ପେଣ୍ଡ୍‌ କରିଦେଲେ । ତାଙ୍କ ନାକ ନିଶ ତଳକୁ ହୋଇଯାଇଥିଲା ।

 

ମୁଁ ପଚାରୁଥିଲି, “କିନ୍ତୁ ସେ ଲୋକମାନେ ଏମିତି କଲେ କାହିଁକି ?”

 

: ମଦ ଓ କଞ୍ଚା ପଇସା । ତାଙ୍କ ଗାଁର ମୁଖିଆକୁ ଧରିଲେ କାମ ସରିଲା । ରାଜା ଅମଳରେ ଯେମିତି ଅନ୍ଧାରୀ ଯୁଗ ଥିଲା, ଏବେ ବି ସେମିତି । ସେମାନଙ୍କୁ ବୁଝେଇବା କଣ ଏତେ ସହଜ ! ସେମାନେ ବୁଝୁଥିଲେ, ମୁଁ ଇଲେକ୍‌ସନ୍‌ ହାରିଥାଆନ୍ତି କାହିଁକି ?’

 

ଭଦ୍ରଲୋକ ଲଳିତ ମିଶ୍ରଙ୍କ ଦୁଃଖ ପଛରେ ନିଜେ ଆତ୍ମଗୋପନ କରିବା ପାଇଁ ଚେଷ୍ଟା କରୁଥିଲେ । ମୁଁ ତାଙ୍କୁ ଆଉ ବେଶି କିଛି କହିବାର ସୁଯୋଗ ନ ଦେଇ ଚାଲିଆସିଲି ।

 

ଆମର ଭୁବନେଶ୍ୱର ଫେରିବାର ସମୟ ହୋଇ ଯାଇଥିଲା । ବନ୍ଧୁମାନେ ତାଙ୍କ ଜିନିଷପତ୍ର କାର୍‌ର ଡିକିରେ ଲଦାଲଦି କରୁଥିଲେ । ମୁଁ ସୌଜନ୍ୟ ଖାତିର୍‌ରେ ଲଳିତ ମିଶ୍ରଠୁ ବିଦାୟ ନେବା ପାଇଁ କିଛି ଶବ୍ଦ ଖୋଜୁଥିଲି ।

 

ଲଳିତ ମିଶ୍ର କୃତ୍ୟକୃତ୍ୟ ହେଲା ପରି ଦିଶୁଥିଲା । ମୁଁ ନମସ୍କାର କରିବା ପାଇଁ ହାତ ନ ଉଠଉଣୁ ସେ ଧୀରସ୍ୱରରେ କହିଲା, ‘ଆପଣ ତ ସବୁ ଜାଣନ୍ତି । ଅଧିକ ଆଉ କଣ କହିବି ?’

 

ମୁଁ ତା କଥା ଶୁଣି ଆଶ୍ଚର୍ଯ୍ୟ ହେଲି । ଲୋକଟି ମୋତେ ଚିହ୍ନି ସାରିଛି ନା କଣ ! ସେ ଆମ ଗାଡ଼ି ପଛେ ପଛେ ଆସୁଥିଲା । କଣ କହୁଥିଲା, ଆମକୁ ଶୁଭୁ ନ ଥିଲା । ଇଞ୍ଜିନ୍‌ର ଘର୍‌ଘର୍‌ ଶବ୍ଦ ଭିତରେ ତା କଥାଗୁଡ଼ିକ ହଜିଯାଉଥିଲା । ମୋତେ ଲାଗୁଥିଲା, ଲଳିତ ମିଶ୍ର ତାର ସେହି ପୁରୁଣା କଥାକୁ ଦୋହରଉଛି–“ମୋ ବଦଳି କଥା ଟିକେ ବୁଝିବେ ଆଜ୍ଞା ।”

 

ମୁଁ ପଛକୁ ଫେରି ଚାହିଁବାର ସାହସ ହରେଇ ବସୁଥିଲି । କ୍ୟାସେଟ୍‌ର ଗୀତ, ରାସ୍ତାକଡ଼ର ସବୁଜ ଗଛପତ୍ର, ଶ୍ୟାମଳ ପର୍ବତରାଜି ଏବଂ ବଣୁଆ ଫୁଲର ବାସ୍ନା କୌଣସିଟି ମୋତେ ଭଲ ଲାଗୁ ନ ଥିଲା ।

 

ଏହି ଗପଟି ପ୍ରଥମେ ‘ବଳି’ ଶିରୋନାମାରେ ପ୍ରକାଶ ପାଇଥିଲା ।

☆☆☆

 

ମୂଷା ଓ ଠେକୁଆ

 

ପୁଣି ସେଇ ଅସ୍ୱସ୍ତିକର ଖୁଡ଼୍‌ଖାଡ଼୍‌ ଶବ୍ଦ । ରଜନୀ ଆଉ ଶୋଇପାରିଲା ନାହିଁ । ବିଛଣାରେ ପଡ଼ିରହି ସେ କାନ ଡେରିଲା । କୋଉଠୁ ଆସୁଛି ଏ ଶବ୍ଦ ? ରୋଷେଇଘରୁ ? ନା, ସେ ଶୋଇବାକୁ ଯିବା ପୂର୍ବରୁ ସବୁ ଦିନ ପରି ରୋଷେଇଘର ଭିତର ସଫାସୁତରା କରି କବାଟ ଆଉଜେଇ ଆଣିଥିଲା ଓ ବାହାରପଟୁ ହୁକ୍‌ ଲଗେଇ ଦେଇଥିଲା । ତାହାହେଲେ କଣ ସେଇ ଆଲମାରି ଭିତରୁ ଏ ଶବ୍ଦ ଆସୁଛି ? ଯଦି ଆଲମାରି ଭିତରୁ ଶବ୍ଦ ଆସୁଛି, ତାହାହେଲେ ସେ ଶବ୍ଦଟା ମୂଷାର ଲୁଗା କାଟିବା ଶବ୍ଦ ଭିନ୍ନ ଆଉ କଛି ହୋଇ ନପାରେ । ସେ ଚରମ ଅସ୍ୱସ୍ତିରେ ବିଛଣାରୁ ଉଠିପଡ଼ିଲା ।

 

ସନାତନର ନିଦ ଭାଙ୍ଗିଗଲା । ସଞ୍ଜ ପହରୁ କଲୋନିରୁ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ହେଉଥିଲା । ସେଥିପାଇଁ ରାତି ଏଗାରଟା ଯାଏ ସେ ଶୋଇବାକୁ ଚେଷ୍ଟାକରି ଶୋଇ ପାରି ନ ଥିଲା । ଶୀତ ଯାଉ ନ ଯାଉଣୁ ଗ୍ରୀଷ୍ମର ଏ ପ୍ରକାର ଅଦଉତି ତାକୁ ବିରକ୍ତିକର ଲାଗୁଥିଲା । ମାତ୍ର ତାର ଏ ବିରକ୍ତି ପାଇଁ ଗ୍ରୀଷ୍ମ ନୁହେଁ, ସହରର କ୍ରମବର୍ଦ୍ଧମାନ କଂକ୍ରିଟ୍‌ ବସ୍ତିଗୁଡ଼ିକ ବେଶି ଦାୟୀ ବୋଲି ରଜନୀ ଯୁକ୍ତି କରିଥିଲା ।

 

: ତୁମେ ତ ଜମା ତିନି ମାସ ହେଲା ଏ ସହରକୁ ଆସିଛ । ତୁମେ କେମିତି ମୋଠାରୁ ଏ ସହରର ପାଣିପାଗ ବିଷୟରେ ଅଧିକ ଜାଣିଗଲ ? ବିରକ୍ତିରେ ସନାତନ ପଚାରିଲା ।

 

: ସବୁଦିନେ ରହୁଥିବା ଲୋକ ପରିବର୍ତ୍ତନ ଠଉରେଇ ପାରେ ନାହିଁ । ତାକୁ ସବୁ ସ୍ୱାଭାବିକ ଲାଗେ । କିନ୍ତୁ ଦୀର୍ଘ ବ୍ୟବଧାନରେ ଆସୁଥିବା ଲୋକ ତାହା ଜାଣିପାରେ । ମୁଁ ପାଞ୍ଚ ବର୍ଷ ତଳେ ମୋ ସାନ ଦାଦାଙ୍କ ଶାଳୀ ବାହାଘରକୁ ଭୁବନେଶ୍ୱର ଆସିଥିଲି । ରଜନୀ କହିଥିଲା ।

 

ରଜନୀର ଯୁକ୍ତି ଯଥାର୍ଥ ମନେ ହୋଇଥିଲେ ବି ଏମିତି ରୋକ୍‌ଠୋକ୍‌ ଭାବେ ତା ମୁହଁ ଉପରେ କଥା କହିବା ସନାତନର ପସନ୍ଦ ହୋଇ ନ ଥିଲା । ସବୁ କଥା କଣ ଏମିତି ମୁହେଁ ମୁହେଁ କହିବା ଦରକାର ?

 

ରଜନୀ ଉପରେ ସନାତନ ବିରକ୍ତ ହେବାର ଆଉ ଗୋଟିଏ କାରଣ ବି ରହିଥିଲା । ଆଗେ ରଜନୀ ଗାଁରେ ଥିଲାବେଳେ ସନାତନ କେବଳ ଦ୍ୱିତୀୟ ଶୁକ୍ରବାର ରାତିରେ ନ ହେଲେ ସବୁ ଶନିବାର ରାତିରେ ହିଁ ଘରକୁ ଯାଉଥିଲା । ଘରେ ବାପା, ମା, ଭାଇ, ଭଉଣୀ ଓ ଭାଉଜଙ୍କ ମେଳରେ ସେ ଏବଂ ରଜନୀ ବେଶି ସମୟ ଏକାଠି ହୋଇପାରୁ ନ ଥିଲା କି ରଜନୀ ତାର ଅଭାବ ଅଭିଯୋଗ ଆଦୌ କହୁ ନ ଥିଲା । ମାତ୍ର ହଠାତ୍‌ ଭୁବନେଶ୍ୱର ଆସିବା ପରେ ତାର ସବୁଯାକ ଅଭିଯୋଗ ଫର୍ଦ୍ଦ ଫର୍ଦ୍ଦ ହୋଇ ପ୍ରତିଦିନ ବାହାରୁଥିଲା । ଏ କଥା ସନାତନକୁ ଆଦୌ ଭଲ ଲାଗୁ ନ ଥିଲା ।

 

ମାତ୍ର ରଜନୀ ଏ କଥାରେ ସହମତ ନ ଥିଲା । ସେ କହୁଥିଲା ଗାଁରେ ଥିଲାବେଳେ ଯେ ତାର ଅଭାବ ଅଭିଯୋଗ ନ ଥିଲା କି ସେ ତାହା ସନାତନକୁ କହୁ ନ ଥିଲା ଏ ଦୁଇଟିଯାକ ଠିକ୍‌ ନୁହେଁ । ପ୍ରତି ସାତ ଦିନ କି ଛଅ ଦିନ ଅନ୍ତରରେ ଥରେ ସ୍ୱାମୀ-ସ୍ତ୍ରୀଙ୍କର ଦେଖା ହେଉଥିଲାବେଳେ ସେମାନେ ନିଜ ନିଜର ଦେହର ଭୋକ ନେଇ ଏତେ ବ୍ୟସ୍ତ ରହୁଥିଲେ ଯେ ଏସବୁ କଥାକୁ ଆଦୌ ଧ୍ୟାନ ଦେଉ ନ ଥିଲେ । ସେତେବେଳେ ସନାତନ ରଜନୀର ସବୁଯାକ ଚାହିଦା କହିବା ଆଗରୁ ପୂରଣ କରିଦେଉଥିଲା ଏବଂ ରଜନୀର ଅଭିଯୋଗ ବାଢ଼ିବାର ପ୍ରୟୋଜନ ପଡ଼ୁ ନ ଥିଲା । ପୁଣି ଗାଁରେ ଥିଲାବେଳେ ସେମାନେ ପରସ୍ପରକୁ କମ୍‌ ସମୟ ପାଇଁ ପାଉଥିବାରୁ ସେ ସମୟତକ ପାଉଡ଼ର, ଅତର, ଶାଢ଼ି ଓ ବ୍ଲାଉଜ୍‌ ପରି ତୁଚ୍ଛ ବସ୍ତୁମାନଙ୍କ ଚିନ୍ତାରେ ବ୍ୟୟ ନ କରି ପ୍ରେମ, ଭଲ ପାଇବା, ମୁକ୍ତି, ବ୍ୟକ୍ତିଗତ ସ୍ୱାଧୀନତା ଓ ଭବିଷ୍ୟତର ପିଲାପିଲିଙ୍କ ଅଳି ଅର୍ଦ୍ଦଳି ଭଳି ସ୍ୱପ୍ନମାନଙ୍କ ବାବଦରେ ବ୍ୟୟ କରୁଥିବାରୁ ସନାତନ ଚିଡ଼୍‍ଚିଡ଼୍‌ ହେଉ ନ ଥିଲା । ମାତ୍ର ଭୁବନେଶ୍ୱର ଆସିବା ପରେ ଦେହର ଭୋକ ମେଣ୍ଟିବା କଥାଟା ଦେହ ଘଷରା ହୋଇଯାଇଥିଲା ଓ ସେମାନେ ପରସ୍ପରକୁ ଏତେ ନିବିଡ଼ ଭାବରେ ଖୋଜୁ ନ ଥିଲେ । ତେଣିକି ତୁଚ୍ଛ ପାଉଡ଼ର, ଅତର, ଶାଢ଼ି ଓ ବ୍ଲାଉଜ ପ୍ରସଙ୍ଗମାନ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଥିଲେ ଓ ସେସବୁ ଦାବି ପୂରଣରେ ସନାତନ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ କରି ରଜନୀ ବିରକ୍ତ ହୋଇଉଠୁଥିଲା ।

 

ରଜନୀକୁ ଭୁବନେଶ୍ୱର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କଲାବେଳେ ଏ ପ୍ରକାର ଆଶଙ୍କାମାନ କିନ୍ତୁ ସନାତନର ମୁଣ୍ଡକୁ ଜୁଟି ନ ଥିଲା । ସବୁ ସଞ୍ଜରେ ସେ ସେକ୍ରେଟେରିଏଟ୍‌ରୁ ବାହାରି ଇନ୍ଦିରା ପାର୍କ କଡ଼ ଦେଇ ତା ବସାକୁ ଫେରିଲାବେଳେ ହଳ ହଳ ସ୍ୱାମୀ-ସ୍ତ୍ରୀଙ୍କୁ ସ୍କୁଟର କି ମଟର ସାଇକେଲ୍‌ରେ ଦେଖୁ ଦେଖୁ ସେ ରଜନୀ ମନସ୍କ ହୋଇପଡ଼ୁଥିଲା ଓ ରାତିରେ କେବଳ ରଜନୀକୁ ମନେ ପକେଇ ବିବଶ ହୋଇପଡ଼ୁଥିଲା । ସବୁଥର ଗାଁକୁ ଗଲାବେଳେ ସେ ରଜନୀକୁ ଭୁବନେଶ୍ୱର ନେଇ ଆସିବାର ପ୍ରୟୋଜନୀୟତା ସମ୍ବନ୍ଧରେ ନୂଆ ନୂଆ ଉପାୟ ସ୍ଥିର କରୁଥିଲା ଓ ସେସବୁ ବନେଇଚୂନେଇ ବାପା ବୋଉଙ୍କ ପାଖରେ କହୁଥିଲା । ମାତ୍ର ଧୂଅଁ ଭର୍ତ୍ତି ଚୁଲି ମୁହଁକୁ ଆଉ ଗୋଛାଏ ପାଳ ଭର୍ତ୍ତି କରି ଦେଉ ଦେଉ ସନାତନର ବୋଉ ଆଖିର ଲୁହ ପୋଛି ଆଣୁଥିଲା ଓ ସନାତନ ତା ବୋଉର ସେ ଦୁର୍ଦ୍ଦଶା ଦେଖି ପାରୁ ନ ଥିଲା । ନିଜ ସ୍ତ୍ରୀକୁ ସହରକୁ ନେଇଯିବା ଅର୍ଥ ବୁଢ଼ା ବୟସରେ ବୋଉକୁ ଆହୁରି ହଇରାଣରେ ପକାଇବା ବୋଲି ମନକୁ ମନ ବୁଝେଇ ସେ ଚୁପ୍‌ ରହୁଥିଲା ।

 

ପରଦିନ ସକାଳୁ ଅବଶ୍ୟ ସେ ଯୁକ୍ତି କରୁଥିଲା, “ରଜନୀ ଗାଁରେ ଅଛି ବୋଲି ଗାଁ ଘରର ଖର୍ଚ୍ଚରୁ ଅଧାଅଧି ତାକୁ ଦେବାକୁ ପଡ଼ୁଛି । ବଡ଼ଭାଇ ଆଦୌ ଦାୟିତ୍ୱ ବୁଝୁ ନାହାନ୍ତି । ଗୋଟାଏ ପେଟ ପାଇଁ ଯଦି ମାସକୁ ମାସ ମୋତେ ହଜାରେ ଟଙ୍କା ଦେବାକୁ ପଡ଼େ ତାହାହେଲେ ସେଇଟା ଘୋର ଅନ୍ୟାୟ ଛଡ଼ା ଆଉ କିଛି ନୁହେଁ ।”

 

ରଜନୀ ରୋଷେଇବାସ କାମ ସାରି ରାତିରେ ଶାଶୂ ଶ୍ୱଶୁରଙ୍କୁ ଆଉଁଶି ଦେବାକୁ ଯାଏ ଓ ସନାତନ ପାଖକୁ ଆସିଲାବେଳକୁ ଅଧରାତି ଗଡ଼ିଯାଇଥାଏ । ସନାତନ ରଜନୀ ଉପରେ ରାଗିଯାଏ । ତାକୁ ମୁହଁ ବୁଲେଇ ଶୋଇଯିବାର ଦେଖିଲେ ରଜନୀ ଗେହ୍ଲେଇ ହୋଇ କହେ, ‘ସାତଦିନରେ ଥରୁଟେ ଆସିବ ଯେ ସେଥିରେ ପୁଣି ରାଗରୋଷରେ ଅଧା ସମୟ ଯିବ । ଏଇଥିପାଇଁ କଣ ବାପା ବାର ବାରଟା ପ୍ରସ୍ତାବ ନାକଚ କରି ତମରି ହାତରେ ମୋତେ ଛନ୍ଦି ଦେଇଥିଲେ ?’ ସନାତନର ରାଗ ତୁଟିଯାଏ । ସେ ରଜନୀକୁ ନିଜ ଛାତି ଉପରକୁ ଟାଣି ନେଉ ନେଉ କହେ, ‘ଆରଥର ମୁଁ ତୁମକୁ ନିଶ୍ଚୟ ଭୁବନେଶ୍ୱର ନେଇଯିବି । ଏଠିକାର ଏ ଯମଯନ୍ତ୍ରଣା ତମକୁ ସହିବା ପାଇଁ ଦେବି ନାହିଁ ।’ ତାପରେ ସେ ଜହ୍ନକୋଳରେ ଠେକୁଆ ପରି ରଜନୀକୁ କୋଳରେ ଧରି ଶୋଇଯାଏ ।

 

ରଜନୀ ସନାତନର ଛାତି ଆଉଁଶି ଆଉଁଶି କହେ, “ହେଇ, ଶୋଇଲଣି ନା କଣ ? ତୁମ ଉପାର୍ଜନତକ ତ ଏମିତି ଭାଇଭାଉଜଙ୍କ ସତ୍କାର ଓ ଗାଡ଼ିମଟର ଖର୍ଚ୍ଚରେ ଯାଉଛି । ଆମେ ତାହାହେଲେ ସଂସାର ବାନ୍ଧିଥିଲେ କାହିଁକି ? ମୋ ହାତରେ କୋଉଦିନ ଶହେଟି ଟଙ୍କା ରହିଲା ନାହିଁ । ସଞ୍ଜୁର ନଣନ୍ଦ ଆସିଥିଲେ ଯେ ତା ପୁଅକୁ ଟଙ୍କା ପଚିଶଟା ଦେଇପାରିଲି ନାହିଁ । ଅଥଚ ତାଙ୍କ ଘରକୁ ମୁଁ ଗଲେ ସେମାନେ ମୋ କାନିରେ ଶହେ ଟଙ୍କାରୁ ଊଣା କୋଉଦିନ ଦିଅନ୍ତି ନାହିଁ । ତମ ସାତପଛରେ ଚାକିରି କରି ନଣ୍ଡା ମଙ୍ଗରାଜ ସହରରେ ଚାରି ଗୁଣ୍ଠ ଜମି ଖରଦି କଲେଣି । ତମର କିନ୍ତୁ ସେ ଆଡ଼କୁ କୌଣସି ଦିନ ନିଘା ନାହିଁ ।”

 

ସନାତନ ଦୀର୍ଘଶ୍ୱାସ ଛାଡ଼େ । ତା ଜହ୍ନ ଭିତରୁ ଠେକୁଆଟି ଚଟ୍‌କରି ଖସିଯାଏ । ରଜନୀର କଥା ମିଛ ନୁହେଁ । ସ୍ତ୍ରୀ ଗାଁରେ ଅଛି ବୋଲି ସେଇ ବାବଦରେ ତାକୁ ଗୁଡ଼ାଏ ଟଙ୍କା ଗାଁରେ ଖର୍ଚ୍ଚ କରିବାକୁ ହେଉଛି । ସବୁଯାକ ପର୍ବପର୍ବାଣି ଓ ବାହା ନିମିତ୍ତରେ ଲମ୍ବା ଲମ୍ବା ଚିଠାମାନ ତା ପାଖକୁ ପଠାଇ ଦିଆଯାଉଛି । ଘର ଖର୍ଚ୍ଚ ବୁଝିବା ତ ଏକା ତାଆରି ଦାୟିତ୍ୱ ନୁହେଁ !

 

ଏ ସବୁ ସାଙ୍ଗକୁ ଇନ୍ଦିରାପାର୍କ ପାଖରେ ସେଇ ଯେ ଯୋଡ଼ି ଯୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ବୁଲିବା, ଗୁପ୍‌ଚୁପ୍‌ ଖାଇବା, ଚାଟ୍‌ ଚାଖିବା ଓ ସିନେମା ହଲ୍‌ରେ କାନ୍ଧକୁକାନ୍ଧ ଯୋଡ଼ି ଫୁସ୍‌ଫୁସ୍‌ ହେବା କଥାଗୁଡ଼ିକ ତାର ମନେପଡ଼ିଯାଏ । ବିଲେଇଟିଏ ମାଛ ଉପରକୁ ଝାମ୍ପିପଡ଼ିବା ପରି ସେ ରଜନୀ ଉପରକୁ ଝାମ୍ପିପଡ଼େ ଓ ନିଷ୍ପତ୍ତି ନେଇଯାଏ, ଆରଥର ସେ ଯେମିତି ହେଉ ରଜନୀକୁ ତା ସାଙ୍ଗରେ ନେଇଯିବ । ଏଇ ବୟସରେ ଯଦି ସେମାନେ ସ୍ୱାମୀ-ସ୍ତ୍ରୀ ସୁଖ ନ ଜାଣିଲେ ତାହେଲେ ଅଭିଆଡ଼ୀ ରହିଯାଇଥିଲେ କ୍ଷତି କଣ ହୋଇଥାଆନ୍ତା ?

 

ମାତ୍ର ପରଦିନ ସକାଳକୁ ସେ ତା ମନର କଥାତକ ଖୋଲି କହିପାରେ ନାହିଁ । ବାପା ଖୁଁ ଖୁଁ କାଶି ଗାଈକୁ ନଡ଼ା ଖୁଆଇ ଦେଉଥାଆନ୍ତି ଓ ଭାଇ ବିଲକୁ ହଳ ନେଇ ଯିବା ନିମନ୍ତେ ପ୍ରସ୍ତୁତ ହେଉଥାଆନ୍ତି । ସେ ବୁଲିପଡ଼ି ତା ଶୋଇବା ଘରକୁ ଚାହେଁ । ରଜନୀ ଦାନ୍ତ କାଠିଟା ପାଟିରେ ପୂରେଇ ତା ଆଡ଼କୁ ଚାହିଁ ଇସାରା କରେ “ଏଇ ଠିକ୍‌ ବେଳ । ମନ କଥାଟି କହିଦେଉନ କିଆଁ ?”

 

ମାତ୍ର ସନାତନ କହିପାରେ ନାହିଁ । ଓଲଟି ରଜନୀ ଉପରେ ରାଗିଯାଏ । ଏଇ ବାପା-ବୋଉ ତା ପାଇଁ କମ୍‌ କଷ୍ଟ କରି ନାହାନ୍ତି । ସେ ବେମାରିଆ ହୋଇ ଜନ୍ମ ହୋଇଥିବାରୁ ବୋଉ ତା ପାଇଁ ସାତ ବର୍ଷ କାଳ ଠାକୁରଙ୍କ ପାଖେ ବାର ପ୍ରକାର ଓଷା କରିଥିଲା । ସେଇଦିନୁ ବୋଉ ଆଇଁଷ ଛୁଏଁ ନାହିଁ । ତା ପାଠପଢ଼ାରେ ବିଘ୍ନ ଉପୁଜିବ ବୋଲି ବଡ଼ ଭାଇ ଅଧାରୁ ପାଠ ଛାଡ଼ିଥିଲା । ବାପା ଓଲଟି କହିଥିଲେ, ଯାହାର ପାଠ ହେବ ସିଏ ପଢ଼ୁ । ସମସ୍ତେ ଯଦି ପାଠ ପଢ଼ିବେ ତାହେଲେ ବିଲରେ ହଳ କିଏ କରିବ ? ଏମିତି ଅପମାନିଆ କଥା ଶୁଣି ବି ଭାଇ କିଛି କହି ନ ଥିଲା । ସେ ବରଂ ସେଇଦିନୁ ବିଲ ଚଷିବା, ବେଉଷଣ କରିବା ଓ ବେଙ୍ଗଳା ପକେଇବା କାମରେ ବେଶି ମନ ଦେଇଥିଲା । ଭାଉଜଙ୍କ ସ୍ନେହ ଓ ଆଦର ସନାତନର ଗୋଟି ଗୋଟି ମନେ ପଡ଼ୁଥିଲା । ସେ ଭାବପ୍ରବଣ ହୋଇଯାଉଥିଲା । ଏଭଳି ଭଲ ଲୋକମାନଙ୍କୁ କଷ୍ଟ ଦେବା ଅବିବେକୀ କାମ ବୋଲି ତାର ହୃଦ୍‌ବୋଧ ହେଉଥିଲା ଓ ସେ ନିଜର ବ୍ୟାଗ୍‌ ଧରି ବସ୍‌ଷ୍ଟାଣ୍ଡ୍‌ ପାଖକୁ ପଳେଇ ଆସୁଥିଲା ।

 

ପର ଶନିବାର ରାତିକୁ ପୁଣି ସେଇ ଅଭିଯୋଗ ଓ ସେଇ ଅଭିମାନ ବୁଢ଼ିଆଣୀ ଜାଲ ପରି ସନାତନକୁ ଛନ୍ଦି ପକାଏ । ସୋମବାର ସକାଳକୁ ସେ ଅଭିଯୋଗର ବୁଢ଼ିଆଣୀ ଜାଲକୁ ସନାତନ କାଟି ପକାଏ । କ୍ରମେ ଯୁକ୍ତିର ଛୁରୀ ଦନ୍ଥଡ଼ା ହୋଇଆସେ ଓ ରଜନୀ ସେତିକିବେଳେ ପଡ଼େ ବେମାର । ବାପା ତାଙ୍କ ଆଡ଼ୁ ପ୍ରସ୍ତାବ ଦିଅନ୍ତି, ‘ତାକୁ ଭୁବନେଶ୍ୱର ନେଇ ଯା । ସେ ତ ପଢ଼ାଶୁଣା ପିଲା, ସହରରେ ଚଳିବାରେ ଅସୁବିଧା ହେବ ନାହିଁ । ସେଠି ଟିକେ ଭଲ ଡାକ୍ତରଙ୍କୁ ଦେଖାଇବୁ ।

 

: ହୋଟେଲରେ ଖାଇ ଖାଇ ତୁ କଣ୍ଟା ହୋଇଗଲୁଣି । ବୋହୂ ଗଲେ ଅନ୍ତତଃ ଭାତ ତରକାରି ତ ଗଣ୍ଡେ ରାନ୍ଧି ଦେବ । –ବୋଉ କହେ ।

 

: ଆସିବା ଦିନୁ ତ ଖାଲି କାମ ଆଉ କାମ । ପିଲାଲୋକ କେତେ ଖଟିବ । ମୁଁ ଅଛି, ସେ ଯାଇ ବର୍ଷେ ଛ ମାସ ରହିଲେ ଏଠି କିଛି ଅସୁବିଧା ହେବ ନାହିଁ । ମୁଁ ତ ପୁଣି ଘର ଚଳଉଥିଲି ।–ଭାଉଜ କହନ୍ତି ।

 

ଭାଇ କିଛି କହନ୍ତି ନାହିଁ । ବଳଦମାନଙ୍କ ସାଙ୍ଗରେ ଦିନ କଟେଇ କଟେଇ ତାଙ୍କ ଆଖି ଯୋଡ଼ାକ ବଳଦର ଆଖି ପରି ନିରୀହ ହୋଇଯାଇଥିବା ସନାତନର ଅନୁଭବ ହୁଏ । ମଉନ ରହି ସେ ଅନ୍ୟମାନଙ୍କ କଥାକୁ ସମର୍ଥନ କରନ୍ତି ।

 

ରଜନୀ ଓ ସନାତନ ଭୁବନେଶ୍ୱର ଆସିବାର ତିନିମାସ ବିତିଗଲାଣି । ଆସିଲାବେଳେ ରଜନୀ ତା ବାପଘରୁ ଆଣିଥିବା ଛୋଟବଡ଼ ଜିନିଷ ସାଙ୍ଗେ ଏଇ ଲୁହା ଆଲମାରିଟି ବି ସାଙ୍ଗରେ ଆଣିବାକୁ ଭୁଲି ନ ଥିଲା । ସେଇ ଗୋଟାକ ଜିନିଷ ପାଇଁ ସନାତନକୁ ନାକେଦମ୍‌ ହେବାକୁ ପଡ଼ିଥିଲା ଓ ବାଟସାରା ମିନିଟ୍ରକ୍‌ ଡ୍ରାଇଭର୍‌ ସାଙ୍ଗେ ଝଗଡ଼ା କରିବାକୁ ପଡ଼ିଥିଲା ।

 

ଯୋଉଦିନ ରଜନୀ ଆସି ସହରରେ ପହଞ୍ଚିଥିଲା, ସେଦିନ ସବୁ କ୍ଳାନ୍ତି ଓ ଅର୍ଥବ୍ୟୟ ଜନିତ ଅସନ୍ତୋଷ ସତ୍ତ୍ୱେ ସନାତନ ବେଶ୍‌ ଫୂର୍ତ୍ତି ଅନୁଭବ କରୁଥିଲା । ଆଉ ସେ ହୋଟେଲର ଗୋଡ଼ିମିଶା ଭାତ ଓ ପେଜମିଶା ଡାଲି ଖାଇବାର ଦୁର୍ଭାଗ୍ୟ ନାହିଁ । ରାତିରେ ଘରକୁ ଫେରି ମଥା ଉପର ଆକାଶର ନିଃସଙ୍ଗ ତାରା କିମ୍ବା ଘର ସାମ୍‌ନା ରାସ୍ତାରେ ଯା-ଆସ କରୁଥିବା ହଳହଳ ସ୍ୱାମୀ ସ୍ତ୍ରୀଙ୍କୁ ଅନେଇ ଅନେଇ ଦୀର୍ଘଶ୍ୱାସ ଛାଡ଼ିବାର ଦୁଃଖ ବି ନାହିଁ । ଘର ଭିତରେ, କେବଳ ରଜନୀ ଓ ସେ, ସେ ଓ ରଜନୀ । ନୁଅଁଣିଆ ଚାଳଘର ଭିତରେ, ଗୁଳୁଗୁଳି ଓ ମଶାତଡ଼ା ଧୂଆଁର ଗନ୍ଧ ଭିତରେ, କାହାକୁ ଡରିଲା ପରି ଚୁପି ଚୁପି କଥାବାର୍ତ୍ତା ଓ କଣ ଗୋଟେ ପାପ କଲାପରି ସ୍ୱାମୀ-ସ୍ତ୍ରୀ ସହବାସର ସେଇ ବିକଳ ଅନୁଭବ ମଧ୍ୟ ନାହିଁ । ଏଠି ଖାଲି ସ୍ୱାଧୀନତା ଓ ସ୍ୱାଧୀନତା । ସେ ଯାହା ଚାହିଁବ ତାହା ଖାଇପାରିବ, ଯେତେବେଳେ ଇଚ୍ଛା ସେତେବେଳେ ରଜନୀକୁ ଗେଲ କରିପାରିବ ।

 

ଘରୁ ଆସି ଭୁବନେଶ୍ୱରରେ ପହଞ୍ଚିବାର ପ୍ରଥମ ରାତିରେ ରଜନୀ ଓ ସନାତନ ନିଜ ନିଜର ବୁଦ୍ଧିକୁ ପ୍ରଶଂସା କରିଥିଲେ । ରଜନୀ କହିଥିଲା ‘ମୁଁ ସେମିତି ମିଛିମିଛିକା ବେମାରରେ ପଡ଼ିବାର ବାହାନା କରି ନ ଥିଲେ ବାପା କଦାପି ଛାଡ଼ି ନ ଥାନ୍ତେ’ ଓ ସନାତନ ଯୁକ୍ତି କରିଥିଲା, ‘ମୁଁ ଟାଣ ହୋଇ ନ ଥିଲେ ତମେ କଦାପି ଏଠିକି ଆସିପାରି ନ ଥାନ୍ତ । ସେମାନେ ନିଜ ନିଜର ବୁଦ୍ଧି ପାଇଁ ପରସ୍ପରକୁ ସାବାସି ଦେଇଥିଲେ ଓ ଭବିଷ୍ୟତର ଯୋଜନାଗୁଡ଼ିକ ଯଥାଶୀଘ୍ର ପ୍ରସ୍ତୁତ କରି ବସିଥିଲେ ।

 

ମୂଷାଟି ପୁଣି ଖଟ୍‌ ଖଟ୍‌ କଲାଣି–ରଜନୀ ମନକୁ ମନ କହିଲା ଓ ଆଲମାରି ପାଖକୁ ଧାଇଁଗଲା । ଚାରିଟି ଯାକ ଥାକରେ ଖୁନ୍ଦାଖୁନ୍ଦି ଲୁଗାପଟା । ରଜନୀର ଲୁଗାପଟା ସାଙ୍ଗକୁ ସନାତନର ଦରକାରୀ କାଗଜପତ୍ର ପୁଡ଼ିଆଟି ମଧ୍ୟ ସେଥିରେ ରହିଥିଲା । ସେ ତାର ଶାଢ଼ିଗୁଡ଼ିକ କାଢ଼ି ଆଣୁ ଆଣୁ କାଗଜ ପୁଡ଼ିଆଟି ଖସିପଡ଼ି ଖେଳେଇ ହୋଇ ପଡ଼ିଲା । ସେ ବିରକ୍ତ ହୋଇ ‘ୟାଙ୍କୁ ଆଉ କାଗଜପତ୍ର ରଖିବାକୁ ଜାଗା ମିଳୁନାହିଁ’ ବୋଲି ଟିପ୍ପଣୀ ଦେଲା ଓ ପୁଣି ମୂଷାକୁ ଖୋଜିବାରେ ମନ ଦେଲା । ସବୁଯାକ ଲୁଗାପଟା କାଢ଼ି ତଳେ ଗଦେଇ ସାରିବା ପରେ ବି ସେ ମୂଷାର ନାଁ ଗନ୍ଧ ପାଉ ନ ଥିଲା । ସେ ଅବଶ ହୋଇପଡ଼ୁଥିଲା ଓ ଲୁହା ଆଲମାରି ଭିତରକୁ ମୂଷାଟା କୋଉ ମାର୍ଗରେ ପଶି ଆସୁଛି ଚିନ୍ତା କରି ବ୍ୟସ୍ତ ହୋଇପଡ଼ୁଥିଲା ।

 

ଏତିକିବେଳେ ସନାତନ ଡାକ ପକେଇଲା, ‘ରାତି ଅଧଟାରେ କଣ ଖଡ଼ଖାଡ଼ କରୁଛ ଶୁଣେ ? ସକାଳୁ କଣ ସେ କାମ ହୋଇ ପାରନ୍ତା ନାହିଁ ?’

 

: ହାଏରେ ବିଧାତା ! ଗୋଟେ ରାତି ଭିତରେ ଏ ମୂଷାଟି ଯେ ତା ବାହାଘରର ପାଟଶାଢ଼ିଟାକୁ କାଟିପକେଇବ ନାହିଁ, ତାର କଣ କିଛି ଗ୍ୟାରେଣ୍ଟି ଅଛି ? ରଜନୀ ମୁଣ୍ଡରେ ହାତ ପିଟି ମନକୁ ମନ କହିଲା । ମାତ୍ର ଯେତେ ଚେଷ୍ଟା କଲେ ମଧ୍ୟ ଚତୁର ମୂଷାଟି କୋଉଠି ଅଛି ତାର ପତ୍ତା ସେ ପାଉ ନ ଥିଲା । ଶେଷକୁ ତଳୁ ଗୋଟା ଗୋଟି କରି ଆଲମାରିର ଥାକମାନଙ୍କରେ ପୁଣିଥରେ ତାର ଶାଢ଼ି, ଚାଦର ଓ ସନାତନର କାଗଜ ପୁଡ଼ିଆ ସଜେଇ ରଖିଲା ଓ ବିଛଣା ପାଖକୁ ଫେରି ଆସିଲା ।

 

ସକାଳୁ ଉଠିଲାବେଳକୁ ସନାତନର ଡେରି ହୋଇଯାଇଥିଲା । ରଜନୀ ତାକୁ ହଲେଇ ଦେଇ କହିଲା, “ହେଇଟି ! ହେଇଟି ! ତମକୁ କିଏ ଖୋଜୁଛନ୍ତି ?”

 

ଏତେ ସକାଳୁ କିଏ ଆସିଲା... ଏମିତି ଗୁଣୁଗୁଣୁ ହୋଇ ସନାତନ ଦୁଆର ଯାଏ ଗଲା ।

 

: ନମସ୍କାର । ଆମେ ‘ଡେଭିଲ ଡେନ୍‌’ର ମେମ୍ବର । ବିଷୁବ ଚାନ୍ଦା ପାଇଁ ଆସିଥିଲୁ ।

 

ରଜନୀ ଦୁଆର ସେକଡ଼େ ଛିଡ଼ା ହୋଇଥିଲା । ପଛରେ ଥିବା ଯୁବକଟି ଚେଁ ଚେଇଁଆ ସ୍ୱରରେ କହିଉଠିଲା, “ଭାଉଜ ! ନମସ୍କାର । କେବେ ଆସିଲେ ? ତାହାହେଲେ ତ ଭାଇଙ୍କ ଘରୁ ଚା’ କପେ ନିଶ୍ଚୟ ମିଳିବ ।”

 

ସନାତନର ହାଡ଼ ଜଳିଗଲା । କିଏ ଭାଇ ? କିଏ ଭାଉଜ ? ଦିନେ ନାହିଁ, କାଳେ ନାହିଁ, ହଠାତ୍‌ ଏହି ଭାଇମାନେ କୋଉଠୁ ଜନ୍ମ ହୋଇପଡ଼ିଲେ ! ସେ ଜାଣିପାରିଲା ଯେ, ରଜନୀର ଏଠିକି ଆସିବା ହିଁ ଏହି ନୂଆ ବିପଦ ପାଇଁ ଦାୟୀ । ସେ ନିଜର କ୍ରୋଧକୁ ଚାପି ରଖି କହିଲା, ‘ଦେହଟା ଟିକେ ଭଲ ନାହିଁ । ରବିବାର ଦିନ ମୁଁ ଚାନ୍ଦା ପଠେଇ ଦେବି । କିନ୍ତୁ ଏ ବିଷୁବ ଚାନ୍ଦା କଣ ପାଇଁ ?’

 

: ପଣା ପିଇବା ନାହିଁ ? ଅଦୃଶ୍ୟ ଗିଲାସଟିକୁ ନିଜ ମୁହଁରେ ଲଗେଇ ପିଇବାର ଅଭିନୟ କରି ପ୍ରଥମ ଯୁବକଟି କାରଣ ବତେଇଦେଲା । ତାର ସାଙ୍ଗଟି କହିଲା, “ହଉ, ଆମେ ଆସି ନେଇଯିବୁ । ଚିହ୍ନା ପରିଚୟ ତ ହେଲା, ଆମେ ପୁଣି ଆସିବୁ ନାହିଁ କି ?”

 

ଯୁବକ ଦି’ ଜଣ ଚାଲିଗଲା ପରେ ସନାତନ ଘର ଭିତରକୁ ଆସି ରଜନୀ ଉପରେ ବିରକ୍ତ ହେଲା । “ତୁମେ ସେମାନଙ୍କ ସାମ୍ନାକୁ ଯିବା କଣ ଦରକାର ଥିଲା ? କଣ ନା–ଭାଉଜ !”

 

ରଜନୀ ଚୁପ୍‌ ରହିଯାଇଥିଲେ ଚଳିଥାଆନ୍ତା । ମାତ୍ର ସେ ଚୁପ୍‌ ରହିଲା ନାହିଁ । ‘ମୋତେ ଯଦି ଛେଳି କି ମେଣ୍ଢା ପରି ଘର ଭିତରେ ବାନ୍ଧି ରଖିବା କଥା, ତାହାହେଲେ ଏଠିକି ଆଣୁଥିଲ କାହିଁକି ?’ ସେ ବଡ଼ ପାଟିରେ ପ୍ରଶ୍ନ କଲା ।

 

ସକାଳୁ ସକାଳୁ ସନାତନ ଏମିତି ଗୋଟେ ଘଟଣା ଘଟିବା ଚାହୁଁ ନ ଥିଲା । ସେ ନିଜେ ଚୁପ୍‌ ରହିଯାଇ କଥାଟାକୁ ବଢ଼ିବା ପାଇଁ ଦେଲା ନାହିଁ ।

 

ସେଦିନ ଅଫିସ୍‌ରେ ଥିବା ସମୟତକ ତାର ରଜନୀ ଚିନ୍ତାରେ କଟିଥିଲା । ସେ ଆଶଙ୍କା କରୁଥିଲା ଯେ, ସାହିର ସେହି ଯୁବକ ଦି’ଜଣ ନିଶ୍ଚୟ ଆସି ରଜନୀ ସାଙ୍ଗରେ ଗପୁଥିବେ ଓ ରଜନୀ ତାଙ୍କୁ ହୁଏତ ପ୍ରଶ୍ରୟ ଦେଉଥିବ । ସେଥିପାଇଁ ସେ ଅଫିସ୍‌ରେ ସ୍ଥିରମସ୍ତିଷ୍କ ହୋଇ କାମ କରିପାରୁ ନ ଥିଲା । ଶୀଘ୍ର ଶୀଘ୍ର ଘରକୁ ଫେରି ଆସିବାକୁ ବାହାରିବା କ୍ଷଣି ରଜନୀ ତା ପକେଟ୍‌ରେ ଥୋଇଦେଇଥିବା ଲମ୍ବା ବଜାର ସଉଦା ଚିଠା ଉପରେ ନଜର ପଡ଼ିଥିଲା ଓ ଅନିଚ୍ଛା ସତ୍ତ୍ୱେ ସେ ହାଟ ଭିତରକୁ ପଶିଥିଲା ।

 

ରାତିରେ ରଜନୀକୁ ଧରା ପଡ଼ୁ ନ ଥିବା ମୂଷା ଚିନ୍ତା ଓ ଦିନରେ ସନାତନର ହାତରୁ ଖସି ଯାଉଥିବା ଠେକୁଆଟିର ଚିନ୍ତା ସବୁବେଳେ ଘାରୁଥିଲା । ବେଳେବେଳେ ସେ ଘରକୁ ଫେରିବାକ୍ଷଣି ‘ଆଜି କିଏ ଆସିଥିଲେ କି’ ବୋଲି କୌତୂହଳୀ ପ୍ରଶ୍ନଟେ ପଚାରୁଥିଲା ଓ ଉତ୍ତରରେ ‘ଚଣା ବିକାବାଲା’ କି ‘ହଳଦୀ-ଲଙ୍କା ବିକାବାଲା’ ନ ହେଲେ ‘ଚୁଡ଼ିବାଲା’ ପରି ଉତ୍ତର ଶୁଣୁଥିଲା । ତା ପ୍ରଶ୍ନର ଉତ୍ତରକୁ ଜାଣି ଜାଣି ରଜନୀ ଏଡ଼ାଇ ଯାଉଛି ବୋଲି ସନାତନର ସନ୍ଦେହ ହେଲାବେଳକୁ ସନାତନ ତା ଉପରେ କଡ଼ା ନଜର ରଖୁଥିବା ପରି ଗୋଟେ ବିରକ୍ତିକର ଅଭିଯୋଗ ରଜନୀ ଭିତରେ ମୁଣ୍ଡ ଟେକୁଥିଲା ।

 

ସେଦିନ ଶନିବାର ଥିଲା ଓ ସନାତନ ଅଫିସ୍‌କୁ ଯିବା ପୂର୍ବରୁ ତାର ପର୍ସ ବେଶ୍‌ ହାଲୁକା ହୋଇଯାଇଥିବା ଅନୁଭବ କଲା । ସେ ଟଙ୍କା ପଇସା କାରବାରରେ ହୁଗୁଳା ଥିବାରୁ ଠିକ୍‌ ହିସାବ ଜାଣି ନ ପାରିଥିଲେ ବି ପର୍ସରୁ କିଛି ଟଙ୍କା କମିଯାଇଥିବା ଆଶଙ୍କା କରୁଥିଲା । ତାର ଲୁନା ସଜାଡ଼ିବା ପାଇଁ ଶହେ ଟଙ୍କା ଦରକାର ଥିଲା ଓ ତା ପାଖରେ ମୋଟ ସତଚାଳିଶ ଟଙ୍କା ଥିଲା । ରଜନୀ ସନାତନର ସମସ୍ୟା ଜାଣିପାରି ‘ମାଉସୀଙ୍କ ପାଖରୁ ଆଣି ଦେଉଛି’ କହି ହଠାତ୍‌ ଘରୁ ବାହାରିଗଲା ଓ ସନାତନ ଘର ସାମ୍ନାକୁ ଚାହିଁବାବେଳକୁ ରଜନୀ ତା ହାତରେ ଷାଠିଏଟି ଟଙ୍କା ଧରି ଫେରି ଆସିଥିଲା ।

 

: ଏ ମାଉସୀ ଜଣକ କିଏ ?–ସନାତନ ପଚାରିଥିଲା ।

 

: ଏଇ ପଡ଼ୋଶୀ ମ ! ଦୁଷ୍ଟାମିର ହସ ହସି ରଜନୀ କହିଲା । ସନାତନର କାମ ଚଳିଯାଇଥିବାରୁ ସେ ଯେତିକି ଆଶ୍ୱସ୍ତି ଅନୁଭବ କରୁଥିଲା ରଜନୀ ସାଙ୍ଗେ ପଡ଼ୋଶୀ ଘରର ଅନ୍ତରଙ୍ଗ ସମ୍ପର୍କ ଜାଣି ସେତିକି ଅସ୍ୱସ୍ତି ଅନୁଭବ କରୁଥିଲା । ତେଣିକି ସେ ଅନୁମାନ କରିପାରୁଥିଲା ଯେ ଏବେ ରଜନୀର ଯୋଉ ଯୋଉ ନୂଆ ଫରମାସୀ ବାହାରୁଛି ତା ପଛରେ ସେହି ଅଦୃଶ୍ୟ ‘ମାଉସୀ’ଙ୍କର ପୃଷ୍ଠପୋଷକତା ହିଁ ରହିଛି ।

 

ରଜନୀର ଚାହିଦା ପ୍ରକୃତରେ ବଢ଼ି ବଢ଼ି ଚାଲିଥିଲା ।

 

: ଖରାଦିନେ ଫ୍ରିଜ୍‌ଟେ ନ ହେଲେ ମଣିଷ କେମିତି ଚଳିବ ?

 

: ତମେ ଲୁନାଟାରେ ଅଫିସ୍‌ ଯିବା ମୋତେ ଭଲ ଦିଶୁନି ।

 

: ତମାଣ୍ଡୋ ପାଖେ ଗୁଣ୍ଠ କୋଡ଼ିଏ ହଜାରରେ ତିନିଗୁଣ୍ଠ ଭଲ ଜମି ମିଳୁଛି ।

 

: ମୋର କାନଫୁଲ ଭାଙ୍ଗିଯାଇଛି । ଚାଲୁନ ଦିନେ ଖିମ୍‌ଜୀ ଦୋକାନକୁ ଯିବା ।

 

: ତୁମର ଏଇ ଚପଲ ହଳକ ମାଗିଆଣିଲା ଭଳି ଦିଶୁଛି । ଶ୍ରୀ ଲେଦର୍ସରେ ଭଲ ଡିଜାଇନ୍‌ ଚପଲ ମିଳୁଛି ।

 

: ଘରେ କିଛି ଭଲ କପ୍‌-ପ୍ଲେଟ୍‌ ନାହିଁ ବୋଲି ତୁମ ସାଙ୍ଗମାନେ ଆସିଲାବେଳକୁ ମୋତେ ବଡ଼ ଅପ୍ରସ୍ତୁତ ଲାଗୁଛି ।

 

ସନାତନର ମୁଣ୍ଡ ବିନ୍ଧି ଉଠୁଥିଲା । ସେ ମନେ ମନେ ଗାଁରେ ରହି ବାପା ବୋଉଙ୍କ ସେବା କରୁଥିବା, ନିଜ ହାତରେ ଗୁହାଳ ପୋଛୁଥିବା, ନଡ଼ା ଜାଳରେ ଧାନ ଉଷଉଁଥିବା ଓ ସକାଳୁ ସଞ୍ଜଯାଏ ଘର ପାଇଟି କରୁଥିବା ତା ନୂଆବୋଉଙ୍କ କଥା ମନେ ପକଉଥିଲା ଏବଂ ଦିନସାରା ବସି ବସି ରାତି ବେଳକୁ ଅସରନ୍ତି ଫରମାସୀ ବାଢ଼ୁଥିବା ରଜନୀର ଭାଗ୍ୟ ସାଙ୍ଗେ ତାଙ୍କ ଭାଗ୍ୟକୁ ତୁଳନା କରୁଥିଲା । ସେ ଏକଥା ବି ଭାବୁଥିଲା ଯେ ରଜନୀ ଆସିବା ପୂର୍ବରୁ ତାକୁ ନେଇ ଯୋଉ ସବୁକଥା ଭାବିଥିଲା ତାହା ସେହି ଭାବିବାରେ ହିଁ ରହି ଯାଇଥିଲା । ରଜନୀକୁ ସହରକୁ ଆଣିବାପରେ ସେ ଥରେ ମାତ୍ର ସାଙ୍ଗରେ ସିନେମା ଯିବା ଭିନ୍ନ ଆଉ କୁଆଡ଼େ ଯାଇପାରି ନ ଥିଲା ଓ ସେଇଥରକ ବି ସେ ବଡ଼ ସଙ୍କୁଚିତ ଭାବେ ସିନେମା ଉପଭୋଗ କରିଥିଲା ।

 

ରଜନୀ କହୁଥିଲା, “ଏ ମୂଷାଟି ମୋତେ ପାଗଳୀ କରି ଛାଡ଼ିବ । ଗୋଟେ ଯନ୍ତା ନ ଆଣିଲେ ୟାକୁ ମାରି ହେବ ନାହିଁ ।”

 

: କାହିଁକି, ଯୋଉ ବିଲେଇଟା ଆସୁଛି ତାକୁ ଗଣ୍ଡେ ଲେଖା ଭାତ ଦେଇ ପାଳୁନ, ସିଏ କଣ ମୂଷା ମାରିବ ନାହିଁ ? –ସନାତନ ଉତ୍ତର ଦେଉଥିଲା ।

 

ବିଲେଇ ଥିଲାବେଳେ ସେ ମୂଷା ବାହାରୁ ନାହିଁ । ଠିକ୍‌ ରାତିରେ ହିଁ ବାହାରୁଛି ଓ ମୋର ଲୁଗାପଟା ସବୁ କାଟିକୁଟି ପକଉଛି । ରଜନୀ ତା ପାଟଶାଢ଼ିଟିର ଦୁର୍ଦ୍ଦଶା ଦେଖେଇବାକୁ ଉଠିଯାଉଥିଲା । ମାତ୍ର ସନାତନର ସେସବୁ ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା । ସେ ମନେ ମନେ ଆଉ ଗୋଟେ କଥା ଭାବୁଥିଲା ପରି ଗୁମ୍‌ ହୋଇ ବସୁଥିଲା ।

 

ରଜନୀ ଆସିବା ପରେ ଗଲା ଚାରିମାସ ହେଲା ସେ ଗାଁକୁ ଯାଇ ନ ଥିଲା । ଆଶ୍ଚର୍ଯ୍ୟର କଥା, ଘରୁ ମଧ୍ୟ ତା ପାଖକୁ କୌଣସି ଚିଠିପତ୍ର ଆସୁ ନ ଥିଲା । ସନାତନ ତା ବାପା-ଭାଇଙ୍କ ନିରବତାରେ ବ୍ୟସ୍ତ ହେଲାବେଳକୁ ରଜନୀ କହୁଥିଲା, “ଗାଁରୁ ଚାଉଳ ନ ଆଣିଲେ ଆମେ କଣ ଏଠି ଚଳିପାରିବା ? ତୁମେ ଥରେ ଗାଁକୁ ଯାଉନ ।”

 

ଗାଁକୁ ଯିବା ପାଇଁ ସନାତନ ମଧ୍ୟ ଚାହୁଁଥିଲା । ପ୍ରକୃତରେ ସେ ବେଳେବେଳେ ଖୁବ୍‌ ବିକଳ ହୋଇପଡ଼ୁଥିଲା । ମାତ୍ର ଗାଁକୁ ଯିବାର ବାହାନା କିଛି ସେ ଖୋଜି ପାଉ ନ ଥିଲା । କେବଳ ଚାଉଳ ଆଣିବା ପାଇଁ ଗାଁକୁ ଯିବାକୁ ତାର ବିବେକ ବାଧା ଦେଉଥିଲା ।

 

ରଜନୀ ଆସିବାପରେ ପ୍ରକୃତରେ ସନାତନର ଖର୍ଚ୍ଚ ଅନେକ ବଢ଼ିଯାଇଥିଲା । ଆଗରୁ ତାର ବସା ଘରଟି ଦିନସାରା ବନ୍ଦ ରହୁଥିବାରୁ ତା ପାଖକୁ କେହି ଚାନ୍ଦାଭେଦା ପାଇଁ ଆସୁ ନ ଥିଲେ କି ଦିନରେ ହଳ ହଳ ଫେରିବାଲା ତାଙ୍କ ଜିନିଷପତ୍ର ବିକ୍ରି କରିବାର ଅବକାଶ ପାଉ ନ ଥିଲା । ମାତ୍ର ଏବେ ପ୍ରତିଦିନ ତାଙ୍କୁ କିଛି ନା କିଛି କିଣିବା ପାଇଁ ପଡ଼ୁଥିଲା ଓ ତା ସତ୍ତ୍ୱେ ରଜନୀ ସନ୍ତୁଷ୍ଟ ହେଉ ନ ଥିଲା ।

 

ପ୍ରକୃତରେ ସନାତନ ଅପେକ୍ଷା ରଜନୀ ବେଶି ଅସନ୍ତୁଷ୍ଟ ରହୁଥିଲା । ତାର କାରଣ ହେଲା ଗାଁରେ ଥିବାବେଳେ ତାକୁ ଏତେ କାମ କରିବାକୁ ପଡ଼ୁ ନ ଥିଲା । ରୋଷେଇବାସଠୁଁ ନେଇ ଲୁଗାଧୁଆ ପର୍ଯ୍ୟନ୍ତ ସବୁ ଟାଣ କାମ ଶାଶୂ ନ ହେଲେ ଯାଆ କରୁଥିଲେ ଏବଂ ସେ କେବଳ ତାଙ୍କୁ ଟିକେ ଟିକେ ସାହାଯ୍ୟ କରୁଥିଲା । ମାତ୍ର ଏଠି ସନାତନ ଜାମାର ବୋତାମ ଲଗେଇ ଦେବାଠାରୁ ରୋଷେଇ, ଲୁଗାଧୁଆ, ଘରଓଳା, ବାସନମଜା ଏବଂ ଗଲା ଆଇଲା ଲୋକଙ୍କ ସତ୍କାର ପରି ସବୁକଥା ତାକୁ ହିଁ ବୁଝିବାକୁ ପଡ଼ୁଥିଲା । ଚାକର ପିଲାଟିଏ ରଖିଲେ ତାର କାମ କମିଯାଆନ୍ତା ବୋଲି ଯେତେଥର ପ୍ରସ୍ତାବ ଦେଲେ ମଧ୍ୟ ସେ କଥାକୁ ସନାତନ ଆଦୌ କାନ ଦେଉ ନ ଥିଲା । ତାର ଯୁକ୍ତି ଥିଲା ଯେ, ଏତେ କମ୍‌ ପଇସାରେ ପିଲାଟିଏ ରଖିହେବ ନାହିଁ କିମ୍ବା ଭୁବନେଶ୍ୱରରେ ମନମୁତାବକ ପିଲା ମିଳିବେ ନାହିଁ ।

 

ରଜନୀର ଅଣ୍ଟା ମଝିରେ ମଝିରେ ବିନ୍ଧୁଥିଲା । ସେତେବେଳେ ତାର ନିଜ ଯାଆ ଓ ଶାଶୂଙ୍କ କଥା ମନେପଡ଼ୁଥିଲା । ଗାଁରେ ଥିବାବେଳେ ସେମାନେ ତାକୁ ଟାଣ କାମ କରିବାକୁ ଦେଉ ନ ଥିଲେ । ରଜନୀର ବର ମାସକୁ ମାସ କଞ୍ଚା ପଇସା ପଠାଉଥିବାରୁ ଯାଆ ତାକୁ ସମୀହ କରି ଚଳୁଥିଲେ ଓ ସାନ ବୋହୂ ବୋଲି ରଜନୀର ଶାଶୂ ଶ୍ୱଶୁର ବି ତାକୁ ବେଶି ଆଦର କରୁଥିଲେ । ଗାଁରେ ରଜନୀ ବେଶ୍‌ ଆରାମରେ ରହୁଥିଲା ଓ ସପ୍ତାହାନ୍ତ ରାତିମାନଙ୍କ କଥା ଭାବି ଭାବି ମଧୁର ଆନନ୍ଦରେ ଉଲ୍ଲସିତ ହୋଇଉଠୁଥିଲା । ଏକଥା ଏବେ ମନେ ପଡ଼ିଲାରୁ ତା ଭିତରେ ଗୋଟେ ଦୁଃଖ ଦୁଃଖ ଭାବ ଫୁଟି ଉଠୁଥିଲା ଓ ସେଇକଥା ସେ ସମୟେ ସମୟେ “ସହର କେବଳ ହାକିମହୁକୁମା ସ୍ତ୍ରୀଙ୍କ ପାଇଁ” ଭଳି ମନ୍ତବ୍ୟ ଜରିଆରେ ଜଣେଇବାକୁ ଚାହୁଁଥିଲା ।

 

ସନାତନ ରଜନୀର କଥାରେ ଦ୍ୱିମତ ହେଉ ନ ଥିଲା । କାରଣ, ସହରକୁ ଆଣିବା ପରେ ପ୍ରକୃତରେ ରଜନୀକୁ ସେ ସତେ କି ହଜେଇ ଦେଇଥିଲା । ଏଠି ତା ପାଖରେ ଯୋଉ ରଜନୀ ଥିଲା ସେ କେବଳ ଘର-ଟଙ୍କା-ଜମି-ଗହଣା-ମନସ୍କ ଗୋଟେ ନାରୀ, ଯିଏ ଠେକୁଆଟିର ଯତ୍ନ ନେବା ବଦଳରେ ଅଦୃଶ୍ୟ ମୂଷାର ଆଶଙ୍କାରେ ରାତି ପରେ ରାତି ଅନିଦ୍ରା ରହୁଥିଲା ।

 

ଏତିକିବେଳେ ତା ଭିତରେ ଗୋଟେ ଗ୍ଳାନି ସୃଷ୍ଟି ହେଉଥିଲା । ତାର ଧାରଣା ହେଉଥିଲା ଯେ, ସେ କ୍ରମେ ତା ବାପା, ବୋଉ, ଭାଇ ଓ ଭାଉଜଙ୍କଠାରୁ ଦୂରେଇ ଯାଉଥିଲା । ତାର ଶୈଶବ, କୈଶୋର ଓ ଯୌବନର ଗାଁଟି ପାଖରୁ ସେ ପ୍ରତିଦିନ କୋଶେ କୋଶେ ଦୂରକୁ ଚାଲିଯାଉଥିଲା । କେମିତି ସେ ବ୍ୟବଧାନକୁ ଯେ କମେଇପାରିବ, ସେ କଥା ସେ ଚିନ୍ତା କରିପାରୁ ନ ଥିଲା ।

 

ଏମିତି ଦିନ ବିତୁଥିଲା ।

 

ରାତି ବି ।

 

ସନାତନ ଏବେ କେବଳ ଗୋଟିଏ ଅବସର ଖୋଜୁଥିଲା, ଯୋଉ ଅବସର ତାକୁ ଗାଁ ସାଙ୍ଗେ ଯୋଡ଼ିହେବା ପାଇଁ ଗୋଟେ ସୂତ୍ର ଧରେଇ ଦେବ ! ସେଥିପାଇଁ ସେ ମାସ ପରେ ମାସ ରଜନୀ ଶରୀରର ସେହି ସଂଭାବନାକୁ ଅପେକ୍ଷା କରୁଥିଲା, ଯୋଉ ମଧୁର ସଂଭାବନା କଥା ଶୁଣିଲା ମାତ୍ରେ ‘ବୋହୂକୁ ଗାଁକୁ ପଠେଇ ଦେ’ ବୋଲି ଆଦର ମିଶା ଟାଣ ତାଗିଦାଟେ ସେ ବୋଉଠାରୁ ଶୁଣିବ ।

 

ମାତ୍ର ରଜନୀ ସନାତନର ପ୍ରଶ୍ନିଳ ଦୃଷ୍ଟିକୁ ଏଡ଼ାଇ ଯାଉ ଯାଉ ବରାବର କହୁଥିଲା, “ହେଃ, ସେ ଗୁହମୂତରେ ଘାଣ୍ଟି ହେବା କଥା ଏବେଠୁ ମୋତେ କୁହ ନାହିଁ । ମୁଁ କଣ ଖବରକାଗଜ ପଢ଼ୁ ନାହିଁ ନା ଟି.ଭି ଦେଖୁ ନାହିଁ !”

 

ସନାତନ ହାତରୁ ଠେକୁଆଟି ଚଟ୍‌ କରି ଖସି ଯାଉଥିଲା ଏବଂ ସେ ଉଦାସ ହୋଇପଡ଼ୁଥିଲା ।

Image